ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର ଜଣେ ମେଟ୍ରନ୍ ଏବଂ ଦୁଇ ଜଣ ଏଲସିସିଏ (LCCA) ମହିଳା କର୍ମଚାରୀଙ୍କୁ ପ୍ରଧାନ ଶିକ୍ଷକ ଜାତିଆଣ ଅକ୍ଷେପ କରିବା ସହ ଅଶାଳୀନ ଭାବେ ‘ଫେବର’ ମାଗୁଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।

ପ୍ରଧାନ ଶିକ୍ଷକଙ୍କ ଏଭଳି ଅସଦାଚରଣ ଓ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଉକ୍ତ ୩ ଜଣ ମହିଳା କର୍ମଚାରୀ କଳାହାଣ୍ଡି ଜିଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ସେମାନେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଦିଆଯାଉଥିବା ନିର୍ଯାତନା ଏବଂ ଅସଦାଚରଣ ସମ୍ପର୍କରେ ସବିଶେଷ ତଥ୍ୟ ଉଲ୍ଲେଖ କରିବା ସହ ନ୍ୟାୟ ପ୍ରଦାନ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଜଣେ ଶିକ୍ଷାୟତନର ମୁଖ୍ୟ ତଥା ସମାଜର ମାର୍ଗଦର୍ଶକ କୁହାଯାଉଥିବା ପ୍ରଧାନ ଶିକ୍ଷକଙ୍କ ଏଭଳି ଅନୈତିକ କାର୍ଯ୍ୟକଳାପକୁ ନେଇ ଏବେ ସାରା ଜିଲାରେ ଚର୍ଚ୍ଚା ଜୋର୍ ଧରିଛି। ଶିକ୍ଷାନୁଷ୍ଠାନ ପରିସରରେ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲା ମଙ୍ଗଳ ଅଧିକାରୀ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Dharitri – Odisha’s No.1 Odia Daily

Share