ଏମିତି ଜଣେ ଓଡ଼ିଆ ଥିଲେ

ଡ. ପ୍ରଫୁଲ୍ଲ କୁମାର ସାହୁ

ଓଡ଼ିଆ ସ୍ବାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ। ନବ ଉତ୍କଳର ନିଆରା ବିନ୍ଧାଣି। ତାଙ୍କ ନାମ ସ୍ମରଣ ମାତ୍ରେ ଆଖିଆଗରେ ନାଚିଯାଏ ସ୍ବାଭିମାନ ଓ ସାହସିକତାର ଶିଖର ଛୁଇଁଥିବା ଜଣେ ଉତ୍ତୁଙ୍ଗ ମଣିଷର ଛବି। ପଡ଼ିଆରେ ଫୁଟ୍‌ବଲ ଖେଳିବାଠାରୁ ଆକାଶରେ ବିମାନ ଉଡ଼ାଇବା ପର୍ଯ୍ୟନ୍ତ ସବୁଥିରେ ସେ ଥିଲେ ସାହସୀ, ଧୁରନ୍ଧର ଓ ଦୁର୍ଦ୍ଧର୍ଷ। ଜଣେ ଅଭିଜ୍ଞ ରାଜନୀତିଜ୍ଞ, ସୁଦକ୍ଷ ବୈମାନିକ, ସଫଳ ଶିଳ୍ପୋଦ୍ୟୋଗୀ ଓ ସ୍ବାଭିମାନୀ ଓଡ଼ିଆ ଭାବରେ ସେ ନିଜର ଘଟଣାବହୁଳ ଜୀବନରେ ଏମିତି କିଛି କାମ କରିଯାଇଛନ୍ତି, ଯାହାକୁ କେନ୍ଦ୍ରକରି ଅନେକ କାହାଣୀ ଓ କିମ୍ବଦନ୍ତୀ ଗଢ଼ିଉଠିଛି ଏବଂ ତାଙ୍କ ନାମ ସହିତ ଯୋଡ଼ି ହୋଇଯାଇଛି ପ୍ରବାଦପୁରୁଷ, ଦ୍ବିତୀୟ ଖାରବେଳ ଓ ଝଡ଼ର ଇଗଲ ଆଦି ଅନେକ ବର୍ଣ୍ଣାଢ଼୍ୟ ବିଶେଷଣ। ଏସବୁ କୌଣସି ଅନୁଷ୍ଠାନପ୍ରଦତ୍ତ ଉପାଧି ନୁହେଁ, ବରଂ ବୀରତ୍ୱ, ବିବେକ, ଉଦାରତା ତଥା ତାଙ୍କ ବଡ଼ପଣ ବା ମହାନୁଭବତା ପ୍ରତି ଲୋକଙ୍କ ହୃଦୟର ନିରୋଳା ଭଲ ପାଇବାରୁ ଉତ୍ସରିତ ଏକ ଏକ ଶ୍ରଦ୍ଧାସ୍ନାତ ସମ୍ବୋଧନ।
ବାସ୍ତବରେ ବିଜୁବାବୁ ଥିଲେ କୋଟି ଓଡ଼ିଆଙ୍କ ହୃଦୟ ସିଂହାସନରେ ସ୍ଥାନ ପାଇଥିବା ଜଣେ ପ୍ରିୟ ମଣିଷ। ତାଙ୍କ ନିଜ ଭାଷାରେ-‘ମୁଁ ଯେମିତି ଓଡ଼ିଶାକୁ ଭଲପାଏ, ମୋତେ ସେମିତି ଅତି ନିବିଡ଼ ଭାବରେ ଭଲପାଏ ଓଡ଼ିଶା। ଓଡ଼ିଶାବାସୀଙ୍କ ସେହି ଅଜସ୍ର ଭଲପାଇବା କାରଣରୁ ବିଜୟାନନ୍ଦ ପଟ୍ଟନାୟକ ଆଜି ବିଜୁବାବୁ ନାମରେ ପରିଚିତ।
ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ବିଜୁବାବୁଙ୍କ ଭଲପାଇବାରେ ଥିଲା ଏକ ଆବେଗମୟ ଉଚ୍ଛ୍ବାସ। ସେ ଅନାବିଳ ମମତା କଥା ଭାବିଲେ ଅସୀମ ଦିଗ୍‌ବଳୟ ଆଡକୁ ପ୍ରସରିଯାଏ ପ୍ରତ୍ୟେକ ଓଡ଼ିଆର ବିସ୍ମୟ ବିସ୍ଫାରିତ ନେତ୍ର। ବିଶ୍ବ ସ୍ତରରେ ଓଡ଼ିଆର ଟେକ ରଖିବା ଥିଲା ବିଜୁବାବୁଙ୍କ ଲକ୍ଷ୍ୟ। ସେହି ଲକ୍ଷ୍ୟ ହାସଲ ପାଇଁ ସେ ଛଟପଟ ହୋଇଛନ୍ତି ସାରା ଜୀବନ। ଓଡ଼ିଆଙ୍କ ଭିତରେ ଓଡ଼ିଆତ୍ୱ ଭରିଦେବା ପାଇଁ ବା ଏକ ସଂକଳ୍ପବଦ୍ଧ ଓଡ଼ିଆ ଜାତି ନିର୍ମାଣ ଲକ୍ଷ୍ୟରେ ସେ ରୋମନ୍ଥନ କରିଛନ୍ତି ଓଡ଼ିଶା ଇତିହାସର ଗୌରବମୟ କାହାଣୀ। ତାଙ୍କ ପ୍ରାଣକୁ ଉଦ୍‌ବେଳିତ କରିଛି ପ୍ରାଚୀନ କଳିଙ୍ଗର ଅନୁପମ ଐଶ୍ବର୍ଯ୍ୟ।
ଅପରାଜେୟ ସାମ୍ରାଜ୍ୟ ଭାବରେ ଜାତ କଳିଙ୍ଗ ଯେ ଦିନେ ମଗଧ ସମ୍ରାଟ ଅଶୋକଙ୍କ ଦ୍ବାରା ପରାଜୟବରଣ କରିଥିଲା, ଏ କଥାକୁ ସହଜରେ ଗ୍ରହଣ କରି ନ ପାରି ସେ କଳିଙ୍ଗ ଯୁଦ୍ଧର ଐତିହାସିକ ସତ୍ୟତା ଉପରେ ଉଠାଇଛନ୍ତି କିଛି ବିଚାରାନୁମୋଦିତ ପ୍ରଶ୍ନ। ଐତିହାସିକମାନଙ୍କ ଦକ୍ଷତା ଓ ନିରପେକ୍ଷତାକୁ କାଠଗଡ଼ାକୁ ଟାଣିବା ସହିତ ଖୋଜିଛନ୍ତି ଅଶୋକଙ୍କଠାରୁ ପରାଜୟବରଣ କରିଥିବା କଳିଙ୍ଗ ସମ୍ରାଟଙ୍କ ପରିଚୟ। ଏ ସମ୍ପର୍କରେ ଅଶୋକଙ୍କ ଶିଳାଲେଖ ନୀରବ ଥିବାରୁ ସେ ହାତୀଗୁମ୍ଫା ଶିଳାଲେଖ ସହାୟତାରେ ପାଇଛନ୍ତି ପ୍ରାଚୀନ କଳିଙ୍ଗର ଅନୁପମ ଐଶ୍ବର୍ଯ୍ୟର ପ୍ରମାଣ। କଳିଙ୍ଗାଃ ସାହସିକାଃ-ଏହି ପ୍ରାଚୀନ ଉକ୍ତି ତାଙ୍କ ଭିତରେ ଭରିଦେଇଛି ଗୌରବମୟ ଅତୀତକୁ ଉଜ୍ଜୀବିତ କରିବାର ଦମ୍ଭିଲାପଣ। ଓଡ଼ିଆଙ୍କ ଭିତରେ ଓଡ଼ିଆତ୍ୱ ଭରିଦେବା ଆଭିମୁଖ୍ୟ ନେଇ ସେ କହନ୍ତି- କଳିଙ୍ଗ ଶବ୍ଦର ଅର୍ଥ ହେଉଛି ବୀରତ୍ୱ ଓ ସାହସିକତା। ଏକଦା ତାହା ହିଁ ଥିଲା କଳିଙ୍ଗବାସୀଙ୍କ ଚରିତ୍ରର ଭୂଷଣ। ସେମାନେ ଯୁଦ୍ଧଭୂଇଁରେ ବୀରତ୍ୱ ପ୍ରଦର୍ଶନ କରି ଯେମିତି ସାମ୍ରାଜ୍ୟ ବିସ୍ତାର କରିଥିଲେ, ସେମିତି ସାଗରକୁ ସାମ୍ରାଜ୍ୟରେ ପରିଣତ କରିଦେଇଥିଲେ ଦରିଆପାରି ନୌବାଣିଜ୍ୟ ପାଇଁ। କଲମ୍ବସ୍‌(୧୪୯୨) ଓ ଭାସ୍କୋଡାଗାମା (୧୪୯୮)ଭାରତକୁ ଜଳପଥ ଆବିଷ୍କାର କରିବାର ବହୁ ଶତାବ୍ଦୀ ପୂର୍ବରୁ ପ୍ରାଚ୍ୟ ଏସିଆର ପ୍ରାୟ ପ୍ରତ୍ୟେକ ଦେଶ ସହିତ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା କରିସାରିଥିଲା କଳିଙ୍ଗର ସାଧବପୁଅ। କଳିଙ୍ଗମାଟିର ପାଇକ ଓ ସାଧବପୁଅ ଏଭଳି ଅକଳ୍ପନୀୟ ସାହସିକତା ପାଇଁ କଳିଙ୍ଗ ନାମକୁ ସେ ଖୁବ୍‌ ଭଲପାଉଥିଲେ ଏବଂ ଏହି ନାମ ପାଲଟିଯାଇଥିଲା ତାଙ୍କ ପ୍ରାଣର ସ୍ପନ୍ଦନ। ସେଥିପାଇଁ ଓଡ଼ିଶା ପରିବର୍ତ୍ତେ କଳିଙ୍ଗ ନାମକୁ ସେ ବ୍ୟବହାର କରିଛନ୍ତି ସବୁ କ୍ଷେତ୍ରରେ। ପୂର୍ବରୁ ଯେଉଁ କଳିଙ୍ଗ ନାମ କେବଳ ଇତିହାସର ପୃଷ୍ଠା ମଣ୍ଡନ କରୁଥିଲା ସଂଗ୍ରହାଳୟର ନିର୍ଜୀବ ସାମଗ୍ରୀ ଭାବରେ, ସେଥିରେ (୧୯୫୧ପରେ) ପ୍ରାଣ ସଞ୍ଚାର ହେବାକୁ ଲାଗିଲା ବିଜୁବାବୁଙ୍କ ଭାବାବେଗ ବଳରେ। ବସ୍ତୁତଃ ବ୍ୟବହାରର ବ୍ୟାପକତା ଦୃଷ୍ଟିରୁ କଳିଙ୍ଗ ନାମ ସହିତ ଯୋଡ଼ି ହୋଇଗଲା ବିଜୁବାବୁଙ୍କ ଜାତିପ୍ରାଣତାର ସ୍ବର ଓ ସଂକଳ୍ପ। କେବଳ କଳିଙ୍ଗ ନୁହେଁ, କଳିଙ୍ଗାଧିପତି ଐର ଖାରବେଳଙ୍କ ନାମ ଥିଲା ତାଙ୍କର ଅତି ପ୍ରିୟ। ତାଙ୍କୁ ଆଦ୍ୟରୁ ଉଦ୍‌ବୋଧିତ କରିଥିଲା ମଗଧକୁ ପରାସ୍ତ କରି ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିପାରିଥିବା ସମ୍ରାଟ ଖାରବେଳଙ୍କ ପରାକ୍ରମ। ତାଙ୍କ ଭଳି ଜଣେ ପରାକ୍ରମଶାଳୀ, ଉଦାରମନା, ଗୁଣଗ୍ରାହୀ ତଥା ସର୍ବଧର୍ମ ସମନ୍ବୟକାରୀ ସୁଶାସକଙ୍କ ନାମ ସହିତ ଓଡ଼ିଆ ଜାତିର ଶକ୍ତି, ସାମ୍ରାଜ୍ୟ, ପ୍ରତିଷ୍ଠା ଓ ପ୍ରଭୁତ୍ୱ ଯୋଡ଼ିହୋଇ ରହିଥିବାରୁ ତାଙ୍କୁ ଆଦର୍ଶ ଭାବରେ ଗ୍ରହଣ କରି ସେ ଆରମ୍ଭ କରିଛନ୍ତି ନୂଆ ଓଡ଼ିଶା ଗଢ଼ିବାର ସଂକଳ୍ପବଦ୍ଧ ପ୍ରୟାସ। ସମ୍ରାଟ ଖାରବେଳଙ୍କ ବଂଶଧର ଭାବରେ ଗର୍ବର ସହିତ ସେ କହିଛନ୍ତି-”ମୁଁ ଖାରବେଳ ଜାତିର ଦାୟାଦ। ପୁରୁଷୋତ୍ତମଦେବଙ୍କ ବଂଶଧର। ମୋ ସଂସ୍କୃତି ଜଗନ୍ନାଥ ସଂସ୍କୃତି। କଳାର ଉତ୍କର୍ଷ ପାଇଁ ମୋ ରାଜ୍ୟର ନାମ କଳିଙ୍ଗ। ଏହି କଳିଙ୍ଗ ହେଉଛି ମୋ ମାଆ। ନିଜ ଜୀବନ ବିନିମୟରେ ମା’ ପାଇଁ ଯଦି କିଛି କରିପାରିବି, ତେବେ ସାର୍ଥକ ହେବ ଜୀବନ।“ ତାଙ୍କ ମତରେ ଏହି ହେଉଛି ସେହି ଓଡ଼ିଶା ବା କଳିଙ୍ଗ, ଯେଉଁଠି ରଚିତ ହୋଇଥିଲା ‘ଗୀତ ଗୋବିନ୍ଦ’। ଏହି ସ୍ଥାନରେ ପଠାଣି ସାମନ୍ତଙ୍କ ଭଳି ବୈଜ୍ଞାନିକ ଜନ୍ମ ନେଇଥିଲେ, ଯିଏ ଖାଲି ଆଖିରେ ଆକାଶକୁ ଚାହିଁ ଆବିଷ୍କାର କରିପାରିଥିଲେ ଜଟିଳ ମହାକାଶ ତତ୍ତ୍ବ। ଗୋଟିଏ ରାଜ୍ୟ ଯେଉଁଠାରେ ସବୁଠାରୁ ପ୍ରସିଦ୍ଧ ବୈଜ୍ଞାନିକ, ଗଣିତଜ୍ଞ, ବିଦ୍ବାନ୍‌, କାରିଗର, ବାସ୍ତବଚିତ୍ର, ସଙ୍ଗୀତଜ୍ଞ, ନୃତ୍ୟାଙ୍ଗନା ଓ ମହାନ୍‌ ସଂସ୍କୃତିର ଲୋକ ଭରି ରହିଥିବେ,ସେହି ହେଉଛି ମୋ ସ୍ବପ୍ନର ଓଡ଼ିଶା। ତାହାହିଁ ମୋ ଜୀବନର ସ୍ବପ୍ନ।
ନିଜର ଅଭିଳଷିତ ସ୍ବପ୍ନ ସମ୍ପର୍କରେ ପ୍ରକାଶ କରିବାକୁ ଯାଇ ସେ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ଉକ୍ତିକୁ ଉଦ୍ଧାରକରି କହନ୍ତି- ”ଯେତେବେଳେ ବି ସ୍ବପ୍ନ ଦେଖିବ ବଡ଼ ବଡ଼ ସ୍ବପ୍ନ ଦେଖ। କେବଳ ବଡ଼ ବଡ଼ ସ୍ବପ୍ନ ଦେଖିଲେ ବଡ଼ ବଡ଼ କାର୍ଯ୍ୟ କରିହେବ।“
ରାଜନୀତି କ୍ଷେତ୍ରରେ ବିଜୁବାବୁ ଥିଲେ ଜଣେ ଭିନ୍ନ ବ୍ୟକ୍ତିତ୍ୱ। ଭାରି ରୋକ୍‌ଠୋକ୍‌ ଓ ବେପରୁଆ । ଆଜିକାଲି ନେତାଙ୍କ ପରି ଜୟଧର୍ମକୁ ସେ ରାଜଧର୍ମ ଭାବରେ ଗ୍ରହଣ କରୁ ନ ଥିଲେ କି ଭୋଟ ହାତେଇବା ପାଇଁ ଅଜାଡି ଦେଉ ନ ଥିଲେ ସ୍ବର୍ଗରୁ ଚାନ୍ଦ ତୋଳି ଆଣିବାର ପ୍ରତିଶ୍ରୁତି। କାରଣ ଜୟଧର୍ମ ନୁହେଁ, ଦୁର୍ବାର ଦୁଃସାହସ ମଧ୍ୟରେ ଦେଶ ଓ ଜାତିକୁ ଆଗକୁ ନେବା ଥିଲା ତାଙ୍କର ରାଜନୈତିକ ଆଦର୍ଶର ମୂଳକଥା। କ୍ଷମତା ହାତେଇବା ନିଶାରେ ଦେଶର ସ୍ବାର୍ଥକୁ ବଳି ଦେବାର ଯେଉଁ ହୀନମନ୍ୟତା ବର୍ତ୍ତମାନର ନେତାଙ୍କୁ ଗ୍ରାସ କରିଛି, ବିଜୁବାବୁ ଥିଲେ ତା’ଠାରୁ ବହୁ ଦୂରରେ। ଓଡ଼ିଶା ପ୍ରତି ତାଙ୍କ ଅନାବିଳ ଭଲପାଇବା ଯୋଗୁ ସମଗ୍ର ରାଜ୍ୟ ଥିଲା ତାଙ୍କ ନଖ ଦର୍ପଣରେ। ଓଡ଼ିଶାର ପ୍ରାୟ ଏମିତି କୌଣସି ଅଞ୍ଚଳ ନାହିଁ, ଯେଉଁଠି ପଡ଼ିନାହିଁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପାଦ। ଓଡ଼ିଶାରେ ପ୍ରାୟ ଏମିତି କେହି ଲୋକ ବି ନାହିଁ, ଯିଏ କେବେ ଶୁଣିନାହିଁ ଜାତିପ୍ରାଣ ବିଜୁ ପଟ୍ଟନାୟକଙ୍କ ନାମ। ତା’ର ରୂପରେଖ ଆଙ୍କିବାକୁ ଯାଇ ସେ କହୁଥିଲେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ଉପରେ ଖଣ୍ଡିଏ ଭଲ ଛାତ, ସବୁ ପରିବାରକୁ ପିଇବାପାଣି, ସବୁ ପିଲାଙ୍କ ପାଇଁ ଭଲ ସ୍କୁଲ ଓ ସମସ୍ତଙ୍କ ପାଇଁ ମାଗଣାରେ ଭଲ ସ୍ବାସ୍ଥ୍ୟସେବା ଇତ୍ୟାଦି ଯୋଗାଇବା ଥିଲା ତାଙ୍କର ଲକ୍ଷ୍ୟ।
ସମଗ୍ର ଦେଶରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ପ୍ରାୟ ଅଢ଼େଇ ବର୍ଷ ପୂର୍ବରୁ ତାକୁ ଏଠାରେ ସେ କାର୍ଯ୍ୟକାରୀ କରିଥିଲେ ଏକ ନୂଆ ରୂପରେ। ଆଇନରେ ବ୍ୟାପକ ସଂଶୋଧନ ଆଣି ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ରଖିଥିଲେ ଶତକଡା ୩୩ଭାଗ ଆସନ ସଂରକ୍ଷଣ ବ୍ୟବସ୍ଥା। ଅର୍ଥାତ କ୍ଷମତା ବିକେନ୍ଦ୍ରୀକରଣ ଏବଂ ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନ କ୍ଷେତ୍ରରେ ସେ ଥିଲେ ଭାରତବର୍ଷର ଜଣେ ଦୃଷ୍ଟାନ୍ତ ସୃଷ୍ଟିକାରୀ ନେତା। ଏହି କାରଣରୁ ବିଜୁବାବୁଙ୍କ ଜନ୍ମଦିନ(ମାର୍ଚ୍ଚ-୫)କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଛି (୧୯୯୩ମସିହାରୁ) ରାଜ୍ୟ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ବା କେନ୍ଦ୍ରମନ୍ତ୍ରୀ ଭାବରେ ସେ ଦୀର୍ଘକାଳ ଧରି କ୍ଷମତାସୀନ ନ ଥିଲେ ସତ, ମାତ୍ର ଜଣେ ମହାନ୍‌ ଜନନାୟକ ଭାବରେ ଲୋକଙ୍କ ହୃଦୟ ଭିତରେ ସେ ଅଛନ୍ତି ଓ ରହିବେ କାଳ କାଳ ପାଇଁ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ମୟୂରଭଞ୍ଜ।
ମୋ-୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri