Categories: ଖେଳ

ହାଇ ଜମ୍ପରେ ଦୁଇ ଜଣ ବାଣ୍ଟିନେଲେ ସ୍ବର୍ଣ୍ଣ ପଦକ

ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସର ହାଇ ଜମ୍ପ ଇଭେଣ୍ଟରେ ଇଟାଲିର ଗିଆନମାର୍କୋ ତାମ୍ବେରି ଓ କାତାରର ମୁତାଜ ଏସା ବାର୍ଶିମ ସ୍ବର୍ଣ୍ଣ ପଦକ ଶେୟାର କରିଛନ୍ତି। ଦୁହେଁ ଫାଇନାଲରେ ୨.୩୭ ମିଟର ଉଚ୍ଚତା ହାସଲ କରିଥିଲେ। କିନ୍ତୁ ଉଭୟ ଆଥ୍‌ଲେଟ ୩ ଉଦ୍ୟମ ପରେ ମଧ୍ୟ ୨.୩୯ ମିଟର ଉଚ୍ଚତା ହାସଲ କରି ପାରି ନ ଥିଲେ। ଏଥି ଯୋଗୁ ଜମ୍ପ ଅଫ୍‌ ନିୟମ ଦ୍ୱାରା ସ୍ବର୍ଣ୍ଣ ପଦକ ବିଜେତା ନିର୍ଣ୍ଣୟ କରିବାକୁ ପ୍ରସ୍ତାବ ଦେଇଥିଲେ ଅଫିସିଆଲ। କିନ୍ତୁ କିଛି ରିପୋର୍ଟ ମୁତାବକ, ବନ୍ଧୁ ଗିଆନମାର୍କୋଙ୍କ ସହ ସ୍ବର୍ଣ୍ଣ ପଦକ ଶେୟାର କରିବାକୁ ଚାହୁଁଥିବା ଅଫିସିଆଲଙ୍କୁ କହିଥିଲେ କାତାରର ମୁତାଜ। ସୋସିଆଲ ମିଡିଆରେ ଏହାକୁ ବନ୍ଧୁତ୍ୱର ଉଦ୍‌ହାରଣ ବୋଲି କୁହାଯାଉଛି। କିନ୍ତୁ ସେଥିରେ ସତ୍ୟତା ନାହିଁ।

ହାଇ ଜମ୍ପ ଅଲିମ୍ପିକ୍‌ ଇଭେଣ୍ଟରେ ଏକ ନିୟମ ଅଛି, ଯାହାକି ସ୍ବର୍ଣ୍ଣ ପଦକ ଶେୟାର କରିବାକୁ ଅନୁମତି ଦେଉଛି। ସର୍ବାଧିକ ଉଚ୍ଚତା ହାସଲକାରୀ ଆଥ୍‌ଲେଟ୍‌ଙ୍କୁ ସ୍ବର୍ଣ୍ଣ ପଦକ ଦିଆଯାଏ। କିନ୍ତୁ ଯଦି ଦୁଇ ଆଥ୍‌ଲେଟଙ୍କ ମଧ୍ୟରେ ଉଚ୍ଚତା ସମାନ ରୁହେ, ତେବେ ଖୁବ୍‌ କମ୍‌ ଉଦ୍ୟମରେ ନିର୍ଦ୍ଧାରିତ ଉଚ୍ଚତା ହାସଲ କରିଥିବା ଆଥ୍‌ଲେଟ୍‌ଙ୍କୁ ପ୍ରଦାନ କରାଯାଏ ସ୍ବର୍ଣ୍ଣ ପଦକ। ମାତ୍ର ସେହି ନିୟମ ଏଠାରେ କାର୍ଯ୍ୟକାରୀ ହୋଇପାରି ନ ଥିଲା। କାରଣ ଦୁହେଁ ସମାନ ସଂଖ୍ୟକ ଉଦ୍ୟମରେ ସମାନ ଉଚ୍ଚତା ହାସଲ କରିଥିଲେ। ଏଣୁ ଏଠାରେ ଜମ୍ପ ଅଫ୍‌ ନିୟମ କାର୍ଯ୍ୟକାରୀ ହେବା କଥା। ମାତ୍ର ଉଭୟ ଆଥ୍‌ଲେଟ୍‌ଙ୍କ ସହମ୍ମତି କ୍ରମେ ସ୍ବର୍ଣ୍ଣ ପଦକ ବଣ୍ଟାଯାଇପାରିବ। ଆଉ ଏହା ହିଁ ଘଟିଥିଲା ହାଇ ଜମ୍ପ ଇଭେଣ୍ଟରେ। ଅନ୍ତିମ ଥର ୧୯୧୨ ଷ୍ଟକହୋମ ଅଲିମ୍ପିକ୍ସରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

Share