Categories: ଖେଳ

ଟୋକିଓ ଅଲିମ୍ପିକ୍ସ: ମାରିଙ୍କ ବଦଳରେ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇପାରେ

ଟୋକିଓ,୧୭।୨(ଏପି): ଟୋକିଓ ଅଲିମ୍ପିକ ଆୟୋଜକ କମିଟି ଅଧ୍ୟକ୍ଷ ଭାବେ ୟୋଶିରୋ ମୋରିଙ୍କ ସ୍ଥାନରେ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି। ୮୩ ବର୍ଷୀୟ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ମୋରିଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଏଭଳି କଡ଼ା ନିଷ୍ପତ୍ତି ନିଆଯାଇଥିଲା।
ବର୍ତ୍ତମାନ ଏହି ହାଇପ୍ରୋଫାଇଲ ପଦରେ ୬୩ ବର୍ଷୀୟା ଜାପାନିଜ ଅଲିମ୍ପିକ୍‌ କମିଟି ମୁଖିଆ ତଥା ୧୯୮୪ ଅଲିମ୍ପିକ୍ସରେ ଜୁଡୋ ସ୍ବର୍ଣ୍ଣ ପଦକ ବିଜୟିନୀ ୟାସୁହିରୋ ୟାମାସିଟାଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି ଓ ସେ ଏହି ପଦ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ୟାମାସିଟା ପୂର୍ବରୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟିର ସଦସ୍ୟ ରହିଥିଲେ। ମୋରିଙ୍କ ଉତ୍ତରାଧିକାରୀ ଚୟନ ପାଇଁ ମଙ୍ଗଳବାର ଆୟୋଜକ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ଏ ନେଇ ପ୍ରାର୍ଥୀମାନଙ୍କର ତାଲିକା ପ୍ରସ୍ତୁତ କରାଯିବ। ତେବେ ଏହି ପଦ ପାଇଁ କାହାକୁ ଚୟନ କରାଯିବ ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ତେବେ ନୂଆ ଅଧ୍ୟକ୍ଷ ଚୟନରେ ସ୍ବଚ୍ଛତା ଅବଲମ୍ବନ କରାଯିବ ବୋଲି ଆୟୋଜକମାନେ ସ୍ପଷ୍ଟ କରିଛନ୍ତି। ଚୟନ କମିଟିର ନେତୃତ୍ୱ ନେବେ ୮୫ ବର୍ଷୀୟ ଫୁଜିଓ ମିଟାରାଇ। କମିଟି ଅନ୍ୟ ସଦସ୍ୟଙ୍କ ନାମ ଘୋଷଣା କରିନାହିଁ।

Share