ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶନିବାର ଚାଲାଣ ବେଳେ କଫ ସିରପ୍ ଜବତ କରିଛି। ଏହି କାରବାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ଜିଲା ଅତାବିରା ଥାନା ସିଂହପାଲି ଗ୍ରାମର ଟି. ରାମକୋଟି ରେଡ୍ଡି(୨୩), ଜାମଟିକ୍ରା ଗ୍ରାମର ସିକଲା କିରନ କୁମାର(୨୧), ଅତାବିରା ଶାନ୍ତିପଡ଼ା(ୱାର୍ଡ ନଂ-୭)ର ଧୀରଜ ଗହୀର(୨୦) ଏବଂ ଛତିଶଗଡ଼ ରାଜ୍ୟ ରାୟପୁର ଜିଲା ପଣ୍ଡ୍ରି ଥାନା ଅନ୍ତର୍ଗତ ପଣ୍ଡ୍ରିମୋୱା ଗ୍ରାମର କିଶୋର ଯାଦବ(୨୬)। ପୋଲିସ ସେମାନଙ୍କ ପାଖରୁ ୧୦୦ବୋତଲ କଫ ସିରପ୍, ୧୦ଷ୍ଟ୍ରିପ୍ ନାଇଟ୍ରୋସନ ଟାବଲେଟ, ନଗଦ ୨୦୦୦ ଟଙ୍କା, ବ୍ୟବହୃତ ଟାଟା ସଫାରି ଗାଡ଼ି(ଓଡି୧୫ଏନ୍ ୧୧୧୧), ଗୋଟିଏ ଦେଶୀ ପିସ୍ତଲ, ୩ ଅଫୁଟା ଗୁଳି ଏବଂ ୩ ମୋବାଇଲ ଜବତ କରିଛି। ଏ ନେଇ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା(ନଂ-୨୯୯/୨୬) ରୁଜୁ କରିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ କଫ ସିରପ୍ ଚାଲାଣ କରୁଥିବା ନେଇ ସ୍ଥାନୀୟ ଟାଉନ ଥାନା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ତେବେ ଅଭିଯୁକ୍ତମାନେ ସ୍ଥାନୀୟ ଗଣପତି ହୋଟେଲ ନିକଟକୁ ପହଞ୍ଚିବା ପରେ ପୋଲିସ ସେମାନଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚବେଳେ ଉପରୋକ୍ତ ସାମଗ୍ରୀ ମିଳିଥିଲା। ଫଳରେ ପୋଲିସ ସେହିସବୁ ସାମଗ୍ରୀକୁ ଜବତ ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ହାତରେ ଦେଶୀ ପିସ୍ତଲ ସହିତ ଜୀବନ୍ତ ଗୁଳି ଧରି ଅଭିଯୁକ୍ତମାନେ କଫ ସିରପ୍ ଚାଲାଣ କରିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

