ଶିଶୁଠାରେ ଅପାର ସମ୍ଭାବନା

ଡ. ମନୋରଞ୍ଜନ ପ୍ରଧାନ

ବହୁ ସମୟରେ ଆମ ମନରେ ଅନେକ ପ୍ରଶ୍ନ ସ୍ବତଃ ସୃଷ୍ଟି ହୁଏ, ଯଥା- ବୟସରେ ଛୋଟ ହେଲେ ମଧ୍ୟ ଶିଶୁମାନେ ବଡ଼ ଲୋକମାନଙ୍କ ସବୁକଥା ଜାଣିପାରନ୍ତି କି? ଗୁରୁଜନଙ୍କ ଆଚରଣକୁ ପର୍ଯ୍ୟବେକ୍ଷଣ କରିପାରନ୍ତି କି? ଅନ୍ୟର ଭୁଲ୍‌ ଠିକ୍‌ ମୂଲ୍ୟାୟନ କରିପାରନ୍ତି କି? ତାଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅବହେଳା, ଅଣଦେଖା ବା ପାତରଅନ୍ତର ବୁଝିପାରନ୍ତି କି? ଇତ୍ୟାଦି। ଏସବୁ ପ୍ରଶ୍ନର ଉତ୍ତର ପାଇବାପାଇଁ କେତୋଟି ଏକକ ଅଧ୍ୟୟନ ସମ୍ପର୍କରେ ଅବଗତ ହେବା।
କେଇଦିନ ତଳର କଥା। କଲେଜରୁ ଫେରିବା ବହୁତ ବିଳମ୍ବ ହୋଇଥାଏ। ଭୋକ ବି ପ୍ରବଳ ହେଉଥାଏ। ପହଞ୍ଚିବା କ୍ଷଣି ଖାଇବା ବଢ଼ା ହେଲା। ବୋଉ ମଧ୍ୟ ମୋତେ ଅପେକ୍ଷା କରିଥିଲା। ଉଭୟେ ଖାଇବା ଆରମ୍ଭ କଲୁ। ଅଧାଖିଆ ବେଳେ ଧର୍ମପତ୍ନୀ ମୋ ଥାଳିରେ ଆଉ କିଛି ଖାଦ୍ୟ ଦେଇଦେଲେ ଯାହା ମୁଁ ମାଗି ନ ଥିଲି। ମୋର ଭାରାକ୍ରାନ୍ତ ମନ କାହିଁକି କ୍ରୋଧରେ ପଞ୍ଚମ ହୋଇଗଲା। ରାଗି ଯାଇ ଖାଇବା ଥାଳି ଛାଡି ଉଠିଗଲି। ବୋଉ ମଧ୍ୟ ଉଠିଗଲା। ନିଜ ପାଇଁ ଖାଇବା ବାଢୁଥିବା ଧର୍ମପତ୍ନୀ ଆଉ ଖାଇବାକୁ ଆଣିଲେ ନାହିଁ। ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଗଲା। ଯାହାହେଉ ଦଶ ମିନିଟ୍‌ ମଧ୍ୟରେ ଆମେ ସମସ୍ତେ ପୁଣି ଖାଇବା ପାଇଁ ବସିଲୁ। ଏ ଘଟଣାକୁ ମୋ ପାଞ୍ଚ ବର୍ଷର ଝିଅ ଅତ୍ୟନ୍ତ ଭାବପ୍ରବଣତା ସହ ଦେଖୁଥିଲା। ମୁଁ ଖାଇବା ଆରମ୍ଭ କରିବା କ୍ଷଣି ମୋ ଝିଅ ହିନ୍ଦୀ ଇଂଲିଶ ଓଡ଼ିଆ ମିଶାମିଶି ଭାଷାରେ କହିଲା- ମା’କୁ ରିସ୍‌ପେକ୍ଟ ଦେନା ଚାହିହେ। ଏ ବୁରି ବାତ୍‌ ହେ। ମୁଁ ତଟସ୍ଥ ହୋଇ ବାମ ହାତ କାନକୁ ଧରି ଦୁଃଖ ପ୍ରକାଶ କରିବାକୁ ଚେଷ୍ଟା କଲି। ତୀବ୍ର ବିରୋଧ କରି ଝିଅ ତୁରନ୍ତ କହିଲା ମା’କୁ ସରି କୁହ। ବକଟେ ପିଲା। ପ୍ରତ୍ୟକ୍ଷ ଶିକ୍ଷାଦାନର ଶ୍ରୀଗଣେଶ ହୋଇନାହିଁ। ଅନ୍‌ଲାଇନ ପାଠପଢ଼ା ଓ ମୋବାଇଲ ଫୋନରେ ତିନି ଭାଷାରେ କିଛି ଶବ୍ଦ ହାସଲ କରିଛି। କିନ୍ତୁ ତା’ର ନିରୀକ୍ଷଣ, ପର୍ଯ୍ୟବେକ୍ଷଣ, ସମୟୋପଯୋଗୀ ମନ୍ତବ୍ୟ, ବିଚାର ଓ ଦଣ୍ଡ ଶୁଣାଣି ଆମ ସମସ୍ତଙ୍କୁ ଅବାକ୍‌ କରିଦେଇଥିଲା। ତେବେ ଏବେ କୁହନ୍ତୁ ଛୋଟ ଶିଶୁ ଠିକ୍‌ ଭୁଲ୍‌ ଜାଣିପାରେ ନାହିଁ କି?
ବର୍ତ୍ତମାନ ଦ୍ୱିତୀୟ ଏକକ ଅଧ୍ୟୟନ ଭାବରେ ଜାଣିବା ଆଉ ଗୋଟିଏ ଜୀବନ୍ତ ଘଟଣା। ସେତେବେଳେ ମୋ ପୁଅର ବୟସ ସାଢ଼େ ତିନି ବର୍ଷ। ମୋ ପଢ଼ାଘରେ ଲାପ୍‌ଟପ୍‌ ଜରିଆରେ ବାପ ପୁଅ ଅମିତାଭ ବଚ୍ଚନଙ୍କ ‘ବାଗବାନ’ ଚଳଚ୍ଚିତ୍ର ଦେଖୁଥାଉ। ମୋର ଧାରଣା ଥିଲା କୁନି ପିଲାଟି ଚିତ୍ରଗୁଡ଼ିକୁ ଦେଖୁଥିବ କିଛି ବୁଝିପାରୁ ନ ଥିବ। ଗୋଟିଏ ଦୃଶ୍ୟରେ ବୃଦ୍ଧ ଅମିତାଭ ବଚ୍ଚନଙ୍କୁ ତାଙ୍କ ପିଲାମାନେ କିଭଳି ହତାଦର, ଅପମାନିତ ଓ ପ୍ରତ୍ୟାଖ୍ୟାନ କରିଛନ୍ତି ସେ ଦୃଶ୍ୟ (ସିନେମାରେ) ପ୍ରଦର୍ଶିତ ହେଲା। ବଚ୍ଚନଙ୍କ ଏ ଦୁର୍ଦ୍ଦଶା ଓ ଦୁର୍ଦ୍ଦିନ ଦେଖି କୁନି ପୁଅର ଆଖିରୁ ଧାର ଧାର ଲୁହ ଝରି ପଡୁଥାଏ। ସିନେମାରୁ ଦୃଷ୍ଟି ଫେରେଇ ମୁଁ ଯେତେବେଳେ ତାକୁ ଚାହିଁଲି, ସେ ଖନିଖନି ପାଟିରେ କହିଲା- ବାବା ମୁଁ ଏମିତି କରିବିନି। ତୁମକୁ ମୁଁ ବଡ଼ ଘରେ ମୋ ପାଖରେ ରଖିବି। ପୁଅର କେଇ ପଦ କଥା ଓ ସମବେଦନା ମୋର ମନସ୍ତାତ୍ତ୍ୱିକ ଅନୁଶୀଳନକୁ ଉଜାଗର କରିଦେଇଥିଲା। ସତରେ ପିଲାମାନେ ଅଜ୍ଞ ଓ ଅଜ୍ଞାନ ନୁହନ୍ତି। ସେମାନେ ଭଲମନ୍ଦ ବୁଝିବା ସହ ସମବେଦନା ଜଣାଇବାକୁ ମଧ୍ୟ ଭୁଲି ନ ଥାନ୍ତି। ଆପଣ ନିଜ ପରିବାରରେ ଏଭଳି ଘଟଣା ସମ୍ପର୍କରେ ଅବଗତ ଥିବେ। ପରିବାରର କେହି ଯଦି କାହା ଭଲମନ୍ଦରେ ଗାଳି ଖାଏ, ଘରର ଛୋଟ ଶିଶୁ ସାନ୍ତ୍ୱନା ଦେଉଥିବେ। ବିଶେଷକରି ଘରର ବୃଦ୍ଧାବୃଦ୍ଧ ସଦସ୍ୟମାନଙ୍କ ପ୍ରତି ଅଣଦେଖା ଓ ଅବହେଳାକୁ ଶିଶୁମାନେ କେବଳ ବିରୋଧ କରନ୍ତି ନାହିଁ ଅବହେଳିତ ସଦସ୍ୟମାନଙ୍କ ସାନ୍ତ୍ୱନା ଓ ସମ୍ଭାବନାର ଆଶାବାଡି ସାଜିଥାନ୍ତି।
ବର୍ତ୍ତମାନ ତୃତୀୟ ଏକକ ଅଧ୍ୟୟନଟି ମୋ ଗାଇଡ୍‌ଙ୍କ ଝିଅକୁ ନେଇ। ପ୍ରାୟ ପନ୍ଦର ବର୍ଷ ତଳର କଥା। ଝିଅଟି ତୃତୀୟ ଶ୍ରେଣୀରେ ପଢୁଥାଏ। ସ୍କୁଲରୁ ଫେରି କହିଲା, ନନା ଆମ ମିସ୍‌ ଏତେ ଗନ୍ଦି ଗନ୍ଦି (ତା’ ଭାଷାରେ) ହିନ୍ଦୀ ଓ ଇଂଲିଶ କହୁଛନ୍ତି, ତୁମେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ। ବେଳେବେଳେ ତୁମକୁ ଜୋରରେ ହସ ମାଡିବ। ପ୍ରୋନାନ୍‌ସେସନ (ଉଚ୍ଚାରଣ)ତ ପୂରା ଭୁଲ୍‌। ତାଙ୍କୁ ପାଠ ଜଣା ନାହିଁ ବୋଧେ। ଆମେ ଚକିତ ହୋଇଗଲୁ। କାରଣ ପିଲାଟି କେବଳ ଅଭିଯୋଗ କରି ନ ଥିଲା ମିସ୍‌ କରିଥିବା ଭୁଲ୍‌ଗୁଡ଼ିକୁ ଗୋଟି ଗୋଟି କରି କହିଥିଲା। ଅର୍ଥାତ୍‌ ଆମେ ଶିକ୍ଷକ ଭାବରେ ଯଦି ଭାବୁଥିବା ଆମ ଭୁଲ୍‌, ଆମ ଆଚରଣ ଓ ଉଚ୍ଚାରଣ ମଧ୍ୟରେ ଫରକ ଓ ଅନ୍ୟାନ୍ୟ ବିଷୟରେ ପିଲା ଜାଣି ପାରେନାହିଁ ବା ଆକଳନ କରିପାରେ ନାହିଁ,ଏହା ଆମର ଅଜ୍ଞାନତା ଓ ଭ୍ରମଧାରଣା ନିଶ୍ଚୟ। ଶିଶୁମାନେ ସବୁ ଜାଣନ୍ତି ଓ ବୁଝନ୍ତି। ହୁଏତ ଭୟ ବା ଶବ୍ଦ ଅଥବା ସୁଯୋଗ ଅଭାବରୁ ପ୍ରକାଶ କରିପାରନ୍ତି ନାହିଁ। କିନ୍ତୁ ସେମାନେ ନିର୍ବୋଧ ନୁହନ୍ତି ।
ଆଉ ଗୋଟିଏ ଛୋଟିଆ ଅନୁଭବ କହିଲେ ଏ ସମ୍ପର୍କରେ ଅବଧାରଣାଟି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ। ଆପଣମାନଙ୍କର ମଧ୍ୟ ଏଭଳି ଅନୁଭୂତି ନିଶ୍ଚୟ ଥିବ। ଛୋଟ ଶିଶୁଟି ଯେତେବେଳେ ଗୋଡ଼ ବଢ଼େଇ ପାହାଚ ଓହ୍ଲାଉଥାଏ, ସେ ଜାଣିପାରେ ତଳ ପାହାଚକୁ ତା’ର ଗୋଡ଼ ପାଉନାହିଁ, ସେତେବେଳେ ସେ ଚେଷ୍ଟା ତ କରେ ହେଲେ ଆଉ ଆଗକୁ ନ ଯାଇ ଫେରିଯାଏ। ଅର୍ଥାତ୍‌ ସେ ବୁଝିପାରେ କି ସେ ଆଗକୁ ବଢ଼ିବା ଠିକ୍‌ ନୁହେଁ ବା ସମ୍ଭବପର ନୁହେଁ। ଉପରୋକ୍ତ ଉଦାହରଣଗୁଡିକରୁ ଏହା ସ୍ପଷ୍ଟ ଯେ ପିଲାମାନେ ନିର୍ବୋଧ, ଅବୋଧ, ଅଜ୍ଞାନ ନୁହନ୍ତି। ବରଂ ସେମାନେ ସବୁ କଥା ଜାଣିପାରନ୍ତି, ବୁଝିପାରନ୍ତି ଓ ଅଳ୍ପ ବହୁତ ମୂଲ୍ୟାୟନ କରିପାରନ୍ତି। ଆଜିକାଲି ମୋବାଇଲ କମ୍ପ୍ୟୁଟର ଯୁଗରେ ପିଲାମାନେ ଓଳିଆରୁ ଗଜା। ସେମାନଙ୍କୁ ଫାଙ୍କିଦେବା ସହଜ ନୁହେଁ। ତେଣୁ ପିଲାଙ୍କୁ ଅଣଦେଖା କରି କୌଣସି ଭୁଲ୍‌ କାର୍ଯ୍ୟ କରାଯିବା ଅନୁଚିତ। ଘରେ ମାତାପିତା, ଭାଇଭଉଣୀ ଓ ଅନ୍ୟାନ୍ୟ ସଦସ୍ୟା ସଦସ୍ୟ କୌଣସି ତ୍ରୁଟିଯୁକ୍ତ କାର୍ଯ୍ୟ ବା ଆଚରଣ କରିବା ଉଚିତ ନୁହେଁ। କାରଣ ତାହା ପିଲା ତ ଜାଣିପାରେ ଏବଂ ଅନେକ ସମୟରେ ସେ ତାହା ନିଜ ଜୀବନରେ ଉତାରି ଦିଏ। ଫଳରେ ତା’ର ତ୍ରୁଟିଯୁକ୍ତ ଆଚରଣଗୁଡ଼ିକୁ ବଡ଼ହେବା ପରେ ମଧ୍ୟ ସୁଧାରି ପାରେନାହିଁ। ଅର୍ଥାତ୍‌ ପିଲାବେଳର ଆଚରଣ ପରବର୍ତ୍ତୀ ବୟସରେ ଅଭ୍ୟାସରେ ପରିଣତ ହୋଇ ତା’ର ବ୍ୟକ୍ତିତ୍ୱର ଏକ ଅଂଶ ହୋଇଯାଏ। ତେଣୁ ଓ୍ବିିଲିୟମ ଓ୍ବାର୍ଡସ୍‌ଓ୍ବର୍ଥ ଶିଶୁକୁ ମଣିଷର ବାପା ବା ଜନକ ଭାବରେ ଅଭିହିତ କରିଅଛନ୍ତି।
ତେବେ ଏତେ ଶିଶୁ ଅବସ୍ଥାରୁ ପିଲା ଅନେକ କଥା ଜାଣିବା, ବୁଝିବା ଓ ମୂଲ୍ୟାୟନ କରିବା ପଛରେ ଅନେକ ଯୁକ୍ତି ରହିଛି। ଯଥା ଆଧ୍ୟାତ୍ମିକବାଦୀମାନେ ଏହାକୁ ପ୍ରାରାବ୍ଧ ବା ପୂର୍ବଜନ୍ମର ଇତିବୃତ୍ତ ବୋଲି ବିଶ୍ବାସ କରନ୍ତି। ସେମାନେ ବିଶ୍ବାସ କରନ୍ତି ମାନବ ଶିଶୁଭାବେ ଜନ୍ମଗ୍ରହଣ କରିବା ଅନେକ ଜନ୍ମର ପୁଣ୍ୟଫଳ। ତେଣୁ ପୂର୍ବ ଜନ୍ମର ଗୁଣ ଓ ଅନୁଭୂତି ମାନ ମାନବ ଶିଶୁ ପାଖରେ ସୁପ୍ତ ବା ଲୁକ୍କାୟିତ ଭାବରେ ରହିଥାଏ। ଅପରପକ୍ଷରେ ମନସ୍ତତ୍ତ୍ୱବିତ୍‌ମାନଙ୍କ ମତରେ ଶିଶୁ ମଧ୍ୟରେ ଅପାର ସମ୍ଭାବନା ଭରପୂର ହୋଇରହିଛି ଯାହାକୁ ଅନ୍ତର୍ନିହିତ ଗୁଣାବଳୀ କୁହାଯାଏ। ଉଭୟଙ୍କ ମତ ହେଉଛି ଆମର କାମ ହେଲା ଶିଶୁ ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀକୁ ଉନ୍ମୋଚନ ବା ଇଂଲିଶରେ ଡିସ୍‌- କଭର (Dis-cover)ମାନେ ପରଦା ହଟେଇବା କଥା। ସ୍ବାମୀ ବିବେକାନନ୍ଦଙ୍କ ମତରେ- ଶିକ୍ଷାର ପ୍ରମୁଖ ଲକ୍ଷ୍ୟ ହେଉଛି ଶିଶୁ ମଧ୍ୟରେ ଥିବା ଅନ୍ତର୍ନିହିତ ଦୈବୀ ଶକ୍ତିର ସର୍ବୋତ୍ତମ ପରିପ୍ରକାଶ କରିବା। ପାଶ୍ଚାତ୍ୟ ଶିକ୍ଷାବିତ୍‌ ଓ ମନୋବିଜ୍ଞାନୀ ପେସ୍ତାଲୋଜି କହନ୍ତି, ଶିଶୁ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ସ୍ବାଭାବିକ, ସାମଗ୍ରିକ ଓ ପ୍ରଗତିଶୀଳ ବିକାଶ କରିବା ଶିକ୍ଷାର ଲକ୍ଷ୍ୟ।
ତେଣୁ ମାତାପିତା ଓ ଶିକ୍ଷୟିତ୍ରୀ ଶିକ୍ଷକ ଭାବରେ ଆମର କର୍ତ୍ତବ୍ୟ କ’ଣ ହେବା ଉଚିତ। ପ୍ରଥମତଃ ଶିଶୁ ଓ ତା’ର ଧୀଶକ୍ତିକୁ ଅଣଦେଖା କରିବା ଅନୁଚିତ। ଦ୍ୱିତୀୟରେ ସେମାନଙ୍କୁ ଛୋଟଶିଶୁ ଭାବି ଅବହେଳା କରିବା ନାହିଁ। ତୃତୀୟ ସେମାନଙ୍କ ଆଗରେ ପରିବାରର କୌଣସି ସଦସ୍ୟ ଅନ୍ୟମାନଙ୍କୁ ଠିକ୍‌ ବ୍ୟବହାର କରିବେ ବିଶେଷକରି ପରିବାରର ବୃଦ୍ଧାବୃଦ୍ଧ ସଦସ୍ୟଙ୍କୁ କୌଣସି ପ୍ରକାର ଦାୟିତ୍ୱହୀନତା ପ୍ରଦର୍ଶନ କରିବେ ନାହିଁ। ଅର୍ଥାତ୍‌ ମାତାପିତା ଓ ବରିଷ୍ଠ ସଦସ୍ୟମାନଙ୍କ ଆଚରଣ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ହେବା ଉଚିତ। ଚତୁର୍ଥରେ ନିଜର ଅପାରଗତା ବା ଅପରାଧକୁ ଲୁଚେଇବା ପାଇଁ ପିଲାଙ୍କୁ ମିଛ କହିବେ ନାହିଁ କି ନାଲିଆଖି ଦେଖେଇ ତା’ର ପାଟି ବନ୍ଦ କରିବେ ନାହିଁ। ପଞ୍ଚମରେ ପିଲାଙ୍କ ସବୁ ପ୍ରଶ୍ନ ବା ଉତ୍କଣ୍ଠାର ଉତ୍ତର ଠିକ୍‌ ଭାବେ ଦେବେ। କାରଣ ୬ ବର୍ଷ ବେଳକୁ ଶିଶୁର ବୌଦ୍ଧିକ ବିକାଶ ଅତ୍ୟଧିକ ତୀବ୍ର ଓ ଗତିଶୀଳ ହୋଇଥାଏ। ଷଷ୍ଠରେ ପିଲାମାନଙ୍କ ଆଗରେ କୌଣସି ନକାରାତ୍ମକ ଆଲୋଚନା, ପରନିନ୍ଦା ବା ଅନ୍ୟ କୌଣସି ବ୍ୟକ୍ତିଗତ ଆଲୋଚନା ଯାହା ଶିଶୁ ଜାଣିବା ଅନାବଶ୍ୟକ ତାହା କରିବା ଅନୁଚିତ। ସପ୍ତମରେ ପିଲାଙ୍କ ସମ୍ମୁଖରେ କୌଣସି ନିଶା ପାନ ବା ମାଦକ ଦ୍ରବ୍ୟ ବ୍ୟବହାର କରିବେ ନାହିଁ। ନଚେତ୍‌ ଅନୁକରଣପ୍ରିୟ ଶିଶୁ ତାହାକୁ ହନୁକରଣ କରିବାର ସମ୍ଭାବନା ଯଥେଷ୍ଟ।
ଶେଷରେ ଗୋଟିଏ କଥା କୁହାଯାଇପାରେ କି ବୟସକୁ ଆଖିଆଗରେ ରଖି ଶିଶୁକୁ ନିର୍ବୋଧ ନ ଭାବି ତା’ ଭିତରେ ଥିବା ଅପାର ସମ୍ଭାବନାକୁ ଅନ୍ବେଷଣ, ଉନ୍ମୋଚନ ଓ ଉନ୍ମୀଳନ ପାଇଁ ପ୍ରଯତ୍ନ ହୋଇପାରିଲେ ଦେବଶିଶୁ ଭାବେ ଜନ୍ମ ଲାଭ କରିଥିବା ଶିଶୁଟି ଦିନେ ମହାମାନବ ଭାବରେ ଅଜସ୍ର ସମ୍ଭାବନା ସୃଷ୍ଟି କରି ମାନବ ସମାଜକୁ ନୂତନ ଆଲୋକ ପ୍ରଦାନ କରିପାରିବ। କବିଙ୍କ ଭାଷାରେ- ଭାବ ନାହିଁ କେବେ ଶିଶୁଟିକୁ ଶିଶୁ, ଶିଶୁ କେବେ ନୁହେଁ ନିଃସ୍ବ, ଶିଶୁର ଭିତରେ ଲୁଚି ରହିଅଛି ଏକ ଏକ ମହାବିଶ୍ବ।
ଜୟପୁର, ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri