ଭୋଟ କହିବ

ଭାରତୀୟ ରାଜନୀତିରେ ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ସମ୍ଭବତଃ ଏଭଳି ଜଣେ ବ୍ୟକ୍ତି, ଯିଏ ସୁବିଧାବାଦ ଚିନ୍ତାଧାରାକୁ ପାଣିକରି ପିଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ ପଦରେ ବସିବା ଲାଗି ସେ କ୍ରମାଗତ ବିଭିନ୍ନ ଦଳ ସହ ମିଶି ସରକାର ଗଢ଼ୁଛନ୍ତି ଓ ଭାଙ୍ଗୁଛନ୍ତି। ସଦ୍ୟ ଘଟଣାକୁ ଦେଖିଲେ ସେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି), କଂଗ୍ରେସ ଓ ବାମପନ୍ଥୀଙ୍କ ସହ କରିଥିବା ମହାଗଠବନ୍ଧନକୁ ପ୍ରତ୍ୟାଖ୍ୟାନ କରି ପୁଣି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଆପଣାଇ ନେଇଛନ୍ତି। ମନେପକାଇ ଦିଆଯାଇପାରେ ଯେ, ୧୮ ମାସ ତଳେ ଭାଜପାକୁ ଛାଡ଼ି ନୀତୀଶ ଉପରଲିଖିତ ଦଳଗୁଡ଼ିକ ସହିତ ମିଶି ସରକାର ଗଢ଼ିଥିଲେ। ସେତେବେଳେ ହୁଏତ ତାଙ୍କ ଉଦ୍ଦେଶ୍ୟ ଥିଲା କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ତାଙ୍କୁ (ନୀତୀଶଙ୍କୁ) ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗରେ ରଖିବେ। କିନ୍ତୁ ନୀତୀଶଙ୍କ ଇତିହାସ ସମ୍ଭବତଃ ତାଙ୍କ ପାଇଁ କାଳ ହେଲା। ଏବେ ପୁନର୍ବାର ଭାଜପା କୋଳରେ ବସିବାର ଇଚ୍ଛା ନୀତୀଶଙ୍କ ରାଜନୈତିକ ଭାବମୂର୍ତ୍ତିକୁ କଳଙ୍କିତ କରିଛି। ପ୍ରଶ୍ନ ଉଠୁଛି, ୭ ମାସ ପୂର୍ବେ ବିହାର ରାଜଧାନୀ ପାଟନାରେ ଜେଡିୟୁୁ ସମେତ ଅନ୍ୟ ଅଣଭାଜପା ଦଳ ସହ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ଗୋଷ୍ଠୀ ଗଠନ କରିଥିଲେ ମଧ୍ୟ ଅଚାନକ ନୀତୀଶ କାହିଁକି ଏଭଳି ନିଷ୍ପତ୍ତି ନେଲେ। ଏହାର ଉତ୍ତରରେ ନୀତୀଶ କହିଛନ୍ତି, ଇଣ୍ଡିଆ ବ୍ଲକରେ ଯେଭଳି ଚାଲିଛି ସେଥିରେ ସେ ଖୁସି ନ ଥିଲେ। ସତେଯେମିତି ତାଙ୍କରି କଥାରେ ସବୁଦଳ ଚାଲିଥାଆନ୍ତେ। ଇତିମଧ୍ୟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ଚିନ୍ତାଧାରାର ଆଗୁଆ ନେତା କର୍ପୂରି ଠାକୁରଙ୍କୁ ମରଣୋତ୍ତର ଭାବେ ‘ଭାରତ ରତ୍ନ’ ଦେଇ ଭାଜପାର କେନ୍ଦ୍ର ସରକାର ନୀତୀଶଙ୍କୁ ନମନ୍ତ୍ରଣପତ୍ର ପଠାଇଲା ଭଳି କାର୍ଯ୍ୟଟି କଲେ। ନୀତୀଶ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। କର୍ପୂରିଙ୍କୁ ଭାରତ ରତ୍ନ ଦିଆଯିବାରୁ ରାଜନୈତିକ ଫାଇଦା ହାସଲ ଲକ୍ଷ୍ୟରେ ମହାଗଠବନ୍ଧନ ଛାଡ଼ି ଭାଜପା ପ୍ରତି ଢଳିବାରେ ନୀତୀଶ ଏକ ସୁବିଧାଜନକ ବାଟ ପାଇଗଲେ।
୨୮ ଜାନୁଆରୀରେ ନୀତୀଶ ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବିଧାନସଭାର ଗୋଟିଏ ୫ ବର୍ଷିଆ ଅବଧି ମଧ୍ୟରେ ତିନି ଥର ମୁଖ୍ୟମନ୍ତ୍ରୀ ହେଲେ। ଭାଜପା ନେତା ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଉପମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଆଉ କେତେ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି। ଦେଖିବାକୁ ଗଲେ ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ନୀତୀଶଙ୍କ ଜେଡିୟୁର ମାତ୍ର ୪୩ ସଦସ୍ୟ ଅଛନ୍ତି। ଅପରପକ୍ଷରେ ଭାଜପାର ୭୪ ସଦସ୍ୟ ଥିବା ବେଳେ ଆର୍‌ଜେଡିର ୭୫, କଂଗ୍ରେସର ୧୯ ଓ ବାମ ଦଳରୁ ୧୬ ଜଣ ଅଛନ୍ତି। ଯଦି ଜେଡିୟୁର ସିଟ୍‌ ସଂଖ୍ୟାକୁ ବିଗତ ୩ଟି ନିର୍ବାଚନକୁ ନେଇ ଦେଖାଯାଏ, ତେବେ ୨୦୧୦ରେ ଏହା ୧୧୫ ସିଟ୍‌ ପାଇଥିବା ବେଳେ ୨୦୧୫ରେ ୭୧ ଓ ୨୦୨୦ରେ ୪୩ରେ ରହିଛି। ସବୁଠାରୁ କୌତୂହଳର ବିଷୟ, ନୀତୀଶଙ୍କ ପାଖରେ ନିଜ ଦଳର କମ୍‌ ବଳ ଥିଲେ ମଧ୍ୟ ରାଜନୀତି ଗୋଟି ଚାଳନାରେ ଆଗରେ ରହିଆସିଛନ୍ତି। ଶୁଣାଯାଉଥିଲା ଇଣ୍ଡିଆ ଗୋଷ୍ଠୀରେ ନେତା ହେବା ନେଇ ନୀତୀଶ ହୁଙ୍କୁ ହୁଙ୍କୁ ହେଉଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ ସର୍ବସମ୍ମତି କ୍ରମେ ଘୋଷଣା ହେବା ପରେ ନୀତୀଶ ବିମୁଖ ହୋଇଯାଇଥିଲେ। ତେଣୁ ଏହି ମେଣ୍ଟରୁ ବାହାରିବା ସକାଶେ ବାଟ ଖୋଜୁଥିବା ବେଳେ କର୍ପୂରିଙ୍କୁ ଭାରତ ରତ୍ନ ମିଳିବା ତାଙ୍କ କାମକୁ ସହଜ କରିଦେଇଥାଇପାରେ।
ଆସନ୍ତା ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ନିଜ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ଘୋଷଣା କରିବା ପରେ ନୀତୀଶ ମହାଗଠବନ୍ଧନକୁ ଭାଙ୍ଗିଦେବା ଦ୍ୱାରା ‘ଇଣ୍ଡିଆ ବ୍ଲକ’ ଦୁର୍ବଳ ହୋଇଯାଇପାରେ। ଅନ୍ୟପଟେ ପଲ୍‌ଟୁ ରାମଙ୍କ ଆଖ୍ୟା ପାଇଥିବା ନୀତୀଶ ନିଜର ମର୍ଯ୍ୟାଦା ଓ ରାଜନୈତିକ ଓଜନକୁ କୌଣସି ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି ୨୮ ଜାନୁଆରୀ ଘୋଷଣାରୁ ସ୍ପଷ୍ଟ ବୁଝାପଡ଼ୁଛି। ଯୁବ ଭୋଟରଙ୍କ ମନରେ ଏହିଭଳି ପଟ ବଦଳାଉଥିବା ରାଜନେତାଙ୍କ ପାଇଁ ସମ୍ମାନ ଓ ଶ୍ରଦ୍ଧା ନ ଥିବାର ଲକ୍ଷ୍ୟ କରାଯାଉଛି। ସୋସିଆଲ ମିଡିଆରେ ମଧ୍ୟ ନୀତୀଶଙ୍କୁ ଯେଭଳି ଗାଳିଗୁଲଜ କରାଯାଉଛି ସେଥିରୁ ବୁଝାଯାଉଛି ଯେ, ଏଭଳି ବ୍ୟକ୍ତିତ୍ୱଙ୍କ ପାଇଁ ଭବିଷ୍ୟତରେ ରାଜନୀତିରେ ତିଷ୍ଠିବା କଷ୍ଟକର ହୋଇପାରେ। ନୀତୀଶଙ୍କ ଏପରି ପରିବର୍ତ୍ତନ ବିହାର ଭୋଟରଙ୍କୁ କିଭଳି ଭାବେ ପ୍ରଭାବିତ କରୁଛି ତାହା ଆଉ କିଛି ମାସ ପରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ସ୍ପଷ୍ଟ ବୁଝାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri