ଭୁବନେଶ୍ୱର,୨୦।୧(ବ୍ୟୁରୋ) : ଓଡ଼ିଶାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ମୋଟ ୩,୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ରାଜ୍ୟ ସରକାର ନିୟମିତ କରିଛନ୍ତି। ଏ ସମ୍ପର୍କିତ ଫାଇଲ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମଞ୍ଜୁରୀ ପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଆଦେଶ ଜାରି କରିବାକୁ ପଠାଯାଇଛି। ମଙ୍ଗଳବାର ଏନେଇ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସଭାପତି ଶୁଭ୍ରଜିତ ପ୍ରତିହାରୀ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା, ସମ୍ପାଦକ ବିଶ୍ୱଜିତ ବିଶ୍ୱାଳଙ୍କ ସମେତ ବହୁ ସଦସ୍ୟ ଓ ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଗଣଶିକ୍ଷା ମନ୍ତ୍ରୀ, ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଛନ୍ତି।