Categories: ଖେଳ

ଓ୍ବେଷ୍ଟଇଣ୍ଡିଜର କ୍ରମାଗତ ତୃତୀୟ ବିଜୟ

ଗ୍ରସ୍‌ଆଇଲେଟ୍‌, ୧୪ା୭(ଏପି)-କ୍ରିସ୍‌ ଗେଲ୍‌ଙ୍କ ୩୮ବଲ୍‌ରୁ ୬୭ ରନ ସହାୟତାରେ ଏଠାରେ ସୋମବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୪୧ରନ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୩୧ ବଲ୍‌ ବାକିଥାଇ ୪ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଘରୋଇ ଦଳ ଏଥିସହିତ ୩-୦ରେ ଅଗ୍ରଣୀ ସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍‌ଜା କରିନେଇଛି। ବିଜୟ ସୂଚକ ରନ ସଂଗ୍ରହ କରିଥିବା କାମଚଳା ଅଧିନାୟକ ନିକୋଲାସ ପୁରାନ ୨୭ ବଲ୍‌ରୁ ୩୨ରନ କରି ଅପରାଜିତ ରହିଥିଲେ। ହେଲେ ମ୍ୟାଚରେ ୪୧ ବର୍ଷୀୟ ହାମହାତୀ ବ୍ୟାଟ୍ସମ୍ୟାନ ଗେଲ୍‌ଙ୍କ ବ୍ୟାଟିଂ ଉଲ୍ଲେଖନୀୟ ରହିଥିଲା। ସେ ୨୦୧୬ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଅପରାଜିତ ୧୦୦ ରନ ପରେ ଏକ ଅନ୍ତର୍ଜାତୀୟ ଟି୨୦ରେ ଏହାଥିଲା ତାଙ୍କର ପ୍ରଥମ ଅର୍ଦ୍ଧଶତକ। ଏଥିରେ ସେ ୭ ଛକା ଓ ୪ ଚୌକା ଲଗାଇଥିଲେ। ଗେଲ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ : ୨୦ ଓଭରରେ ୧୪୧/୬ (ମୋଇସେସ୍‌ ହେନରିକ୍‌-୩୩, ଆରୋନ ଫିଞ୍ଚ୍‌-୩୦, ଆଷ୍ଟନ ଟର୍ନର-୨୪; ହେଡେନ ଓ୍ବାଲ୍ସ-୨/୧୮)।
ଓ୍ବେଷ୍ଟଇଣ୍ଡିଜ: ୧୪.୫ ଓଭରରେ ୧୪୨/୪ (ଗେଲ୍‌-୬୭, ନିକୋଲାସ ପୁରାନ-୩୨*; ରିଲି ମେରେଡିଥ୍‌-୩/୪୮)।

Share