ବିଶେଷ୍ୟ ବଦଳାଇବାର ବେଳ

ସେଦିନ ଚିଲିକା ରୂପେ ଯେଉଁ ବିଶେଷ୍ୟ କବିବର ରାଧାନାଥଙ୍କ ସମ୍ମୁଖରେ ଉଭା ହୋଇଥିଲା, ତାହା ତାଙ୍କୁ ଏମିତି ପରିତୃପ୍ତ କରିଥିଲା; ଯେଉଁଥିପାଇଁ ସେ ରଚି ବସିଥିଲେ ଚିଲିକା ଭଳି ଏକ ମହାନ୍‌ କାବ୍ୟ। ସେହି ପରିତୃପ୍ତ ଆତ୍ମାର ପ୍ରାକୃତିକ ଉଦ୍‌ଗିରଣରୁ ପଦଟିଏ ଏଠାରେ ଉଲ୍ଲେଖ କରିବା ଏ ବିଷୟକୁ ଅଧିକ ପ୍ରାସଙ୍ଗିକ କରିପାରିବ।
”ଆହା ଏ ଶୋଭାର କାହିଁ ପଟାନ୍ତର?
ଥିଲେ ଥିବ ସ୍ବର୍ଗେ ମର୍ତ୍ତ୍ୟେ ଅଗୋଚର
ପାସୋରିବ ଦେଖି କହ କେହୁ ଜନ
ଏ ଶୋକ-ପାସୋରା ଅପ୍ସରା ଭୁବନ ?
ବଚନ ବିଷୟ ନୁହଁଇ ଏ ଛବି
ହୃଦ ସେ କେବଳ ପାରେ ଅନୁଭବି ।“
ଚିଲିକାର ବିଶେଷତା- ତା’ର ସୌନ୍ଦର୍ଯ୍ୟ ଯେ କୌଣସି ବ୍ୟକ୍ତିଙ୍କୁ ଆକର୍ଷିତ କରିବା ସ୍ବାଭାବିକ। ଆଉ ଏହି ସୂତ୍ରରେ କବିଟିଏ ବା କେମିତି ବାଦ୍‌ ପଡ଼ିବ ! ଖାଲି ଚିଲିକା ନୁହେଁ, ଏମିତି ଅନେକ ବିଶେଷ୍ୟ ସହିତ ପ୍ରତିକ୍ଷଣେ ଆମେ ଦୈନନ୍ଦିନ ଜୀବନରେ ଭେଟୁ ଏବଂ ସେଥିରୁ ଆମେ ଅର୍ଥାତ୍‌ ମଣିଷ ମଧ୍ୟ ଏକ ବିଶେଷ୍ୟ ରୂପେ ଅଭିହିତ।
ତେବେ ପ୍ରସଙ୍ଗ ହେଉଛି ଏହା ଯେ ଏମିତି କିଛି ବିଶେଷ୍ୟ ପୂର୍ବରୁ ଆମେ କିଛି ବିଶେଷଣର ପ୍ରୟୋଗ ବର୍ତ୍ତମାନ ସମୟରେ କରି ଚାଲୁଛୁ ଯେ ସେ ବିଶେଷଣଟି ଏକ ନିର୍ଦ୍ଦିଷ୍ଟ ବିଶେଷ୍ୟ ପୂର୍ବରୁ ବସି ତା’ର ସୌନ୍ଦର୍ଯ୍ୟ ତଥା ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି। ଏଠାରେ କୁହାଯାଇପାରେ ଚିଲିକା ରୂପୀ ବିଶେଷ୍ୟ ପୂର୍ବରୁ ଯେଉଁ ସବୁ ବିଶେଷଣର ପ୍ରୟୋଗ ହୋଇଥିଲା ସେ ସବୁ ତା’ର ସୌନ୍ଦର୍ଯ୍ୟ ତଥା ମର୍ଯ୍ୟାଦା ପାଇଁ ବିଧିମାନ୍ୟ। ମାତ୍ର ଅଧୁନା ଚିଲିକାର ପ୍ରଦୂଷିତ ରୂପ ଦେଖି କବିଟିଏ ସେହି ପୂର୍ବ ବିଶେଷଣର ପ୍ରୟୋଗ କଲେ ବୋଧେ ତାହା ପୂର୍ବବତ୍‌ ବିଧିମାନ୍ୟ ହୋଇ ନ ପାରେ। ତେଣୁ ସେହି ସମାନ ବିଶେଷଣର ପ୍ରୟୋଗ ପାଇଁ ଚିଲିକାର ପୂର୍ବ ପରିପାଟୀ ତଥା ସ୍ବଚ୍ଛ ସୁନ୍ଦର ରୂପକୁ ଫେରାଇ ଆଣିବାକୁ ହେବ ଅର୍ଥାତ୍‌ ବିଶେଷ୍ୟକୁ ବଦଳାଇବାକୁ ହେବ।
ଏତିକିରେ ପ୍ରସଙ୍ଗଟିର ପୂର୍ଣ୍ଣଚ୍ଛେଦ ହେଉନାହିଁ। ଯଦିଓ ପ୍ରସଙ୍ଗଟି ଚିଲିକାରୁ ଆରମ୍ଭ ହୋଇଛି , ବର୍ତ୍ତମାନ ସିଧାସଳଖ ଯିବା ସର୍ବଶ୍ରେଷ୍ଠ ବିଶେଷ୍ୟର ଗୁଣାବଳୀ ଧାରଣ କରିଥିବା ଆମ ନିଜ ଜାତି ଅର୍ଥାତ୍‌ ମନୁଷ୍ୟ ନିକଟକୁ। ଆଜି ମନୁଷ୍ୟ ଅଧିକାଂଶ ବିଶେଷ୍ୟ ପୂର୍ବରୁ ଯେଉଁ ସବୁ ବିଶେଷଣର ପ୍ରୟୋଗ କରୁଛି, ତାହା କେଉଁଠି ନା କେଉଁଠି ତା’ର ମର୍ଯ୍ୟାଦା ହରାଇ ବସୁଛି। ଏହାର କୁ-ପ୍ରଭାବ ଆମର ନୂତନ ପିଢ଼ି ଉପରେ ପଡ଼ି ଚାଲିଛି। ଯେମିତି କି ଏଠାରେ ଏକ ଉଦାହରଣ ନିଆଯାଇପାରେ- ଆମେ ଯେତେବେଳେ କୌଣସି ସଭା ସମିତିର ଆୟୋଜନ କରୁଛୁ, ସେତେବେଳେ କୌଣସି ଅତି ସାଧାରଣ ବିଶେଷତା ଧାରଣ କରିଥିବା ବ୍ୟକ୍ତିଙ୍କ ପୂର୍ବରୁ ଆମେ ସ୍ବେଚ୍ଛାସେବୀ’,‘ଜନସେବକ’,‘ରାଷ୍ଟ୍ରଭକ୍ତ’ ଇତ୍ୟାଦି ବିଶେଷଣ ଅବସ୍ଥାପିତ କରିବାକୁ ପଛଘୁଞ୍ଚା ଦେଉନାହୁଁ। ଅଥଚ ଯେଉଁ ବ୍ୟକ୍ତି ପୂର୍ବରୁ ଏ ସବୁ ବିଶେଷଣର ପ୍ରୟୋଗ ହେଲା, ସେ ତାଙ୍କ ଜୀବଦ୍ଦଶା ମଧ୍ୟରେ ନା କେବେ କାହାର ନିଃସ୍ବାର୍ଥପର ସେବା ସାଧନ କରିଛନ୍ତି ନା ରାଷ୍ଟ୍ରବାବଦରେ କିଛି ଭାବିଛନ୍ତି। ଏହା ହେଲେ ତ ଚଳିବ; ବାକି ରହିଲା ଏହାଠାରୁ ମଧ୍ୟ କିଛି ନୂ୍ୟନତର କାର୍ଯ୍ୟ ଯଦି ସେ ବ୍ୟକ୍ତିସ୍ବରୂପୀ ବିଶେଷ୍ୟ ଦ୍ବାରା ସମ୍ପାଦିତ ହେଉଥାଏ, ତେବେ ଏହା ସେ ବିଶେଷଣମାନଙ୍କର ପରମ ଦୁରୁପଯୋଗ ବୋଲି କୁହାଯାଇପାରେ। ଏତଦ୍‌ଭିନ୍ନ ଏହାର ଅନ୍ୟତମ ଦିଗ ହେଉଛି ସେହି ସଭାରେ ଉପସ୍ଥିତ ଥିବା ଆମର ନୂତନ ପିଢ଼ି; ଯେଉଁମାନଙ୍କଠାରେ ଏକ ନକାରାତ୍ମକ ବାର୍ତ୍ତା ପହଞ୍ଚିବ ଯେ ବୋଧେ ଏ ବିଶେଷଣର ପ୍ରୟୋଗ ଏହି ବିଶେଷ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ, ଯାହା ସେମାନଙ୍କୁ ଏକ ସାମାଜିକ ଉପାଦାନ ହିସାବରେ ବିପଥଗାମୀ କରିବା ସାର ହେବ। ଯେଉଁ ମହତ୍ତ୍ୱର ଶବ୍ଦଗୁଡ଼ିକର ପ୍ରୟୋଗ ଦିନେ ଗାନ୍ଧୀ, ଗୋପବନ୍ଧୁଙ୍କ ପୂର୍ବରୁ ପ୍ରୟୋଗ କରାଯାଉଥିଲା, ଆଜି ସେଗୁଡ଼ିକ ଯେଉଁ ବିଶେଷ୍ୟ ପୂର୍ବରୁ ବ୍ୟବହାର ହେଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଏ ବିଶେଷଣରୂପୀ ଅଳଂକାରର ଅଧିକାରୀ ହେବାକୁ ନିଶ୍ଚିତ ରୂପେ ବିଶେଷ୍ୟକୁ ବଦଳାଇବାକୁ ହେବ।
ଆମେ ସଦାସର୍ବଦା ଜନ୍ମଭୂମିର ଅବତାରଣା କରିବାକୁ ଯାଇ ତା’ର ବନ, ଲତା, ପାହାଡ଼ର ସୌନ୍ଦର୍ଯ୍ୟର ଜୟଗାନ କରୁ । ମାତ୍ର ଗ୍ରାମରେ ଏମିତି ମାତ୍ରାଧିକ ଗଛ କଟା ଚାଲିଛି ଯେ ବଣ ତ ଦୂରର କଥା ଗଛଟିଏ କେଉଁଠି ଫାଳେ ଅଧେ ବଞ୍ଚିଛନ୍ତି। ତେଣୁ ଆମର ନୈତିକ ଅଧିକାର ଅଛି ତ ଗ୍ରାମର ସ୍ବଚ୍ଛ, ସୁନ୍ଦର, ନିର୍ମଳ ରୂପକାର ହେବା ପାଇଁ ! ତେଣୁ ଏ ବିଶେଷ୍ୟ ରୂପୀ ଜନ୍ମଭୂମିକୁ ମଧ୍ୟ ଆମର ବକ୍ତବ୍ୟ ଅନୁସାରେ ବଦଳାଇବାକୁ ପଡ଼ିବ।
ଏଣୁ ଆଜି ଆମେ ଅନେକ ବିଶେଷଣ ପଦର ବ୍ୟବହାର କରୁଛୁ ସତ, ମାତ୍ର ବିଶେଷ୍ୟର ଅପଭ୍ରଂଶ କରି ଏହାର ମର୍ଯ୍ୟାଦା ହରାଇ ଚାଲିଛୁ। ତେଣୁ ଏ ବିଶେଷଣଗୁଡ଼ିକ ଯେପରି ଆମ ସମାଜରେ ଏକ ମହତ୍‌ ଆକାଂକ୍ଷା ସୃଷ୍ଟିପୂର୍ବକ ଆଗାମୀ ପିଢ଼ିକୁ ଯେମିତି ଅନୁପ୍ରାଣିତ କରିବ ସେଥିପାଇଁ ଏ ବିଶେଷଣର ମର୍ଯ୍ୟାଦା ରକ୍ଷା ନିମନ୍ତେ ଅଧୁନା ବିଶେଷ୍ୟକୁ ବଦଳାଇବାର ବେଳ ଦଣ୍ଡାୟମାନ।

ଚନ୍ଦନ କୁମାର ଦାସ
ଭୋଗରାଇ, ବାଲେଶ୍ୱର

ମୋ:୮୧୧୪୩୪୫୯୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri