Categories: ଖେଳ

ଟୋକିଓ ଅଲିମ୍ପିକ୍ସ: ହିରୋଶିମା ସଡ଼କରୁ ମଶାଲ ରାଲି ବାତିଲ

ଟୋକିଓ,୧୨।୫(ଏପି): ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ ଆଉ ମାତ୍ର ୧୦ ସପ୍ତାହ ବାକି ରହିଥିବା ବେଳେ ହିରୋଶିମା ପ୍ରାନ୍ତର ସଡକରୁ ମଶାଲ ରାଲିକୁ ବାତିଲ କରାଯାଇଛି। ଜାପାନରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ବିନା ରାଲିରେ ଆସନ୍ତା ସପ୍ତାହରେ ଉତ୍ସବ ପାଳନ କରାଯିବ ବୋଲି ହିରୋଶିମା ଗଭର୍ନର ହିଡେହିକୋ ୟୁଜାକି କହିଛନ୍ତି। ଗତ କେତେ ସପ୍ତାହ ମଧ୍ୟରେ ମଶାଲ ରାଲି କାର୍ଯ୍ୟସୂଚୀରେ ଷଷ୍ଠଥର ପାଇଁ ପରିବର୍ତ୍ତନ କରାଯାଇଛି। ରାଲି ଆୟୋଜନ ପୂର୍ବରୁ ଆୟୋଜକମାନେ ସତର୍କ କରାଇଥିଲେ। ମହାମାରୀକୁ ଦୃଷ୍ଟିରେ ରଖି ରାଲି ବିଳମ୍ବ ହେବା ଓ ପରିବର୍ତ୍ତନ ହେବା ଆଶଙ୍କା କରାଯାଉଥିଲା।
ସର୍ବସାଧାରଣ ସଡକରେ ରାଲି ଆୟୋଜନ ହେବ ନାହିଁ। ତେବେ ବିନା ରାଲିରେ କିଭଳି ଉତ୍ସବ ଆୟୋଜନ ହେବ ସେ ନେଇ ଆଲୋଚନା କରୁଛୁ ବୋଲି ୟୁଜାକି କହିଛନ୍ତି। ମାର୍ଚ୍ଚ ୨୫ ତାରିଖରେ ଜାପାନର ଉତ୍ତର ପୂର୍ବାଞ୍ଚଳରେ ରାଲି ଆରମ୍ଭ ହୋଇଥିଲା ଓ ଏହା ଜୁଲାଇ ୨୩ ତାରିଖରେ ଉଦ୍‌ଘାଟନୀ ଉତ୍ସବରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିଲା। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଟୋକିଓ ଓ ଆଖପାଖ ସ୍ଥାନରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି।
ଜାପାନରେ ଏ ପର୍ଯ୍ୟନ୍ତ କୋଭିଡ୍‌-୧୯ରେ ୧୧,୦୦୦ ମୃତ୍ୟୁବରଣ କଲେଣି। ଟୋକିଓ ଓ ଜାପାନର ଦ୍ୱିତୀୟ ବୃହତ୍ତମ ସହର ଓସାକାରେ ନୂଆ କେସି ଓ ଭାରିଆଣ୍ଟ୍ସ ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି। ଟୋୟଟା ଓ କୋକା- କୋଲା ଏହି ରାଲିର ପ୍ରାୟୋଜକ ରହିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ ମଶାଲର ସ୍ବାଗତ ପାଇଁ ହିରୋଶିମା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷରେ ତାକୁ ରଦ୍ଦ କରିଥିଲେ। କରୋନା କେସ୍‌ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ଲୋକମାନେ ସଚେତନ ନ ହେଲେ ଓ ନିଜର ଆଚରଣରେ ସକାରାତ୍ମକ ପରିବର୍ତ୍ତନ ନ ଆଣିଲେ ଜରୁରିକାଳୀନ ସ୍ଥିତି ସୃଷ୍ଟି ହେବ ବୋଲି ୟୁଜାକି କହିଛନ୍ତି।

Share