Categories: ଖେଳ

ବିନା ପ୍ରଶଂସକରେ ଆୟୋଜନ ହେବ ଟୋକିଓ ଅଲିମ୍ପିକ୍ସ: ଟିଭି ଇଭେଣ୍ଟରେ ପରିଣତ ହେବ ମେଗା ଇଭେଣ୍ଟ

ଟୋକିଓ, ୭।୭: ବିନା ପ୍ରଶଂସକରେ ଆୟୋଜନ ହେବ ଟୋକିଓ ଅଲିମ୍ପିକ୍ସ। ଏବେ ଏହା ଏକ ଟିଭି ଇଭେଣ୍ଟରେ ପରିଣତ ହେବ। ୬୮,୦୦୦ କ୍ଷମତା ବିଶିଷ୍ଟ ଟୋକିଓର ନ୍ୟାଶନାଲ ଷ୍ଟାଡିୟମରେ ହାତଗଣିତ କେତେକ ଭିଆଇପି ଅତିଥିଙ୍କ ଉପସ୍ଥିତିରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ ହେବ ବୋଲି ଜାପାନର ଆଗଧାଡିର ଖବରକାଗଜ ‘ଅସାହି’ ଉଲ୍ଲେଖ କରିଛି। ୨୩ ତାରିଖରେ ଅଲିମ୍ପିକ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।
ପ୍ରାୟ ସବୁ ଭେନ୍ୟୁରେ ପ୍ରଶଂସକ ତଥା ଦର୍ଶକଙ୍କୁ ଦେଖିବାକୁ ମିଳିବ ନାହିଁ। ତେବେ କେତେକ ଛୋଟ ଭେନ୍ୟୁରେ ଅଳ୍ପ ସଂଖ୍ୟକ ପ୍ରଶଂସକଙ୍କୁ କ୍ରୀଡ଼ା ଦେଖିବାକୁ ଅନୁମତି ମିଳିବ ବୋଲି ଏହି ଖବରକାଗଜ ଉଲ୍ଲେଖ କରିଛି। ଅବଶ୍ୟ ଗୁରୁବାର ଆୟୋଜନ ହେବାକୁ ଥିବା ବୈଠକ ପରେ ଟୋକିଓ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ମିଳିତ ଭାବେ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ ଆଭିମୁଖ୍ୟ ସ୍ପଷ୍ଟ କରିବେ। ଦୁଇ ସପ୍ତାହ ତଳେ ଆଇଓସି ଓ ଆୟୋଜକମାନେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ କରୋନ ସଂକ୍ରମଣରେ ବୃଦ୍ଧି ଘଟିବା ଏଥିରେ ଅନ୍ତରାୟ ସୃଷ୍ଟି କରିଛି।
ଟିଭି ରାଇଟ୍‌ ବିକ୍ରୟରୁ ଆଇଓସି ୭୫ ପ୍ରତିଶତ ଅର୍ଥ ଆୟ କରୁଛି। ଏହି କ୍ରମରେ ଆଇଓସି ୩ରୁ ୪ ବିଲିୟନ ଅର୍ଥ ପାଇବା ନିଶ୍ଚିତ ହୋଇଛି। ପୂର୍ବରୁ ବିଦେଶୀ ଦର୍ଶକଙ୍କୁ ବାରଣ କରାଯାଇସାରିଛି। ମହାମାରୀ ସମୟରେ ଅଲିମ୍ପିକ୍‌ ଆୟୋଜନ ହେଉଥିବାରୁ ପ୍ରଶଂସକ ରହିବେ ନାହିଁ ବୋଲି ଜାପାନ ସରକାରଙ୍କ ଜଣେ ମେଡିକାଲ ଆଡଭାଇଜର ଶିଗେରୁ ଓମି କହିଛନ୍ତି। ତେବେ ଭିଆଇପିଙ୍କ ସମେତ ପ୍ରାୟୋଜକ ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କୁ ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବାକୁ ଅନୁମତି ମିଳିବ। ଏମାନଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ଅବନତି ହେବ। ଅତିବେଶିରେ ୧୦,୦୦୦ ସ୍ବତନ୍ତ୍ର ଭିଆଇପି ତଥା ଅତିଥି ଏହି ଅବସରରେ ଉପସ୍ଥିତ ରହିବେ।
୧୧,୦୦୦ ଅଲିମ୍ପିକ୍‌ ଓ ୪,୪୦୦ ପାରା ଅଲିମ୍ପିକ୍‌ ଆଥ୍‌ଲେଟ ଟୋକିଓ ଆସିବେ। ଏହା ବ୍ୟତୀତ କୋଚ୍‌, ପ୍ରଶାସକ, ବ୍ରଡକାଷ୍ଟର ଓ ମିଡିଆର ୧୦, ୦୦୦ ପ୍ରତିନିଧି ମଧ୍ୟ ଟୋକିଓ ଆସିବେ। ପୁଣି ଜୁଲାଇ ୧୧ରେ ଶେଷ ହେବାକୁ ଯାଉଥିବା ଷ୍ଟେଟ୍‌ ଇମର୍ଜେନ୍ସିକୁ ଆହୁରି ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି।

Share