Categories: ଖେଳ

କୁକ୍‌ଙ୍କୁ ବହିଷ୍କାର କରିବ କୁସ୍ତି ମହାସଂଘ

ନୂଆଦିଲ୍ଲୀ, ୨୬ା୬ (ପି.ଟି.)-ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ଅନ୍‌ଲାଇନ୍‌ ସେସନରେ ଅଂଶଗ୍ରହଣ କରିବା ଲାଗି ରାଜି ନ ହେବାରୁ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମହିଳା ବିଭାଗ କୋଚ୍‌ ଆମେରିକାର ଆଣ୍ଡ୍ର୍ୟୁ କୁକ୍‌ଙ୍କୁ ବହିଷ୍କାର କରିବ। କୋଭିଡ୍‌-୧୯ ମହାମାରୀ ଯୋଗୁ ମାର୍ଚ୍ଚରେ ଲକ୍ଷ୍ନୌରେ ମହିଳା କୁସ୍ତି ଯୋଦ୍ଧାଙ୍କର ଚାଲିଥିବା ଜାତୀୟ କ୍ୟାମ୍ପକୁ ସସ୍‌ପେଣ୍ଡ କରାଯାଇଥିଲା। ଫଳରେ କୁକ୍‌ ସିଆଟଲ ଚାଲିଯାଇଥିଲେ। ଡବ୍ଲ୍ୟୁଏଫ୍‌ଆଇର କହିବା ଅନୁସାରେ ଇ-ପାଠ୍‌ଶାଳାରେ ଯୋଗଦାନ ପାଇଁ ସାଇ ନିକଟରେ କୁକ୍‌ଙ୍କ ସହିତ ଯୋଗାଯୋଗ କରିଥିଲା। ମାତ୍ର ଆମେରିକୀୟ ଜଣକ କହିଥିଲେ ଯେ ପର୍ଯ୍ୟନ୍ତ ତାଙ୍କୁ ବକେୟା ବେତନ ନ ମିଳିଛି, ସେ ପର୍ଯ୍ୟନ୍ତ ସେ ଏଥିରେ ଯୋଗ ଦେଇ ପାରିବେ ନାହିଁ। ମାର୍ଚ୍ଚ ୧୭ରେ କୁକ୍‌ ଯେତେବେଳେ ଆମେରିକା ଫେରିଥିଲେ, ସେ କହିଥିଲେ ସାଇ ତାଙ୍କର ଅଧା ବେତନ ବାକି ରଖିଛି। ଏହି ପରିପ୍ରେକ୍ଷୀରେ ଡବ୍ଲ୍ୟୁଏଫ୍‌ଆଇ ଆସିଷ୍ଟାଣ୍ଟ କୋଚ୍‌ ବିନୋଦ ତୋମାର କହିଛନ୍ତି, କୁକ୍‌ଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ। ଯାହା ଜଣାପଡ଼ୁଛି କୁକ୍‌ କେବଳ ବେତନ ପାଇଁ କାର୍ଯ୍ୟ କରୁଛନ୍ତି। ଭାରତୀୟ କୁସ୍ତିର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ତାଙ୍କର ସେତେଟା ଆଗ୍ରହ ନାହିଁ। କୁକ୍‌ଙ୍କ ସହିତ ଯୋଗାଯୋଗ ବେଳେ ସେସନରେ ଯୋଗ ଦେବାଲାଗି ଆମେ ତାଙ୍କୁ ପ୍ରବର୍ତ୍ତାଇ ଥିଲୁ। ତାଙ୍କ ବକେୟା ଦରମା ଦିଆଯିବ ବୋଲି ଆମେ ପ୍ରତିଶ୍ରୁତି ଦେଇଥିଲୁ। ମାତ୍ର ସେ ଅଳ୍ପ କେତୋଟି ସେସନରେ ଭାଗ ନେଇଥିଲେ। ତାଙ୍କର ଏଭଳି ବ୍ୟବହାର ଆମେ ପସନ୍ଦ କରୁନାହୁଁ। ଆମେ ତାଙ୍କ ବିଷୟରେ ଆଲୋଚନା କରିଥିଲୁ। ତାଙ୍କର ନିହାତି ଆବଶ୍ୟକତା ରହିଛି କି ନାହିଁ ଆମେ କୁସ୍ତିଯୋଦ୍ଧାମାନଙ୍କୁ ପଚାରିଥିଲୁ। ତା ପରେ ଯାଇ ଆମେ କୁକ୍‌ଙ୍କୁ ତୁରନ୍ତ ବହିଷ୍କାର ଲାଗି ନିଷ୍ପତ୍ତି ନେଇଥିଲୁ। ତାଙ୍କ ନିକଟକୁ ଆମେ ଖୁବ୍‌ ଶୀଘ୍ର ଏ ନେଇ ଏକ ଚିଠି ପଠାଇବୁ। ୨୦୧୮ ସେପ୍ଟେମ୍ବରରେ ଡବ୍ଲ୍ୟୁଏଫ୍‌ଆଇର ସୁପାରିସ କ୍ରମେ ସାଇ କୁକ୍‌ଙ୍କୁ ନିଯୁକ୍ତି ଦେଇଥିଲା। ସେ ୨୦୧୯ ପ୍ରଥମ ଭାଗରେ ତାଙ୍କ କାର୍ଯ୍ୟରେ ଯୋଗଦାନ କରିଥିଲେ। ଆମେରିକୀୟ କୋଚ୍‌ଙ୍କୁ ଏବିଷୟରେ ପଚରାଯିବାରେ ସେ କହିଥିଲେ ଦୁଇ ଦିନ ପୂର୍ବେ ସାଇଠାରୁ ସେ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସର ପୂରା ବେତନ ପାଇଛନ୍ତି। ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା ଠିକ୍‌ ନୁହେଁ। ସେ ନିୟମିତ କୁସ୍ତିଯୋଦ୍ଧା ଓ ସାଇ କୋଚ୍‌ମାନଙ୍କ ସହିତ ଯୋଗାଯୋଗରେ ଥିଲେ।

Share