ଭୁବନେଶ୍ୱର,୧୬ା୫(ସୁନିତ୍ ମିଶ୍ର):ରାଜ୍ୟରେ ପେଟ୍ରୋଲ, ଡିଜେଲକୁ ନେଇ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇପାରି ନାହିଁ। ରାଜ୍ୟର ପ୍ରାୟ ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ, ଡିଜେଲର ବ୍ୟବହାର କମ୍ କରିବାକୁ କହିବା ପରେ ସ୍ଥିତି ଜଟିଳ ରୂପ ନେଇଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ସମସ୍ୟା ହେବ ବୋଲି କହିବାର କିଛି ସମୟ ଭିତରେ ତେଲ ଅଭାବ ଯୋଗୁ ପେଟ୍ରୋଲ ପମ୍ପଗୁଡିକ ବନ୍ଦ ରହିବା ଦୃଶ୍ୟ ଲୋକମାନଙ୍କ ଭିତରେ ଅଧିକ ଭୟର ବାତାବରଣ ସୃଷ୍ଟିକରିଛି। ଏଭଳି ସ୍ଥିତିରେ ଆଇଓସିଏଲ୍ ସିଜିଏମ୍ କମଲ୍ ସିଲ୍ କହିଛନ୍ତି, ଭୟର ବାତାବରଣ କେହି ସୃଷ୍ଟି କରନ୍ତୁ ନାହିଁ। ଏହାକୁ ନେଇ ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ପେଟ୍ରୋଲ, ଡିଜେଲ ଆସିବାରେ ଗତ ୨ ମାସ ହେଲା ବିଭିନ୍ନ ସ୍ଥାନରେ ସମସ୍ୟା ରହୁଥିବା ନେଇ ଖବର ସମସ୍ତେ ଦେଖୁଥିଲେ। ମାତ୍ର ଏହାକୁ ନେଇ ଅନ୍ୟ ସ୍ଥାନଗୁଡିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁ ନ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ପେଟ୍ରୋଲ, ଡିଜେଲ ବ୍ୟବହାର କମ୍ କରିବାକୁ ଆହ୍ବାନ କରିବା ସହ ଇଲେକ୍ଟ୍ରିକ୍ ଗାଡ଼ି କିଣିବା ଉପରେ ଗୁରୁତ୍ୱ ଦେବାକୁ କହିବା ପରେ ଲୋକମାନେ ବ୍ୟସ୍ତ ହୋଇ ପେଟ୍ରୋଲ ପମ୍ପରେ ଗହଳି ଲଗାଇଲେ। ଏବେ ରାଜ୍ୟର ଅଧିକାଂଶ ପମ୍ପ ବାରମ୍ବାର ବନ୍ଦ ରହିବା ଦୃଶ୍ୟ ଦେଖିବାକୁ ମିଳୁଛି।
ସିଲ୍ ଆହୁରି କହିଛନ୍ତି, ଓଡ଼ିଶାରେ ପେଟ୍ରୋଲ, ଡିଜେଲର ଷ୍ଟକ୍ ଯଥେଷ୍ଟ ପରିମାଣରେ ରହିଛି। ଇଣ୍ଡିଆନ, ଏଚ୍ପିସିଏଲ୍ ଏବଂ ବିପିସିଏଲ୍ ୮ଟି ମାର୍କେଟିଂ ଯୋଗାଣ ଠିକଣା ରହିଛି। ସେହି ସବୁ ସ୍ଥାନରେ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ, ଡିଜେଲ ଆସୁଛି। ଉକ୍ତ ଯୋଗାଣ ସ୍ଥାନଗୁଡ଼ିକୁ ପାରାଦୀପ ରିଫାଇନେରିରୁ ପାଇପ୍ଲାଇନ୍ ସଂଯୋଗ ରହିଛି। କେଉଁଠାରେ ମଧ୍ୟ ଅଭାବ ନାହିଁ। କୌଣସି ସ୍ଥାନରେ ଭୟର ବାତାବରଣ ସୃଷ୍ଟି କରିବା ଠିକ୍ ନୁହେଁ। ତେଣୁ ଲୋକମାନେ ଅଧିକ ପରିମାଣର ତେଲ କିଣି ମହଜୁଦ କରିବାର ଆବଶ୍ୟକତା ନାହିଁ। ଓଡ଼ିଶାରେ ୨୮୦୦ଟି ରିଟେଲ ଆଉଟଲେଟ୍ ରହିଛି। ମାତ୍ର ୧୦ରୁ ୨୦ଟି ପମ୍ପ୍ ଆଗରୁ ବନ୍ଦ ରହିଛି। ସେହି ପମ୍ପଗୁଡିକର ଜମିଜମା ଏବଂ ଆର୍ଥିକ ସମସ୍ୟା ପାଇଁ ବନ୍ଦ ରହେ। ସବୁ ଜିଲାର ପମ୍ପଗୁଡ଼ିକରେ ୩ ଦିନର ଡିଜେଲ ଏବଂ ପେଟ୍ରୋଲ ଷ୍ଟକ୍ ରହୁଛି। ଲୋକମାନେ ଲମ୍ବା ଲାଇନ ଲଗାଇବାର ଆବଶ୍ୟକତା ନାହିଁ। ଲୋକମାନେ ପମ୍ପଗୁଡ଼ିକରେ ଧାଡ଼ି ଲଗାଇ ରହୁଥିବା ଯୋଗୁ ଅନେକ ପମ୍ପରେ ମାତ୍ର ୨ରୁ ୩ ଘଣ୍ଟା ସମସ୍ୟା ରହୁଛି। ଭୟର ବାତାବରଣ କେହି ସୃଷ୍ଟି ନ କରିବା ଦରକାର। ପରିସ୍ଥିତିକୁ ଦେଖି ବିପିସିଏଲ୍, ଏଚ୍ପିସିଏଲ୍ ଏବଂ ଆଇଓସିଏଲ୍ ପକ୍ଷରୁ ରାତିରେ ଗାଡ଼ି ଚଳାଚଳ ପାଇଁ ଅନୁମତି ଦିଆଯାଇ ଯେଉଁଠି ତେଲ ସମସ୍ୟା ରହୁଛି, ତାହାକୁ ସମାଧାନ କରାଯିବ। ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ତେଲ କିଣାବିକା ବୃଦ୍ଧି ପାଇଯାଇଛି। ତେଣୁ ତୈଳ ସମସ୍ୟା ରହିଛି ବୋଲି ଯଦି କୌଣସି କଥା ଚର୍ଚ୍ଚା କରାଯାଉଛି, ତାକୁ ବିଶ୍ୱାସ କରିବା ଠିକ୍ ନୁହେଁ। ଏହାପରେ ପୁନର୍ବାର ଆଇଓସିଏଲ୍ ଅଫିସରେ ଖବରଦାତା ସମ୍ମିଳନୀ କରି ସିଲ୍ କହିଛନ୍ତି, ଗତ ୨ ଦିନରେ ୩୭ ପ୍ରତିଶତ ତେଲର ଚାହିଦା ବଢିଛି, ଯାହା ସାରା ଦେଶରେ ସର୍ବାଧିକ। ସ୍ବାଭାବିକ ସ୍ଥିତିରେ ଏହି ଅଭିବୃଦ୍ଧି ୩ରୁ ୪ ପ୍ରତିଶତ ହୋଇଥାଏ। ପୂର୍ବରୁ ପେଟ୍ରୋଲ ୪ ହଜାର କିଲୋଲିଟର ଏବଂ ଡିଜେଲ ୧୧ ହଜାର କିଲୋ ଲିଟର ଚାହିଦା ଥିଲା। ଏବେ ପେଟ୍ରୋଲ ୫ରୁ ୫.୫ ଏବଂ ଡିଜେଲ ୧୩ ହଜାର କିଲୋ ଲିଟରକୁ ବୃଦ୍ଧି ପାଇଛି। ଲୋକମାନେ ପ୍ଲାଷ୍ଟିକ୍ ଜାର୍ରେ ତେଲ ନେଉଥିବା ଦେଖାଯାଉଛି, ଏହାକୁ ରୋକିବା ପାଇଁ ଜିଲା ସ୍ତରରେ କମିଟି କରାଯାଇଛି।
ତୈଳ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସବୁବେଳେ ପ୍ଲାଷ୍ଟିକ୍ ଡବାରେ ଲୋକମାନେ ତେଲ ନେଇଥାଆନ୍ତି। ଏହା କିଛି ନୂଆ କଥା ନୁହେଁ। ମୁଖ୍ୟତଃ ଚାଷ କାର୍ଯ୍ୟ ଲାଗି କୃଷକମାନ ପ୍ଲାଷ୍ଟିକ୍ ଡବାରେ ତେଲ ନେଇଥାଆନ୍ତି। ମାତ୍ର ନିଜ ଦୋଷକୁ ଲୁଚାଇବା ଲାଗି ବର୍ତ୍ତମାନ ପ୍ଲାଷ୍ଟିକ୍ ଡବାରେ ତେଲ ଦେବାକୁ ଏକ ବାହାନା ଭାବେ ଗ୍ରହଣ କରାଯାଇଛି। ଅନ୍ୟପଟେ ଏହି ସମୟରେ ତେଲ ଦର ବୃଦ୍ଧି କରାଯାଇଛି। ଏହାକୁ ନେଇ ଲୋକମାନଙ୍କ ଭିତରେ ଆହୁରି ଭୟ ସୃଷ୍ଟି ହେଇଛି। ପ୍ରଧାନମନ୍ତ୍ରୀ ଯାହା କହିଥିଲେ ତାହା ସତ ବୋଲି ଧରିନେବାକୁ ଲୋକମାନେ ବାଧ୍ୟ ହୋଇଛନ୍ତି। ତେଲ ଯେତିକି ପେଟ୍ରୋଲ ପମ୍ପକୁ ଯୋଗାଯିବା କଥା ସେଥିରେ ମଧ୍ୟ ହ୍ରାସ କରାଯାଇଥିବା ସେ ସୂଚନା ଦେଇଛନ୍ତି।