ମଣ୍ଡିରେ ଧାନ ଜଗିଛନ୍ତି ମହିଳା

ଭଣ୍ଡାରିପୋଖରୀ,୨ା୨(ସ୍ବ.ପ୍ର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ୮ଟି ସମିତି ଓ ୮ ଏସଏଚ୍‌ଜିକୁ ପ୍ରଶାସନ ଦାୟିତ୍ୱ ଦେଇଛି। ମଣ୍ଡି ଉଦ୍‌ଘାଟନ ହେବାର ଇତିମଧ୍ୟରେ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ଧାନ କ୍ରୟ କରିବାରେ ଜିଲା ଯୋଗାଣ ବିଭାଗ ଫେଲ୍‌ ମାରିଛି। ପ୍ରଥମ ପର୍ଯ୍ୟାୟରେ ଯୋଗାଣ ବିଭାଗ ପକ୍ଷରୁ ଧାନ କ୍ରୟ ପାଇଁ ଯେତିକି ଟାର୍ଗେଟ ଦିଆଯାଇଥିଲା ତାହା ଇତିମଧ୍ୟରେ ଶେଷ ହୋଇଯାଇଛି। ଗୋଟିଏ ଦୁଇଟି ସମିତି ଓ ଏସଏଚ୍‌ଜିକୁ ଛାଡ଼ିଦେଲେ ବାକି ମଣ୍ଡିରେ ଏକ ସପ୍ତାହ ହେବ ଶତାଧିକ ଧାନ ବସ୍ତା ପଡ଼ିରହିଛି। ଏସଂକ୍ରାନ୍ତରେ ବ୍ଲକ ଯୋଗାଣ ନିରୀକ୍ଷକ ସନ୍ଦୀପା ଦାସଙ୍କୁ ପଚାରିବାରୁ ମଣ୍ଡିରୁ ଯଥାଶୀଘ୍ର ଧାନ ଉଠାଯିବ ବୋଲି କହିଛନ୍ତି। ମାତ୍ର ଚାଷୀଙ୍କ ଖଳାରେ ଧାନ ବସ୍ତା ପଡ଼ିରହିଛି। ଚାଷୀ ଟୋକନ ପାଇଛନ୍ତି କିନ୍ତୁ ଧାନ ନେଉନାହିଁ ମିଲର। ଫଳରେ ଧାନକୁ ମୂଷା ଖାଇ ନଷ୍ଟ କରୁଛନ୍ତି। ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ବହୁ ଦିନ ଧରି ଧାନ ମଣ୍ଡିରେ ପଡ଼ିରହିଥିବାରୁ ତାହା ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ମାଳଦା, ରହଣିଆ, ଜଳମଣ୍ଡୁଆ, ବାଲିପୋଖରୀ, ନାଆମୀ ପ୍ରମୁଖ ସମିତିକୁ ଧାନ କ୍ରୟ ପାଇଁ ଯେଉଁ ଟାର୍ଗେଟ ଥିଲା ତାହା ସରିଯାଇଛି। ସେହିଭଳି ନଗୁଅଁାସ୍ଥିତ ମା’ ବଡ଼ମ୍ବା ଏସଏଚ୍‌ଜି, ସରସଦାସ୍ଥିତ ଶିରିଡି ସାଇ ଏସଏଚ୍‌ଜି, କୁରିଗଁାର ମା’ ଦୁର୍ଗା ଏସଏଚ୍‌ଜିକୁ ୪ଦିନ ହେବ ଟାର୍ଗେଟ ଆସି ନ ଥିବାରୁ ମଣ୍ଡିରେ ଧାନ କିଣା ଠପ୍‌ ହୋଇଯାଇଛି। ଫଳରେ ଏସଏଚ୍‌ଜି ମହିଳାମାନେ ଗଛିତ ଥିବା ଧାନକୁ ଜଗି ରହିଛନ୍ତି। ଅନ୍ୟପକ୍ଷରେ ଟୋକନ ପ୍ରାପ୍ତ ଚାଷୀମାନେ ପ୍ରତ୍ୟେକ ଦିନ ଧାନ ନେଇ ଆସୁଥିବା ବେଳେ ମଣ୍ଡିରେ ଜାଗା ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁଠି ଅଳ୍ପ ବହୁତ ଟାର୍ଗେଟ ଅନୁଯାୟୀ ଧାନ କ୍ରୟ ହେଉଛି ସେଠାକୁ ମିଲରମାନେ ଠିକ ସମୟରେ ଗାଡ଼ି ପଠାଉ ନ ଥିବାରୁ ମଣ୍ଡିରେ ଅଚଳାବସ୍ଥା ଦେଖାଦେଇଛି। ଯଥାଶୀଘ୍ର ଧାନ କ୍ରୟ କରିବାକୁ ବିଭିନ୍ନ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।