ଥୁଆମୂଳ ରାମପୁର,୨୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟାପାଣି ଓ ବର୍ଷା ପ୍ରଭାବରେ ବିଭିନ୍ନ ଗ୍ରାମରେ କାନ୍ଥ ଓ ଛାତ ଭୁଶୁଡ଼ି ଅନେକ ପରିବାର ବେସାହାରା ହୋଇପଡ଼ିଛନ୍ତି। କାଣିଗୁମା ପଞ୍ଚାୟତ ପିତମାଣ୍ଡି ଗ୍ରାମର ହରିଶ୍ଚନ୍ଦ୍ର ନାଏକଙ୍କ ଘର ଭୁଶୁଡ଼ି ଯାଇଥିବା ବେଳେ ରାଇମତି ବେୱା, ସବିତା ନାଏକ ଏବଂ କୋସବାରା ଗ୍ରାମର ଉର୍ମିଳା ନାଏକଙ୍କ ଘରର କାନ୍ଥ ବନ୍ୟାପାଣିରେ ଭସିଯାଇଛି। ସେହିପରି ଗୁଣପୁର ବନ୍ଧପଡ଼ାର ସନ୍ତୋଷ କୁମାର ପୁଝାରୀ, ଦଶରୁ ନାଏକ, କଦମ୍ବ ନାଏକ ଓ ଉଦିତ ସାହୁଙ୍କ ଘର ଚାରିପାଖରେ ପାଣି ମାଡ଼ିଯିବାରୁ ସେମାନେ ଜଳବନ୍ଦୀ ଅଛନ୍ତି। ଗୁଣପୁର ପଞ୍ଚାୟତ ବାଲିଶରା ଗ୍ରାମରେ କଚ୍ଛା ଘର କାନ୍ଥ ଭାଙ୍ଗିଯିବାରୁ ଲୋକେ ପାଲ ଓ ଜାଲି ଟାଣି ଆଶ୍ରୟ ନେଇଛନ୍ତି।
ଅନ୍ୟପଟେ ମହୁଲ ପାଟଣା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାମିରିଧୁଟି ଗ୍ରାମର ପୋଗୁନ୍ନୁ ମାଝୀଙ୍କ ମାଟି ଘରର ଛାତ ଭୁଶୁଡ଼ି ଘରକରଣା ସାମଗ୍ରୀ ଚାପି ହୋଇଥିଲେ ବି ଅଳ୍ପକେ ଜୀବନ ବଞ୍ଚିଯାଇଛି । ବାଗଡିଆଣି ଗ୍ରାମର ଶଶିମଣିଙ୍କ ଘର ମଧ୍ୟ ଭାଙ୍ଗିଯାଇଥିବା ବେଳେ ଥୁଆମୂଳ ରାମପୁର ସଦର ମହକୁମାର ଟଙ୍କଧର ପରିଚ୍ଛାଙ୍କ କପଡ଼ା ଦୋକାନ ଭୁଶୁଡ଼ି ପ୍ରାୟ ୨.୫ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ବଡ଼ଛତ୍ରଙ୍ଗ ଗ୍ରାମର ଚକ୍ରଧର ନାଏକଙ୍କ ୪ ବଖରା ଘରୁ ୨ ବଖରା ଭୁଶୁଡ଼ି ପଡ଼ିଛି। ଘରେ ତାଙ୍କ ମାଆ ସୀତା ବେୱା ଓ ଦୁଇ ପୁଅ ଶୋଇଥିଲେ ସୁଦ୍ଧା ଅଳ୍ପକେ ବଞ୍ଚିଯାଇଛନ୍ତି। ଗୋପାଳପୁର ପଞ୍ଚାୟତ ସର୍ଗିଗୁଡ଼ା ଗ୍ରାମ ନିକଟରେ ୨୦୧୩-୧୪ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ନିର୍ମିତ ୨ଟି ପୋଲ ଭାଙ୍ଗିଯିବାରୁ ଯାତାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଅନ୍ୟପଟେ ବିରିକୋଟ ନିକଟରେ ବିଦ୍ୟୁତ୍ ଖୁଣ୍ଟ ଓ ତେନ୍ତୁଳି ଗଛ ପଡ଼ି ରାସ୍ତା ବନ୍ଦ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ଗଛ କାଟି ରାସ୍ତା ସଫା କରିଛି।
ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଶୁଖିଲା ଖାଦ୍ୟ, ପାନୀୟ ଜଳ, ମାଗଣା ତାରପାଲିନ୍ ଓ ସୁରକ୍ଷିତ ଅସ୍ଥାୟୀ ଆଶ୍ରୟସୁଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହାସହ କ୍ଷତିଗ୍ରସ୍ତ ଗରିବ ପରିବାରକୁ ‘ପ୍ରଧାନମନ୍ତ୍ରୀ ଆବାସ’ କିମ୍ବା ‘ବିଜୁ ପକ୍କା ଘର’ ଯୋଜନାରେ ଅଗ୍ରାଧିକାର ଦେବା, ତହସିଲଦାର, ଆର୍ ଆଇ ଓ ବିଡିଓଙ୍କ ସର୍ଭେ ଆଧାରରେ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ଅନୁଯାୟୀ ତୁରନ୍ତ ଆର୍ଥିକ କ୍ଷତିପୂରଣ ପ୍ରଦାନ ଏବଂ ବିଶୁଦ୍ଧ ଜଳ, ବ୍ଲିଚିଂ ପାଉଡର ଓ ଡାକ୍ତରୀ ସୁବିଧା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।
ବଡ଼ଛତ୍ରଙ୍ଗର କ୍ଷତିଗ୍ରସ୍ତ ଚକ୍ରଧର ନାଏକ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ କାନ୍ଥ ଭାଙ୍ଗିବା ସମୟରେ ପଲିଥିନ୍ ମାଗିବାରୁ ଆର୍ ଆଇ (RI) ଶରତ ସାହୁ “ସମ୍ପୂର୍ଣ୍ଣ ଘର ଭୁଶୁଡ଼ିଲେ ଜରି ମିଳିବ” କହି ଫେରାଇ ଦେଇଥିଲେ। ତେବେ ଏହି ଅଭିଯୋଗକୁ ଆରଆଇ ଶରତ ସାହୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ସେ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ଚକ୍ରଧର ନାଏକ ପୂର୍ବରୁ ତାଙ୍କୁ କେବେ ଭେଟି ନାହାନ୍ତି କି ଅଭିଯୋଗ କରିନାହାନ୍ତି। ସରକାରୀ ନିୟମାନୁସାରେ ପ୍ରଭାବିତ ୩୦ ରୁ ୩୫ ଜଣଙ୍କୁ ଆଗୁଆ ପଲିଥିନ୍ ଯୋଗାଇ ଦିଆଯାଇଛି। ଆଜି ସେ ନିଜେ ଚକ୍ରଧରଙ୍କ ଘର ପରିଦର୍ଶନ କରି ତୁରନ୍ତ ପଲିଥିନ୍ ଯୋଗାଇ ଦେବା ସହ ସରକାରୀ ନିୟମାନୁସାରେ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।