ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ ପାଇବା ଲାଗି ପଜିଟିଭ ଓ ନେଗେଟିଭ ଉଭୟ ଆବଶ୍ୟକ। ଅତଏବ ଏକ ପକ୍ଷରେ ସଂଶୟରୁ ମୁକ୍ତି ଏବଂ ଅପରପକ୍ଷରେ ବିଶ୍ୱାସ ଆମ ଜୀବନ ନଦୀର ଦୁଇ କୂଳ ହେବା ଉଚିତ, ଯାହା ମଧ୍ୟ ଦେଇ ନଦୀ ପ୍ରବାହିତ ହୋଇ ସର୍ବଶେଷରେ ଦିବ୍ୟକୃପାର ମହାସାଗରରେ ବିଲୀନ ହୋଇପାରିବ।
ଶ୍ରବଣ ଦ୍ୱାରା ଆମର ଅଳ୍ପ କିଛି ଜ୍ଞାନ ଜନ୍ମିଥାଏ। ପୂର୍ଣ୍ଣଜ୍ଞାନ ଲାଭ ପାଇଁ ମନନ ଓ ନିବିଧ୍ୟାସନର ଆବଶ୍ୟକତା ଅଛି। ମନନ ଦ୍ୱାରା ଶ୍ରୁତିବାଣୀର ଚିନ୍ତନ ଓ ରୋମନ୍ଥନ ସାଧିତ ହୁଏ। ନିବିଧ୍ୟାସନ ପ୍ରକ୍ରିୟା ହଜମ ପ୍ରକ୍ରିୟା ସହିତ ତୁଳନୀୟ, ଯହିଁରେ ଅଜ୍ଞାନତା ଦୂର ହୋଇ ପ୍ରକୃତ ଜ୍ଞାନ ଆହରଣ କରାଯାଏ। ଶ୍ରବଣ, ମନନ ଓ ନିବିଧ୍ୟାସନ ଏହି ତିନୋଟି ପ୍ରକ୍ରିୟା ମାଧ୍ୟମରେ ପୂର୍ଣ୍ଣ ଜ୍ଞାନ ଲବ୍ଧ ହୁଏ। ଆମେ ହେଉଛୁ ଦେହ, ମନ ଓ ଆତ୍ମାର ଏକ ତ୍ରିମୂର୍ତ୍ତି। ମନ ଓ ଜଡ଼ବସ୍ତୁ ଚେତନାକୁ ଘୋଡ଼ାଇ ରଖିଛି। ତେଣୁ ଆମେ ନିଜର ଅସଲ ଦିବ୍ୟ ସ୍ବରୂପ ଉପଲବ୍ଧି କରିବାକୁ ସକ୍ଷମ ହୋଇପାରୁ ନାହୁଁ। ଆମେ ଯଦି ମନ ଓ ଦେହର ବନ୍ଧନରୁ ମୁକ୍ତ ନ ହେଉ, ତେବେ ଆତ୍ମଜ୍ଞାନ ଲାଭ କରିପାରିବା ନାହିଁ। ଆମେ ହେଉଛୁ ମାନବିକତା, ପଶୁପ୍ରବୃତ୍ତି ଓ ଦିବ୍ୟରଶ୍ମି- ଏହି ତିନୋଟି ଉପାଦାନର ଏକ ସମ୍ମିଶ୍ରଣ। ସେ ଏକ ସୀମିତ ବୁଦ୍ଧି, ଏକ କ୍ଷୟଶୀଳ ଶରୀର, ସ୍ବଳ୍ପଜ୍ଞାନ ଓ ସାମାନ୍ୟ ଶକ୍ତିର ଅଧିକାରୀ। ସ୍ପଷ୍ଟତଃ ଏହିତକ ନେଇ ହିଁ ତା’ର ଆମର ପ୍ରକୃତି ଗଠିତ। କାମ, କ୍ରୋଧ, ଘୃଣା ଆଦି ବିକୃତି ଆମର ପଶୁ ପ୍ରକୃତି ଅନ୍ତର୍ଭୁକ୍ତ। ଆମ ବୁଦ୍ଧି ପଛରେ ମହାଜାଗତିକ ମେଧାର ପ୍ରତିବିମ୍ବ ଲାଗି ରହିଥାଏ। ତେଣୁ ଆମେ ଈଶ୍ୱରଙ୍କର ଏକ ପ୍ରତିକୃତି। ଯେତେବେଳେ ଆମର ପାଶବିକ ପ୍ରବୃତ୍ତିର ବିନାଶ ଘଟେ, ଯେତେବେଳେ ତା’ର ଅଜ୍ଞତା ନଷ୍ଟ ହୋଇଯାଏ, ଯେତେବେଳେ ଆମେ ଆଘାତ ଓ ଅପମାନ ସହ୍ୟ କରିବାକୁ ସକ୍ଷମ ହୋଇଥାଉ, ସେତେବେଳେ ଆମେ ଦିବ୍ୟ ହୋଇପାରୁ।
ଚାଷୀଟିଏ ଜମି ସଫା କରେ, ସମତୁଲ କରେ, ହଳ କରେ, ଖତ ଓ ସାର ଦିଏ, ବିହନ ବୁଣେ, ପାଣି ମଡ଼ାଏ, ବେଉଷଣ କରେ; ଏସବୁ ପରେ ଫସଲ ପାଚିଲା ପରେ ତାକୁ କାଟି ଶସ୍ୟ ଭାବରେ ଅମଳ କରିଥାଏ। ଏସବୁ ବିଭିନ୍ନ କାମ ସେ ଚାଷୀ ଜଣଙ୍କ ନିଜ ପେଟ ଚାଖଣ୍ଡକ ପାଇଁ କରିଥାଏ। ସେହିପରି ଆମମାନଙ୍କର ଲକ୍ଷ୍ୟ ହେବା ଉଚିତ ଯେ ଆମର ସବୁ ସୁଖ, ଦୁଃଖ, ଭୋକ, ଶୋଷ, ଆନନ୍ଦ, ନିରାନନ୍ଦ ପ୍ରଭୁ ସାକ୍ଷାତ୍‌କାର ପାଇଁ ସାହାଯ୍ୟ କରୁଥିବା ଗୋଟିଏ ପ୍ରବୃତ୍ତି ମାତ୍ର। ଏହି ମନୋଭାବ ନେଇ କର୍ମ କଲେ କର୍ମକୁ ପାପ ସ୍ପର୍ଶ କରିପାରିବ ନାହିଁ। କିନ୍ତୁ ଆମ୍ଭେମାନେ କରିଥାଉ କ’ଣ! ବାସ୍ତବରେ ଏହି ପାର୍ଥିବ କାମନାଗୁଡ଼ିକୁ ଖୁବ୍‌ ବଡ଼ ବୋଲି ମନେକରି ଜୀବନ ନିର୍ବାହ କରୁଥିବାରୁ ପରିଣାମ ସ୍ବରୂପ ଦୁଃଖ ପାଇଥାଉ। ଶାନ୍ତି ପାଇବା ଅସମ୍ଭବ ହୋଇ ଉଠିଥାଏ।
ଚରିତ୍ର ହିଁ ମହାଶକ୍ତି। ଆମେ ଗୋଟିଏ ମଧୁର ଓ ଉତ୍ତମ ଚରିତ୍ରର ଅଧିକାରୀ ହେବା ଉଚିତ। କାରଣ ଆମ ଦେହର ମୃତ୍ୟୁ ହେଲେ ମଧ୍ୟ ଆମ ଭିତରେ ଥିବା ଗୁଣର ମରଣ ହୋଇନଥାଏ। ସଦ୍‌ଗୁଣ ଆମମାନଙ୍କର ବଳ ଓ ଗୌରବ। ଏଥିପାଇଁ ଭଗବାନ୍‌ଙ୍କ ସାକ୍ଷାତ୍‌କାର ନିମିତ୍ତ ଚରିତ୍ରକୁ ଉତ୍ତମ ରୂପେ ଗଠନ କରି ତା’ର ସଦ୍‌ବ୍ୟବହାର କରିବା। ଏହା ହିଁ ଯଥାର୍ଥ ଦିବ୍ୟ ଜୀବନ ଓ ଆଧ୍ୟାତ୍ମିକ ସାଧନା। ବିନୟ, ସହୃଦୟତା ଏକତ୍ୱ ଉପରେ ଭାରତୀୟ ସଂସ୍କୃତି ଆଧାରିତ। ବିଳାସପୂର୍ଣ୍ଣ ଜୀବନଧାରା ବା ବିଳାସବ୍ୟସନ ପାଇଁ ଦୌଡ଼ ଲଗାଇଲେ ଶୀଘ୍ର ପତନ ଘଟେ। ପ୍ରାଚୀନ ମୁନି ଋଷି ଏଥିପାଇଁ ସରଳ ଜୀବନଯାପନ ଦ୍ୱାରା ଉଚ୍ଚ ଅଭିଳାଷ ପୋଷଣ ଜୀବନର ଲକ୍ଷ୍ୟ ବୋଲି ଘୋଷଣା କରିଛନ୍ତି। ଏହା ସୁଖ ଓ ଶାନ୍ତିମୟ ଜୀବନଯାପନର ଚାବିକାଠି।
ଯଥାର୍ଥରେ ଆମ ସମସ୍ତଙ୍କ ପାଇଁ ଆମେ ସମସ୍ତେ ଏକ ଓ ସେହି ବିଶ୍ୱନିୟନ୍ତାଙ୍କ ସନ୍ତାନସନ୍ତତି ମଣି କିଛି କିଛି ତ୍ୟାଗ ସ୍ବୀକାର କରିବାକୁ ପଡ଼ିବ। ହୃଦୟ ପବିତ୍ରତା, ନିର୍ମଳତା ଓ ପ୍ରେମ ପ୍ରବାହରେ ପ୍ଳାବିତ ହୋଇଥିବା କଥା। ଶ୍ରୀସତ୍ୟସାଇ ସେବା ସୁଯୋଗର ଦିବ୍ୟ ଅବସର ଆମ୍ଭମାନଙ୍କୁ ପ୍ରଦାନ କରିଛନ୍ତି। ନିଃସ୍ବାର୍ଥପର ଭାବରେ ଅନ୍ୟର ଦୁଃଖ, ଯନ୍ତ୍ରଣା ଓ ଅଭାବ ଲାଘବ କରିବା ହେଉଛି ଏକ ମହତ୍‌ କର୍ମ। ଭଗବାନ କୁହନ୍ତି, ବୁବୁକ୍ଷୁଠାରେ ଖାଦ୍ୟରୂପୀ ଭଗବାନ ରୁଗ୍‌ଣକୁ ଔଷଧରୂପୀ ଭଗବାନ, ବସ୍ତ୍ରହୀନକୁ ବସ୍ତ୍ରାରୂପୀ ଭଗବାନ ଓ ତୃଷାର୍ଥକୁ ଜଳରୂପା ଭଗବାନ ପହଞ୍ଚାଇ ଦିଅ। ପ୍ରତ୍ୟେକ ଅସହାୟ ବ୍ୟକ୍ତିର ହୃଦୟ ହେଉଛି ଭଗବାନଙ୍କର ମନ୍ଦିର; ଯେଉଁଠି ଆମେ ସେବା ରୂପକ ନୈବେଦ୍ୟ ଅର୍ପଣ କରିପାରିବା।

କିଶୋର କୁମାର ଜେନା

ଆଇନଜୀବୀ, ଓଡ଼ିଶା ହାଇକୋର୍ଟ,
ବଙ୍ଗାଳୀ ସାହି, କଟକ
ମୋ: ୭୩୭୭୪୩୯୦୭୭

 

Dharitri – Odisha’s No.1 Odia Daily

Share