Categories: ଖେଳ

ସିଡ୍‌ନୀ ସିକ୍ସର୍ସକୁ ୨୫ହଜାର ଡଲାର ଜରିମାନା

ସିଡ୍‌ନୀ, ୨୩ା୧୧ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ରବିବାର ମହିଳା ବିଗ୍‌ ବାଶ୍‌‌ ଟିମ୍‌ ସିଡ୍‌ନୀ ସିକ୍ସର୍ସକୁ ୨୫,୦୦୦ ଆମେରିକୀୟ ଡଲାର ଜରିମାନା କରିଛି। ଏହି ଟିମ୍‌ ଟୁର୍ନାମେଣ୍ଟ ନିୟମ ଉଲ୍ଲଂଘନ କରି ଏହାର ଅଫିସିଆଲ ତାଲିକାଭୁକ୍ତ ନ ଥିବା ଜଣେ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଥିଲା। ସିଡ୍‌ନୀ ସିକ୍ସର୍ସ ଶନିବାର ମେଲବୋର୍ନ ରେନିଗେଡ୍ସ ବିପକ୍ଷ ସେମାନଙ୍କ ମ୍ୟାଚରେ ଫାଷ୍ଟ ବୋଲର ହେଲି ସିଲ୍‌ଭର ହୋମ୍ସଙ୍କୁ ଖେଳାଇଥିଲା। ଏହି ଖେଳାଳି ନିକଟରେ ପାଦ ଇଞ୍ଜୁରିରୁ ଆରୋଗ୍ୟ ଲାଭ କରିଥିଲେ। ସେ ଦଳକୁ ଫେରିଥିଲେ ମଧ୍ୟ ବିଗ୍‌ବାଶ୍‌ ଟେକ୍‌ନିକାଲ କମିଟି ଦ୍ୱାରା ଅନୁମୋଦନ ଲାଭ କରି ନ ଥିଲେ। ବିନା ଅନୁମୋଦନରେ ସିଲ୍‌ଭର ହୋମ୍ସ ବୈଷୟିକ ଦୃଷ୍ଟିକୋଣରୁ ସିଲେକ୍ସନ ପାଇଁ ଅଯୋଗ୍ୟ। ସିକ୍ସର୍ସ ଇନିଂସରେ ସିଲ୍‌ଭର ହୋମ୍ସ ବ୍ୟାଟିଂ କରିବାକୁ ଆସି ନ ଥିଲେ। ମାତ୍ର ଦ୍ୱିତୀୟ ଇିନଂସରେ ଫିଲ୍‌ଡକୁ ଯିବା ବେଳେ ତ୍ରୁଟି ନଜରକୁ ଆସିଥିଲା। ସିକ୍ସର୍ସ ଏହାର ତ୍ରୁଟି ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ ଦଳକୁ ଦଣ୍ଡବିଧାନ କରାଯାଇଥିଲା।

Share