ଅଟକାଇବାରୁ ଦଳିଦେଲା ଟ୍ରକ

ଚଣ୍ଡିଖୋଲ,୮ା୧୦(ଡି.ଏନ.ଏ.): ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକଠାରେ ଶୁକ୍ରବାର ରାତିରେ ଟ୍ରକ୍‌ ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାରିପଦା ଅଞ୍ଚଳର ସଞ୍ଜୟ କୁମାର ଖିଲାର।
ସୂଚନାନୁସାରେ, ସଞ୍ଜୟ ଓ ତାଙ୍କ ସ୍ତ୍ରୀ ଏକ କାର୍‌ ଯୋଗେ କଟକରୁ ବାରିପଦା ଅଭିମୁଖେ ଯାଉଥିଲେ। ଛତିଆ ନିକଟରେ ତାଙ୍କ କାର୍‌କୁ ଏକ ଟ୍ରକ୍‌ ସାଇଡ୍‌ ମାରିଥିଲା। ଫଳରେ ସଞ୍ଜୟ ଆସି ଚଣ୍ଡିଖୋଲ ଟ୍ରାଫିକ୍‌ ଛକଠାରେ କାର୍‌ ରଖି ଟ୍ରକ୍‌କୁ ଅପେକ୍ଷା କରିଥିଲେ। ଟ୍ରକ୍‌ଟି ଆସିବାରୁ ସେ ଅଟକାଇବା ପାଇଁ ଆଗକୁ ଚାଲି ଯାଇଥିଲେ। ଏହି ସମୟରେ ଟ୍ରକ୍‌ଟି ଅଟକିବା ପରିବର୍ତ୍ତେ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ସଞ୍ଜୟଙ୍କ ମୃତ୍ୟୁ ଘଟିଥିଲା। ଚଣ୍ଡିଖୋଲ ଫାଣ୍ଡି
ପୋଲିସ ଟ୍ରକ୍‌କୁ ଜାରକା ନିକଟରୁ ଜବତ କରି ତଦନ୍ତ ଚଳାଇଛି।