ମହିଳାଙ୍କ ବେକ କାଟି ହତ୍ୟା ଘଟଣା: ମୁଣ୍ଡ ଖୋଜୁଛି ପୋଲିସ

ଭୁବନେଶ୍ୱର,୫।୨ (ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ସକାଳେ ମିଳିଥିବା ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ କମିଶନରେଟ ପୋଲିସର ନିଦ ହଜିଛି। ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ୧୦ଦିନ ପରେ ବି ଖୋଲି ନ ଥିବାବେଳେ ଆଉ ଏକ ଘଟଣା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପ୍ରମାଣ ନଷ୍ଟ ପାଇଁ ଅପରାଧୀମାନେ ମହିଳାଙ୍କ ମୁଣ୍ଡକୁ ନେଇଯାଇଥିବାରୁ ପୋଲିସ ଅଡୁଆ ସୂତାରେ ଛନ୍ଦି ହୋଇପଡିଛି। ଅଭିଯୁକ୍ତଙ୍କ ପାଖରେ ପହଞ୍ଚତ୍ବାକୁ ହେଲେ ମହିଳାଙ୍କ ପରିଚୟ ନିହାତି ଜରୁରୀ। ତେବେ ମୁଣ୍ଡ ନ ମିଳିଲେ ପରିଚୟ ମିଳିବା ବି କଷ୍ଟକର ହୋଇପଡିବ। ତେଣୁ ପୋଲିସ ଘଟଣାସ୍ଥଳର ପାଖାପାଖି ୨ କିଲୋମିଟର ଜଙ୍ଗଲିଆ ଅଞ୍ଚଳ ଭିତରେ ପଶି ଖୋଜାଖୋଜି କରି ନିରାଶ ହୋଇଛି। ସନ୍ଧାନୀ କୁକୁର ଲଗାଇଥିଲେ ମଧ୍ୟ ମୁଣ୍ଡ ମିଳିପାରିନି। ଏପରିସ୍ଥଳେ ଝରାଫୁଲ ଭଳି ଏହି ହତ୍ୟା ମାମଲା ମଧ୍ୟ ରହସ୍ୟ ହୋଇଯିବ ବୋଲି ଆଶଙ୍କା ବଢ଼ିବାରେ ଲାଗିଛି।

ପ୍ରି ପ୍ଲାନ୍‌ ହତ୍ୟା, ଏକାଧିକଙ୍କ ସମ୍ପୃକ୍ତି ସନ୍ଦେହ
ପୂର୍ବ ଯୋଜନା ମୁତାବକ ମହିଳାଙ୍କୁ ହତ୍ୟା କରାଯାଇଥିବା ଓ ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଏମିତିକି ଅପରାଧୀମାନେ ପ୍ରମାଣ ଲୁଚାଇବା ସହ ପୋଲିସର ତଦନ୍ତକୁ ବାଟବଣା କରିବାକୁ ପୂରା ଯୋଜନା କରିଛନ୍ତି। ହାତରେ ଗ୍ଲୋଭ୍‌ସ ପିନ୍ଧି ହତ୍ୟା କରିଛନ୍ତି। ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କୁ ଅନ୍ୟ ସ୍ଥାନରେ ହତ୍ୟା କରାଯାଇ କାରରେ ଆଣି ଏଠାରେ ଫିଙ୍ଗି ଦେଇଥିବା ଜଣାପଡୁଛି। ହତ୍ୟାକାରୀମାନେ ମୃତଦେହ ପାଖ ବୁଦାରେ ନୂଆ ଛୁରି ଓ ରକ୍ତ ଲଗା ଗ୍ଲୋଭ୍‌ସ ପକାଇ ଦେଇଛନ୍ତି। ଉକ୍ତ ଛୁରିରେ ହତ୍ୟାକଲା ଭଳି ରକ୍ତ ଲାଗି ନ ଥିବାରୁ ହତ୍ୟାରେ ଅନ୍ୟ ଏକ ଛୁରି କିମ୍ବା ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିବା ଓ ମିଳିଥିବା ଛୁରିକୁ ଅନ୍ୟ କେହି ଧରିଥିବାରୁ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ବେକର ସ୍ଥିତିକୁ ଦେଖିଲେ ଫାର୍ସା କିମ୍ବା ଚାପଡ ଭଳି ଅସ୍ତ୍ରରେ କଟାଯାଇଥିବା ବାରିହୋଇପଡୁଛି। ତେଣୁ ଏସବୁ ଦିଗ ଉପରେ ପୋଲିସର ତଦନ୍ତ ଆଗକୁ ବଢ଼ିଛି।
ଜଗତ୍‌ସିଂହପୁରରୁ ଆସିଲା ସନ୍ଧାନୀ କୁକୁର
ଭୁବନେଶ୍ୱର ପୋଲିସ ପାଖରେ ତାଲିମପ୍ରାପ୍ତ ସନ୍ଧାନୀ କୁକୁର ନ ଥିବାରୁ ତଦନ୍ତ ଅଟକି ରହିଥିଲା। ପରେ ଜୋନ୍‌-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ଜଗତ୍‌ସିଂପୁରରୁ ସନ୍ଧାନୀ କୁକୁର ମଗାଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଯାଞ୍ଚ କରିବା ସହ ପୋଲିସର ପ୍ରାଥମିକ ତଦନ୍ତ ସରିଥିଲେ ମଧ୍ୟ ମୃତଦେହ ସେମିତି ୪ ଘଣ୍ଟା ଧରି ପଡ଼ି ରହିଥିଲା। ଜଗତ୍‌ସିଂପୁରରୁ ସନ୍ଧାନୀ କୁକୁର ଆସିବା ପରେ ପୋଲିସ ଆଖପାଖ ଅଞ୍ଚଳରେ ଛାନ୍‌ଭିନ୍‌ କରିଥିଲା। ଅନ୍ୟପକ୍ଷେ କ୍ରାଇମବ୍ରାଞ୍ଚ ପାଖରେ ମଧ୍ୟ ମୃତଦେହ ଶୁଙ୍ଘି ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ସେପରି ସ୍ବତନ୍ତ୍ର ତାଲିମପ୍ରାପ୍ତ କୁକୁର ନ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।
ଡିଏନ୍‌ଏ ପରୀକ୍ଷା ପାଇଁ ଗଲା ନମୁନା
ଫରେନ୍‌ସିକ ଟିମ୍‌ ମୃତଦେହ ସହ ଘଟଣା ସ୍ଥଳରୁ କିଛି ନମୁନା ସଂଗ୍ରହ କରିଛି। ମହିଳାଙ୍କ ମୁଣ୍ଡ ନ ଥିବାରୁ ଡିଏନ୍‌ଏ ପରୀକ୍ଷା ପାଇଁ ତାଙ୍କ ଚୁଟି ମିଳିପାରିନାହିଁ। ତେଣୁ ଡିଏନ୍‌ରେ ଟେଷ୍ଟପାଇଁ ରକ୍ତ ଓ ହାଡ ସଂଗ୍ରହ କରାଯାଇଛି। ଏଥିସହିତ ତାଙ୍କୁ ବଳାତ୍କାର କରାଯାଇଛି କି ନାହିଁ ଜାଣିବା ଲାଗି ଗୁପ୍ତାଙ୍ଗ ଓ ପୋଷାକରୁ କିଛି ନମୁନା ମଧ୍ୟ ନିଆଯାଇଛି।
ବାୟୋଟେକ୍‌ ପାକର୍ର୍ ପରିସରକୁ ପଶିଲା ସନ୍ଧାନୀ କୁକୁର
ମୃତଦେହ ନିକଟରୁ ମିଳିଥିବା ରକ୍ତଭିଜା ଗ୍ଲୋଭସ୍‌ ଓ ଛୁରିକୁ ଶୁଙ୍ଘିବାପରେ ସନ୍ଧାନୀ କୁକୁର ସେଠାରୁ ସିଧା ୫୦୦ ମିଟର ଦୂରରେ ଥିବା ଓଡିଶା ବାୟୋଟେକ୍‌ ପାର୍କ ଆଡକୁ ମୁହାଁଇଥିଲା। ଏହା ପାର୍ଶ୍ୱକୁ ଲାଗି ଜଙ୍ଗଲିଆ ସ୍ଥାନ ରହିଛି। ଉକ୍ତ ପାର୍ଶ୍ୱରେ ଦୀର୍ଘଦିନ ହେବ ପାଚେରି ଭାଙ୍ଗି ଯାଇଥିବାବେଳେ ସନ୍ଧାନୀ କୁକୁର ଶୁଙ୍ଘି ଶୁଙ୍ଘି ସେହି ବାଟଦେଇ ଭିତରକୁ ପଶିଥିଲା। ପାଣି ଟାଙ୍କି ଥିବା ଓ ସିକ୍ୟୁରିଟି ଗାର୍ଡ ରହୁଥିବା ଏକ ଘରପାଖରେ ଘୁରିବୁଲିଥିଲା। ତେବେ ହତ୍ୟାକାରୀ ଏହି ସ୍ଥାନକୁ ଆସି ପାଖରେ ଥିବା ପାଣି ଟାଙ୍କିର ଟ୍ୟାପ୍‌ ଖୋଲି ଧୋଇହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷେ ବାୟୋଟେକ୍‌ ପାର୍କର ଚାରିଆଡେ ସିସିଟିଭି କ୍ୟାମେରା ଲଗାଯାଇଥିଲେ ମଧ୍ୟ ଉକ୍ତ ପାର୍ଶ୍ୱରେ ନ ଥିଲା। ତେଣୁ ହତ୍ୟାକରୀମାନେ ପୂର୍ବରୁ ଏହି ସ୍ଥାନ ସହ ପରିଚିତ ଥିବା କିମ୍ବା ମୃତଦେହ ଫିଙ୍ଗିବା ପାଇଁ ଉକ୍ତ ସ୍ଥାନକୁ ବାଛି ପ୍ରମାଣ ନଷ୍ଟ ପାଇଁ ସବୁ ଯୋଜନା କରିଥିବା ପୋଲିସର ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି।

ଟାଟୁ, ଫିଙ୍ଗର ଫ୍ରିଣ୍ଟରୁ ପରିଚୟ ଖୋଜୁଛି ପୋଲିସ

ତଦନ୍ତରେ ଅଗ୍ରଗତି ପାଇଁ ମହିଳାଙ୍କ ପରିଚୟ ପୋଲିସ ପାଇଁ ବଡ଼ ମାଧ୍ୟମ। ତେଣୁ ପୋଲିସ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରୁଥିବାବେଳେ ଏଯାଏ ଆଖପାଖ ଥାନାରେ କୌଣସି ମହିଳାଙ୍କ ନିଖୋଜ ଅଭିଯୋଗ ହୋଇନାହିଁ। ଏପରିସ୍ଥଳେ ମୃତା ମହିଳାଙ୍କ ଡାହାଣ ହାତ କହୁଣିରେ ଥିବା ଏକ ଟାଟୁ ଓ ଫିଙ୍ଗର ପ୍ରିଣ୍ଟକୁ ନେଇ ପରିଚୟ ଖୋଜୁଛି ପୋଲିସ। ମୃତ ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ୍‌ରୁ ଆଧାର କାର୍ଡ ମିଳିଗଲେ ପୋଲିସ ତାଙ୍କ ଠିକଣା ଖୋଜି ପରିବାର ଲୋକଙ୍କ ନିକଟରେ ପହଞ୍ଚତ୍ପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri