ସରିତା ଆଜିକାଲି ଖାଲି ରାଗୁଛି। ପୂଜା ବଜାର ଯେତେ ପାଖେଇ ଆସୁଛି ସେ ଆହୁରି ରାଗୁଛି। ଲମ୍ବା ଲିଷ୍ଟ ଅଛି କିଣାକିଣି କରିବା ପାଇଁ। ହେଲେ ଦରମା ଦିନିକିଆ ଦୀପାବଳି ଭଳି ଚକମକିଆ। ତା’ ପରେ ଠନ୍ ଠନ୍ ଗୋପାଲ୍। ରମେଶ ବାବୁ ବହୁତ ବୁଝେଇଲେ କିନ୍ତୁ ସରିତାଙ୍କ ମୁଡ୍ କାହିଁ ଠିକ୍ ହେବାଭଳି ଲାଗୁନି। ଶେଷରେ ରାଗରେ ଗରଗର ରମେଶ ବାବୁ କହିଲେ, ”ଦେଖ ଆମ ଘରେ କାମ କରୁଛି ସେ ଦିପା, କେତେ କଷ୍ଟ କରୁଛି କହିଲ। ସେ ବି ହସିହସି ରହୁଛି ଆଉ ତମେ ସବୁବେଳେ ମୁହଁ ଫୁଲେଇଲ।“
ବାସ୍ ବେଲୁନ୍ଟା ଫାଟିଗଲା ସତେ। ”ଆଚ୍ଛା ! ହଁ, ସେ ତ ହସିବ। ସେମାନେ ଗରିବ। ତେଣୁ ସରକାରଙ୍କ ଦୟା ସେମାନଙ୍କ ଉପରେ ସବୁଠୁ ଅଧିକ। ଆଉ ଧନୀ ଲୋକଙ୍କ ତ’ ଅଭାବ ହିଁ ନାହିଁ। ଆମେ ତ ମଧ୍ୟବିତ୍ତ। ଆମେ ଶିକ୍ଷିତ। ଆମପାଇଁ କିଛି ସ୍କିମ୍ ନାହିଁ କି ରିହାତି ନାହିଁ।
ଏହି ବଡ଼ ସଂସାରରେ ସବୁଠାରୁ ବିଚିତ୍ର ଏବଂ କରୁଣ ଚରିତ୍ରଟି ହେଉଛି ‘ମଧ୍ୟବିତ୍ତ’। ଗରିବକୁ ସମସ୍ତେ ସହାନୁଭୂତି ଦେଖାନ୍ତି, ଧନୀକୁ ସମସ୍ତେ ସଲାମ କରନ୍ତି, ହେଲେ ଆମେ ମଧ୍ୟବିତ୍ତ ସତେ ଯେମିତି ସମାଜର ଏକ ଅଲୋଡ଼ା ‘ସାବତପୁଅ’। ନା ସେ ନିଜ ସ୍ବାଭିମାନ ଛାଡ଼ି କାହା ଆଗରେ ହାତ ପାତିପାରେ, ନା ନିଜ ପକେଟ୍ର ଶୂନ୍ୟତାକୁ ଲୁଚାଇ ଧନୀଙ୍କ ଭଳି ଚଳି ପାରେ। ସେ କେବଳ ଭିତରେ ଭିତରେ ଗୁମୁରି କାନ୍ଦେ ଏବଂ ବାହାରେ ଏକ ମେକ୍ଅପ୍ମରା ହସ ଫୁଟାଇ ବଞ୍ଚତ୍ବାର ଅଭିନୟ କରେ।
ସାବତପୁଅର ଭାଗ୍ୟ ଯେମିତି ସବୁବେଳେ ବଳକା ଆଉ ଅବହେଳାରେ କଟେ, ମଧ୍ୟବିତ୍ତର ଅବସ୍ଥା ଠିକ୍ ସେମିତି। ସରକାରୀ ଯୋଜନାର ପାଣି ପାଚେରି ଡେଇଁ ଯେତେବେଳେ ତଳକୁ ଆସେ, ସେତେବେଳେ ଗରିବ ଶ୍ରେଣୀ ପାଇଁ ମାଗଣା ଚାଉଳ, ମାଗଣା ବିଜୁଳି, ଘରତିଆରି ଅନୁଦାନ ଏବଂ ନାନା ପ୍ରକାର ଭତ୍ତାର ବ୍ୟବସ୍ଥା ଥାଏ। ଅନ୍ୟପଟେ ବଡ଼ ବଡ଼ ଶିଳ୍ପପତି ଓ ଧନୀକ ଶ୍ରେଣୀ ପାଇଁ ଟ୍ୟାକ୍ସ ରିବେଟ୍ ଏବଂ ବ୍ୟବସାୟିକ ସୁବିଧା ସୁଯୋଗର ଗାଲିଚା ପଡ଼ିଥାଏ। କିନ୍ତୁ ଏହି ଦୁଇ ଶ୍ରେଣୀର ମଝିରେ ଚାପି ହୋଇ ରହିଯାଏ ସାବତପୁଅ ଭଳି ମଧ୍ୟବିତ୍ତ। ସରକାରୀ ଯୋଜନା ପାଇଁ ସେ ଗରିବ ନୁହେଁ, ଆଉ ବ୍ୟାଙ୍କ ବାଲାନ୍ସ ହିସାବରେ ସେ ଧନୀ ନୁହେଁ। ତା’ ଭାଗରେ କେବଳ ପଡ଼େ ସଚ୍ଚୋଟତାର ସହ ଆୟକର ଦେବା ଏବଂ ପ୍ରତି ଜିନିଷରେ ଜିଏସ୍ଟି ଗଣିବା। ସେ ସମାଜର ରଥକୁ ଟାଣୁଥିବା ସେଇ ବଳଦ, ଯାହା ପିଠିରେ କୋରଡ଼ା ତ ପଡ଼େ, ହେଲେ ଦାନା ବେଳକୁ ମିଳେ ଶୁଖିଲା ନଡା।
ଗଁାରେ ଥିବା ସମ୍ପର୍କୀୟମାନେ ଭାବନ୍ତି ଆମେ ସବୁ ସହରରେ ରହୁଛୁ। ଗାଡିରେ ବୁଲୁଛୁ। ଆମ ପିଲେ ଇଂଲିଶ୍ କହୁଛନ୍ତି। ତା’ ମାନେ ଆମପାଖେ ବହୁତ ପଇସା।
ଏହି ସାବତପୁଅର ସବୁଠାରୁ ବଡ଼ ଶତ୍ରୁ ହେଉଛି ତାର ‘ସାମାଜିକ ପ୍ରତିଷ୍ଠା’ ବା ଲୋକଲଜ୍ଜା। ଗରିବ ଲୋକଟିଏ ବଜାରକୁ ଗଲେ ଦରଦାମ୍ ବଢ଼ିଲେ ପାଟିତୁଣ୍ଡ କରିପାରେ, ଲଢ଼ିପାରେ। କିନ୍ତୁ ମଧ୍ୟବିତ୍ତଟି ଦରଦାମ୍ ବୃଦ୍ଧିର ନିଅଁାରେ ପୋଡ଼ି ହେଉଥିଲେ ବି ପରିବା ଦୋକାନୀ ସହ ଦୁଇ ଟଙ୍କା ପାଇଁ କେଁ କଟର ହେବାକୁ ଲାଜ କରେ। ପାଖରେ ପଇସା ନ ଥିଲେ ବି ସେ ପଛରେ ପଡ଼ିଯିବା ଭୟରେ ପିଲାକୁ ଭଲ ଘରୋଇ ସ୍କୁଲରେ ପଢ଼ାଏ। ସ୍କୁଲ୍ ଫି, ବହିପତ୍ର ଏବଂ ଡ୍ରେସ୍ ବାବଦକୁ ହେଉଥିବା ମାସିକ ଖର୍ଚ୍ଚ ତା’ ଅଣ୍ଟା ଭାଙ୍ଗିଦିଏ, ତଥାପି ସେ କାହା ଆଗରେ ଦୁଃଖ ପ୍ରକାଶ କରିପାରେନାହିଁ। ମାସ ପହିଲାରେ ଦରମା ଆସିଲେ ରାଜା ଭଳି ଲାଗେ, କିନ୍ତୁ ୧୦ତାରିଖ ବେଳକୁ ଘରଭଡ଼ା, କ୍ଷୀରବାଲା, ପେପରବାଲା ଏବଂ ଗାଡ଼ି ଇଏମ୍ଆଇ ସାରିଲା ବେଳକୁ ବାଲାନ୍ସ ନିଲ୍।
ଉତ୍ସବ ପାର୍ବଣ ବେଳେ ଏହି ସାବତପୁଅର ସଂଘର୍ଷ ଦେଖିବା ଭଳି ହୁଏ। ନୂଆ କପଡ଼ା, ବନ୍ଧୁବାନ୍ଧବଙ୍କୁ ଉପହାର ଏବଂ ଘରର ରଙ୍ଗକାମ ଭିତରେ ସେ ନିଜ ପାଇଁ କିଛି କିଣିବାକୁ ଭୁଲିଯାଏ। ସମସ୍ତଙ୍କ ଖୁସି ପାଇଁ ସେ କ୍ରେଡିଟ୍ କାର୍ଡ ବ୍ୟବହାର କରେ କିମ୍ବା କାହାଠାରୁ ହାତଉଧାର ଆଣେ। ରୋଗବ୍ୟାଧି ବେଳେ ତା’ର ଅବସ୍ଥା ଆହୁରି ଶୋଚନୀୟ । ସରକାରୀ ମାଗଣା ଚିକିତ୍ସା କାର୍ଡ ତା’ ପାଖରେ ନ ଥାଏ, ଆଉ ବଡ଼ କର୍ପୋରେଟ୍ ହସ୍ପିଟାଲର ବିଲ୍ ଦେବାର ସାମର୍ଥ୍ୟ ବି ନ ଥାଏ। ସେ ଜୀବନ ସାରାର ସଞ୍ଚତ୍ତ ପୁଞ୍ଜିକୁ ମେଡିକାଲ୍ କାଉଣ୍ଟରରେ ଢାଳିଦେଇ ପୁଣି ପକେଟ୍ ଖାଲି।
ଶିକ୍ଷା ଓ ଚାକିରିରେ ମଧ୍ୟ ସେହି କଥା। ସରକାରୀ ନିଯୁକ୍ତି ଓ ପେସାଗତ କଲେଜରେ ସଂରକ୍ଷଣ ଥିବାରୁ ସାଧାରଣ ଶ୍ରେଣୀର ଯୋଗ୍ୟ ପିଲା ଅଧିକ ନମ୍ବର ଆଣି ମଧ୍ୟ ସିଟ୍ ପାଇପାରେନି। ବେସରକାରୀ ଚାକିରିରେ ଅନିଶ୍ଚିତତା, କମ୍ ସୁରକ୍ଷା ଓ ପ୍ରତିଯୋଗିତା। ପିଲାକୁ ଡାକ୍ତର କି ଇଞ୍ଜିନିୟର କରିବାକୁ ଋଣ କରି ପଢ଼ାଇଲା ପରେ ମଧ୍ୟ ଚାକିରି ମିଳିବା ନିଶ୍ଚିତ ନୁହେଁ।
ସାମାଜିକ ଚାପ ଅଲଗା। ଶିକ୍ଷିତ ହେବା ମାତ୍ରେ ଆଶା ବଢ଼େ – ଭଲ ଘର, ବିବାହ, ପିଲାର ଇଂଲିଶ ସ୍କୁଲ୍, ବୃଦ୍ଧ ମା’ବାପାଙ୍କ ଯତ୍ନ। ଏହି ଆଶା ପୂରଣ କରିବାକୁ ଯେଉଁ ଆୟ ଦରକାର, ସେଥିରେ ଅଧିକାଂଶ ବେତନ ପହଞ୍ଚେ ନାହିଁ। ଏହା ପରେ ବି ଯଦି ତୁମେ କହିବ ହସି ଖୁସି ରୁହ, କେମିତି ରହିବି କୁହ !“ ରମେଶ ବାବୁ ଶ୍ରୀମତୀଙ୍କ କଥା ଶୁଣି ଶୁଣି ଭାବୁଥିଲେ ସତରେ ଆମେ ସମାଜର, ସରକାରଙ୍କ ସାବତପୁଅ?
ଚିନ୍ମୟୀ ପଣ୍ଡା
ଆଇଆର୍ସି ଭିଲେଜ,
ନୂଆପଲ୍ଲୀ, ଭୁବନେଶ୍ୱର
ମୋ:୯୮୬୧୧୯୧୯୬୯