Categories: ଖେଳ

ଟୋକିଓ ଅଲିମ୍ପିକ୍ସ: ଭ୍ୟାକ୍ସିନକୁ ବ୍ୟାକ୍‌ଙ୍କ ଗୁରୁତ୍ୱ

ଟୋକିଓ, ୧୮ା୧୧ (ଏପି)-କରୋନା ପାଇଁ ସ୍ଥଗିତ ରହିଥିବା ଅଲିମ୍ପିକ୍ସ ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୩ରୁ ଆରମ୍ଭ ହୋଇ ପାରିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଭାପତି ଥୋମାସ ବ୍ୟାକ୍‌ ଦୃଢତାର ସହିତ କହିଛନ୍ତି। ବ୍ୟାକ୍‌ ଚଳିତସପ୍ତାହରେ ଟୋକିଓ ଟୁର୍‌ରେ ଅଛନ୍ତି। ଯଦି ଉପଲବ୍ଧ ହୁଏ ତେବେ ଟୋକିଓ ଆସିବା ପୂର୍ବରୁ ଅଲିମ୍ପିକ୍ସର ସମସ୍ତ ଅଂଶଗ୍ରହଣକାରୀ ଏବଂ ପ୍ରଶଂସକ ଭ୍ୟାକ୍‌ସିନ ନେଇ ପାରିଲେ ଭଲ। ଜାପାନରେ କୋଭିଡ୍‌ ତୁଳନାତ୍ମକ ଭାବେ ନିୟନ୍ତ୍ରଣରେ ଅଛି। ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ପାଖାପାଖି ୧,୯୦୦ ରହିଛି। ତେବେ ବିଳମ୍ବରେ ବିଶେଷ କରି ଟୋକିଓ ଏବଂ ହୋକାଇଦୋରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ବ୍ୟାକ୍‌ ମଙ୍ଗଳବାର ଟୋକିଓ ବେ’ରେ ରହିଥିବା ଆଥଲେଟ୍ସ ଭିଲେଜ ପରିଦର୍ଶନରେ ଯାଇଥିଲେ। ସେଣ୍ଟ୍ରାଲ ଟୋକିଓରେ ନବ ନିର୍ମିତ ନ୍ୟାଶନାଲ ଷ୍ଟାଡିୟମ ବୁଲି ଦେଖିଥିଲେ। ଏହା ସ୍ପଷ୍ଟ ଯେ, ସମସ୍ତ ଆଥଲେଟ୍‌ ଭ୍ୟାକ୍ସିନ ନେବାକୁ ଚାହିଁବେ ନାହିଁ। କେତେକ ଏହା ତାଙ୍କ ବ୍ୟକ୍ତିଗତ ଇଚ୍ଛା ବୋଲି ଭାବିବେ। ଅସୁସ୍ଥ ହେବା ଆଶଙ୍କାରେ କେତେଜଣ ଭ୍ୟାକ୍ସିନ ନେବାକୁ ଭୟ କରିବେ। କାରଣ ଏହାଦ୍ୱାରା ସେମାନେ ହୁଏତ ଅଲିମ୍ପିକ୍ସରେ ଅଂଶଗ୍ରହଣ ସୁଯୋଗରୁ ବଞ୍ଚତ୍ତ ହୋଇ ପାରନ୍ତି। ବ୍ୟାକ୍‌ କହିଛନ୍ତି, କେବଳ ବ୍ୟକ୍ତିଗତ ଭାବେ ଭ୍ୟାକ୍ସିନ ନେଇଗଲେ ହେବ ନାହିଁ। ଏଥିଲାଗି ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ପଡ଼ିବ। ଟୋକିଓରେ ସୁସ୍ଥ ଓ ଯୁବ ଆଥଲେଟମାନଙ୍କ ଅପେକ୍ଷା ନର୍ସ, ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଭ୍ୟାକ୍ସିନ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ଗେମ୍ସ ପାଇଁ ଜାପାନକୁ ପ୍ରାୟ ୧୧,୦୦୦ ଅଲିମ୍ପିକ ଆଥଲେଟ, ୧୦ହଜାର ଅଫିସିଆଲ ଜଜ୍‌, ଭିଆଇପି ଏବଂ ମିଡିଆ ଓ ବ୍ରଡ୍‌କାଷ୍ଟର ଆସିବେ। ଗେମ୍ସ ସ୍ଥଳରେ କୌଣସି ଆଥଲେଟ ପଜିଟିଭ ଚିହ୍ନଟ ହେଲେ ତାଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣରୁ ବଞ୍ଚତ୍ତ କରାଯିବ ବୋଲି ଟୋକିଓ ଅଲିମ୍ପିକ ଅଫିସିଆଲ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି କହିଛି।

Share