ଉପାନ୍ତରେ ଓଡ଼ିଆ ଭାଷା ସ୍ଥିତି ସଙ୍କଟ

କେନ୍ଦ୍ରାପଡ଼ା ଅଫିସ, ୭ା୧: ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ସ୍ଥିତିକୁ ନେଇ ଗତ ୪ ତାରିଖରେ ଗୃହ କମିଟିର ସମୀକ୍ଷା ବୈଠକ ହୋଇଯାଇଛି। ଏଥିରେ ଉପାନ୍ତ ଅଞ୍ଚଳରେ ଏହାର ବ୍ୟବହାର କମି ଯାଉଥିବାରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। କେନ୍ଦ୍ରାପଡା ଜିଲାର ଉପାନ୍ତରେ ଏହି ଭାଷାର ସ୍ଥିତି ଏଥିରୁ ବାଦ ପଡିନାହିଁ। ରାଜନଗର ଓ ମହାକାଳପଡ଼ା ବ୍ଲକର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଓଡ଼ିଆ ଭାଷା ବିଲୁପ୍ତ ହେବାକୁ ବସିଛି। ପ୍ରାୟ ୯୦ ଭାଗ ଲୋକ ଓଡ଼ିଆ ବଦଳରେ ବଙ୍ଗଳାରେ କଥାବାର୍ତ୍ତା କରୁଛନ୍ତି। ଏପରି କି ବିଦ୍ୟାଳୟ ମଧ୍ୟରେ ଶିକ୍ଷାର୍ଥୀମାନେ ବଙ୍ଗଳାରେ ଭାବ ବିନିମୟ ହେଉଥିବା ଦେଖାଯାଉଛି।
ଏ ସମ୍ପର୍କରେ ରାଜନଗରର ପ୍ରତ୍ୟୁଷ ନାୟକ କୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଏହି ସଙ୍କଟଜନକ ସ୍ଥିତି ପାଇଁ ଅନୁପ୍ରବେଶ ଦାୟୀ। ୧୯୫୦ ମସିହାରେ ବାଂଲାଦେଶ ଗୃହଯୁଦ୍ଧ ସମୟରେ ୧୨୩୭ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲାରେ ଥଇଥାନ କରାଯାଇଥିଲା। ତେବେ ୨୦୧୧ ମସିହା ଜନଗଣନାରେ ଜିଲାର ବଙ୍ଗଭାଷୀଙ୍କ ସଂଖ୍ୟା ୭୮ ହଜାରରୁ ଊର୍ଦ୍ଧ୍ୱ ଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ବଙ୍ଗଭାଷୀଙ୍କ ମଧ୍ୟରୁ ଅଦ୍ୟାବଧି ୪୪ ହଜାରରୁ ଊର୍ଦ୍ଧ୍ୱ ଭୋଟ ପରିଚୟ ପତ୍ର ହାସଲ କରିଛନ୍ତି। ୨୦୦୫ ମସିହାରେ କେନ୍ଦ୍ର ସରକାରଙ୍କ ତାଗିଦା ପରେ ଅନୁପ୍ରବେଶକୁ ନେଇ ଏକ ସର୍ଭେ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ଏହି ତଦନ୍ତ ସମୟରେ ମହାକାଳପଡ଼ା ତହସିଲ ଅଞ୍ଚଳର ୧୫୫୧ ଜଣ, ପଟ୍ଟାମୁଣ୍ଡାଇର ୯୦ ଜଣ ଓ ରାଜନଗରର ୩୦ ଜଣ ଅନୁପ୍ରବେଶକାରୀ ବୋଲି ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ମହାକାଳପଡ଼ା ତହସିଲ ଅଞ୍ଚଳର ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ନୋଟିସ ଜାରି ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ ହୋଇନାହିଁ। ବହୁ ସମୟରେ ଅନୁପ୍ରବେଶ ସମ୍ପର୍କରେ ସୂଚନା ମିଳୁଥିଲେ ମଧ୍ୟ ଜିଲା ପ୍ରଶାସନ ଏ ନେଇ ତପତ୍ରତା ପ୍ରକାଶ କରୁନାହାନ୍ତି। ସେହିପରି ଭୋଟ ବ୍ୟାଙ୍କ ଭାଙ୍ଗିଯିବା ନେଇ ରାଜନେତାମାନେ ଚୁପ ରହୁଥିବା ନାୟକ ପ୍ରକାଶ କରିଛନ୍ତି। ରାଜନଗରର ତପନ କୁମାର କର କହିଛନ୍ତି, ୨୦୦୮ ଡିସେମ୍ବର ୯ରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁପ୍ରବେଶ ହେତୁ ଜିଲା ତଥା ଦେଶର ସୁରକ୍ଷା କିପରି ହେବ ବୋଲି ପ୍ରଶ୍ନ ହୋଇଥିଲା। ଏହାସତ୍ତ୍ୱେ ସ୍ଥାନୀୟ ଅଞ୍ଚଳରେ ଏହାର କୌଣସି ଫରକ ପଡିନାହିଁ। ଏହି ଦୁଇ ବ୍ଲକ ଅଞ୍ଚଳର ରାମନଗର, ସୁନିତି, ବାବର, ଡାଙ୍ଗମାଳ, ତାଳଚୁଆ, ଭେକ୍ଟା, ରଙ୍ଗଣୀ, ଗୁପ୍ତି, ଭିତରକନିକା, ଗହୀରମଥା, ବେଣାକନ୍ଦା, ଜମ୍ବୁ, ଖରିନାସୀ, ବତିଘର, ପିତାପାଟ, ଅହିରାଜପୁର, ବରଜି ବାହାକୁଦ, ଅମରାବତୀ, ମଞ୍ଜୁଳାପଲ୍ଲୀ, ଦୈତ୍ୟପ୍ରସାଦ, ରାନିପାଟଣା, ବୀରଭଞ୍ଜପୁର, ଭଞ୍ଜପ୍ରସାଦ, ଟିକାୟତନଗର, କୃଷ୍ଣନଗର, ରାଜେନ୍ଦ୍ରନଗର, କନକନଗର ଆଦି ଗ୍ରାମଗୁଡିକ ବଙ୍ଗଭାଷୀଙ୍କ ବସ୍ତି ହୋଇଛି। ବଙ୍ଗଭାଷୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଓଡ଼ିଆ ଭାଷାର ବ୍ୟବହାର କମୁଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ମହେଶ୍ୱର ଜେନା କହିଛନ୍ତି, ସାମ୍ପ୍ରତିକ ସମୟରେ ଓଡ଼ିଶାର ସଂସ୍କୃତି, ପରମ୍ପରା ବିଲୋପ ସହ ଓଡ଼ିଆ ଭାଷା ବିକୃତ ହେବାରେ ଲାଗିଛି। ଉପରୋକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକ ଓଡ଼ିଆ ଭାଷାରେ ଲେଖାପଢ଼ା ସହ କଥାବାର୍ତ୍ତା ପ୍ରତି ବିମୁଖ ହୋଇଛନ୍ତି। ବିଦ୍ୟାଳୟରେ ଛାତ୍ରୀଛାତ୍ର ବଙ୍ଗଳାରେ କଥାବାର୍ତ୍ତା ହେବା ସହ ବିଭିନ୍ନ ଦୋକାନରେ ବଙ୍ଗଳା ଭାଷାର ଧର୍ମପୁସ୍ତକ, ପଞ୍ଜିକା, କ୍ୟାଲେଣ୍ଡର ଆଦି ବିକ୍ରି ହେଉଛି। ସ୍ଥାନୀୟ ନେତା ଭୋଟରଙ୍କୁ ଆକୃଷ୍ଟ ପାଇଁ ବଙ୍ଗଳାରେ ଭାଷଣ ଦେଉଛନ୍ତି। ଏପରିସ୍ଥିରେ ଓଡ଼ିଆ ଭାଷା ଆସିବ କେଉଁଠୁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଗୃହ କମିଟି ସଦସ୍ୟ ତଥା ପୂର୍ବତନ ଜିଲାପାଳ ଦାଶରଥି ଶତପଥୀଙ୍କୁ ପଚାରିବାରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ସ୍ଥିତି ଦିନକୁଦିନ କମୁଛି। ଏହାର ଅନୁଧ୍ୟାନ ଓ ନିରାକରଣ ପାଇଁ ଗୃହ କମିଟି ସଦସ୍ୟମାନେ ଉପାନ୍ତ ଜିଲାଗୁଡିକ ଗସ୍ତ କରିବେ ବୋଲି ସ୍ଥିର କରାଯାଇଛି ବୋଲି ସେ କହିଛନ୍ତି।