Categories: ଖେଳ

ଡୋପିଂ ମାମଲାରେ ସସ୍‌ପେଣ୍ଡ ହେଲେ ଏହି ଭାରୋତ୍ତୋଳକ

ବୁଡାପେଷ୍ଟ,୮।୭(ଏପି): ଦୁଇଥର ୟୁରୋପିଆନ୍‌ ଚାମ୍ପିୟନଶିପ୍‌ ହାସଲ କରିଥିବା ରୁଷୀୟ ତାରକା ଭାରୋତ୍ତୋଳକ ଆଣ୍ଡ୍ରେଇ ଡେମାନୋଭ ଡୋପିଂ ଅଭିଯୋଗରେ ସାମୟିକ ବାସନ୍ଦ ହୋଇଛନ୍ତି। ଡୋପ୍‌ ଟେଷ୍ଟରେ ତାଙ୍କ ନମୁନାରେ ନିଷିଦ୍ଧ ପଦାର୍ଥ ଥିବାରୁ ସେ ବିଫଳ ହୋଇଥିଲେ। ଏନେଇ ଅନ୍ତର୍ଜାତୀୟ ଓ୍ବେଟ ଲିଫ୍ଟିଙ୍ଗ୍‌ ଫେଡେରେଶନ (ଆଇଡବ୍ଲ୍ୟୁଏଫ୍‌) ସୂଚାନ ଦେଇଛି। ଡିଏଚ୍‌ସିଏମ୍‌ଟି ନାମକ ଆନାବୋଲିକ୍‌ ଷ୍ଟେରଏଡ୍‌ ତାଙ୍କ ନମୁନାରେ ରହିବାର ପ୍ରମାଣ ମିଳିଛି। ଟୁରିନାବୋଲ ହିସାବରେ ଜଣାଶୁଣା ଥିବା ଏହି ପଦାର୍ଥକୁ ଓ୍ବେଟଲଫ୍ଟିଙ୍ଗ୍‌ ଓ ଅନ୍ୟ କ୍ରୀଡ଼ାରେ ବହୁଳ ଭାବେ ବ୍ୟବହାର କରାଯାଏ। ଏବେ ସେ ଶୃଙ୍ଖଳାଗତ ଶୁଣାଣିର ସମ୍ମୁଖୀନ ହେବେ। ତେବେ କେଉଁ ତାରିଖରେ ଡେମାନୋଭ୍‌ ପଜିଟିଭ୍‌ ବୋଲି ଟେଷ୍ଟ ହୋଇଥିଲା ସେ ସମ୍ପର୍କରେ ଆଇଡବ୍ଲ୍ୟୁଏଫ୍‌ କିଛି ସ୍ପଷ୍ଟ କରିନାହିଁ।
ପୂର୍ବରୁ ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଟୁରିନାବୋଲ ପାଇଁ ଡୋପ୍‌ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଥିଲା ଓ ଏଥିପାଇଁ ସେ ୨୦୧୬ରୁ ୨ ବର୍ଷ ପାଇଁ ବାସନ୍ଦ ହୋଇଥିଲେ। ଏଥିପାଇଁ ସେ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁ ନ ଥିଲେ। ଗତମାସ ମଧ୍ୟ ପୂର୍ବତନ ବିଶ୍ୱ ଚାମ୍ପିୟନ ନାଦେଝଡାଙ୍କ ସମେତତ ଅନ୍ୟ ୩ ଜଣ ରୁଷୀୟ ଆଥଲେଟ୍‌ ଟୁରିନାବୋଲ ବ୍ୟବହାର କରିବାର ଅଭିଯୋଗ ହୋଇଛି ବୋଲି ଆଇଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି।

Share