Categories: ରାଜ୍ୟ

ଆଜି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ

ଭୁବନେଶ୍ୱର/ପୁରୀ,୧୭।୧(ଅନିଲ ଦାସ/ ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ବୁଧବାର ଅନୁଷ୍ଠିତ ହେବ। ଏଥିଲାଗି ଜଗନ୍ନାଥ ଧାମ ମନ୍ତ୍ରଧ୍ବନିରେ ମୁଖରିତ ହେଉଛି। ବଡ଼ଦାଣ୍ଡର ଚୁତଃପାର୍ଶ୍ୱ ସଜେଇ ହେଉଛି। ମହାଯଜ୍ଞ ଚାଲିଛି, ନାମସଂକୀର୍ତ୍ତନ ସହ ଭାବଭକ୍ତିରେ ସମଗ୍ର ପରିବେଶରେ ଭରିଯାଇଛି। ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ସବମୁଖର ହୋଇଉଠିଛି ପୁରୀ ସହର।
ଲୋକାର୍ପଣ ଉତ୍ସବ ଅବସରରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ। ଅପରାହ୍ନ ୧ଟା ୧୫ମିନିଟ୍‌ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ। ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ। ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ। ସାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍‌ ଏବଂ ସାଉଣ୍ଡ ଶୋ ବ୍ୟବସ୍ଥା କରାଯାଇଛି । ପରିକ୍ରମା ପ୍ରକଳ୍ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ପ୍ରଦକ୍ଷିଣ ମାର୍ଗ ପ୍ରସ୍ତୁତ ହୋଇଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ରହିଛି ଚଲାପଥ। ମୌଳିକ ସୁବିଧା ଉପଲବ୍ଧ ରହିଥିବା ବେଳେ ୫୦ରୁ ଅଧିକ ବ୍ୟାଟେରି ଗାଡ଼ି ଦ୍ୱାରା ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରର ପ୍ରଦକ୍ଷିଣ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗସ୍ତ ସମୟରେ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ପୋଲିସ ପ୍ରଶାସନ ଦ୍ୱାରା କାରକେଡ୍‌ ରିହର୍ସାଲ କରାଯାଇଛି। ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ୪୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।