ଯଶର ଫାଶ

ଯଦୁମଣି ପାଣିଗ୍ରାହୀ

ଯେଉଁମାନେ ସେମାନଙ୍କ ଜୀବଦ୍ଦଶାରେ ମଣିଷ ସମାଜର ହିତ ପାଇଁ କିଛି ସୁକର୍ମ କରି ଯଶକୀର୍ତ୍ତି ଅର୍ଜନ କରି ଯାଇଥାନ୍ତି, ସେମାନଙ୍କ ମୃତ୍ୟୁ ପରେ ବି ଏ ସମାଜ ସେମାନଙ୍କୁ ମନେ ରଖିଥାଏ। ସେମାନଙ୍କ ଅବର୍ତ୍ତମାନରେ ଏ ଜାତି ସେମାନଙ୍କୁ ସ୍ମରଣ କରିଥାଏ ।
ମୃତ୍ୟୁ ସିନା ସେମାନଙ୍କ ନଶ୍ୱର ଶରୀରକୁ ଗ୍ରାସ କରିଥାଏ ହେଲେ ସେମାନଙ୍କ ଯଶ କୀର୍ତ୍ତିକୁ ସାମାନ୍ୟତମ ମ୍ଳାନ କରି ପାରେନା। ଏମିତି ଅନେକ ମହାନ୍‌ ବ୍ୟକ୍ତି ଏ ସଂସାରରେ ଜନ୍ମ ନେଇଥିଲେ ଓ ଏବେ ବି ଅଛନ୍ତି; ଯେଉଁମାନେ ନିଜର ବ୍ୟକ୍ତିଗତ ସୁଖ ସ୍ବାଚ୍ଛନ୍ଦ୍ୟକୁ ପାଦରେ ଆଡ଼େଇ ଦେଇ ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟକୁ ନିଷ୍ଠାର ସହ ସଂପାଦନ କରିଥିଲେ ଓ ଆଜି ବି ଅନେକେ ନିରନ୍ତର ଓ ନିରବଚ୍ଛିନ୍ନ ଭାବେ କରି ଚାଲିଛନ୍ତି। ଆମ ସମସ୍ତଙ୍କ ହୃଦୟରେ ସେମାନେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥାନ୍ତି; ଯାହା ସର୍ବଦା ଜାଜ୍ୱଲ୍ୟମାନ ହୋଇ ରହିଥାଏ। ଏକଥା ସତ ଯେ, ଯଶ କୀର୍ତ୍ତି ଅର୍ଜନ କରିବା ଲକ୍ଷ୍ୟରେ କେହି କିଛି କରି ନ ଥାନ୍ତି। ବରଂ ସମଗ୍ର ମାନବ ସମାଜ ଲାଗି ସେମାନଙ୍କ ସୁକର୍ମ ସେମାନଙ୍କୁ ଯଶକୀର୍ତ୍ତିର ଅଧିକାରୀ କରାଇଥାଏ। ଯଶ କ୍ରୟବିକ୍ରୟର ସାମଗ୍ରୀ ନୁହେଁ କି ରାତାରାତି ଏହା ଅର୍ଜନ ମଧ୍ୟ କରାଯାଇ ନ ପାରେ। ଇଚ୍ଛା କରି କିମ୍ବା କାହାର ସୁପାରିସ ବଳରେ କେହି ଯଶଖ୍ୟାତିର ଅଧିକାରୀ ହୋଇପାରେନା। ଏଥିପାଇଁ ନିଷ୍ଠାପର ଓ ନିରବଚ୍ଛିନ୍ନ ସାଧନାର ଆବଶ୍ୟକତା ରହିଛି। ଯଶ ଖ୍ୟାତି ଅର୍ଜନ କରିବା ଲୋକେ ଈଶ୍ୱର ପ୍ରେରିତ ଓ ବିଧି ନିର୍ଦ୍ଧାରିତ। ସେହି ଅନୁସାରେ ମଣିଷ ଅତି ଛୋଟ ବେଳୁ ହିଁ ସେଥିପ୍ରତି ଆକୃଷ୍ଟ ହୋଇଥାଏ ଓ ସେହି ମାର୍ଗକୁ ଅନୁସରଣ କରିଥାଏ । ଆଜିକାଲି କିନ୍ତୁ ସମୟ ବଦଳି ଯାଇଛି। ଯଶ କୀର୍ତ୍ତି ଅର୍ଜନ କରିବାକୁ ସମସ୍ତେ ଆଜି ଯେମିତି ବ୍ୟାକୁଳ। ଯିଏ ଯେଉଁ ବାଟରେ ହେଉ ପଛକେ ଯଶ ଗୋଟାଇବା ଲକ୍ଷ୍ୟରେ ଅଛନ୍ତି। ଲେଖାଲେଖି କରୁଥିବା ମୋର ଜଣେ ବନ୍ଧୁଙ୍କ ଘରକୁ ଯିବା ଅବକାଶରେ ଯାହା ମୋତେ ସର୍ବାଧିକ ଦୃଷ୍ଟି ଆକର୍ଷଣ କଲା ଓ ମୋ ମନରେ କୌତୂହଳ ସୃଷ୍ଟି କରିଥିଲା ତାହା ହେଉଛି ତାଙ୍କ ଘର କାନ୍ଥରେ ଶୋଭା ପାଉଥିବା ଶତାଧିକ ମାନପତ୍ର। ସେ ଏସବୁ ବିଭିନ୍ନ ସଙ୍ଗଠନରୁ ପ୍ରାପ୍ତ ହୋଇଛନ୍ତି। ବନ୍ଧୁ ମୋର ଏଥିପାଇଁ ବେଶ୍‌ ଖୁସି ଓ ଗର୍ବିତ ମଧ୍ୟ ଥିଲେ। କିଛି ନ ହେଲେ ବି ମୃତ୍ୟୁ ପୂର୍ବରୁ ଏତକ ତ ସେ ଛାଡ଼ି ଦେଇ ଯିବେ, ଯାହା ତାଙ୍କୁ ଅନ୍ତତଃ କିଛି କାଳ ବଞ୍ଚାଇ ରଖିପାରିବ ବୋଲି ତାଙ୍କର ବଦ୍ଧମୂଳ ଧାରଣା ଥିଲା।
କେବଳ ମୋ ବନ୍ଧୁ କାହିଁକି ଆଜି ଅଧିକାଂଶ ଲୋକ ତୁଚ୍ଛା ପ୍ରଶଂସାପତ୍ର ତଥା ମାନପତ୍ର ଖଣ୍ଡେ ଯୋଗାଡ଼ କରି ଯଶ ଅର୍ଜନ କରିବାକୁ ନାନା ଭାବେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଜୀବନର ସକଳ ସୁଖ, ସୁବିଧା ଓ ଭୋଗବିଳାସ ଭିତରେ ବୁଡ଼ି ରହିଥିବା ମଣିଷକୁ ଯଦି ଶୁଖିଲାରେ କିଛି ଯଶ ବା ସୁନାମ ମିଳିପାରିଲା ତାହାଲେ କିଏ ବା କାହିଁକି ଏହାକୁ ହାତଛଡ଼ା କରିବ।
ଜୀବନର ସବୁ ଆବଶ୍ୟକତାକୁ ପୂରଣ କରିସାରିବା ପରେ ଶେଷରେ ଯଦି କିଛି ଯଶଖ୍ୟାତି ଅର୍ଜନ କରି ନ ହେଲା ତେବେ ଜୀବନ ଯୁଦ୍ଧରେ ନିଜକୁ ଦିଗ୍‌ବିଜୟୀ ବୋଲି କହିବାକୁ ସଙ୍କୋଚ ଲାଗିବ ଯେ। ଆଜିକାଲି ଯଶ ଅର୍ଜନ କରିବାକୁ ଲୋକଙ୍କ ଭିତରେ ରହିଥିବା ଉତ୍କଣ୍ଠା ତଥା ବ୍ୟାକୁଳତାର ସୁଯୋଗ ନେଇ ଅନେକ ସାହିତ୍ୟ ଓ ସାଂସ୍କୃତିକ ସଂସ୍ଥା ଓ ସଙ୍ଗଠନମାନ ଗଢ଼ି ଉଠୁଛି, ଯେଉଁଗୁଡ଼ିକ ସଦାସର୍ବଦା ଯଶ ପ୍ରଦାନ କରିବାକୁ ଫାଶ ବସାଇ ଶିକାରକୁ ଅପେକ୍ଷା କରିଛନ୍ତି। ଶିକାରୀଟିଏ ଯେମିତି ପଶୁପକ୍ଷୀଙ୍କୁ କବଳିତ କରିବାକୁ ଜାଲ ବିଛାଇ ଛକି ବସିଥାଏ ଠିକ୍‌ ସେମିତି ଉକ୍ତ ସଙ୍ଗଠନଗୁଡ଼ିକ ପୁରସ୍କାର ରଙ୍କୁଣା ମଣିଷ ଗୁଡ଼ାଙ୍କୁ ଫାଶରେ ପକାଇବାକୁ ଟାକି ବସିଛନ୍ତି। ଏହି ସଂସ୍ଥା ଓ ସଙ୍ଗଠନଗୁଡ଼ିକ ବର୍ଷର ବିଭିନ୍ନ ସମୟରେ ଉତ୍ସବ ଅନୁଷ୍ଠାନମାନ ଆୟୋଜନ କରାଇ ବିଭିନ୍ନ ନାମରେ ନାମିତ ପୁରସ୍କାର ପ୍ରଦାନ କରିଥାନ୍ତି। ସଭା, ଭାଷଣ ଓ ଆଲୋଚନା ଏସବୁ କେବଳ ନାମକୁମାତ୍ର। ସମ୍ବର୍ଦ୍ଧନା, ମାନପତ୍ର, ଉପାଧି ଓ ଉପଢୌକନ ପ୍ରଦାନ ହିଁ ମୁଖ୍ୟ ଉଦ୍ଦେଶ୍ୟ। ଗୋଟେ ଗୋଟେ ଜାଗାରେ ତ ମାନପତ୍ର ପାଉଥିବା ଲୋକଙ୍କ ସଂଖ୍ୟା ଏତେ ବେଶି ଯେ, ଏହାକୁ ସଭା କି ଆଲୋଚନାଚକ୍ର ନ କହି ମାନପତ୍ର ମେଳା ବୋଲି କହିଲେ ଅତ୍ୟୁକ୍ତି ହେବନି।
ଆଜିକାଲି କ଼ୁଆଡ଼େ ସଭାସମିତିରେ ଲୋକ ହେଉ ନ ଥିବାରୁ ମାନପତ୍ର ଅଭିଳାଷୀମାନେ ହିଁ ଶ୍ରୋତାଙ୍କ ଭୂମିକା ନିର୍ବାହ କରୁଛନ୍ତି। ତେଣୁ ଅପାତ୍ରରେ ହେଉ ପଛକେ ଏମାନଙ୍କ ହାତରେ ମାନପତ୍ର ଖଣ୍ଡେ ଧରାଇ ଦେବାରେ ଅସୁବିଧା କେଉଁଠି? ବିଭିନ୍ନ ସ୍ଥାନରେ ରହିଥିବା ଉକ୍ତ ସଂସ୍ଥା ଓ ସଙ୍ଗଠନର ଏଜେଣ୍ଟମାନେ ନିଜ ନିଜ ଅଞ୍ଚଳରୁ କିଛି କିଛି ଲୋକଙ୍କ ନାଁ ସୁପାରିସ କରିଥାନ୍ତି। ସେହି ଆଧାରରେ ଏମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ। ଗୋଟିଏ ଗୁଳିରେ ଦୁଇଟି ଶିକାର କଲା ଭଳି ଅଯୋଗ୍ୟ ଓ ଅନାମଧ୍ୟେୟଙ୍କୁ ତୁଚ୍ଛା ଯଶର ଅଧିକାରୀ କରାଇବା ସହ ଉକ୍ତ ସଂସ୍ଥା ଓ ସଙ୍ଗଠନଗୁଡ଼ିକ ସାଧାରଣରେ ନିଜର ସୁନାମ ବଢ଼ାଇବାକୁ ସକ୍ଷମ ହେଉଛନ୍ତି। ଏସବୁ ବେସରକାରୀ ସଂସ୍ଥା ଓ ସଙ୍ଗଠନକୁ ବାଦ୍‌ ଦେଲେ ସରକାରୀ ସ୍ତରରେ କଥାଟା ଟିକେ ଭିନ୍ନ। ଏ କ୍ଷେତ୍ରରେ ପୁରସ୍କାର ଆକାଂକ୍ଷୀମାନେ କୁଆଡ଼େ ପୁରସ୍କାର ହାତେଇବାକୁ ଫାଶ ତିଆରି କରୁଛନ୍ତି। ବିଭିନ୍ନ ଦିଗରୁ ଚାପ ସୃଷ୍ଟି କରାଯାଇ ଚୟନ କମିଟିର କର୍ମକର୍ତ୍ତାଙ୍କୁ ଫାଶରେ ପକାଇବାକୁ ଯୋଜନା କରୁଛନ୍ତି ଓ କେତେକାଂଶରେ ସଫଳ ବି ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବେଳେବେଳେ ସେହି ଫାଶରେ ସେମାନେ ନିଜେ ପଡ଼ି ଅଯଥା ନିନ୍ଦା ଓ ଅପବାଦକୁ ମୁଣ୍ଡରେ ମୁଣ୍ଡାଉଛନ୍ତି। ଶେଷରେ ଏତିକି କୁହାଯାଇପାରେ ଯେ, ତୁଚ୍ଛାଟାରେ ଯଶଖ୍ୟାତି ଅର୍ଜନ କରିବାକୁ ବ୍ୟାକୁଳ ହେଉଥିବା ଲୋକଙ୍କୁ ଏ ସମାଜ କେବେ ବି ମନେରଖିବନି । ସମୟ ଗର୍ଭରେ ଏମାନଙ୍କ ଯଶକୀର୍ତ୍ତି ଯେ ଦିନେ ନିଶ୍ଚିହ୍ନ ହୋଇଯିବ, ଏଥିରେ ସନ୍ଦେହ ନାହିଁ ।
ଶଂଖିଡ଼ା, ତିହିଡ଼ି, ଭଦ୍ରକ
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri