ଓଡ଼ିଆ ଅଡ଼ୁଆ କାହାକୁ

ଡ. ଭବାନୀ ଶଙ୍କର ଦାଶ

 

ଓଡ଼ିଆ ଭାଷାକୁ ନେଇ ଓଡ଼ିଶାରେ ରାଜନୀତି ବେଶ୍‌ ଉଷ୍ମ ହୋଇ ଉଠିଛି ଏଇ କିଛିଦିନ ହେଲା। ଏଥିପାଇଁ ଯିଏ ଯାହା ପାଇଲେ କହିଯାଉଛନ୍ତି ଓ କରିଯାଉଛନ୍ତି। କେତେକ ରାଜନୀତି ବେପାରୀ ବି ଓଡ଼ିଆ ଭାଷାକୁ ନେଇ ସୁନ୍ଦର ପଶାପାଲିଟିଏ ବିଛେଇ ସାରିଲେଣି। କିନ୍ତୁ ସତୁରି ପ୍ରତିଶତ ଓଡ଼ିଆ ଲୋକ ନିଜ ଘରେ ଏବେ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି ନାହିଁ। ଇଂଲିଶ୍‌ କିମ୍ବା ହିନ୍ଦୀରେ କଥା ହୁଅନ୍ତି ନିଜ ପିଲାଙ୍କୁ ମଣିଷ କରିବା ପାଇଁ କିମ୍ବା ମର୍ଯ୍ୟାଦାର କଥା ବୋଲି। ଅବଶ୍ୟ ସାରା ଓଡ଼ିଶାର ମାନସିକତାରେ ଏବେ ମଣିଷ ହେବାର ଭାଷା ଇଂଲିଶ୍‌। ମଣିଷ ହବାର ମାପଦଣ୍ଡ ହେଉଛି ଅର୍ଥ। ଅର୍ଥ ରୋଜଗାର ପାଇଁ ବିଦେଶ ଯିବାକୁ ହବ। ଏଣୁ ଇଂଲିଶ୍‌ କହି ଲେଖି ଜାଣିବା ଜରୁରୀ। ଏ ସବୁ ଭିତରେ ସତକଥାଟି ହେଉଛି, ଓଡ଼ିଶାର ଜନସାଧାରଣ ପ୍ରାୟତଃ ଓଡ଼ିଆକୁ ଅଡ଼ୁଆ ମନେକଲେଣି। ଓଡ଼ିଆରେ ଅନର୍ଗଳ କହିପାରିଲେ, ଲେଖିପାରିଲେ ବି ଯଦି ଇଂଲିଶ୍‌ ଜଣାନାହିଁ, ତେବେ ଅଜ୍ଞ। ଏଠି ଲୋକେ ଇଂଲିଶ୍‌ରେ ଝାଡ଼ିଦେଇପାରନ୍ତି। ଓଡ଼ିଆରେ ଯେତେ ବାଗରେ କହିଲେ ବି ଝାଡ଼ିଦେଲା ବୋଲି କେହି କହନ୍ତି ନାହିଁ। ଆମ ଓଡ଼ିଆ ଭାଷାର ବ୍ୟବହାରକାରୀ ସଂଖ୍ୟା ହ୍ରାସ ଏବେ ଉଦ୍‌ବେଗଜନକ ସ୍ଥିତିରେ।
ଆମ ପୂର୍ବ ପୁରୁଷମାନଙ୍କର ଅସମ୍ଭବ ତ୍ୟାଗ ଓ ତପସ୍ୟାର ଫଳ ଓଡ଼ିଶା, ଯାହା ଭାଷାଭିତ୍ତିରେ ଗଠିତ ପ୍ରଥମ ରାଜ୍ୟ। ପ୍ରାଚୀନ ଉଡ୍ର ବା ଓଡ୍ର ବା ଉଡ୍ଡୀୟାନ ହିଁ ଆମର ଆଜିର ଓଡ଼ିଶା। ସାରା ବିଶ୍ୱରେ ନାଟ୍ୟକଳାର ସର୍ବପ୍ରାଚୀନ ନମୁନା ବହନକାରୀ ରାଜ୍ୟ। ମାତ୍ର ଦୁଃଖ ଓ ପରିତାପର କଥା ଯେ, ଐତିହ୍ୟସମ୍ପନ୍ନ ଏ ରାଜ୍ୟରେ ମାତୃଭାଷାକୁ ବଞ୍ଚାଇରଖିବା ପାଇଁ ଏବେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଦେଖାଦେଲାଣି। ପ୍ରାୟ ପାଞ୍ଚ ହଜାର ବର୍ଷରୁ ଅଧିକ ପ୍ରାଚୀନ ଭାଷାଟା ନିଜ ଜନ୍ମମାଟିରେ ଆଜି ବଞ୍ଚତ୍ ରହିବା ପାଇଁ ସଂଗ୍ରାମ କରୁଛି । ସ୍ବଦେଶ ପ୍ରଦେଶ ଗଠନ ହେବାଠାରୁ ଓଡ଼ିଶା ଆଜି ଛୟାଅଶୀ ବର୍ଷରେ ପହଞ୍ଚତ୍ଗଲାଣି। ଆମ ରାଜ୍ୟର ବୟସ୍କ ବ୍ୟକ୍ତିମାନେ ଯେପରି ଉପେକ୍ଷା ଓ ଉତ୍ପୀଡ଼ନର ଶିକାର, ଠିକ୍‌ ସେଇ ଅବସ୍ଥା ଘୋଟିଛି ଆମ ଭାଷା କ୍ଷେତ୍ରରେ। ଦେଶ ସ୍ବାଧୀନ ହେଲାବେଳେ ସଚ୍ଚା ଓଡ଼ିଆଙ୍କ ଉଦ୍ୟମ ବଳରେ ସୌଭାଗ୍ୟବଶତଃ ଏକ ଭାରତୀୟ ଭାଷା ଭାବେ ଓଡ଼ିଆ ଭାଷା ସାମ୍ବିଧାନିକ ସ୍ବୀକୃତି ଲାଭ କଲା। ତା’ପରେ ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ ପଞ୍ଚସ୍ତରି ବର୍ଷ ଲାଗିଲା। ଭାଷା ବିଶାରଦମାନେ ନିର୍ଣ୍ଣୟ କଲେ ଯେ, ଅଢ଼େଇ ହଜାର ବର୍ଷର ପ୍ରାଚୀନ ଭାଷାକୁ ହିଁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯିବ। ସେଇ ତରାଜୁରେ ତଉଲି ହୋଇ ଶାସ୍ତ୍ରୀୟ ଯୋଗ୍ୟତା ହାସଲ କଲା। ଏ ପର୍ଯ୍ୟନ୍ତ ଆମେ ଓଡ଼ିଆଏ ସୁପ୍ତ ଥିଲୁ। ଏଇଠୁ ଜାଗି ଉଠିଲୁ। ମାତ୍ର ଦୁର୍ଭାଗ୍ୟ ଯେ, ଆମ ଭାଷା ସାହିତ୍ୟର ସୁପ୍ରାଚୀନ ବୁନିଆଦୀ ଓ ବିଶେଷତ୍ୱ ସମ୍ପର୍କରେ ଭାରତର ଅନ୍ୟ ଭାଷାଭାଷୀ ଲୋକେ ଜାଣି ହିଁ ନାହାନ୍ତି। ଏପର୍ଯ୍ୟନ୍ତ ଆନ୍ତଃରାଜ୍ୟ ତୁଳନାତ୍ମକ ଭାଷା ସାହିତ୍ୟ ଅଧ୍ୟୟନ ଆମ ଦେଶରେ ବ୍ୟାପକ ହୋଇନାହିଁ। ଫଳତଃ ସଂସ୍କୃତ ଜନନୀଠାରୁ ଜନ୍ମଲାଭ କରିଥିବା ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ କିଏ ଅଗ୍ରଜ ଶ୍ରେଣୀୟ, ତାହା ନିର୍ଦ୍ଦିଷ୍ଟ ଭାବେ ନିର୍ଣ୍ଣିତ ହୋଇ ପାରିନାହିଁ। କିନ୍ତୁ ଭାରତରେ ପ୍ରଚଳିତ ଭାଷାଗୁଡ଼ିକ ମଧ୍ୟରେ ବ୍ୟବହୃତ ହେଉଥିବା ଶବ୍ଦସବୁରେ ଅନେକ ସାମ୍ୟତା ରହିଛି।
ଇଂରେଜମାନେ ସିନା ଦେଶ ଛାଡ଼ି ଚାଲିଗଲେ, ହେଲେ ତାଙ୍କ ଭାଷା ସଂସ୍କୃତିକୁ ଆମ ଉପରେ ଏମିତି ଲଦି ଦେଇଛନ୍ତି ଯେ, ଆମେ ଅଖା ଧୋଉଛୁ ଗୁଣ ଗାଉଛୁ। ସମାନ ଅବସ୍ଥା ଓଡ଼ିଶାରେ। ସବୁ ଓଡ଼ିଆ ଏଠି ସାହେବ ଓ ଓଡ଼ିଆଣୀ ସାହେବାଣୀ ବନିଗଲେଣି। କଁା ଭଁା କିଛି ଓଡ଼ିଆ ଯିଏ ଗଁା ଗଣ୍ଡାରେ ଅଛନ୍ତି, ତାଙ୍କରି ମୁହଁରେ କେବଳ ଓଡ଼ିଆ ଭାଷା ଯାହା ବଞ୍ଚତ୍ଛି। ବ୍ୟବହାରକାରୀ କମିଯିବାରୁ ଓଡ଼ିଆ ଭାଷାର ସ୍ଥିତିକୁ ନେଇ ଚିନ୍ତା ବଢ଼ିଲାଣି। କାରଣ ସରକାରୀ ଓ ବେସରକାରୀ ଉଭୟ ସ୍ତରରେ ଓଡ଼ିଶାର ମାତୃଭାଷା ସ୍ବାଧୀନତାପରଠୁ ଖୁବ୍‌ ଉପେକ୍ଷିତ ଓ ହତାଦର ହୋଇ ଚାଲିଛି। ୨୦୧୪ରେ ଶାସ୍ତ୍ରୀୟ ମାନ୍ୟତା ପାଇ ମଧ୍ୟ ଏଯାଏ ସରକାରୀ ସ୍ତରରେ ପୂର୍ଣ୍ଣତଃ ବ୍ୟବହାର ହୋଇ ପାରିଲା ନାହିଁ ଏହା ହିଁ ତା’ର ପ୍ରମାଣ। ସରକାର ଓ ବ୍ୟବହାରକାରୀଙ୍କ ଇଚ୍ଛାଶକ୍ତିର ଅଭାବ ପାଇଁ ଆଜି ଏଭଳି ଅବସ୍ଥା ଉପୁଜିଛି।
ଇତିହାସ କହେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଆକୁ ସରକାରୀ ଭାଷା ଭାବେ ଗ୍ରହଣ କରିବା ନିର୍ଦ୍ଦେଶ ଜାରି ହୋଇଥିଲା। ମାତ୍ର ଏହାକୁ ଉଲ୍ଲଂଘନ କଲେ ଦଣ୍ଡ ବ୍ୟବସ୍ଥା ନ ଥିବାରୁ ଓଡ଼ିଶାର ଅମଲା ଅଫିସରମାନେ ମାନିଲେ ନାହିଁ। ଏ ସବୁକୁ ଲକ୍ଷ୍ୟ କରି ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଦ୍ୱିତୀୟ ଉଦ୍ୟମ କଲେ ସରକାରୀକରଣ ପାଇଁ। ତା’ ବି ଫସରଫାଟିଲା। ୨୦୧୪ର ଶାସ୍ତ୍ରୀୟ ପଇତା ଖିଏ ଯାହା ସାନ୍ତ୍ୱନା। ଅତଏବ ଆନ୍ତରିକତାଶୂନ୍ୟ, ନିଷ୍ଠାହୀନ ପ୍ରଚେଷ୍ଟା ଯେଉଁ ଫଳ ଭୋଗିବା କଥା ତାହା ଭୋଗୁଚି ଆମ ମାତୃଭାଷା। ଏଇ ପରିପ୍ରେକ୍ଷୀରେ ସ୍ମରଣ କରାଇଦିଏ ଯେ, ଏକଦା ଓଡ଼ିଆ ଭାଷାର ସରକାରୀକରଣକୁ ନେଇ ବିଧାନସଭା ଭିତରେ ଓ ବାହାରେ ବେଶ୍‌ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା। ବିଭିନ୍ନ ଦଳର ରାଜନୈତିକ ନେତାମାନେ ଓଡ଼ିଆ ଭାଷା ସମ୍ପର୍କରେ ବିବୃତି ଦେବା ପ୍ରତିଯୋଗିତାରେ ଲାଗିପଡ଼ିଲେ। କିନ୍ତୁ ଏହା ସତ୍ୟ ଯେ, ୧୯୫୪ ଭାଷା ଆଇନ ପ୍ରଣୟନ ପରେ ଦୀର୍ଘ ଦଶନ୍ଧି ଧରି କୌଣସି ସରକାର ଏଥିଲାଗି ଉଦାହରଣ ଶ୍ରେଣୀୟ ପଦକ୍ଷେପ ନେଇନାହାନ୍ତି। ନେଇଥିଲେ କେବେଠୁ ସରକାରୀ ଭାଷା ରୂପେ ବ୍ୟବହାର ହୁଅନ୍ତାଣି।
ଚଳିତ ସରକାର ସମୟରେ ହିଁ ଶାସ୍ତ୍ରୀୟ ମାନ୍ୟତା ପାଇଥିଲା ଓଡ଼ିଆ ଭାଷା। ଭାଷା ସୁରକ୍ଷା ପାଇଁ ସରକାର ସରକାରୀସ୍ତରରେ ଯାହା କରିବା କଥା କରିଛନ୍ତି। ମାତ୍ର ପରିତାପର ବିଷୟ, ଓଡ଼ିଶାର ଦୋକାନ ବଜାରର ନାମଫଳକରେ ଓଡ଼ିଆ ଭାଷା ତଥାପି ସ୍ପଷ୍ଟ ଦେଖାଯାଏ ନାହିଁ। ଉଲ୍ଲଂଘନକାରୀଙ୍କୁ ଜବତ କରିବା ଲକ୍ଷ୍ୟରେ ସରକାର ଏକଦା ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ। କମିଟିର ରିପୋର୍ଟ ବୋଧେ ଦନ୍ତହୀନ ଥିଲା। ସେପଟେ ଓଡ଼ିଆ ଭାଷାର ବ୍ୟବହାର ମୂଳତଃ ଶିକ୍ଷାୟତନରୁ ସଙ୍କୁଚିତ କରିଦିଆଯାଉଛି। କଲେଜସ୍ତରରେ +୩ ବାଣିଜ୍ୟ, +୩ ବିଜ୍ଞାନରୁ ମାତୃଭାଷାକୁ ଉଚ୍ଛେଦ କରାଗଲା। +୩ କଳା ଶେଷବର୍ଷରୁ ବାଧ୍ୟତାମୂଳକ ମାତୃଭାଷା ଶିକ୍ଷା ବି ବିଦା ହୋଇଗଲା। ଓଡ଼ିଶାରେ ଏକ ମାନସିକତା ବଳବତ୍ତର ରହିଚି ଯେ, କେବଳ ଅନୁନ୍ନତ ମସ୍ତିଷ୍କର ପିଲାମାନେ ଓଡ଼ିଆ ବିଷୟ ନେଇ ପାଠ ପଢ଼ନ୍ତି। ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ପି.ଇ.ଟି. ଶିକ୍ଷକମାନେ ମଧ୍ୟ ଓଡ଼ିଆ ପଢ଼େଇ ଦେଇ ପାରନ୍ତି ବୋଲି ଶୁଣାଯାଏ। ସେଥିରେ ପୁଣି କଲେଜସ୍ତରୀୟ ପାଠ୍ୟକ୍ରମ ବିଚିତ୍ର ଭାବେ ନିର୍ମିତ, ଯାହାକୁ ଦେଖିଲେ ଓଡ଼ିଆ ବିଷୟ ନେଇ ପଢ଼ିବାକୁ ପିଲାର ଆଗ୍ରହ ଭାଙ୍ଗିଯିବ। ଅଦ୍ଭୁତ ଷଡ଼ଯନ୍ତ୍ର ଏ ସବୁ।
ସବୁଠୁ ବଡ଼ କଥା ହେଲା ମାତୃଭାଷାକୁ ସ୍କୁଲ କଲେଜ ପାଠ୍ୟକ୍ରମ ଭାବେ ଗ୍ରହଣ କରିବାର ନିର୍ଣ୍ଣୟ ନେଉଥିବା ସେହି ତଥାକଥିତ ବିଶାରଦମାନଙ୍କର ତ୍ରୁଟିପୂର୍ଣ ନିଷ୍ପତ୍ତି, ଯାହା ମାତୃଭାଷା ଶିକ୍ଷା ଲୋପର ପ୍ରମୁଖ କାରଣ। ଏ ପର୍ଯ୍ୟନ୍ତ ମଧୁ ବର୍ଣ୍ଣବୋଧର ସମକକ୍ଷ ହେଲାଭଳି କୌଣସି ଆଗ୍ରହ ସୃଷ୍ଟିକାରୀ ଓ ଆବେଗଧର୍ମୀ ଆଦ୍ୟ ପାଠ୍ୟକ୍ରମ ଏଯାଏ ଏଠି ଜନ୍ମ ନେଇ ନାହିଁ। ଓଡ଼ିଆ କାହାକୁ ଅଡ଼ୁଆ ଲାଗୁଚି ଖୋଜା ନ ଯାଇ ପ୍ରତିବିଧାନ କରାଯିବା ଆବଶ୍ୟକ। ଯିଏ ଯେଉଁଠି ଯେମିତି ଥାଆନ୍ତୁ, ପ୍ରତ୍ୟେକ ସଚ୍ଚା ଓଡ଼ିଆ ଜାଗି ଉଠିବା ଉଚିତ ଏଇ ବେଳାରେ। ନଚେତ୍‌ ଏତେ ଗରିମାମୟ, ଏତେ ପ୍ରାଚୀନ ଭାଷାର ଯେ ଅକାଳରେ କାଳ ନ ହେବ, କିଏ କହିବ!
ଜି.କେ.ଜି.-୨୧୩
ଗତିକୃଷ୍ଣ ଗ୍ରୀନ୍‌, ଅଲାରପୁର, ବାଲିଅନ୍ତା, ଖୋର୍ଦ୍ଧା
ମୋ: ୮୯୧୭୬୨୪୩୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri