Categories: ଖେଳ

ବାତିଲ ହୋଇପାରେ ମହିଳା ଟି୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨୯।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ସମୟରେ ହେଉଥିବା ୩ ଦଳ ବିଶିଷ୍ଟ ମହିଳା ଟି୨୦ ଚ୍ୟାଲେଞ୍ଜ ଏଥର ବାତିଲ ହେବା ସମ୍ଭାବନା ଦେଖାଦେଇଛି। ଭାରତରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିବାରୁ ଅନେକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଇଥିବାରୁ ଏହି ସ୍ଥିତି ଉପୁଜିଛି। ଅସ୍ବାଭାବିକ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଥିବାରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା କିମ୍ବା ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ଭାରତକୁ ଆସିପାରିବେ ନାହିଁ। ତେଣୁ ଏହି ପ୍ରତିଯୋଗିତା ଆଶଙ୍କା ଘେରକୁ ଚାଲିଯାଇଛି। ଏବେ ମଧ୍ୟ ଭାରତୀୟ ଖେଳାଳିଙ୍କ କ୍ୱାରାଣ୍ଟାଇନ୍‌କୁ ନେଇ କୌଣସି ସମସ୍ୟା ନାହିଁ। ମାତ୍ର ବର୍ତ୍ତମାନ ଏଠାକାର ପରିବେଶକୁ କୌଣସି ବିଦେଶୀ ଖେଳାଳି ଆସିବାକୁ ଆଗ୍ରହୀ ନାହାନ୍ତି। ସ୍ଥିତିରେ ସୁଧାର ଆସିଲେ ଟୁର୍ନାମେଣ୍ଟ ପାଇଁ ପରେ ଏକ ଓ୍ବିଣ୍ଡୋ ବାହାର କରାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ କର୍ମକର୍ତ୍ତା ନିଜ ନାମ ଗୋପନ ସର୍ତ୍ତରେ ପ୍ରକାଶ କରିଛନ୍ତି। ଗତବର୍ଷ ଆଇପିଏଲ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର ହୋଇଥିଲା। ମାତ୍ର ସେତେବେଳେ ବିଗ୍‌ ବାଶ୍‌ ଲିଗ୍‌ ଚାଲିଥିବାରୁ କୌଣସି ଅଷ୍ଟ୍ରେଲିଆ ଖେଳାଳି ମହିଳା ଟି୨୦ ଚ୍ୟାଲେଞ୍ଜରେ ସାମିଲ ହୋଇପାରି ନ ଥିଲେ। ମହାମାରୀ ଯୋଗୁ ୟୁକେ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭାରତକୁ ବିମାନ ଚଳାଚଳ ବନ୍ଦ କରି ଦେଇଛନ୍ତି। ତେଣୁ ଆଗାମୀ ଟୁର୍ନାମେଣ୍ଟ ଆୟୋଜନ ଅସମ୍ଭବ ହୋଇପଡ଼ିବା ସୂଚନା ମିଳୁଛି। ଏହି ପ୍ରତିଯୋଗିତାରେ ୩ ଦଳ ସୁପରନୋଭାସ, ଭେଲୋସିଟି ଓ ଟ୍ରେଲବ୍ଲେଜର୍ସ ଭାଗ ନେଇଥାନ୍ତି। ”ମହିଳା ଟି୨୦ ଚ୍ୟାଲେଞ୍ଜର ସମସ୍ତ ମ୍ୟାଚ ଦିଲ୍ଲୀରେ ହେବାର ଥିଲା। ମାତ୍ର ବର୍ତ୍ତମାନ ସ୍ଥିତିରେ କେହି ଦିଲ୍ଲୀ ଆସିବାକୁ ପସନ୍ଦ କରୁନାହାନ୍ତି। ଏଥିପାଇଁ ଦାୟୀ ମଧ୍ୟ କାହାକୁ କରାଯାଇ ପାରିବ ନାହିଁ“ ବୋଲି ଅନ୍ୟ ଏକ ସୂତ୍ରରୁ ପ୍ରକାଶ କରାଯାଇଛି।

Share