Categories: ଖେଳ

ପୁଣି ଘୁଞ୍ଚିବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୨୪।୯ (ପି.ଟି.): ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପୁଣି ଥରେ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି। ପୂର୍ବରୁ ଥରେ ଘୁଞ୍ଚାଯାଇ ଏହି ମେଗା ଇଭେଣ୍ଟକୁ ୨୦୨୧ ଫେବୃୟାରୀ- ମାର୍ଚ୍ଚରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବାରୁ ଏହା ପୁଣି ଘୁଞ୍ଚିବ।
ଏହି ମେଗା ଇଭେଣ୍ଟ ନଭେମ୍ବର ୨ରୁ ୨୦ ତାରିଖ ମଧ୍ୟରେ ଭାରତରେ ୫ଟି ଭେନ୍ୟୁରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ପରେ ମହାମାରୀ ପାଇଁ ଏହାକୁ ଆସନ୍ତାବର୍ଷ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସ୍ବାସ୍ଥ୍ୟଗତ ପରିସ୍ଥିତିରେ କୌଣସି ଉନ୍ନତି ନ ଘଟିବାରୁ ବିଶ୍ୱକପ୍‌ର କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟଗୁଡିକ ଆଫ୍ରିକା, ନର୍ଥ ଓ ସେଣ୍ଟ୍ରାଲ ଆମେରିକା ଓ ଦକ୍ଷିଣ ଆମେରିକାରେ ଆୟୋଜନ ହୋଇପାରିନାହିଁ। ତେଣୁ ବିଶ୍ୱକପ୍‌ ଘୁଞ୍ଚିବା ଏକ ପ୍ରକାର ନିଶ୍ଚିତ ମନେହେଉଛି। ଏ ନେଇ ଅବଶ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ କିଛି ଅପ୍‌ଡେଟ୍‌ କରାଯାଇ ନାହିଁ ବୋଲି ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି। ତେବେ ବିଶ୍‌କପ୍‌ ଘୁଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଶ୍ୱକପ୍‌ ଆଉ ୫ ମାସ ବାକି ରହିଛି। କିନ୍ତୁ ବିଭିନ୍ନ କନଫେଡେରେଶନଗୁଡିକ ଏପର୍ଯ୍ୟନ୍ତ କ୍ୱାଲିଫାୟର୍ସ ଆୟୋଜନ କରିପାରି ନାହାନ୍ତି। ସିଏଏଫ୍‌, କନକାକାଫ, କନମେବୋଲ କ୍ୱାଲିଫାୟର୍ସ ଆୟୋଜନ କରିପାରି ନ ଥିବା ବେଳେ ୟୁଇଏଫ୍‌ଏ ଗତମାସରେ ତା’ର କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ଓଏଫ୍‌ଏ ମଧ୍ୟ ସମାନ ନିଷ୍ପତ୍ତି ନେଇଛି। କେବଳ ଏସିଆ (ଏଏଫ୍‌ସି) କ୍ୱାଲିଫାୟର୍ସ ଆୟୋଜନ କରିଛି। ଜାପାନ ଓ ଉତ୍ତର କୋରିଆ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଏହି ଦୁଇ ଦେଶ ୨୦୧୯ ଏଏଫ୍‌ସି ୧୬ ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌ରେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଥିଲେ।
ଅନ୍ୟପଟେ ଯଦି ବିଶ୍ୱକପ୍‌କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଏ ତା’ହେଲେ ଏଆଇଏଫ୍‌ଏଫ୍‌ ମଧ୍ୟ ତା’ର ଜାତୀୟ କ୍ୟାମ୍ପ ଆୟୋଜନ କରି ନ ପାରେ। ଭାରତ ହେଡ୍‌ କୋଚ୍‌ ଥୋମାସ ଡେନେବି ସ୍ବିଡେନରେ ତାଙ୍କ ଘରେ ରହିଛନ୍ତି। ସେ ମାର୍ଚ୍ଚରେ ଭାରତ ଛାଡିଥିଲେ। ମାର୍ଚ୍ଚରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପୂର୍ବରୁ ଖେଳାଳିମାନେ ସେମାନଙ୍କ ଘରକୁ ଫେରିବା ପରେ ଆଉଟ୍‌ ଡୋର ଟ୍ରେନିଂ କରିପାରି ନାହାନ୍ତି।

Share