Categories: ଖେଳ

ଦୁର୍ବ୍ୟବହାର ପାଇଁ କ୍ଷମା ମାଗିଲେ ଟୋକିଓ ଅଲିମ୍ପିକ୍ସ ସଙ୍ଗୀତକାର

ଟୋକିଓ,୧୯।୭(ଏପି): ପିଲାଦିନର ଏକ ଅଭାବନୀୟ ଘଟଣା ପାଇଁ କ୍ଷମା ମାଗିଛନ୍ତି ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ ସଙ୍ଗୀତକାର ଜାପାନର କେଇଗୋ ଓୟାମାଡା। ପିଲାଦିନେ ସେ ଜଣେ ସହପାଠୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସହପାଠୀ ଜଣକ ଦିବ୍ୟାଙ୍ଗ ଥିଲେ। ଏହି ଘଟଣା ଇଣ୍ଟରନେଟ୍‌ରେ ବିଭିନ୍ନ ଗଣମାଧ୍ୟମରେ ବହୁଳ ଭାବେ ଭାଇରାଲ ହୋଇଥିଲା। ଜାପାନର ଗଣମାଧ୍ୟମଗୁଡିକ ମଧ୍ୟ ଏ ନେଇ ରିପୋର୍ଟ ପ୍ରକାଶ କରିଥିଲେ। ଏହା ପରେ ତାଙ୍କ ଇସ୍ତଫା ନେଇ ଦାବି ଜୋର ଧରିଥିଲା।
ଓୟାମାଡା ଜାପାନର ଜଣେ ପ୍ରତିଷ୍ଠତ ତଥା ଜଣାଶୁଣା ସଙ୍ଗୀତକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ୧୯୯୦ ଦଶକରେ ସେ ଜାପାନର ଏକ ମାଗାଜିନ୍‌ରେ ସାକ୍ଷାତକାର ଦେବା ଅବସରରେ ଏହି ଦୁର୍ବ୍ୟବହାର ତଥା ଗାଳିଗୁଲଜ ଘଟଣା ନେଇ ସବିଶେଷ ଭାବେ ସୂଚନା ଦେଇଥିଲେ। ପାଖାପାଖି ୩୦ ବର୍ଷ ତଳର ଏହି ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିବା ପରେ ସେ ବେଶ୍‌ ସମାଲୋଚିତ ହୋଇଛନ୍ତି। ଫଳରେ ତାଙ୍କୁ ଏଥିପାଇଁ କ୍ଷମା ମାଗିବାକୁ ପଡ଼ିଛି।
ଏଥିପାଇଁ ସମ୍ପୃକ୍ତ ସହପାଠୀ, ମୋର ସବୁ ପ୍ରଶଂସକ ଓ ଅନ୍ୟମାନଙ୍କୁ ହୃଦୟରୁ କ୍ଷମା ମାଗୁଛି ବୋଲି ସେ କହିଛନ୍ତି। ଜୁଲାଇ ୧୬ ତାରିଖରେ ସେ ନିଜ ଓ୍ବେବ୍‌ସାଇଟ୍‌ରେ କ୍ଷମା ମାଗିଥିଲେ ଓ ଏବେ ଟୁଇଟ୍‌ କରି କ୍ଷମା ମାଗିଛନ୍ତି।

Share