୨୬ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ୟାସ’

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବାଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୪ ତାରିଖରେ ସାମୁଦ୍ରିକ ଝଡରେ ପରିଣତ ହେବ। ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଦେଇ ଆସନ୍ତା ୨୬ ତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରେ ଆଣ୍ଡାମାନ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାକୁ ୪୫ରୁ ୫୫ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବେଳେ ବେଳେ ଏହାର ବେଗ ଘଣ୍ଟା ପ୍ରତି ୭୫ କି.ମି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ୨୪ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗରର ଅଧିକାଂଶ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କି.ମି ବେଗରେ ବହିବ । ୨୫ ତାରିଖ ବେଳକୁ ଏହା ଆହୁରି ବଳଶାଳୀ ହୋଇ ସ୍ଥଳଭାଗ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମେ’ ୨୫ ତାରିଖ ରାତିରୁ ଓଡ଼ିଶାର ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କଟକ, ବାଲେଶ୍ୱର, ଭୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏପରିକି ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ହେବାର ମଧ୍ୟ ଆଶଙ୍କା ରହିଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୨୩ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।