ବଡ଼ଲୋକଙ୍କୁ ଉତ୍ତର ନାହିଁ

ନିରଞ୍ଜନ ସାହୁ

ବିଜ୍ଞଜନେ, ଏହି କଥାଟି କାଳକାଳରୁ ଚାଲିଆସିଛି ଆମ ସମାଜରେ। କଥାରେ ନଥା ଭଳି କୌଣସି ଆଲୋଚନା ବେଳେ ଏହାକୁ କହି ଆମର କଥାର ଗୁରୁତ୍ୱ ଆମେ ବଢ଼ାନ୍ତି। ସ୍ବର୍ଗକୁ ନିଶୁଣି ନାହିଁକୁ ବ୍ୟବହାର କରାଯାଏ ଏକ ପରୀକ୍ଷିତ ସିଦ୍ଧାନ୍ତ ରୂପରେ ଯଦିଓ ଏହା ନେତିବାଚକ; ମାତ୍ର ନିଶ୍ଚୟାତ୍ମକ। ଆଉ ତାକୁ ଦ୍ୱାହିଦେଇ ସେଇ ଆଧାରରେ କୁହାଯାଏ ଯେ ବଡ଼ଲୋକଙ୍କୁ ଉତ୍ତର ନାହିଁ। ଏହାର ମାର୍ମିକ ଅର୍ଥଟି ହେଲା – ସ୍ବର୍ଗକୁ ନିଶୁଣି ନାହିଁ ଯେମିତି ଠିକ୍‌ ସେଇମିତି ବଡ଼ଲୋକଙ୍କୁ ଉତ୍ତର ଦେବା ଅନୁରୂପ ଅସମ୍ଭବ।
ବଡ଼ଲୋକ କହିଲେ ଅନେକ ଅର୍ଥ ବାହାରିପାରେ। ବୟସ୍କ ଦୃଷ୍ଟିରୁ ଯେଉଁମାନେ ବଡ଼ ସେମାନଙ୍କୁ ବଡ଼ ବୋଲି ଧରିନେବା ଆମର ଏକ ତାତ୍କାଳିକ ବିଚାର ପାଲଟିଛି। ଜାତି ବିଭକ୍ତ ପ୍ରାଚୀନ ସମାଜରେ କିଛି ନିର୍ଦ୍ଦିଷ୍ଟ ଜାତିରେ ଜନ୍ମ ହୋଇଥିବା ଲୋକମାନଙ୍କୁ ସାମାଜିକ ସ୍ତରରେ ପ୍ରାଧାନ୍ୟ ଦିଆଯାଇ ସେମାନଙ୍କୁ ବଡ଼ଲୋକର ଆଖ୍ୟା ଦିଆଯାଉଥିଲା। ସମାଜରେ ଯେଉଁମାନେ ବିତ୍ତଶାଳୀ, ଯେଉଁମାନେ ଅନେକ ଐଶ୍ୱର୍ଯ୍ୟର ଅଧିକାରୀ ସେମାନଙ୍କୁ ମଧ୍ୟ ବଡ଼ଲୋକ ବୋଲି ଧରି ନିଆଯାଉଥିଲା। ଆଉ ଯେଉଁମାନେ ଜ୍ଞାନୀ, ଗୁଣୀ, ତପସ୍ବୀ ସେମାନଙ୍କୁ ବଡ଼ ବୋଲି ଯଦି ଆମେ ନ ଗଣିବା ଗଣିତ ଆମର କେବଳ ଭୁଲ୍‌ ଆଡ଼କୁ ମୁହଁାଇ ଯିବା ସ୍ବାଭାବିକ। ବଡ଼ଲୋକର ଏତେ ସଂଜ୍ଞା ସବୁକୁ ବା ଏଥିରୁ ଗୋଟିକୁ ଯଦି ଗ୍ରହଣ କରିବା ତା’ହେଲେ ତାଙ୍କୁ ଉତ୍ତର ଦେବା ମନା କାହିଁକି?
ବଡ଼ଲୋକ କ’ଣ ପ୍ରଶ୍ନ କଲେ ତାଙ୍କୁ ଉତ୍ତର ଦେବା ଉଚିତ ନୁହେଁ? ନା ସେଇ ଉଦ୍ଦେଶ୍ୟରେ ବୋଧହୁଏ ଏଇକଥା କୁହାଯାଇନାହିଁ। ସେମାନେ ପ୍ରଶ୍ନ କଲେ ତାଙ୍କୁ କିଛି ନକାରାତ୍ମକ ମନ୍ତବ୍ୟ ନ ଦେଇ କେବଳ ହଁ କହିବାକୁ ଇଙ୍ଗିତ କରାଯାଇଛି, ଅର୍ଥାତ୍‌ ପ୍ରଶ୍ନକର୍ତ୍ତା ବଡ଼ଲୋକ ଅଥବା ଗୁରୁ ପ୍ରାଜ୍ଞ ଯାହା ପଚାରିବେ ତା’ର ଉତ୍ତର କ’ଣ କେବଳ ହଁ କି ନା ହେବ – ଏପରି ପ୍ରଶ୍ନ ତ ବଡ଼ ଜଟିଳ!
ମନୋଜ ଦାସ ତାଙ୍କର ଗୋଟିଏ ଗଳ୍ପରେ ବଡ଼ ଚମତ୍କାର ଭାବରେ ଏକଥା ବର୍ଣ୍ଣନା କରିଛନ୍ତି। ଗୋଟିଏ ମକଦ୍ଦମାର ବିଚାର ବେଳେ ଜଣେ ଓକିଲ ମହକିଲଙ୍କୁ ତାଗିଦ୍‌ କରି ପଚାରିଲେ, ”ମୁଁ ଯାହା ପଚାରିବି ତା’ର ଉତ୍ତର ଆପଣ ହଁ କିମ୍ବା ନାରେ ଦେବେ।“ ବିଚରା ପ୍ରତିପକ୍ଷର ମହକିଲ ନମ୍ର ଭାବରେ କହିଲେ, ”ଆଜ୍ଞା ତାହା ତ ସବୁବେଳେ ସମ୍ଭବ ନୁହେଁ।“ ତହୁଁ ବିସ୍ଫାରିତ ନେତ୍ରରେ କର୍କଶ କଣ୍ଠରେ ଓକିଲବାବୁ କହିଲେ, ”ଅଲବତ୍‌ ଉତ୍ତର ଦେବ ହଁ ବା ନା’ରେ।“ ତହୁଁ ମହକିଲ ଜଣକ କହିଲେ, ”ଆଜ୍ଞା ମୁଁ ଆପଣଙ୍କୁ ପଚାରୁଛି ଦୟାକରି ସେଇ କ୍ରମରେ କହିବେ କି, ମୁଁ ଯଦି ପଚାରେ, ଆପଣଙ୍କ ବାପା କ’ଣ ମଦଖିଆ ଛାଡ଼ିଲେଣି?“ ସେତେବେଳେ ଓକିଲବାବୁଙ୍କର ଅକଲ ଗୁଡ଼ୁମ।
ଠିକ୍‌ ସେଇମିତି ଯଦି ବଡ଼ଲୋକମାନେ ଆଶା କରିବେ ତାଙ୍କର ସବୁ ପ୍ରଶ୍ନର ଉତ୍ତର ଆମେ ସାନମାନେ ଖାଲି ହଁ ବା ନା’ରେ ଦେବା ଅପେକ୍ଷା କେବଳ ହଁ କାହିଁକି କହିବା ବରଂ ଚୁପ୍‌ ରହିଯିବା – ଯାହାକି ବୁଝେଇଦେବ – ମୌନଂ ସମ୍ମତି ଲକ୍ଷଣଂ। ତଥାକଥିତ ବଡ଼ଲୋକମାନଙ୍କ ହୁକୁମକୁ ଆଖିବୁଜି ସେଇ ବଡ଼ପଣ୍ଡାମାନଙ୍କର ନିର୍ଦ୍ଦେଶକୁ ମାନିନେଇ କେତେ ଯେ ବିଶୃଙ୍ଖଳା ଘଟିଛି ଅତୀତରେ ଆଉ ଏବେ ଘଟିବାକୁ ଯାଉଛି ତା’ର ଉଦାହରଣ ଚାରିଆଡ଼େ – ଏଠି, ସେଠି, ସବୁଠି।
ଉତ୍ତର ଦେବାରେ ଦାୟିତ୍ୱ ଯିଏ ନେଇଛି ତା’ର ଉତ୍ତର ପାଇଁ ସେ ଦାୟୀ। ତାକୁ ଏପରି ଉତ୍ତର ପାଇଁ ବାଧ୍ୟ କରାଯାଇପାରିବ ନାହିଁ, ଯାହା ତାକୁ ପରେ ଦଣ୍ଡନୀୟ କରିବ। ଏକଥା ବି ଦଣ୍ଡ ସଂହିତାରେ କୁହାଯାଇଛି; ମାତ୍ର ଆମକୁ ଏକ ସହିଷ୍ଣୁ ଉଦାରବାଦୀ ଭାବରେ ଗ୍ରହଣ କରାଯାଇ ଆମେ ଶିଶୁସୁଲଭ ସବୁ କଥାରେ ଦରୋଟି ହସଟିଏ ବିତରଣ କରି ବଡ଼ମାନଙ୍କୁ ସେମାନଙ୍କର ପାଉଣାଟି ନୀରବ ସମର୍ଥନ ମାଧ୍ୟମରେ ଦେଇଦେଲେ ସମାଜର ଅଧୋଗତି ହୁଏ।
ଆମେ ବୁଝିବା ଦରକାର ଯେ ପର୍ଯ୍ୟନ୍ତ ଆମେ ଆମର ବିବେକ ବୁଦ୍ଧିର ପ୍ରୟୋଗ ନ କରି କେବଳ ଅନ୍ୟର ମର୍ଜିରେ ଚଳନ୍ତି ତାହା ତାଙ୍କୁ ସାମୟିକ ଆଶ୍ୱସ୍ତି ଦେଇପାରେ; ମାତ୍ର ତାହା ଯେ ଉତ୍ତରଦାତାଙ୍କ ଏକ ହତାଶପୂର୍ଣ୍ଣ ସ୍ବଗତୋକ୍ତି ତାହା ଆମେ ଅନୁଭବ କରିପାରୁନାହଁୁ। ସେଥିପାଇଁ କୋର୍ଟ କଚେରିରେ ଯୁକ୍ତି ବଳରେ ସତ୍ୟକୁ ଖୋଜିବାର ପ୍ରୟାସ କରାଯାଏ।
ଜଣେ ବନ୍ଧୁଙ୍କ ସହିତ କିଛିଦିନ ତଳେ ଆଲୋଚନା ବେଳେ ସେ ଯାହା କହିଲେ ତାହା ମୋତେ ଭାରି ବ୍ୟଥିତ କଲା। ସେ କହୁଥିଲେ, ତାଙ୍କର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ପୁଅକୁ ଘରକୁ ଆସିଥିବା ଜଣେ ଅତିଥି ପଚାରିଲେ ଆରେ ବାବା, ତୋର ବାପା କ’ଣ କରନ୍ତି – ସେ ଉତ୍ସାହିତ ହୋଇ ଉତ୍ତର ଦେଲା, ”ସବୁବେଳେ ଟେଲିଫୋନ ଧରିଥାନ୍ତି ଘରେ; ମାତ୍ର ଖୁବ୍‌ କ୍ୱଚିତ୍‌ କଥାବାର୍ତ୍ତା କରନ୍ତି ବାପା। କେବଳ ଆମେ ଶୁଣୁଥାଉ ତାଙ୍କର ବାରମ୍ବାର କଥାପଦେ। ୟେସ୍‌ ସାର୍‌ – ୟେସ୍‌ ସାର୍‌।“ ଜଣେ ମଧ୍ୟ ଅଥବା ନିମ୍ନବର୍ଗର ଅଧିକାରୀଙ୍କ ନିତିଦିନିଆ ଜୀବନ କାହାଣୀ ଏହାଠାରୁ ଅଧିକ ମାର୍ମିକ ଭାବରେ ବୋଧହୁଏ କୁହାଯାଇପାରିବ ନାହିଁ। ବାପା କହିଲେ ଯେଉଁ ଶିଶୁ ଭାବୁଥାନ୍ତା ମୋ ବାପା ସବୁଠାରୁ ବୁଦ୍ଧିମାନ ବା ବଳବାନ ସେଇ ଶିଶୁଟି ଆଜି କହୁଛି ”ବାପା ଖାଲି କହନ୍ତି – ୟେସ୍‌ ସାର୍‌ ୟେସ୍‌ ସାର।“ ଭାରତ ହୁଏତ ସ୍ବାଧୀନତା ପାଇଥାଇପାରେ ଅନ୍ୟମାନେ କଦବା କେମିତି ସ୍ବାଧୀନତାର ସ୍ବାଦ ଚାଖି ଥାଇପାରନ୍ତି ହେଲେ ଏହି ନିମ୍ନବର୍ଗୀୟ ବା ମଧ୍ୟବର୍ଗୀୟ କର୍ମଚାରୀମାନେ ଆଜୀବନ ପରାଧୀନ ଯେମିତି, ସେମାନଙ୍କୁ ମୁନିବ ଯାହା କହନ୍ତି ତାହାହିଁ ସେମାନଙ୍କର ଶିରୋଧାର୍ଯ୍ୟ।
ବଡ଼ ହାକିମମାନଙ୍କର କଥା ସାମାନ୍ୟ ଅମାନ୍ୟ କଲେ କେତେବେଳେ ସିସିଆର୍‌ରେ ବିପରୀତ ମନ୍ତବ୍ୟ ପୁଣି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତ କେତେବେଳେ ଦଣ୍ଡକାରଣ୍ୟ ଭଳି ନାହିଁ ନାହିଁର ଅଞ୍ଚଳକୁ ପଠାଇ ଦେବାର ଧମକ। ତେଣୁ ସେମାନେ ନିଜର ଜ୍ଞାନ ଓ ବିବେକକୁ ପ୍ରୟୋଗ ନ କରି କେବଳ ବଡ଼ବଡ଼ୁଆଙ୍କ ମର୍ଜିରେ ଫାଇଲରେ ଲେଖିଦିଅନ୍ତି। ଆମ ବ୍ୟବସ୍ଥାର ଉନ୍ନତି ହେବାପାଇଁ ଉଭୟ ପକ୍ଷର ମନୋଭାବ ବଦଳିବା ଦରକାର। ଯେଉଁମାନେ ମୁଖିଆ ଶ୍ରେଣୀୟ ସେମାନେ ଅଧସ୍ତନଙ୍କୁ ସତ ଏବଂ ଠିକ୍‌ ଜିନିଷ ଟିପ୍ପଣୀ ଦେବାକୁ କହିବା ଦରକାର ଏବଂ ଅଧସ୍ତନ ବର୍ଗ କୌଣସି ବିଷୟକୁ ଅନୁଧ୍ୟାନ କଲାବେଳେ ‘କାଳେ ଖରାପ ଭାବିବେ ମୋ ବସ୍‌’ ନ ଭାବି ଯାହା ସତ୍ୟ ଓ ତଥ୍ୟର ଆଧାରରେ ତାହାହିଁ ଲେଖିବା ଦରକାର। ଏହା ହୁଏତ ‘ୟେସ୍‌ ସାର୍‌’ ସଂସ୍କୃତିକୁ ବଦଳେଇ ଦେଇପାରେ। ଆପଣ ଯଦି କୌଣସି ଚାକିରି କରୁଥାନ୍ତି ତା’ହେଲେ ମୂଳରୁ ଆପଣ ଶିଖିଥିବେ ଯେ Boss is always right । ଅବଶ୍ୟ କେହିଜଣେ ଏହାକୁ ଅଧିକ ରୋଚକ ଭାବରେ ଦୁଇଥାକିଆ ନିୟମ ଭାବରେ ପ୍ରକାଶ କରିଛନ୍ତି। ପ୍ରଥମ ବାକ୍ୟଟି ତ ରହିଛି ତା’ ସାଙ୍ଗକୁ ଯୋଡ଼ାଯାଇଛି If the Boss is wrong, then see rule No. 1. ଅର୍ଥାତ୍‌ ପ୍ରଭୁଙ୍କ ଛଡ଼ା ଅନ୍ୟ ଗତି ନାହିଁ।
ପିଲାବେଳରୁ ଆମକୁ ପ୍ରକାରାନ୍ତରେ ଖୋସାମତି ଶିକ୍ଷା ଦିଆଯାଇଛି। ଆପଣ ଏତକ ଶୁଣି ବିରକ୍ତ ହେବା ଆରମ୍ଭ କରିବେଣି। ଟିକିଏ ଧୈର୍ଯ୍ୟ ଧରି ଶୁଣନ୍ତୁ। ପ୍ରାଥମିକ ଶ୍ରେଣୀରେ ଶୁଣିଥିବା ଗପ ଗଣେଶ କାର୍ତ୍ତିକଙ୍କ କଥା ମନେପକାନ୍ତୁ। ପ୍ରଶ୍ନ ଥିଲା କିଏ ଚଉଦ ବ୍ରହ୍ମାଣ୍ଡ ବୁଲିଆସି ପ୍ରଥମେ ପହଞ୍ଚତ୍ବ, ସିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲାବୋଲି ଧରାଯିବ। କାର୍ତ୍ତିକ ବାହାରିଗଲେ ବ୍ରହ୍ମାଣ୍ଡ ପ୍ରଦକ୍ଷିଣ ପାଇଁ। ଗଣେଶ ପିତା ମହାଦେବଙ୍କ ଚାରିପଟେ ଘୂରି ବୁଲିଲେ; ମାତ୍ର ସେ ଜିତିଲେ ବୋଲି କୁହାଗଲା। ପିଲା ବୟସରେ ବୁଝି ନ ପାରୁଥିଲେ ବି ଏବେ ପରିଣତ ବୟସରେ ଆପଣ ବୁଝିପାରୁଥିବେ ଇଏ ହେଉଛି ସେଇ ବଡ଼ ଲୋକଙ୍କୁ ଖୁସି କରିବାର ପଦ୍ଧତି। ଏଇ ଗପ ଯେମିତି ଶିକ୍ଷାଦିଏ – ଖୋସାମତି ଜିନ୍ଦାବାଦ୍‌।
ଆଜି ଆମର ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣା ନିକୃଷ୍ଟମାନର ହେବା, ଆନ୍ତର୍ଜାତିକ ସ୍ତରରେ ଆମର ନୂ୍ୟନ ପରିଚିତିର ମୂଳଦୁଆ ହେଲା ଏଇଆ ଯେ ଆମେ ଉପରିସ୍ଥମାନଙ୍କୁ ‘ନା’ କହିପାରୁନେ – ଆମ ଭିତରେ ଏକ ବିଶ୍ଳେଷଣାତ୍ମକ ଭାବର ଅଭାବ ସୃଷ୍ଟି ହୋଇଯାଉଛି। ମୋର ଉଦ୍ଦେଶ୍ୟ ନୁହେଁ ଯେ ଆମେ ସବୁ କଥାରେ ଗୋଟାଏ ଅଯଥା ବିତଣ୍ଡା ଯୁକ୍ତିତର୍କ କରିବା; ମାତ୍ର ଯୁକ୍ତିସମ୍ମତ ଓ ତଥ୍ୟଭିତ୍ତିକ କଥା କହିବାକୁ ଥିଲାବେଳେ ଆମେ ଚୁପ୍‌ ରହିଲେ ତାହା ଆମର ଅଜ୍ଞାନତା ଓ ଅଯୋଗ୍ୟତାକୁ ଦୃଢ଼ୀକରଣ କରିବ ନିଶ୍ଚୟ। ତେଣୁ ଆସନ୍ତୁ ଆବଶ୍ୟକସ୍ଥଳେ ନମ୍ରଭାବେ ପ୍ରତିବାଦ କରିବାକୁ ଶିଖିବା – ତାହା ଅତି ଜରୁରୀ।
ମୋ:୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri