ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ ଆମେ ଏହା ଜାଣିବାକୁ ପାଉ। ଅଶୋକଙ୍କ ଶିଳାଲେଖରେ ସେ ଶାସନ କରୁଥିବା ଅଞ୍ଚଳକୁ ଜମ୍ବୁଦ୍ୱୀପ କୁହାଯାଉଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାରେ ଶାସନ କରିଥିବା ଖାରବେଳ ଓଡ଼ିଶାର ଉତ୍ତରରେ ଥିବା ଏକ ଭୂଭାଗକୁ ଭାରତ ଭାବେ ଉଲ୍ଲେଖ କରିଥିଲେ। କିନ୍ତୁ ବ୍ରାହ୍ମଣ ଗ୍ରନ୍ଥଗୁଡ଼ିକ କ୍ରମାଗତ ଭାବେ ଏହାକୁ ‘ଆର୍ଯ୍ୟାବର୍ତ୍ତ’ ବୋଲି କହିଥିଲେ। ସେହି ଗ୍ରନ୍ଥଗୁଡ଼ିକରେ ପଞ୍ଜାବ ଅଞ୍ଚଳକୁ ବ୍ରହ୍ମାବର୍ତ୍ତ ବୋଲି କୁହାଯାଇଛି। ଏହା ଥିଲା ଗୁପ୍ତ ସରସ୍ବତୀ ନଦୀର ପ୍ରାଚୀନ ଭୂମି ଏବଂ ସେଠାରେ ପ୍ରାଚୀନକାଳରେ ଋଷିମାନେ ବାସ କରୁଥିଲେ ବୋଲି ବିଶ୍ୱାସ ଥିଲା। ଆର୍ଯ୍ୟାବର୍ତ୍ତର କେନ୍ଦ୍ର ଗଙ୍ଗା ନଦୀ ଉପତ୍ୟକାରେ ରହିଥିଲା ଏବଂ ସମୟକ୍ରମେ ଏହାର ସୀମା ବିସ୍ତାରିତ ହେଲା।
ଏହି ପ୍ରାଚୀନ ଆର୍ଯ୍ୟାବର୍ତ୍ତର ପୂର୍ବ ଦିଗରେ ବିହାରର ତେରାଇ ଅଞ୍ଚଳ ଏବଂ ଝାଡ଼ଖଣ୍ଡର ଶାଳ ଜଙ୍ଗଲ ମଧ୍ୟରେ ବୌଦ୍ଧ ଏବଂ ଜୈନ ଧର୍ମର ସନ୍ନ୍ୟାସୀ ସମ୍ପ୍ରଦାୟ ତଥା ମଠ ପରମ୍ପରାର ଅଭ୍ୟୁଦୟ ଘଟିଥିଲା। ଏହି ସ୍ଥାନରୁ ଧର୍ମୀୟ ଓ ଦାର୍ଶନିକ ସିଦ୍ଧାନ୍ତ ଦକ୍ଷିଣ ଭାରତ ଆଡ଼କୁ ପ୍ରସାରିତ ହୋଇଥିଲା। ସର୍ବପ୍ରଥମେ ଜୈନ, ତା’ପରେ ବୌଦ୍ଧ ଏବଂ ଶେଷରେ ହିନ୍ଦୁମାନେ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରିଥିଲେ।
ଉତ୍ତର ଭାରତର କେନ୍ଦ୍ରସ୍ଥଳରୁ ବୌଦ୍ଧ ଏବଂ ଜୈନଧର୍ମ ଦକ୍ଷିଣ ଦିଗକୁ ପ୍ରସାର ହେବା କେବଳ କିମ୍ବଦନ୍ତୀ ଆଧାରିତ ନୁହେଁ; ବରଂ ଏହାର ଦୃଢ଼ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ରହିଛି। ଉଭୟ ଧର୍ମ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଗାଙ୍ଗେୟ ସମତଳ ଅଞ୍ଚଳରୁ ସୃଷ୍ଟି ହୋଇଥିଲା। ହେଲେ କିଛି ଶତାବ୍ଦୀ ମଧ୍ୟରେ ଦାକ୍ଷିଣାତ୍ୟ ମାଳଭୂମି ଏବଂ ସୁଦୂର ଦକ୍ଷିଣରେ ସ୍ପଷ୍ଟ ଭାବରେ ମଧ୍ୟ ଏହାର ପ୍ରମାଣ ମିଳିଲା। ସର୍ବପ୍ରଥମେ ଶିଳାଲେଖରୁ ପ୍ରମାଣ ମିଳିଛି । ଏବର କର୍ନାଟକ ଏବଂ ଆନ୍ଧ୍ରପ୍ରଦେଶରେ ଥିବା ୟେରାଗୁଡ଼ି, ମାସ୍କି, ବ୍ରହ୍ମଗିରି, ସିଦ୍ଧାପୁର ଏବଂ ଜାଟିଙ୍ଗ-ରାମେଶ୍ୱରଠାରେ ଥିବା ଅଶୋକଙ୍କ ଶିଳାଲେଖଗୁଡ଼ିକରେ ଉତ୍ତର ଭାରତରେ ମିଳୁଥିବା ପ୍ରାକୃତ ଭାଷାର ଧମ୍ମ ବା ନୈତିକ ଓ ଆଚାର ସଂହିତା ବ୍ରାହ୍ମୀ ଲିପିରେ ଲେଖାଯାଇଛି। ମାସ୍କି ଶିଳାଲେଖ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ସିଧାସଳଖ ଅଶୋକଙ୍କ ନାମ ଉଲ୍ଲେଖ ରହିଛି । ଏହା ନିଶ୍ଚିତ କରେ ଯେ, ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ସୁଦ୍ଧା ମୌର୍ଯ୍ୟ ଯୁଗର ବୌଦ୍ଧଧର୍ମ ଦକ୍ଷିଣ ମାଳଭୂମିରେ ପହଞ୍ଚତ୍ ସାରିଥିଲା।
ସ୍ତୂପ ସ୍ଥାପତ୍ୟ ବୌଦ୍ଧଧର୍ମ ପ୍ରସାରର ପ୍ରମାଣ ଦିଏ। କୃଷ୍ଣା ନଦୀ କୂଳରେ ଥିବା ଅମରାବତୀ, ନାଗାର୍ଜୁନକୋଣ୍ଡା, ଭଟ୍ଟିପ୍ରୋଲୁ ଏବଂ ଜଗୟାପେଟାର ବୃହତ ସ୍ତୂପଗୁଡ଼ିକର ନିର୍ମାଣ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ଏଗୁଡ଼ିକରେ ସାଞ୍ଚତ୍ ଏବଂ ଭାରହୁତରେ ପ୍ରଥମେ ବିକଶିତ ହୋଇଥିବା ନିର୍ମାଣ ଶୈଳୀର ଅନୁକରଣ କରାଯାଇଥିବା ଜଣାଯାଏ। ଭଟ୍ଟିପ୍ରୋଲୁର ଅବଶେଷ ରଖାଯାଇଥିବା ବକ୍ସଗୁଡ଼ିକରେ କେତେକ ପୁରାତନ ଦକ୍ଷିଣାତ୍ୟ ବ୍ରାହ୍ମୀ ଶିଳାଲେଖ ରହିଛି, ଯେଉଁଥିରେ ସ୍ଥାନୀୟ ବ୍ୟବସାୟୀ ସଂଘଗୁଡ଼ିକର ଦାନ ବିଷୟରେ ଲିପିବଦ୍ଧ ଅଛି। ଏହା ପ୍ରମାଣ କରେ ଯେ, ଏହି ଧର୍ମକୁ ଗ୍ରହଣ କରାଯାଇଥିଲା, ଜୋରଜବରଦସ୍ତି କାହା ଉପରେ ଲଦି ଦିଆଯାଇ ନ ଥିଲା। ପଶ୍ଚିମଘାଟର ଗୁଣ୍ଟୁପାଲ୍ଲୀ, ଶଙ୍କରମର ପଥରକଟା ବୌଦ୍ଧ ବିହାର ଏବଂ କାର୍ଲେ, ଭାଜା ଓ କାନହେରୀରେ ଥିବା ଗୁମ୍ଫାଗୁଡ଼ିକ ଉତ୍ତର ଏବଂ ଦକ୍ଷିଣ ଭାରତ ମଧ୍ୟରେ ସମ୍ପର୍କ ସ୍ଥାପନ କରିଥିବା ମଠ ପରମ୍ପରାକୁ ଦର୍ଶାଏ।
ଜୈନ ପ୍ରତ୍ନତତ୍ତ୍ୱ ମଧ୍ୟ ଏକ ସମାନ୍ତରାଳ କାହାଣୀ ଦର୍ଶାଏ। ସିତ୍ତାନଭାସାଲ, କାଜୁଗୁମଲାଇ, ଆନାମଲାଇ ଏବଂ ମଦୁରାଇ ଆଖପାଖ ପାହାଡ଼ରେ ଥିବା ତାମିଲ-ବ୍ରାହ୍ମୀ ଗୁମ୍ଫା ଶିଳାଲେଖଗୁଡ଼ିକରେ (ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀ ମଧ୍ୟରେ) ଜୈନ ସନ୍ନ୍ୟାସୀମାନଙ୍କୁ ଦିଆଯାଇଥିବା ଉପହାର ସମ୍ପର୍କରେ ଲିପିବଦ୍ଧ ହୋଇଛି। ଏହା ସହ ପ୍ରାକୃତିକ ଗୁମ୍ଫାରେ ସେମାନଙ୍କ ପାଇଁ କଟାଯାଇଥିବା ପଥର ଶଯ୍ୟା ବିଷୟରେ ମଧ୍ୟ ବର୍ଣ୍ଣନା ଅଛି। ପାରମ୍ପରିକ ମତ ଅନୁଯାୟୀ, ମୌର୍ଯ୍ୟ ଯୁଗର ଏକ ଦୁର୍ଭିକ୍ଷ ସମୟରେ ଭଦ୍ରବାହୁ ଜୈନମାନଙ୍କୁ ନେଇ ଗଠିତ ଏକ ଦଳକୁ ଦକ୍ଷିଣ ଭାରତ ଆଡ଼କୁ ନେଇ ଯାଇଥିଲେ। କର୍ନାଟକର ଶ୍ରବଣବେଲଗୋଲାରେ ଥିବା ଗୋଟିଏ ପଥରରେ ନିର୍ମିତ ବାହୁବଳୀଙ୍କ ବିଶାଳ ମୂର୍ତ୍ତି ଏବଂ ଚନ୍ଦ୍ରଗିରି ଶିଳାଲେଖଗୁଡ଼ିକ ଏହି ସ୍ମୃତିକୁ ସୁରକ୍ଷିତ ରଖିଛି। ଶିଳାଲେଖ, ସ୍ତୂପ, ପଥରକଟା ଗୁମ୍ଫା ଏବଂ ଦାନ ସମ୍ପର୍କିତ ଖୋଦିତ ଲେଖାଗୁଡ଼ିକ ଦୁଇଟି ଉତ୍ତର ଭାରତୀୟ ଧର୍ମ ଦକ୍ଷିଣ ଭାରତରେ ବ୍ୟାପକ ହେବାର ଏକ ଅବିଚ୍ଛିନ୍ନ ପ୍ରମାଣ ଦେଇଥାଏ।
ହିନ୍ଦୁ ଧର୍ମ ବିଷୟରେ କ’ଣ ଘଟିଛି। ୫ମ ଶତାବ୍ଦୀ ପରେ ଦକ୍ଷିଣ ଭାରତରେ ଗଙ୍ଗା ଏବଂ ଯମୁନାଙ୍କ ମୂର୍ତ୍ତି ଆବିର୍ଭାବରୁ ଏହାର ପ୍ରମାଣ ମିଳିଥାଏ। ଗଙ୍ଗା ଓ ଯମୁନା ହେଉଛନ୍ତି ଉତ୍ତର ଭାରତର ନଦୀ ଯାହା ହିମାଳୟରୁ ପ୍ରବାହିତ ହୁଅନ୍ତି। ଚିତ୍ରକଳାରେ ଗଙ୍ଗାଙ୍କୁ ଏକ କୁମ୍ଭୀର ଉପରେ ଏବଂ ଯମୁନାଙ୍କୁ ଏକ କଇଁଛ ଉପରେ ବସିଥିବାର ଦେଖାଯାଏ। ୫୦୦ ଖ୍ରୀଷ୍ଟାବ୍ଦ ପରେ ଦକ୍ଷିଣ ଭାରତରେ ନିର୍ମିତ ମନ୍ଦିରଗୁଡ଼ିକର ଦ୍ୱାରବନ୍ଧରେ ଏହି ମୂର୍ତ୍ତିଗୁଡ଼ିକ ଦେଖାଯାଏ। ମନ୍ଦିରର ଶିଖର ବା ଚୂଡ଼ାକୁ ହିମାଳୟ ପର୍ବତମାଳାର ପ୍ରତୀକ ଭାବେ ଦେଖାଯାଉଥିଲା। ଦକ୍ଷିଣ ଭାରତର ଲୋକମାନେ କାହିଁକି ଉତ୍ତର ଭାରତୀୟ ଭୂଗୋଳକୁ ନିଜ ଧର୍ମୀୟ କଳାରେ ପୁନଃନିର୍ମାଣ କରୁଥିଲେ? କାରଣ ସେମାନଙ୍କୁ କୁହାଯାଇଥିଲା ଯେ ଦେବତାମାନେ ଉତ୍ତର ଭାରତରେ, ବିଶେଷକରି ଗଙ୍ଗା ଓ ଯମୁନା ମଧ୍ୟରେ ଏବଂ ହିମାଳୟରେ ବାସ କରନ୍ତି। ଏହାକୁ ଆର୍ଯ୍ୟାବର୍ତ୍ତ ବୋଲି ଗ୍ରହଣ କରାଯାଉଥିଲା। ଏହିପରି ଭାବରେ ଆର୍ଯ୍ୟମାନେ ଦକ୍ଷିଣ ଭାରତକୁ ଆସିଥିଲେ। ତେଣୁ ଆର୍ଯ୍ୟମାନଙ୍କର ପ୍ରବାସ ସିଦ୍ଧାନ୍ତ ବିଷୟରେ ଆଲୋଚନା କରିବା ସମୟରେ ଉତ୍ତର ଭାରତରୁ ଦକ୍ଷିଣ ଭାରତକୁ ହୋଇଥିବା ଦୀର୍ଘକାଳୀନ ସାଂସ୍କୃତିକ ଓ ଜନସାଂଖି୍ୟକ ଗତିବିଧିକୁ ମଧ୍ୟ ବିଚାର କରିବା ଆବଶ୍ୟକ। ଏହି ସମୟ ପୂର୍ବରୁ ଭାରତରେ କୌଣସି ଆର୍ଯ୍ୟ ନ ଥିଲେ ଏବଂ ଏହା ତୃଣଭୂମି ଅଞ୍ଚଳରୁ ସୃଷ୍ଟି ହୋଇଥିବା Y-DNA ହାପ୍ଲୋଗ୍ରୁପ R1a-Z 93 ଜିନ୍ରୁ ପ୍ରମାଣ ମିଳେ। ଏହା ଉତ୍ତର ଭାରତର ପ୍ରାୟ ପ୍ରତ୍ୟେକ ଲୋକଙ୍କଠାରେ ମିଳିଥାଏ, କିନ୍ତୁ ଦକ୍ଷିଣ ଭାରତର କେବଳ ସମ୍ଭ୍ରାନ୍ତ ବା ଉଚ୍ଚ ସମୁଦାୟରେ ଦେଖାଯାଏ।
କାର୍ତ୍ତିକେୟ କିପରି ନିଜ ପିତାଙ୍କ ସହ ଝଗଡ଼ା କରି ଦକ୍ଷିଣ ଭାରତକୁ ଚାଲିଯାଇଥିବାର ପୌରାଣିକ କାହାଣୀ ରହିଛି। ଅଗସ୍ତ୍ୟ ଋଷି ଦକ୍ଷିଣକୁ ଯାତ୍ରା କରିଥିଲେ ଏବଂ ବିନ୍ଧ୍ୟ ପର୍ବତ ନଇର୍ଁଯାଇ ତାଙ୍କ ପଥ ସହଜ କରିଥିବା କଥା ମଧ୍ୟ ରହିଛି। ଏହାସହ ପର୍ଶୁରାମ ଉତ୍ତର ଭାରତର ସମସ୍ତ କ୍ଷତ୍ରିୟଙ୍କୁ ହତ୍ୟା କରିବା ପରେ ଏକ ନୂତନ ବୈଦିକ ଦୁନିଆ ସୃଷ୍ଟି କରିବା ପାଇଁ ଦକ୍ଷିଣକୁ ଯାତ୍ରା କରିଥିବାର ପୌରାଣିକ କାହାଣୀ ରହିଛି। ମନୁସ୍ମୃତିରେ ଆର୍ଯ୍ୟାବର୍ତ୍ତର ବିସ୍ତୃତ ବର୍ଣ୍ଣନା ଅଛି। ସେଥିରେ କୁହାଯାଇଛି ଯେ, ଯେଉଁ ଭୂଖଣ୍ଡରେ କୃଷ୍ଣସାର ମୃଗ ବିଚରଣ କରନ୍ତି ସେହି ଅଞ୍ଚଳକୁ ଏହାର ଅଂଶ ଭାବେ ଧରାଯାଇଥିଲା । ପରବର୍ତ୍ତୀ ସମୟର ବିଷ୍ଣୁ ପୁରାଣରେ ଆର୍ଯ୍ୟାବର୍ତ୍ତକୁ ହିମାଳୟରୁ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ଭୂମି ଭାବେ ଦର୍ଶାଯାଇଛି, ଯାହା ପଶ୍ଚିମ ସମୁଦ୍ରରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ଭୂଭାଗକୁ ସୂଚାଉଥିଲା।
ବିନ୍ଧ୍ୟ ପର୍ବତମାଳା ପାଦଦେଶ ଅଞ୍ଚଳଗୁଡ଼ିକୁ ସେତେବେଳେ ଦୂର ବା ବିଦେଶୀ ଭୂମି ବୋଲି ମନେ କରାଯାଉଥିଲା ଏବଂ ସେହି ଅଞ୍ଚଳରେ ବ୍ରାହ୍ମଣମାନେ ବସବାସ କରୁ ନ ଥିଲେ। ପରେ ବ୍ରାହ୍ମଣମାନେ ସେଠାରେ ବସତି ସ୍ଥାପନ କରି କାନ୍ୟକୁବ୍ଜ (କନୌଜ) ଏବଂ କାଶୀକୁ ନିଜର ମୂଳ ଜନ୍ମଭୂମି ବୋଲି ମାନୁଥିଲେ। ରହସ୍ୟମୟ ନଦୀ ସରସ୍ବତୀ ମଧ୍ୟ ଥିଲା ସେମାନଙ୍କର ଆଉ ଏକ ଜନ୍ମଭୂମି । ଏହିସବୁ କାରଣରୁ ଏବେ ମଧ୍ୟ ଦକ୍ଷିଣ ଭାରତର ଅନେକ ମନ୍ଦିର ମାଳିନୀ ସହରକୁ ‘ଦକ୍ଷିଣ-କାଶୀ’ ଏବଂ ଅନେକ ପବିତ୍ର ନଦୀକୁ ‘ଦକ୍ଷିଣ-ଗଙ୍ଗା’ ଭାବରେ ବର୍ଣ୍ଣନା କରାଯାଏ। ଏହିସବୁ ନାମ ଓ ଧର୍ମୀୟ ପ୍ରତୀକ ଦର୍ଶାଏ ଯେ, ପ୍ରାୟ ୨୦୦୦ ବର୍ଷ ପୂର୍ବରୁ (ଯାହାକି ୮୦ ପିଢ଼ିର ଦୀର୍ଘ ସମୟ) ଉତ୍ତର ଭାରତରୁ ଦକ୍ଷିଣ ଭାରତକୁ ଧର୍ମୀୟ ସିଦ୍ଧାନ୍ତ ସ୍ଥାନାନ୍ତର ହୋଇ ଆସିଛି।
ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com