ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୯ା୪(ଡି.ଏନ୍‌.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶନିବାର ଅନୁଷ୍ଠିତ ହେବ। ରଥଖଳାରେ ରଥ ଓ ପଥ ପ୍ରସ୍ତୁତ। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସବୁ ପ୍ରସ୍ତୁତି ଶେଷ ହୋଇଛି। କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେବ ଭକ୍ତ ରଥଟଣାରୁ ବଞ୍ଚିତ ଥିବା ବେଳେ ଚଳିତ ବର୍ଷ କଟକଣା ନ ଥିବାରୁ ଭକ୍ତଙ୍କ ମହଲରେ ଉତ୍ସାହ ଦେଖାଦେଇଛି। ଶୁକ୍ରବାର ରଥଖଳାରେ ଥିବା ରୁକୁଣା ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏନେଇ ଦୈନିକ ନୀତି ସନ୍ଧ୍ୟାଧୂପ ସରିବା ପରେ ପତ୍ରି ଘଣ୍ଟ, କାହାଳି, ଚର୍ଚ୍ଚେଇତ, ମନ୍ଦିର ସୁପରଭାଇଜର, ମଶାଲ ସହ ମୁକ୍ତେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ। ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପତ୍ରି ସେବକ ୨ ମାଠିଆ ପାଣି ରଥ ପ୍ରତିଷ୍ଠା ପାଇଁ ଆଣିଥିଲେ। ଉକ୍ତ ପାଣିକୁ ପ୍ରତିଷ୍ଠା ମଣ୍ଡପରେ ରଖାଯାଇଥିଲା। ପରେ ମନ୍ଦିର ପୁରୋହିତ ମନୋରଞ୍ଜନ ଦାଶ, ପୁରୀ ରାଜଗୁରୁ ପ୍ରଭାତ କୁମାର ରାଜଗୁରୁ କର୍ତ୍ତା ଭାବେ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହାପରେ ସମର୍ଥା ସେବକ ରଥ ଉପରେ ଚଢ଼ି ନୂତନ ରଥ ଘେର ଓ ପତାକା ଲଗାଇଥିଲେ। ମନ୍ଦିରର ଉକ୍ତ ଦିନର ପାଳିଆ ପୂଜାପଣ୍ଡା ପଞ୍ଚବକ୍ରଙ୍କୁ ଧରି ରଥରେ ଥିବା ସିଂହାସନ ପଛପଟୁ ବିଜେ କରିଥିଲେ। ପତ୍ରି ସେବକ ଠା’ କରିସାରିବା ପରେ ପଞ୍ଚ ଉପଚାରରେ ଭୋଗ ନୈବେଦ୍ୟ ସହ ଆଳତି କରାଯାଇଥିଲା। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ କରାଯାଇ ମନ୍ଦିର ପହଡ଼ ପଡ଼ିଥିଲା। ବିଳମ୍ବିତ ରାତିରେ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ରଥ ଗଡ଼ିବା ନେଇ ରଥଖଳାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପିଚୁ କରାଯାଇଛି। ଶନିବାର ପୂଜା ସମ୍ପନ୍ନ ପରେ ଅପରାହ୍ନ ୩ଟା ୩୦ରେ ରଥରଣା ହେବା ନେଇ ସ୍ଥିର ହୋଇଛି। ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୦ପ୍ଲାଟନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି।