ଚାଷୀ ଯେଉଁ ତିମିରେକୁ ସେଇ ତିମିରେ

ହରିହର ତ୍ରିପାଠୀ

ଦେଶରେ କୃଷକକୁ ସବୁଠାରୁ ସ୍ବାଭିମାନୀ ବୋଲି କୁହାଯାଏ। ସେ ସ୍ବାଧୀନ, ସେ କାହା ଉପରେ ନିର୍ଭର କରେ ନାହିଁ। ମୁଣ୍ଡଝାଳ ତୁଣ୍ଡରେ ମାରି ନିଜର ଜମିରେ ସୁନାର ଫସଲ ଫଳାଏ। ଏମିତି ଅନେକଗୁଡିଏ ପ୍ରଶଂସାରେ ସମସ୍ତେ ପୋତିପକାନ୍ତି କୃଷକକୁ। ହେଲେ କୃଷକର ଆର୍ଥିକ ସ୍ଥିତି ଏ ଦେଶରେ କେତେ ଯେ ଦୟନୀୟ ସେକଥା କେହି କଳ୍ପନା ବି କରିପାରିବେ ନାହିଁ। ଦିନକୁ ଜଣେ ଚାଷୀ ଯାହା ରୋଜଗାର କରେ ତାହା ଜଣେ ମୂଲିଆର ଦୈନିକ ମଜୁରିଠାରୁ ମଧ୍ୟ କମ୍‌! ସ୍ବାଧୀନତା ପରଠାରୁ ବିଭିନ୍ନ ସମୟରେ ବିଭିନ୍ନ ସରକାର ଚାଷୀର ଆୟ ଦ୍ୱିଗୁଣିତ, ବହୁଗୁଣିତ କରିବା ଲାଗି କହିଆସୁଛନ୍ତି। ମାତ୍ର ସେ ପ୍ରକାର ହିସାବରେ ଚାଷୀକୁ କିଛି ବି ଲାଭ ମିଳିନି। ଏବେ ବି ଏ ଦେଶର ଚାଷୀଟିଏ ସମାଜର ସବୁବର୍ଗ ଓ ଜୀବିକାର ଲୋକଙ୍କଠାରୁ କମ୍‌ ରୋଜଗାର କରେ।
ଚାଷୀର ଆୟ ବଢାଇବାକୁ ସରକାରମାନେ ଯୋଜନା କରି ଆସୁଛନ୍ତି। ତେବେ ବାସ୍ତବରେ ଏହିସବୁ ଯୋଜନାରେ ଚାଷୀର ଆୟ ବଢୁଛି କି ନାହିଁ ସେକଥା କେହି ବି କହିପାରିବେ ନାହିଁ। କାରଣ ଆମର ଦୁର୍ଭାଗ୍ୟ ହେଲା ଆମର ଚାଷୀମାନେ ହିସାବରେ ବଡ଼ ଦୁର୍ବଳ। ଯେତେବେଳେ ସରକାରଙ୍କ ନିକଟରୁ ବିଭିନ୍ନ ଯୋଜନାରେ କିଛି ସିଧାସଳଖ ତାଙ୍କ ଆକାଉଣ୍ଟରେ ପାଉଛନ୍ତି ସେତେବେଳେ ତାଙ୍କର ସବୁ ହିସାବ ଭୁଲ୍‌ଭାଲ ହୋଇଯାଉଛି। ସେମାନେ ଏକଥା ବି ଭୁଲିଯାଉଛନ୍ତି ବର୍ଷକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମିଶାଇ ଚାଷୀଟିଏ ମାତ୍ର ୧୬ ହଜାର ଟଙ୍କା ସହାୟତା ପାଇଲାବେଳେ ଦେଶରେ ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀଟିର ଦରମା ସର୍ବନିମ୍ନ ୧୮ ହଜାର ଟଙ୍କା। ଏଇ ସରକାରୀ ଅର୍ଥକୁ ସେ ତା’ର ଚାଷରେ ଲଗାଇ ମାସକୁ ସର୍ବନିମ୍ନ ୧୮ ହଜାର ଟଙ୍କା ରୋଜଗାର କରିବା ଏକ ଦିବାସ୍ବପ୍ନ। ସେଇଥିଲାଗି ସବ୍‌ସିଡି ପଇସାକୁ ସେ ଚାଷରେ ଯେତେ ନ ଲଗାଏ ତା’ଠାରୁ ଅଧିକ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଏ।
ଏବେ ସରକାର ଚାଷୀର ଆୟ ବଢାଇବାକୁ ବଜାର ବ୍ୟବସ୍ଥାରେ ସୁଧାର ଆଣିବାକୁ କୃଷି ବିଧେୟକ ଆଣିଛନ୍ତି। ସରକାର କହୁଛନ୍ତି ବିଧେୟକକୁ ନେଇ ବିରୋଧୀ ଦଳଗୁଡିକ ଦେଶରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ଦେଶର ଅନ୍ନଦାତାଙ୍କୁ କେନ୍ଦ୍ର ସରକାର ଅଧିକ ସଶକ୍ତ କରିବା ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସେମାନଙ୍କ ଫସଲକୁ ସହଜରେ ଓ ଅଧିକ ମୂଲ୍ୟରେ ବିକ୍ରି କରିବାର ସୁବିଧା, ସୁରକ୍ଷା ଓ ପ୍ରୋତ୍ସାହନ ପ୍ରଦାନ ଲାଗି ଉକ୍ତ ବିଲ୍‌ରେ କୁଆଡ଼େ ବ୍ୟବସ୍ଥା କରାଯାଇଛି। ମାତ୍ର ବିରୋଧୀଙ୍କ କହିବା କଥା କେନ୍ଦ୍ର ସରକାର ସଂସଦରେ ଗୃହୀତ କରାଇଥିବା ବିଧେୟକ ଦେଶର କୃଷକମାନଙ୍କ ଲାଗି ମୃତ୍ୟୁର ପରୱାନା। ପ୍ରଶ୍ନ ଉଠୁଛି ଏହି ବିଲ୍‌ ଜରିଆରେ ସରକାର ଆପଣାଇଥିବା ବ୍ୟବସ୍ଥା ଆମେରିକା ପ୍ରଭୃତି ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅର୍ଦ୍ଧଶତାବ୍ଦୀ ତଳୁ ପ୍ରଚଳିତ ହୋଇଛି। ମାତ୍ର ଦେଖାଯାଇଛି ସେସବୁ ଦେଶରେ କୃଷିକ୍ଷେତ୍ର ଲାଗି ଯେଉଁ ବଜାର ନୀତି ଗ୍ରହଣ କରାଯାଇଥିଲା ତାହା ବିଫଳ ହୋଇଛି। ବରଂ କୃଷକଙ୍କ ଉପରେ ଋଣର ପରିମାଣ ବହୁଗୁଣିତ ହୋଇଛି, ଏମିତି କି କୃଷକ ଆତ୍ମହତ୍ୟା ମଧ୍ୟ ବଢିବାରେ ଲାଗିଛି। ଆମେରିକା ତଥା ୟୁରୋପୀୟ ଦେଶଗୁଡ଼ିକରେ ବଡ଼ବଡ଼ କମ୍ପାନୀଙ୍କ ଲାଗି ଖାଦ୍ୟଶସ୍ୟ ଗଚ୍ଛିତ କରିବାର ନିୟନ୍ତ୍ରଣ ନାହିଁ। କଣ୍ଟ୍ରାକ୍ଟ ଫାର୍ମିଂ ଓ ମୁକ୍ତ ବଜାର ମଧ୍ୟ ଅଛି। ସାରା ଦୁନିଆ ସେ ଦେଶର କୃଷକ ଲାଗି ବଜାର। ସେଠାକାର କୃଷକ ଦୁନିଆର ଯେକୌଣସି ଜାଗାରେ ନିଜର ବ୍ୟବସାୟ କରିପାରେ। ଏହା ସତ୍ତ୍ୱେ ବି ସେଠାରେ କୃଷି ଉପରେ ଭୟଙ୍କର ସଙ୍କଟ ରହିଛି। ଜଣାଯାଇଛି ଫ୍ରାନ୍ସରେ ବର୍ଷକ ମଧ୍ୟରେ ୫୦୦ କୃଷକ ଆତ୍ମହତ୍ୟା କରିଛନ୍ତି। ଆମେରିକାରେ ୧୯୭୦ରୁ ଆଜି ପର୍ଯ୍ୟନ୍ତ ୯୩ ପ୍ରତିଶତ ଡାଇରୀ ଫାର୍ମ ବନ୍ଦ ହୋଇଯାଇଛି। ଇଂଲଣ୍ଡରେ ୩ ବର୍ଷରେ ୩୦ହଜାର ଡାଇରୀ ଫାର୍ମ ବନ୍ଦ ହୋଇଛି। ଆମେରିକା, ୟୁରୋପ ଏବଂ କାନାଡାରେ କେବଳ କୃଷି ଓ କୃଷକ ସବ୍‌ସିଡିକୁ ଆଧାର କରି ବଞ୍ଚତ୍ଛନ୍ତି। ତାଜା ଖବର ଅନୁସାରେ ପ୍ରତିବର୍ଷ ୨୪୬ ଅରବ ଡଲାରର ସବ୍‌ସିଡି ଧନୀ ଦେଶମାନେ ନିଜ ନିଜର କୃଷକଙ୍କୁ ଦେଉଛନ୍ତି। ସେଠାରେ ବଜାରଗୁଡ଼ିକ ଯଦି କୃଷି ଓ କୃଷକଙ୍କ ସହାୟତା କରୁଥାନ୍ତା ତେବେ ଏତେ ପରିମାଣର ସବ୍‌ସିଡିର ଆବଶ୍ୟକତା ପଡ଼ନ୍ତା କି? ଏଭଳିସ୍ଥିତିରେ ଆମେ ଏବେ କୃଷକମାନଙ୍କ ନିମନ୍ତେ ଯେଉଁ ମୁକ୍ତ ବଜାରର ପଶ୍ଚିମୀ ମଡେଲ ଆପଣାଇବାକୁ ଯାଉଛି ତାହା ଆମଲାଗି ଉପଯୋଗୀ ସାବ୍ୟସ୍ତ ହେବ ତ?
୨୦୦୬ ମସିହାରେ ବିହାରରେ କୃଷିଜାତ ସାମଗ୍ରୀ ବଜାର କମିଟି ଆକ୍ଟକୁ ଉଠାଇ ଦିଆଗଲା।
କୁହାଗଲା ଯେ ଏହାଦ୍ୱାରା ଘରୋଇ ନିବେଶ ବଢିବ, ଘରୋଇ ବଜାର ହେବା ଫଳରେ କୃଷକଙ୍କୁ ଅଧିକ ଲାଭ ମିଳିବ। ଆଜି ବିହାରରେ ଯେଉଁ ଖାଦ୍ୟଶସ୍ୟ ପାଇଁ ଚାଷୀକୁ ୧୩୦୦ ଟଙ୍କା ମିଳୁଛି ପଞ୍ଜାବରେ ଚାଷୀକୁ ମିଳୁଛି ୧୯୨୫ ଟଙ୍କା।
ସରକାର କହୁଛନ୍ତି ଯେ, ଆମେ ଏପିଏମ୍‌ସିକୁ ଛୁଇଁ ନାହୁଁ ଏବଂ ଏମ୍‌ଏସ୍‌ପି ମଧ୍ୟ ଚାଲୁ ରହିବ । ମାତ୍ର କୃଷକମାନଙ୍କୁ ଡର ଯେ ଯେତେବେଳେ କୃଷିଜାତ ସାମଗ୍ରୀ ବଜାର କମିଟିରେ ବ୍ୟବସାୟ କମ୍‌ ହେବ ସେତେବେଳେ ଏମ୍‌ଏସ୍‌ପିି ମଧ୍ୟ କମିବ। ଶାନ୍ତକୁମାର କମିଟି କହିଛି ଯେ, ଦେଶର ମାତ୍ର ୬ ପ୍ରତିଶତ କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଫାଇଦା ମିଳିଥାଏ ଏବଂ ୯୪ ପ୍ରତିଶତ କୃଷକ ମୁକ୍ତ ବଜାର ଉପରେ ନିର୍ଭର କରିଥାନ୍ତି। ଏହା ସ୍ପଷ୍ଟ ଯେ ଯଦି ମୁକ୍ତ ବଜାର ଉପଯୋଗୀ ସାବ୍ୟସ୍ତ ହେଉଥାନ୍ତା ତେବେ ଆଜି ଦେଶର କୃଷକର ଏତେ ସମସ୍ୟା କାହିଁକି ରହିଥାନ୍ତା?
ଏକ ରିପୋର୍ଟ ଅନୁସାରେ ୨୦୦୦ରୁ ୨୦୧୬ ଭିତରେ ଭାରତର କୃଷକ ୪୫ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। କାରଣ ସେମାନଙ୍କୁ ଉଚିତ ମୂଲ୍ୟ ମିଳିନାହିଁ। ଆର୍ଥିକ ସର୍ବେକ୍ଷଣ ୨୦୧୬ ଅନୁସାରେ ଦେଶର ୧୭ଟି ରାଜ୍ୟ ବା ଅଧାରୁ ଅଧିକ ରାଜ୍ୟରେ କୃଷକ ପରିବାରର ବାର୍ଷିକ ଆୟ ବର୍ଷକୁ ୨୦ ହଜାର ଟଙ୍କା ମାତ୍ର । ପ୍ରଶ୍ନ ହେଉଛି ଏତେ କମ୍‌ ପଇସାରେ କୃଷକ ପରିବାର କେମିତି ବଞ୍ଚତ୍ବ? ଏବେ ସରକାର ୫ ବର୍ଷଲାଗି କଣ୍ଟ୍ରାକ୍ଟ ଫାର୍ମିଂକୁ ମଧ୍ୟ ଅନୁମତି ଦେଲେ। ଏଥିରେ ଉତ୍ପାଦନର ମୂଲ୍ୟ ପ୍ରଥମରୁ ସ୍ଥିର ହେବ। ଯଦି କୌଣସି ସମସ୍ୟା ଉପୁଜେ ତେବେ କୃଷକ କମ୍ପାନୀ ନିକଟକୁ ଯିବ। କହିବା ଅନାବଶ୍ୟକ ସରକାର ସବୁବେଳେ ଚାଷରେ ମୁଣ୍ଡ ପୂରାଇଥିବା କର୍‌ପୋରେଟ୍‌ମାନଙ୍କ କଥା ଆଗ ଶୁଣିବେ। ଅନ୍ୟଏକ ବଡ଼ କଥା ହେଲା ଯେ କେତେକ ଖାଦ୍ୟଶସ୍ୟର ଗଚ୍ଛିତକରଣର ସୀମା ହଟାଇ ଦିଆଯାଇଥିବାରୁ କଳାବଜାରର ବାଟ ଖୋଲିଯିବ। ଏହାଦ୍ୱାରା କୃଷକଙ୍କୁ କ’ଣ ଲାଭ ମିଳିବ ଜଣାପଡ଼ୁନି। ଆମେରିକାରେ ୱାଲମାଟ୍‌ ଭଳି ବଡ଼ କମ୍ପାନୀମାନେ ଅଛନ୍ତି। ସେମାନେ କେତେ ଖାଦ୍ୟଶସ୍ୟ ନିୟନ୍ତ୍ରଣ କରିବେ ତା’ ଉପରେ କୌଣସି ଲଗାମ୍‌ ନାହିଁ, ମାତ୍ର ସେଠାରେ କୃଷକଙ୍କୁ କୌଣସି ଲାଭ ହୋଇଛି କି ? ଆମେରିକାରେ କୃଷକମାନଙ୍କୁ ମିଳୁଥିବା ସବ୍‌ସିଡି ୬୦ ହଜାର ଡଲାର; ଯେତେବେଳେ କି ଭାରତରେ ଏହା ମାତ୍ର ୨ଶହ ଡଲାର। ଖୋଲାବଜାର ସତ୍ତ୍ୱେ ସେଠାରେ କୃଷକଙ୍କ ଲାଗି ଏତେ ସବ୍‌ସିଡିର ଆବଶ୍ୟକତା କାହିଁକି ପଡ଼ୁଛି? ନୂତନ ଯୋଜନା ଅନୁସାରେ ସମସ୍ତେ କହୁଛନ୍ତି କୃଷକଙ୍କୁ ବେଶ୍‌ ଭଲ ମୂଲ୍ୟ ମିଳିବ। ଭଲମୂଲ୍ୟ କହିଲେ, ଏମ୍‌ଏସ୍‌ପିଠାରୁ ଅଧିକ ହେବା ଦରକାର। ତେବେ ଏମ୍‌ଏସ୍‌ପିକୁ ସାରାଦେଶରେ ଆଇନଗତଭାବେ ଏକା କରାଯାଉନି କାହିଁକି?
କୃଷକକୁ ସେତେବେଳେ ସ୍ବାଧୀନତା ମିଳିବ ଯେତେବେଳେ ସେ ଭାବିବ ଦେଶର ଯେଉଁସ୍ଥାନରେ ମୁଁ ମୋର ଖାଦ୍ୟଶସ୍ୟ ବିକିବି ମତେ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବ। ସେମାନଙ୍କ ହାତକୁ ଅଧିକ ପଇସା ଆସିବ ତ ଅର୍ଥନୀତି ସୁଦୃଢ ହେବ। ଯଦି ସରକାର ସାରାଦେଶରେ ନୂ୍ୟନତମ ସମର୍ଥନ ମୂଲ୍ୟର ବ୍ୟବସ୍ଥା କରିପାରନ୍ତେ ତେବେ କୃଷକଙ୍କୁ ୮୦ ପ୍ରତିଶତ ଫସଲର ମୂଲ୍ୟ ମିଳିପାରନ୍ତା। ମାତ୍ର ସରକାର ତାହା କରିପାରୁ ନାହାନ୍ତି।
ମୋ:୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri