ବଢୁଛି ବୁଢ଼ାବଳଙ୍ଗ,ଗଙ୍ଗାହାର

ବାରିପଦା ଅଫିସ,୧୧ା୮: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ପରିସ୍ଥିତି ସୃଷ୍ଟି ନେଇ ଆଶଙ୍କା ଉପୁଜିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ଲାଗି ତତ୍ପରତା ପ୍ରକାଶ କରିଛି। ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ଏବଂ ବନ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ଥଇଥାନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ବୁଢ଼ାବଳଙ୍ଗ, ଗଙ୍ଗାହାର, ପଳପଳା ଓ ସୋନ ନଦୀର ଜଳପତ୍ତନ ବୃଦ୍ଧି ପାଇଛି। ବୁଢ଼ାବଳଙ୍ଗର ଜଳପତ୍ତନ ଅରେଞ୍ଜ ଲେଭଲରେ ରହିଛି। ଗଙ୍ଗାହାର ନଦୀରେ ଜଳବୃଦ୍ଧି ଯୋଗୁ ଖଡ଼ିକାପଦା ପୋଲ ଉପରେ ଉଦ୍‌ବୃତ୍ତ ଜଳ ପ୍ରବାହିତ ହେଉଛି। ଫଳରେ ବଡ଼ସାହି-କୁଆମରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନଦୀ ତଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେବା ସହ ସ୍ଥାନାନ୍ତର ଲାଗି ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି। ବୁଧବାର ଅପରାହ୍ନ ସୁଦ୍ଧା ବାରିପଦାର ଅସ୍ତିଆଠାରେ ବୁଢ଼ାବଳଙ୍ଗର ଜଳପତ୍ତନ ୨୮ମିଟର ରହିଥିବା ବେଳେ ବିପଦ ସଙ୍କେତଠାରୁ ୨.୯୨ମିଟର ବ୍ୟବଧାନରେ ରହିଛି। ସେହିପରି ସୋନ ନଦୀର ଜଳପତ୍ତନ ୨୨.୦୬ଏମ୍‌ଏମ୍‌ ଥିବା ବେଳେ ବିପଦ ସଙ୍କେତ ୨୬.୧ଏମଏମ୍‌ ରହିଛି। ଶିମିଳିପାଳରେ ବୃଷ୍ଟିପାତ ଅଧିକ ହେଉଥିବାରୁ ନଦୀରେ ଜଳପତ୍ତନ ବୃଦ୍ଧି ପାଇବ ବୋଲି ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି କହିଛନ୍ତି ା