ଇଏ ଦୁର୍ବଳ, ସିଏ ସବଳ

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମୁମ୍ବାଇଠାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ କଂଗ୍ରେସ ପାର୍ଟି ଦରକାର। ଦୁର୍ବଳ କଂଗ୍ରେସ ଅର୍ଥ ଆଞ୍ଚଳିକ ଦଳଗୁଡ଼ିକ ବିରୋଧୀଙ୍କ ସ୍ଥାନ ନେଇଯିବେ, ଯାହା ଏକ ଶୁଭ ସଙ୍କେତ ନୁହେଁ ବୋଲି ସେ କହିଛନ୍ତି। ସାଧାରଣ ଲୋକ ଭାବିପାରନ୍ତି ଯେ, ଗଡ଼କରୀ ଗଣତନ୍ତ୍ର ପାଇଁ ଭାରି ଚିନ୍ତିତ। ଭିନ୍ନ ଭାବେ ଦେଖିଲେ ତାଙ୍କ ମୁହଁରୁ ଭାଜପାର ଇଚ୍ଛା ପ୍ରକାଶ ପାଇଛି। ‘କଂଗ୍ରେସ ମୁକ୍ତ ଭାରତ’ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ ଗଡ଼କରୀଙ୍କ ନେତା ନରେନ୍ଦ୍ର ମୋଦି ତାଙ୍କ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢ଼େଇ ଆରମ୍ଭ କରିଥିଲେ। ସେତେବେଳେ ଦେଶବାସୀଙ୍କୁ କୁହାଯାଇଥିଲା ଯେ ସ୍ବାଧୀନତାଠାରୁ ଆଜି ପର୍ଯ୍ୟନ୍ତ ସବୁକାର୍ଯ୍ୟ ପାଇଁ କଂଗ୍ରେସ ଦାୟୀ। ଅନ୍ୟପଟେ ଜନସାଧାରଣଙ୍କ ଦେଶ ଗଠନ ପାଇଁ ଥିବା ବିପୁଳ ଅବଦାନକୁ କୌଣସି ସମୟରେ ଭାଜପା ନେତୃତ୍ୱ ସ୍ବୀକାର କରିନାହିଁ। ସାଧାରଣରେ ଦେଖିବାକୁ ଗଲେ ଗଡ଼କରୀ ଜଣେ ଟାଣୁଆ ମନ୍ତ୍ରୀ, ଯିଏକି ମୋଦିଙ୍କ ଚାଟୁକାର ନୁହେଁ ବୋଲି ଦର୍ଶାଯାଇଥାଏ। ଏହା ରାଜନୀତିର ଏକ ଅକୁହା, କିନ୍ତୁ ସହଜରେ ବୁଝି ହେଉଥିବା ରଣନୀତି। ସମସ୍ତେ ଜାଣନ୍ତି ଯେ, ଗଡ଼କରୀଙ୍କ ପାଖରେ ଥିବା ମନ୍ତ୍ରଣାଳୟର କୌଣସି ସମୟରେ ପରିବର୍ତ୍ତନ ଘଟୁନାହିଁ। ମୋଦି ଓ ଅମିତ ଶାହାଙ୍କ ନିକଟତର ବୋଲି ଦର୍ଶାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଓ ପୀୟୂଷ ଗୋଏଲଙ୍କ ଭଳି ମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ବିରାଟ ଆଘାତ ପହଞ୍ଚାଯାଇ ଗୌଣ କରିଦିଆଯାଇଛି। କିନ୍ତୁ ଗଡ଼କରୀଙ୍କୁ ଛୁଇଁବାର ପ୍ରୟୋଜନ କେବେ ହେଲେ ଉଠିବ ନାହିଁ। ରାଜନୀତି ବୁଝୁଥିବା ବ୍ୟକ୍ତି ଜାଣିପାରିବେ ଯେ, ଭାଜପା ଭିତରେ ଯଦି କେବେହେଲେ କେହି ମୋଦିଙ୍କ ନେତୃତ୍ୱକୁ ବିରୋଧ କରନ୍ତି ତେବେ ସେହି ଗୋଷ୍ଠୀଙ୍କୁ ଆଶ୍ରୟ ଦେବା ପାଇଁ ନୀତିନ ଗଡ଼କରୀଙ୍କ ଦ୍ୱାର ଖୋଲାରହିଛି। ବୁଦ୍ଧିଆ ରାଜନୀତିଜ୍ଞ କେବେହେଲେ ସେହି ଦ୍ୱାରରେ ପ୍ରବେଶ କରି ଗାତରେ ପଡ଼ିବେ ନାହିଁ।
ଆଜିର ଗଡ଼କରୀଙ୍କ ବାର୍ତ୍ତାକୁ ବିଶ୍ଳେଷଣ କଲେ ସେହି ଚତୁରତା ପଦାକୁ ଆସୁଛି। ତାଙ୍କ ବିବୃତିରେ ଗଡ଼କରୀ ମୁଖ୍ୟତଃ କଂଗ୍ରେସକୁ ବଞ୍ଚି ରହି ଶକ୍ତିଶାଳୀ ହେବା ଦରକାର ବୋଲି ମତ ଦେଇଛନ୍ତି। ସତେଯେମିତି କଂଗ୍ରେସ ବ୍ୟତୀତ ଦେଶରେ ଅନ୍ୟ କୌଣସି ଅଣ-ଭାଜପା ଦଳର ସ୍ଥାନ ରହିବା ଉଚିତ ନୁହେଁ। ଗଡ଼କରୀଙ୍କ କହିବା ଅନୁଯାୟୀ କଂଗ୍ରେସ ଯଦି ଦୁର୍ବଳ ହୁଏ ସେହି ସ୍ଥାନକୁ ଆଞ୍ଚଳିକ ଦଳଗୁଡ଼ିକ ମାଡ଼ିବସିବେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅଞ୍ଚଳିକ ଦଳଗୁଡ଼ିକ ଶକ୍ତିଶାଳୀ ହେଲେ ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି। ଏଠାରେ ବୁଝିବାକୁ ହେବ ଯେ, ଭାଜପାର ଏବଂ ବିଶେଷକରି ଭାରତ ଭଳି ଗରିବ ଦେଶରେ ଶକ୍ତିଶାଳୀ ହୋଇ ମୁଣ୍ଡ ଟେକିବାକୁ ଇଚ୍ଛୁକ ଦକ୍ଷିଣପନ୍ଥୀ ଚିନ୍ତାଧାରାର କେବେ ହେଲେ ଇଚ୍ଛା ନୁହେଁ ଯେ ଆଞ୍ଚଳିକ ଦଳଗୁଡ଼ିକ ସୁଦୃଢ଼ ହୁଅନ୍ତୁ। ଏହି ଚିନ୍ତାଧାରା ବୁଝିବା ଅତି ସହଜ। ଆଞ୍ଚଳିକ ଦଳଗୁଡ଼ିକ ନିଜ ରାଜ୍ୟର ହିତ ପାଇଁ ସ୍ବର ଉତ୍ତୋଳନ କରିବାକୁ ବାଧ୍ୟ। ଏହା ସତ୍ୟ ଯେ, ସେମାନେ କ୍ଷମତାରେ ରହିବା ପାଇଁ ଅନେକେ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରାଇଥାଆନ୍ତି। ଦକ୍ଷିଣପନ୍ଥୀ ଚିନ୍ତାଧାରା ସକାଶେ ଏହା ସରକାରୀ ଅର୍ଥର ଅପବ୍ୟୟ। କିନ୍ତୁ ସେହି ଶକ୍ତି କେବେହେଲେ ପିଏମ୍‌ କିଷାନ କିମ୍ବା ପିଏମ୍‌ କେୟାର୍ସ ଅର୍ଥକୁ ଅପବ୍ୟବହାର କରାଯାଇଥିବା ବିଷୟକୁ ସ୍ବୀକାର କରନ୍ତିନାହିଁ।
ସମଗ୍ର ପୃଥିବୀରେ ଏହା ବାରମ୍ବାର ପ୍ରମାଣିତ ହୋଇଛି ଯେ, ଯେଉଁ ଦେଶରେ ଅଧିକ ରାଜନୈତିକ ଦଳ ଓ ନେତାଙ୍କ ମଧ୍ୟରୁ ବାଛିବାର ସୁଯୋଗ ଭୋଟରଙ୍କୁ ମିଳିଥାଏ, ସେହି ଦେଶରେ ଗଣତନ୍ତ୍ର ଶକ୍ତିଶାଳୀ ହୁଏ। ଆଜିର କଂଗ୍ରେସକୁ ଭାରତର ଭୋଟଦାତା ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କଠାରୁ ଜନସାଧାରଣ ଗାନ୍ଧୀ ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଶା କରୁଥିଲେ। ଭାରତୀୟ ଭୋଟର ଭାବିଥିଲେ ଯେ କିଛି ନ କଲେ ମଧ୍ୟ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଦୁର୍ନୀତିକୁ ନରେନ୍ଦ୍ର ମୋଦି ସରକାର ପଦାରେ ପକାଇବେ। ଏଥିସହିତ ୨ଜି, ଅଗୁସ୍ତା ଓ୍ବେଷ୍ଟଲାଣ୍ଡ୍‌, ସିଡବ୍ଲ୍ୟୁଜି, କୋଲ୍‌ଗେଟ୍‌, ଏଚ୍‌ଡିଡବ୍ଲ୍ୟୁ ସବ୍‌ମରିନ୍‌ କିଣା ସହିତ ହରିୟାଣା ଓ ଉତ୍ତର ଭାରତର କେତେକ ରାଜ୍ୟରେ ରବର୍ଟ ଭଦ୍ରାଙ୍କ ଦ୍ୱାରା ସ୍ବଳ୍ପ ମୂଲ୍ୟରେ ହଡ଼ପ ହୋଇଥିବା ଅନେକ ହଜାର ଏକର ଜମିକୁ ତଦନ୍ତ କରି ଦୋଷୀକୁ ଗିରଫ କରାଯିବ। ମୋଦି ସରକାରର ଦୀର୍ଘ ପ୍ରାୟ ୮ ବର୍ଷ ବିତିବାକୁ ବସିଲାଣି, କିନ୍ତୁ ଜନସାଧାରଣ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ପାଉନାହାନ୍ତି। ଏଥିରୁ ସହଜରେ ବୁଝିହେଉଛି ଯେ କଂଗ୍ରେସକୁ ଦୁର୍ବଳ କରି ରଖିପାରୁଥିବା ଗାନ୍ଧୀ ପରିବାରକୁ ସବଳ କରି ରଖିବାର ଦାୟିତ୍ୱ ଭାଜପା ନେତୃତ୍ୱ ନେଇଥାଇ ପାରନ୍ତି। ଏହି ସୂକ୍ଷ୍ମ ରାଜନୀତିକୁ ହୁଏତ ସାଧାରଣ ନାଗରିକ କିମ୍ବା ଦଳୀୟ କର୍ମୀ ବୁଝିବା ପାଇଁ ଅରାଜି କିମ୍ବା ଅକ୍ଷମ।
ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଲଦି ଦିଆଯାଉଛି। କିନ୍ତୁ ପୂର୍ବ ଦୁର୍ନୀତିର ଦୋଷୀମାନଙ୍କୁ ହୁଏତ ଜାଣିଶୁଣି ଦଣ୍ଡ ଦିଆଯାଉ ନାହିଁ। ସେଥିରୁ ମନେହେଉଛି ଯେପରି ଭିତିରି ବୁଝାମଣା ଅତି ସୁଦୃଢ଼। ଏଠାରେ ମନେପଡ଼େ ଓଡ଼ିଶାର ଜଣେ ପୁରୁଖା ସ୍ବର୍ଗତ ସମ୍ପାଦକଙ୍କ ସମ୍ପାଦକୀୟ ଯାହାର ଶୀର୍ଷକ ଥିଲା -‘ତୁ ନ ହେଲେ ମୁଁ, ଆଉ ସଭିଏଁ ଢୁଁ’। ଆଜି ଦିଲ୍ଲୀ ଦରବାରରେ ଏହି ନୀତି ଜୋର୍‌ ଧରିଛି। ଜନସାଧାରଣଙ୍କ ମନରୁ କଂଗ୍ରେସ ଲିଭିଯାଉଥିବା ହେତୁ ଦକ୍ଷିଣପନ୍ଥୀ ଚିନ୍ତାଧାରୀଙ୍କ ମନରେ ଭାଳେଣି ପଡ଼ିଲାଣି। କାରଣ ଆଞ୍ଚଳିକ ଦଳଗୁଡ଼ିକ ପୁନର୍ବାର ଦୃଢ଼ ହେବାକୁ ଲାଗିଲେ ଦକ୍ଷିଣପନ୍ଥୀଙ୍କ ଅଡୁଆ ବଢ଼ିବ। କୌତୂହଳରେ ପ୍ରଶ୍ନ କରାଯାଇପାରେ ଯେ ଭାଜପାର କୌଣସି ନେତା କାହିଁକି କହୁନାହାନ୍ତି ଯେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ମମତା ବାନାର୍ଜୀଙ୍କ ତୃଣମୂଳ ଏବଂ ଅରବିନ୍ଦ୍‌ କେଜରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ଭଳି ଦଳ ଭାରତରେ ଶକ୍ତିଶାଳୀ ହୁଅନ୍ତୁ।

ଭାରତୀୟ ଭୋଟର ଭାବିଥିଲେ ଯେ କିଛି ନ କଲେ ମଧ୍ୟ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଦୁର୍ନୀତିକୁ ନରେନ୍ଦ୍ର ମୋଦି ସରକାର ପଦାରେ ପକାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri