ଯୁବତୀଙ୍କ ପାଇଁ କ୍ୱାରାଣ୍ଟାଇନରେ ପୂରା ପରିବାର

ସମ୍ବଲପୁର,୫।୭(ବ୍ୟୁରୋ)-ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ଏଲ୍‌ଆଇସି କଲୋନୀର ଜଣେ ଯୁବତୀଙ୍କ ପାଇଁ ତାଙ୍କ ପୂରା ପରିବାରକୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଛି। ସମ୍ପୃକ୍ତ ଯୁବତୀ ଜଣକ କରୋନା କଟକଣା ପାଳନ କରି ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ରବିବାର ଜିଲା ପ୍ରଶାସନର ଅଧିକାରୀ ପୋଲିସ ସହ ଉକ୍ତ ଘରେ ଚଢ଼ାଉ କରିଥିଲେ। ଯୁବତୀ ଜଣକ କୋଭିଡ୍‌-୧୯ ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରିଥିବାରୁ ପୂରା ପରିବାରର ୫ ଜଣ ସଦସ୍ୟଙ୍କୁ ହୋମ କ୍ୱରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ଯୁବତୀ ଜଣଙ୍କ ଜୁନ ୨୫ରେ ବାଙ୍ଗାଲୋରରୁ ଘରକୁ ଫେରିଥିଲେ। ହେଲେ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇ ନ ଥିଲେ। ସେହିପରି କୋଭିଡ ନିୟମକୁ ନ ମାନି ସେ ସବୁଆଡେ ବୁଲାବୁଲି କରୁଥିଲେ। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ପ୍ରାସାଶନ ଓ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ ଦୁଇ ଦିନ ତଳେ ତାଙ୍କ ଘରେ ଏକ ଉତ୍ସବ ଆୟୋଜନ କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।