ବୃକ୍ଷ ହିଁ ଭରସା

ଡ.ଜୟକୃଷ୍ଣ ପାଣିଗ୍ରାହୀ

ଛାୟାମନ୍ୟସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ବୟମାତପେ। ଫଳାନ୍ୟାପି ପରାର୍ଥାୟ ବୃକ୍ଷାଃ ସତ୍ପୁରୁଷାଃ ଇବ।“ ଅର୍ଥାତ୍‌ ବୃକ୍ଷଗୁଡ଼ିକ ନିଜେ ଜ୍ୱଳନ୍ତ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପରେ ଜର୍ଜରିତ ହେଉଥିଲା ବେଳେ ଅନ୍ୟମାନଙ୍କୁ ସୁଶୀତଳ ଛାୟା ପ୍ରଦାନ କରନ୍ତି। ସେମାନଙ୍କର ଫଳ, ପୁଷ୍ପ ଇତ୍ୟାଦି ସବୁ କିଛି ଅନ୍ୟମାନଙ୍କ ସେବା ନିମନ୍ତେ ଉଦ୍ଦିଷ୍ଟ I ଏହା ହେଉଛି ବୃକ୍ଷ ଏବଂ ପରୋପକାରୀ, ମହତ୍‌ ବ୍ୟକ୍ତିମାନଙ୍କର ଲକ୍ଷଣ। ଉପନିଷଦର ଏହି ଶ୍ଳୋକଟି ବୃକ୍ଷର ବଦାନ୍ୟତାର ବିଶାଳତାକୁ ପରିପ୍ରକାଶ କରେ। କଲିକତା କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ଟି.ଏମ୍‌. ଦାସ ୧୯୮୦ରେ ପଚାଶ ବର୍ଷ ବଞ୍ଚତ୍ଥିବା ଏକ ପୂର୍ଣ୍ଣକାୟ ବୃକ୍ଷର ମୂଲ୍ୟାୟନ କରି ବ୍ୟକ୍ତ କରିଥିଲେ ଯେ, ଏହା ୨.୫ ଲକ୍ଷ ଟଙ୍କା ମୂଲ୍ୟର ଅମ୍ଳଜାନ ସୃଷ୍ଟି, ୫ ଲକ୍ଷ ଟଙ୍କାର ବାୟୁ ବିଶୁଦ୍ଧୀକରଣ, ୩ ଲକ୍ଷ ଟଙ୍କାର ଜଳଚକ୍ର ନିୟନ୍ତ୍ରଣ, ୨.୫ ଲକ୍ଷ ଟଙ୍କାର ମୃତ୍ତିକା ସଂରକ୍ଷଣ, ୨.୫ ଲକ୍ଷ ଟଙ୍କାର ପଶୁପକ୍ଷୀମାନଙ୍କୁ ବାସସ୍ଥଳୀ ଯୋଗାଣ ଏବଂ ୨୦ ହଜାର ଟଙ୍କାର ଖାଦ୍ୟ ପ୍ରଦାନ କରେ। ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ଏହି ପରିମାଣ ସମ୍ପ୍ରତି ୧.୫ କୋଟି ଟଙ୍କାରୁ ଅଧିକ ହେବ। ବୃକ୍ଷର ଉଭୟ ଦ୍ରବ୍ୟ ଓ ସେବା ପ୍ରଦାନର ଏପରି ମହାନ୍‌ ଅବଦାନ ନିଜ ପରିବେଶ ଓ ପ୍ରକୃତି ପ୍ରତି ଅସମ୍ବେଦନଶୀଳ ପାଲଟିଥିବା ମଣିଷ ନିମନ୍ତେ ଶିକ୍ଷାଲାଭର ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ। କାରଣ ସଭ୍ୟତା ଆରମ୍ଭରୁ କୃଷି, ଶିଳ୍ପ, ଖଣିଖାଦାନ, ବସତି ସ୍ଥାପନ, ପଶୁପାଳନ ଇତ୍ୟାଦି ନିମନ୍ତେ ପୃଥିବୀକୁ ସବୁଜିମା ପ୍ରଦାନ କରୁଥିବା ଅର୍ଦ୍ଧେକ ଗଛ ମାନବୀୟ ନୃଶଂସତାର ଶିକାର ହୋଇ ବିଲୁପ୍ତ ହୋଇ ସାରିଛନ୍ତି।
ବିଶ୍ୱ ଦୃଶ୍ୟପଟକୁ ବିଚାର କଲେ ଏବେ ବାର୍ଷିକ ୧ କୋଟି ହେକ୍ଟର ହାରରେ ପୃଥିବୀରୁ ଜଙ୍ଗଲ ସମ୍ପଦ ହ୍ରାସ ଘଟୁଥିବାର ‘ବିଶ୍ୱ ଜଙ୍ଗଲର ସ୍ଥିତି- ୨୦୨୦’ରୁ ଲବ୍ଧ ତଥ୍ୟ ପ୍ରକାଶ କରିଛି I ଏପରିକି ୨୦୨୦ରେ ସମଗ୍ର ବିଶ୍ୱ କୋଭିଡ୍‌-୧୯ ମହାମାରୀ ସଂକ୍ରମଣରେ ଭୀତତ୍ରସ୍ତ ହୋଇଥିଲେ ମଧ୍ୟ ବ୍ରାଜିଲର ଆମାଜନ ପରି ବିଶ୍ୱର ୪.୨ ନିୟୁତ ହେକ୍ଟର ପୁରାତନ ଅଭିବୃଦ୍ଧ ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲ ହରାଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୨% ଅଧିକ I ବିଶ୍ୱ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ମୂଳ କାରଣ ହୋଇଥିବା କୋଇଲା ପରି ଜୀବାଶ୍ମ ଇନ୍ଧନର ଜାଳେଣି ଏବଂ ଜଙ୍ଗଲ ବିନାଶ ପ୍ରକ୍ରିୟାରେ ଅଙ୍ଗାରକ (ସବୁଜଗୃହ ବାଷ୍ପ) ନିର୍ଗମନ ମଧ୍ୟ ସମ୍ପ୍ରତି ସର୍ବକାଳୀନ ଶୀର୍ଷରେ ପହଞ୍ଚତ୍ଛି। ମୁଖ୍ୟ କାରକ ଅଙ୍ଗାରକାମ୍ଳର ପରିମାଣ ଶିଳ୍ପ ବିପ୍ଳବ ପୂର୍ବରୁ ୨୮୦ ପି.ପି.ଏମ୍‌. (ପ୍ରତି ନିୟୁତରେ କେତେ ଅଂଶ) ଥିଲାବେଳେ ଏହା ସମ୍ପ୍ରତି ୪୨୦ ପି.ପି.ଏମ୍‌.ରେ ପହଞ୍ଚତ୍ଲାଣି। ଏପରି ସ୍ଥିତିରେ ସ୍ଥଳଭାଗର ମୁଖ୍ୟ ଅଙ୍ଗାରକ ଶୋଷଣକାରୀ ଏବଂ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷର ସଂଖ୍ୟା ଓ ଜଙ୍ଗଲର ଆକାରରେ ଯଦି ହ୍ରାସ ଘଟିଚାଲେ, ତେବେ ପରିସ୍ଥିତି ଆଗକୁ ଯେ କେତେ ଭୟାନକ ପାଲଟିପାରେ ତାହା ଆମର କଳ୍ପନାତୀତ। ପୃଥିବୀର ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖି ଉଷ୍ମତାଜନିତ ବିପର୍ଯ୍ୟୟକୁ ରୋକିବା ନିମନ୍ତେ ପ୍ୟାରିସ୍‌ ଜଳବାୟୁ ରାଜିନାମା (୨୦୧୫)ରେ ସମ୍ମତି ପ୍ରଦାନ କରିଥିବା ବିଶ୍ୱର ୧୯୭ଟି ରାଷ୍ଟ୍ର ଏବେ ଏକ ପ୍ରଭୂତ ଆହ୍ବାନର ସମ୍ମୁଖୀନ ହେଉଛନ୍ତି I
ଏହି ଜଳବାୟୁ ଲକ୍ଷ୍ୟ ପୂରଣ କରିବାକୁ ବିଶ୍ୱ ୨୦୨୫ ସୁଦ୍ଧା ଏକ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ବାୟୁମଣ୍ଡଳରୁ ଅପସାରଣ କରିବା ଜରୁରୀ ବୋଲି ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ I ନିର୍ଗମନରେ ଏପରି ବିଶାଳ ହ୍ରାସ ପାଇଁ ଅନେକ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏକାନ୍ତ ଅପରିହାର୍ଯ୍ୟ ବୋଲି ବିଶ୍ୱାସ କରୁଛନ୍ତି। ମାତ୍ର ଅଙ୍ଗାରକାମ୍ଳର ଅପସାରଣ ନିମନ୍ତେ ବୃକ୍ଷ ଏକ ବଳିଷ୍ଠ ପଦକ୍ଷେପ ନେବ। ଏହାସହିତ ଜୈବବିବିଧତା ଏବଂ ପରିବେଶର ସନ୍ତୁଳନକୁ ମଧ୍ୟ ସୁରକ୍ଷିତ ରଖିବ। ତେଣୁ ବିପୁଳ ସଂଖ୍ୟାରେ ଚାରାରୋପଣ କରି ସବୁଜିମାରେ ବୃଦ୍ଧି ଘଟାଇବା ଏବଂ ଜଙ୍ଗଲ ପରିସଂସ୍ଥାକୁ ସଂରକ୍ଷିତ କରିବା ଆମ ବିଜ୍ଞତାର ପରିମାପକ ହେବ।
ସରକାର, ବେସରକାରୀ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ସମସ୍ତଙ୍କ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଛି I ବିପର୍ଯ୍ୟୟର ତୀବ୍ରତା ହ୍ରାସ ନିମନ୍ତେ ଉପକୂଳରେ ଅଧିକ ହେନ୍ତାଳ ବନର ସୃଷ୍ଟି ମଧ୍ୟ ଜଙ୍ଗଲ ବିଭାଗ ଯୋଜନାରେ ଅନ୍ତର୍ଭୁକ୍ତ ହେବା ବାଞ୍ଛନୀୟ। ତେବେ ମୁଖ୍ୟ ସମସ୍ୟା ହେଉଛି ରୋପିତ ଚାରାର ସୁରକ୍ଷା ଓ ରକ୍ଷଣାବେକ୍ଷଣର ଅଭାବ ଏବଂ ବଞ୍ଚତ୍ବାର ହାର ସମ୍ପର୍କରେ ସଠିକ୍‌ ତଥ୍ୟ ଉପଲବ୍ଧ ନହେବା I ପ୍ରତ୍ୟେକ ବର୍ଷ ଯେତେ ସଂଖ୍ୟାରେ ଚାରାରୋପଣ ହେଉଛି, ଯଦି ବଞ୍ଚତ୍ବାର ହାରରେ ୨୫ ଶତାଂଶ ସଫଳତା ମିଳନ୍ତା, ତେବେ ଦେଶ ହୁଏତ ସବୁଜିମାରେ ପରିପୂର୍ଣ୍ଣ ହୋଇ ସାରିଥାନ୍ତା। ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ ବିଶ୍ୱବିଦ୍ୟାଳୟର ଏମିରିଟସ ପ୍ରଫେସର ୱିଲିୟମ ବଣ୍ଡ ମତ ଦିଅନ୍ତି ଯେ, ଏପରି ବିଶାଳ ଦାବି ଉପରେ ସର୍ବଦା ସନ୍ଦେହ ପ୍ରକାଶ କରନ୍ତୁ I ଏହା ନିଶ୍ଚିତ ଯେ ବୃକ୍ଷରୋପଣ ଏକାନ୍ତ ରୂପେ ଜରୁରୀ। କିନ୍ତୁ ବାସ୍ତବିକ କେଉଁ ଗଛ, କେଉଁଠାରେ ଲଗାଯାଉଛି, ତାହା ଉପରେ ହିଁ ନଜର ଦିଅନ୍ତୁ। ଚାରାରୋପଣ ପ୍ରକଳ୍ପଗୁଡ଼ିକ ବୈଜ୍ଞାନିକ ପଦ୍ଧତି ଅନୁସରଣରେ ସଠିକ୍‌ ସ୍ଥାନରେ ସଠିକ୍‌ ସ୍ଥାନୀୟ ବୃକ୍ଷଜାତିକୁ ପ୍ରାଧାନ୍ୟ ଦେଇ ତଥା ସ୍ଥାନୀୟ ସମ୍ପ୍ରଦାୟର ସକ୍ରିୟ ଯୋଗଦାନରେ କାର୍ଯ୍ୟକରୀ ହେବା ଆବଶ୍ୟକ। ୨୦୦୬ରେ ଆରମ୍ଭ ହୋଇଥିବା ‘ବିଲିୟନ ବୃକ୍ଷ ଅଭିଯାନ’କୁ ରୂପାନ୍ତରିତ କରି ବିଶ୍ୱ ଅର୍ଥନୈତିକ ଫୋରମ୍‌ ଜାତିସଂଘର ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି (୨୦୨୧-୨୦୩୦)କୁ ସମର୍ଥନ ଯୋଗାଇବା ଉଦ୍ଦେଶ୍ୟରେ ୨୦୨୦ରେ ‘ଟ୍ରିଲିୟନ ବୃକ୍ଷ’ ପରିଯୋଜନାର ଶୁଭାରମ୍ଭ କରିଛି। ଆଜିର ଏହି ବର୍ଦ୍ଧିତ ପୁନର୍ବନୀକରଣ ଉତ୍ସାହ ବିଶ୍ୱତାପନ ପ୍ରତି ବିଶ୍ୱସ୍ତରୀୟ ଚିନ୍ତା ପ୍ରକଟର ଗମ୍ଭୀରତାକୁ ପ୍ରତିଫଳିତ କରୁଛି I ଏକ ଟ୍ରିଲିୟନ ଗଛର ସାମର୍ଥ୍ୟ ଅଛି ବର୍ତ୍ତମାନର ବାୟୁମଣ୍ଡଳୀୟ ଅଙ୍ଗାରକ ଭଣ୍ଡାରର ୨୫% ସମକକ୍ଷକୁ ପୁନରୁଦ୍ଧାର କରିବାର, ଯାହା ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀରେ ସୀମିତ ରଖିବାର ପ୍ୟାରିସ୍‌ ଚୁକ୍ତିର ଲକ୍ଷ୍ୟକୁ ହାସଲ କରିପାରିବ।
ଆଶ୍ୱସ୍ତିର ବିଷୟ ହେଉଛି, ଜନମାନସରେ କ୍ରମେ ପରିବେଶ ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ପ୍ରତିବଦ୍ଧତା ଏବଂ ନ୍ୟାୟିକ ବ୍ୟବସ୍ଥା ନିର୍ବାହ କରୁଥିବା ସକ୍ରିୟ, ରକ୍ଷାକବଚର ଭୂମିକା I ମଥୁରାରେ କୃଷ୍ଣ ଗୋବର୍ଦ୍ଧନ ସଡ଼କ ପ୍ରକଳ୍ପ ପରିପ୍ରେକ୍ଷୀରେ ୨,୯୪୦ଟି ଗଛ କାଟିବା ଲାଗି ଉତ୍ତରପ୍ରଦେଶ ସରକାର ଏବଂ ୟୁପି ବ୍ରିଜ୍‌ କର୍ପୋରେଶନ ଦ୍ୱାରା ଦାଏର ଆବେଦନର ୨୦୨୦ ଡିସେମ୍ବରରେ ଶୁଣାଣି ଅବସରରେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପ୍ରଶ୍ନ ଉତ୍ଥାପନ କରିଥିଲେ ଯେ, ବୃକ୍ଷର ସୁରକ୍ଷା ନିମନ୍ତେ ରାସ୍ତାଗୁଡ଼ିକ କାହିଁକି ଅଙ୍କାବଙ୍କା ଢଙ୍ଗରେ ନିର୍ମାଣ ନ ହେବ? ମୋଟରଯାନର ଗତି ନିୟନ୍ତ୍ରିତ ହେବ ଏବଂ ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ। ଗଛର ମୂଲ୍ୟ କେବଳ କାଠର ମୂଲ୍ୟ ଆଧାରରେ କରାଯାଇ ପାରିବ ନାହିଁ। ଏହାର ଅବଶିଷ୍ଟ ଜୀବନର ପୂର୍ଣ୍ଣ ମୂଲ୍ୟାୟନ ନିମନ୍ତେ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଏପରି ନ୍ୟାୟିକ ଦୃଷ୍ଟାନ୍ତ ନିଶ୍ଚିତ ରୂପେ ସମାଜର ମାନସିକତା ପରିବର୍ତ୍ତନରେ ପଥ ପ୍ରଦର୍ଶକର ଭୂମିକା ନିର୍ବାହ କରିବ, କେବଳ ବୃକ୍ଷ ନିମନ୍ତେ ନୁହେଁ, ସମଗ୍ର ପ୍ରକୃତି ଓ ପରିବେଶର ସୁରକ୍ଷା ଦିଗରେ। ବିଶ୍ୱ ପରିବେଶ ସଙ୍କଟକୁ ପ୍ରତିହତ କରିବା ପାଇଁ ଯେତେବେଳେ ବହୁଳ ବୃକ୍ଷରୋପଣର ଆବଶ୍ୟକତା ରହିଛି, ସେତେବେଳେ ବିଭିନ୍ନ କାର୍ଯ୍ୟ ନିମନ୍ତେ ବୃକ୍ଷଛେଦନ ଏବଂ ଜଙ୍ଗଲ ନିଆଁ ପରି ବିନାଶକାରୀ ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରି ପୁରାତନ ବୃକ୍ଷସବୁକୁ ସୁରକ୍ଷିତ ରଖିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି I ଭବିଷ୍ୟତର ସୁରକ୍ଷା ଆମ ମାନସିକତାରେ ପରିବର୍ତ୍ତନ ତଥା ସମୟର ଆହ୍ବାନ ପରିପ୍ରେକ୍ଷୀରେ ଇଚ୍ଛାଶକ୍ତିର ଦୃଢ଼ତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri