Categories: ଖେଳ

କାର ଦୁର୍ଘଟଣାରେ ଟାଇଗର ଉଡ୍ସ ଗୁରୁତର

ଲସ୍‌ ଏଞ୍ଜେଲ୍ସ, ୨୫।୨ (ପି.ଟି.): ଆମେରିକୀୟ ଗଲ୍ଫ ସୁପରଷ୍ଟାର ଟାଇଗର ଉଡର୍‌ସ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମଙ୍ଗଳବାର ରାସ୍ତା ମଝିରେ ଥିବା ଡିଭାଇଡରରେ ଟାଇଗରଙ୍କ ଏସ୍‌ୟୁଭି କାର ଧକ୍କା ଦେଇଥିଲା ଓ ଏକାଧିକବାର ଲେଉଟା ମାରିବା ସହ ଓଲଟି ପଡିଥିଲା। ତେବେ ସୌଭାଗ୍ୟବଶତଃ ସେ ବଞ୍ଚିଯାଇଛନ୍ତି। ସ୍ଥାନୀୟ ସବୁରବନ୍‌ସ୍ଥିତ ସଡକରେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀମାନେ ତାଙ୍କୁ ଝରକା ଦେଇ କାର ଭିତରୁ ବାହାରକୁ ଆଣିଥିଲେ ଓ ତାଙ୍କର ସେତେବେଳେ ଚେତା ବୁଡି ନ ଥିଲା। ଏହି ଦୁର୍ଘଟଣାରେ ଆଉ କୌଣସି ଯାନବାହନ କିମ୍ବା ବ୍ୟକ୍ତି ପ୍ରଭାବିତ ହୋଇନାହାନ୍ତି। ସଡକରେ ଯେଉଁଠାରେ ହାଇସ୍ପିଡ୍‌ ଆକ୍ସିଡେଣ୍ଟର ହଟ୍‌ସ୍ପଟ ଲେଖାଥିଲା ସେଠାରେ ହିଁ ଏହି ଦୁର୍ଘଟଣା ଘଟିଥିଲା। ଦୁଇ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ଗୋଡରେ ଅସ୍ତ୍ରୋପଚାର କରାଯାଇଛି।
୪୫ ବର୍ଷୀୟ ଟାଇଗର ତାଙ୍କ କାରରେ ଏକା ଥିଲେ। ସେ ମଦ୍ୟପାନ କରି ନ ଥିଲେ ଓ କାର ସ୍ପିଡ୍‌ କେତେଥିଲା ସେ ନେଇ ଅଧିକାରୀ କିଛି ସ୍ପଷ୍ଟ କରିନାହାନ୍ତି। ଦୁଇ ଲେନ୍‌ ବିଶିଷ୍ଟ ରାସ୍ତାର ଗଡାଣିଆ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଗଲ୍ଫ ଟୁର୍ନାମେଣ୍ଟ ଖେଳିବାକୁ ସେ ଲସ୍‌ଏଞ୍ଜେଲ୍ସ ଆସିଛନ୍ତି। ଉଲ୍ଲେଖଥାଉ କି ଟାଇଗର ତାଙ୍କ କ୍ୟାରିୟରରେ ୧୫ଥର ମେଜର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି ଓ ସେ ପିଜିଏ ଟୁର୍‌ରେ ୮୨ଥର ବିଜୟୀ ହୋଇଛନ୍ତି। ତୃତୀୟଥର ପାଇଁ ଉଡ୍ସ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ୨୦୦୯ ଓ ୨୦୧୭ରେ ପୋଲିସ୍‌ ତାଙ୍କ କାରକୁ ନେଇ ତଦନ୍ତ କରିଥିଲା।

Share