ଭୋଟ କହିବ

ଭାରତୀୟ ରାଜନୀତିରେ ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ସମ୍ଭବତଃ ଏଭଳି ଜଣେ ବ୍ୟକ୍ତି, ଯିଏ ସୁବିଧାବାଦ ଚିନ୍ତାଧାରାକୁ ପାଣିକରି ପିଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ ପଦରେ ବସିବା ଲାଗି ସେ କ୍ରମାଗତ ବିଭିନ୍ନ ଦଳ ସହ ମିଶି ସରକାର ଗଢ଼ୁଛନ୍ତି ଓ ଭାଙ୍ଗୁଛନ୍ତି। ସଦ୍ୟ ଘଟଣାକୁ ଦେଖିଲେ ସେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି), କଂଗ୍ରେସ ଓ ବାମପନ୍ଥୀଙ୍କ ସହ କରିଥିବା ମହାଗଠବନ୍ଧନକୁ ପ୍ରତ୍ୟାଖ୍ୟାନ କରି ପୁଣି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଆପଣାଇ ନେଇଛନ୍ତି। ମନେପକାଇ ଦିଆଯାଇପାରେ ଯେ, ୧୮ ମାସ ତଳେ ଭାଜପାକୁ ଛାଡ଼ି ନୀତୀଶ ଉପରଲିଖିତ ଦଳଗୁଡ଼ିକ ସହିତ ମିଶି ସରକାର ଗଢ଼ିଥିଲେ। ସେତେବେଳେ ହୁଏତ ତାଙ୍କ ଉଦ୍ଦେଶ୍ୟ ଥିଲା କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ତାଙ୍କୁ (ନୀତୀଶଙ୍କୁ) ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗରେ ରଖିବେ। କିନ୍ତୁ ନୀତୀଶଙ୍କ ଇତିହାସ ସମ୍ଭବତଃ ତାଙ୍କ ପାଇଁ କାଳ ହେଲା। ଏବେ ପୁନର୍ବାର ଭାଜପା କୋଳରେ ବସିବାର ଇଚ୍ଛା ନୀତୀଶଙ୍କ ରାଜନୈତିକ ଭାବମୂର୍ତ୍ତିକୁ କଳଙ୍କିତ କରିଛି। ପ୍ରଶ୍ନ ଉଠୁଛି, ୭ ମାସ ପୂର୍ବେ ବିହାର ରାଜଧାନୀ ପାଟନାରେ ଜେଡିୟୁୁ ସମେତ ଅନ୍ୟ ଅଣଭାଜପା ଦଳ ସହ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ଗୋଷ୍ଠୀ ଗଠନ କରିଥିଲେ ମଧ୍ୟ ଅଚାନକ ନୀତୀଶ କାହିଁକି ଏଭଳି ନିଷ୍ପତ୍ତି ନେଲେ। ଏହାର ଉତ୍ତରରେ ନୀତୀଶ କହିଛନ୍ତି, ଇଣ୍ଡିଆ ବ୍ଲକରେ ଯେଭଳି ଚାଲିଛି ସେଥିରେ ସେ ଖୁସି ନ ଥିଲେ। ସତେଯେମିତି ତାଙ୍କରି କଥାରେ ସବୁଦଳ ଚାଲିଥାଆନ୍ତେ। ଇତିମଧ୍ୟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ଚିନ୍ତାଧାରାର ଆଗୁଆ ନେତା କର୍ପୂରି ଠାକୁରଙ୍କୁ ମରଣୋତ୍ତର ଭାବେ ‘ଭାରତ ରତ୍ନ’ ଦେଇ ଭାଜପାର କେନ୍ଦ୍ର ସରକାର ନୀତୀଶଙ୍କୁ ନମନ୍ତ୍ରଣପତ୍ର ପଠାଇଲା ଭଳି କାର୍ଯ୍ୟଟି କଲେ। ନୀତୀଶ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। କର୍ପୂରିଙ୍କୁ ଭାରତ ରତ୍ନ ଦିଆଯିବାରୁ ରାଜନୈତିକ ଫାଇଦା ହାସଲ ଲକ୍ଷ୍ୟରେ ମହାଗଠବନ୍ଧନ ଛାଡ଼ି ଭାଜପା ପ୍ରତି ଢଳିବାରେ ନୀତୀଶ ଏକ ସୁବିଧାଜନକ ବାଟ ପାଇଗଲେ।
୨୮ ଜାନୁଆରୀରେ ନୀତୀଶ ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବିଧାନସଭାର ଗୋଟିଏ ୫ ବର୍ଷିଆ ଅବଧି ମଧ୍ୟରେ ତିନି ଥର ମୁଖ୍ୟମନ୍ତ୍ରୀ ହେଲେ। ଭାଜପା ନେତା ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଉପମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଆଉ କେତେ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି। ଦେଖିବାକୁ ଗଲେ ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ନୀତୀଶଙ୍କ ଜେଡିୟୁର ମାତ୍ର ୪୩ ସଦସ୍ୟ ଅଛନ୍ତି। ଅପରପକ୍ଷରେ ଭାଜପାର ୭୪ ସଦସ୍ୟ ଥିବା ବେଳେ ଆର୍‌ଜେଡିର ୭୫, କଂଗ୍ରେସର ୧୯ ଓ ବାମ ଦଳରୁ ୧୬ ଜଣ ଅଛନ୍ତି। ଯଦି ଜେଡିୟୁର ସିଟ୍‌ ସଂଖ୍ୟାକୁ ବିଗତ ୩ଟି ନିର୍ବାଚନକୁ ନେଇ ଦେଖାଯାଏ, ତେବେ ୨୦୧୦ରେ ଏହା ୧୧୫ ସିଟ୍‌ ପାଇଥିବା ବେଳେ ୨୦୧୫ରେ ୭୧ ଓ ୨୦୨୦ରେ ୪୩ରେ ରହିଛି। ସବୁଠାରୁ କୌତୂହଳର ବିଷୟ, ନୀତୀଶଙ୍କ ପାଖରେ ନିଜ ଦଳର କମ୍‌ ବଳ ଥିଲେ ମଧ୍ୟ ରାଜନୀତି ଗୋଟି ଚାଳନାରେ ଆଗରେ ରହିଆସିଛନ୍ତି। ଶୁଣାଯାଉଥିଲା ଇଣ୍ଡିଆ ଗୋଷ୍ଠୀରେ ନେତା ହେବା ନେଇ ନୀତୀଶ ହୁଙ୍କୁ ହୁଙ୍କୁ ହେଉଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ ସର୍ବସମ୍ମତି କ୍ରମେ ଘୋଷଣା ହେବା ପରେ ନୀତୀଶ ବିମୁଖ ହୋଇଯାଇଥିଲେ। ତେଣୁ ଏହି ମେଣ୍ଟରୁ ବାହାରିବା ସକାଶେ ବାଟ ଖୋଜୁଥିବା ବେଳେ କର୍ପୂରିଙ୍କୁ ଭାରତ ରତ୍ନ ମିଳିବା ତାଙ୍କ କାମକୁ ସହଜ କରିଦେଇଥାଇପାରେ।
ଆସନ୍ତା ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ନିଜ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ଘୋଷଣା କରିବା ପରେ ନୀତୀଶ ମହାଗଠବନ୍ଧନକୁ ଭାଙ୍ଗିଦେବା ଦ୍ୱାରା ‘ଇଣ୍ଡିଆ ବ୍ଲକ’ ଦୁର୍ବଳ ହୋଇଯାଇପାରେ। ଅନ୍ୟପଟେ ପଲ୍‌ଟୁ ରାମଙ୍କ ଆଖ୍ୟା ପାଇଥିବା ନୀତୀଶ ନିଜର ମର୍ଯ୍ୟାଦା ଓ ରାଜନୈତିକ ଓଜନକୁ କୌଣସି ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି ୨୮ ଜାନୁଆରୀ ଘୋଷଣାରୁ ସ୍ପଷ୍ଟ ବୁଝାପଡ଼ୁଛି। ଯୁବ ଭୋଟରଙ୍କ ମନରେ ଏହିଭଳି ପଟ ବଦଳାଉଥିବା ରାଜନେତାଙ୍କ ପାଇଁ ସମ୍ମାନ ଓ ଶ୍ରଦ୍ଧା ନ ଥିବାର ଲକ୍ଷ୍ୟ କରାଯାଉଛି। ସୋସିଆଲ ମିଡିଆରେ ମଧ୍ୟ ନୀତୀଶଙ୍କୁ ଯେଭଳି ଗାଳିଗୁଲଜ କରାଯାଉଛି ସେଥିରୁ ବୁଝାଯାଉଛି ଯେ, ଏଭଳି ବ୍ୟକ୍ତିତ୍ୱଙ୍କ ପାଇଁ ଭବିଷ୍ୟତରେ ରାଜନୀତିରେ ତିଷ୍ଠିବା କଷ୍ଟକର ହୋଇପାରେ। ନୀତୀଶଙ୍କ ଏପରି ପରିବର୍ତ୍ତନ ବିହାର ଭୋଟରଙ୍କୁ କିଭଳି ଭାବେ ପ୍ରଭାବିତ କରୁଛି ତାହା ଆଉ କିଛି ମାସ ପରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ସ୍ପଷ୍ଟ ବୁଝାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri