ଭୁଲ୍‌କୁ ଭୁଲ୍‌ କହିବା

କିଛିଦିନ ତଳେ ଆମେ ଜଣେ ନିକଟ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥାଉ। ସମସ୍ତେ ବସି କଥାଭାଷା ହେବା ଭିତରେ ସମ୍ପର୍କୀୟଙ୍କ ବାର ତେର ବର୍ଷର ପୁଅ କୌଣସି କାରଣରୁ ତା’ର ଜେଜେବାପାଙ୍କ ଉପରେ ଖୁବ୍‌ ଜୋରରେ ବିରକ୍ତ ହେବାକୁ ଲାଗିଲା। ତା’ର ରୁକ୍ଷ କଥାବାର୍ତ୍ତା ବୃଦ୍ଧ ଜଣଙ୍କୁ ଖୁବ୍‌ କଷ୍ଟ ଦେଲା ବୋଲି ତାଙ୍କ ମୁହଁରୁ ସ୍ପଷ୍ଟ ବାରିହୋଇ ପଡୁଥାଏ। ଛୋଟପିଲାଟିର ଏମିତି ବ୍ୟବହାର ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି, ଆଉ ସବୁଠୁ ବେଶି ଆଶ୍ଚର୍ଯ୍ୟ ହେଲି ଏ ବିଷୟରେ ତା’ର ବାପା,ମା’ଙ୍କର କୌଣସି ପ୍ରତିକ୍ରିୟା ନ ଦେଖି। ଏପରି କି ସେମାନେ ଖୁବ୍‌ ସହଜ ଭାବରେ କଥାଟିକୁ ନେଇ ନିଜ ପିଲାର ଭୁଲ୍‌କୁ ଯେମିତି ଘୋଡ଼େଇଲା ଭଳି ଅନୁଭବ ହେଲା ମୋତେ। କେବଳ ଏଇ ଘଟଣା ନୁହେଁ, ଅନେକ ସମୟରେ ଭିନ୍ନଭିନ୍ନ ପରିବେଶ ଓ ସ୍ଥିତିରେ ଲକ୍ଷ୍ୟ କରାଯାଏ ବାପା, ମା’ ବିଶେଷ କରି ମା’ମାନେ ନିଜ ପିଲାମାନଙ୍କର ଭୁଲ୍‌ ଉପରେ ପରଦା ଢାଙ୍କିଥାନ୍ତି। ପିଲାମାନେ ଭୁଲ୍‌ କରିବା ସ୍ବାଭାବିକ। କିନ୍ତୁ ସେମାନଙ୍କ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା ନ କରି ଅନ୍ୟମାନଙ୍କ ଆଗରେ ତା’ର ଭୁଲ୍‌କୁ ଘୋଡ଼ାଇବା ଅର୍ଥ ସେ କରୁଥିବା ଦୋଷକୁ ପ୍ରଶ୍ରୟ ଦେବା। ତେଣୁ ଦେଖାଯାଏ ପିଲାଟି ନିଜ ଭୁଲ୍‌ ବୁଝି ନିଜକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ଆଗକୁ ସେହିପରି ଅନେକ ଭୁଲ୍‌ କରିବସେ।
ଅନେକ ସମୟରେ ପିଲା କିଛି ମନ୍ଦ କାମ କଲେ ଆମେ କହିଥାଉ, ପିଲାଟା ତ…. କ’ଣ ଟିକେ ଭୁଲ୍‌ କରିଦେଇଛି। ବଡ଼ ହେଲେ ସୁଧୁରି ଯିବନି? ବାପା,ମା’ ହୁଅନ୍ତୁ ବା ପରିବାରର ଅନ୍ୟ ସଦସ୍ୟ କିମ୍ବା ସମ୍ପର୍କୀୟ, ଏହି ପ୍ରକାର ମନୋଭାବ ଯୋଗୁ ପିଲା କରୁଥିବା ଭୁଲ୍‌ ଆଚରଣ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ। କିନ୍ତୁ ଆମର ଏହି ପ୍ରକାର ଚିନ୍ତାଧାରା ନିଶ୍ଚିତ ଭାବରେ ଆମ ପାଇଁ, ଆମ ପିଲାଙ୍କ ନିମନ୍ତେ ତଥା ସମାଜ ସକାଶେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ।
ପିଲା କୌଣସି ଅସାମାଜିକ କାର୍ଯ୍ୟ କଲେ ବା କୌଣସି ମନ୍ଦ ଆଚରଣ କଲେ, ଖରାପ ଭାଷା କହିଲେ ମାତା ପିତାମାନେ ସେସବୁକୁ ତୁରନ୍ତ ବାରଣ କରିବା ଉଚିତ। ପିଲା ମନରେ ଦୁଃଖ ହେବ ବୋଲି ହେଉ ବା ଅତ୍ୟଧିକ ସ୍ନେହର ବଶବର୍ତ୍ତୀ ହୋଇ ଅନେକ ଅଭିଭାବକ ପିଲାକୁ ବେଳେବେଳେ ଏସବୁ ଭୁଲ୍‌ ପାଇଁ କୌଣସି ଆକଟ କରି ନ ଥାନ୍ତି। ଆଉ ଗୋଟିଏ ଉଦାହରଣ ଦେବାକୁ ଉଚିତ ମଣୁଛି। ଅନେକ କ୍ଷେତ୍ରରେ ଦେଖାଯାଏ ବାଲ୍ୟ ଅବସ୍ଥାରେ ପିଲାଟି ଯଦି କାହାଠାରୁ ଶୁଣି ନିଜ କଥାବାର୍ତ୍ତାରେ କୌଣସି ଖରାପ ଶବ୍ଦର ପ୍ରୟୋଗ କରୁଥାଏ, ତେବେ ପରିବାର ଲୋକ ଏହାକୁ ବାଲ୍ୟଚପଳତା ଭାବି ଓଲଟା ଖୁସିହୋଇ ଉପଭୋଗ କରନ୍ତି। ଫଳରେ ପିଲାର ଏହି ଅଭ୍ୟାସ ବଦଳିବା ପରିବର୍ତ୍ତେ ସେହି ଭୁଲ୍‌କୁ ସେ ବାରମ୍ବାର କରିବସେ; ଯାହା ଭବିଷ୍ୟତରେ ତା’ ପାଇଁ କ୍ଷତିକାରକ ହୋଇଥାଏ।
ପିଲାମାନଙ୍କ ଜୀବନରେ ମା’ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପରିବାରର ଅନ୍ୟ ସଦସ୍ୟମାନଙ୍କ ପ୍ରଭାବ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପିଲା ଉପରେ ପଡ଼ିଲେ ମଧ୍ୟ ମା’ର ପ୍ରଭାବ ପିଲା ଉପରେ ଅଧିକମାତ୍ରାରେ ପଡ଼ିଥାଏ, କାରଣ ପିଲାମାନେ ମା’ଙ୍କ ସଂସ୍ପର୍ଶରେ ଅଧିକାଂଶ ସମୟ ଆସିଥାନ୍ତି। ପିଲାର ଶିକ୍ଷା ଓ ବିଭିନ୍ନ ସାମାଜିକ ଗୁଣାବଳୀର ବିକାଶ ପ୍ରଥମେ ମା’ଠାରୁ ହିଁ ଆରମ୍ଭ ହୋଇଥାଏ। ନିଜ ପିଲାର ଉତ୍ତମ ବ୍ୟକ୍ତିତ୍ୱ ଓ ଚରିତ୍ର ଗଠନ ଦିଗରେ ମା’ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କିନ୍ତୁ କେତେକ ସମୟରେ ଦେଖାଯାଏ ପିଲା କୌଣସି ଭୁଲ୍‌ କଲେ ମା’ ତା’ର ଭୁଲ୍‌କୁ ସଂଶୋଧନ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ତା’ର ଦୋଷଦୁର୍ବଳତାକୁ ଘୋଡ଼ାଇଥାଏ। ନିଜ ପିଲାର ଭୁଲ୍‌କୁ ଅଣଦେଖା କରିବା, ମାତୃସ୍ନେହରେ ଅନ୍ଧ ହୋଇ ତା’ର ଦୋଷକୁ ତ୍ରୁଟି ବୋଲି ସ୍ବୀକାର ନ କରିବା, ତା’ର ମନ୍ଦ ଆଚରଣ ଓ ବ୍ୟବହାରକୁ ପିଲାଳିଆମି ଭାବିବା, ପିଲାର ଭବିଷ୍ୟତ ଜୀବନ ପାଇଁ ତଥା ସମାଜ ସକାଶେ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
କଥାରେ ଅଛି ‘ନିଆଁକୁ ଅଣ୍ଟିରେ ପୂରାଇଲେ ଅଣ୍ଟି ପୋଡ଼ିଯାଏ’। ଅର୍ଥାତ୍‌ ଆମେ ଯଦି ଆମ ପିଲାର ଦୋଷ, ଦୁର୍ଗୁଣସବୁକୁ ଅଣଦେଖା କରିବା, ସର୍ବସମ୍ମୁଖରେ ତା’ର ଭୁଲ୍‌କୁ ଅସ୍ବୀକାର କରିବା, ତା’ର ମନ୍ଦ ବ୍ୟବହାର, ଆଚରଣକୁ ପରିବର୍ତ୍ତନ କରିବାକୁ ନ ଚାହିଁ ସେସବୁକୁ ଘୋଡ଼ାଇବାକୁ ଚେଷ୍ଟା କରିବା, ତାହା ହେଲେ ଭବିଷ୍ୟତରେ ଏହା ପ୍ରଥମେ ଆମ ନିଜ ପାଇଁ, ଆମ ପରିବାର ପାଇଁ ହିଁ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିବ ଓ ପରେ ସମାଜ ଉପରେ ତାହାର ପ୍ରଭାବ ପଡ଼ିବ। ଆମେ ଆମ ପିଲାର ଭଲଗୁଣ ଓ ଭଲକାମ ସବୁକୁ ପ୍ରଶଂସା କରିବା ସହିତ ଯଦି ତା’ର କିଛି ଖରାପ ଅଭ୍ୟାସ ରହିଛି ବା ଯେଉଁ ସମୟରେ ସେ କିଛି ଭୁଲ୍‌ କାମ କରୁଛି, ‘ଏଇଟା ଠିକ୍‌ ନୁହେଁ’ ବା ‘ଏମିତି କରିବା ଉଚିତ ନୁହେଁ’ ବୋଲି ସଙ୍ଗେସଙ୍ଗେ ଚେତେଇ ଦେବା ଦରକାର; ଯାହା ଫଳରେ ପିଲାଟି ଧୀରେ ଧୀରେ ନିଜକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବ। ତେଣୁ ପ୍ରତ୍ୟେକ ମାତାପିତା, ଅଭିଭାବକ ଏ ବିଷୟରେ ସଚେତନ ରହି ପିଲାର ଉତ୍ତମ ବ୍ୟକ୍ତିତ୍ୱ ଗଠନ ଦିଗରେ ସହାୟକ ହେବା ନିତାନ୍ତ ଦରକାର।

ଅନୁଲିପ୍ତା ମିଶ୍ର

ସହକାରୀ ଶିକ୍ଷୟିତ୍ରୀ, ମହିଳୋ, ଜଗତ୍‌ସିଂହପୁର, ମୋ: ୯୯୩୮୪୦୦୨୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri