ବାଜେଲୋକଙ୍କ ଜୟଗାନ

ଚଣ୍ଡ ଘୃଣା ସହ ଅଜସ୍ର ବିରକ୍ତି ସୂଚକ ‘ବାଜେଲୋକ’ର ଏ ଉଚ୍ଚାରଣ ଯେଉଁ ଚରିତ୍ର ପାଇଁ ଅଭିପ୍ରେତ, ତାଙ୍କର ପୁଣି ଜୟଗାନ। ଜଣଙ୍କ ପ୍ରତି ଅତୃପ୍ତି ଓ ଅସନ୍ତୋଷ ସେତିକିି ଉତ୍କଟ ନ ହେଲେ ତାଙ୍କୁ ‘ବାଜେଲୋକ’ କହି ସାଧାରଣତଃ ନାକ ଟେକାଯାଏନା। ତାଙ୍କ ମୁହଁ ଉପରେ ହେଉ ଅବା ପଛରେ, ଯାହାଙ୍କ ପାଇଁ କଥକର ତୂଣୀରର ନିକ୍ଷିପ୍ତ ଏହି ଶାଣିତ ଶବ୍ଦଶର ଉଦ୍ଦିଷ୍ଟ ସେ ଯେ ସବୁବେଳେ ଏହି ଶରାଘାତରେ ଆହତ ହୁଅନ୍ତି। ତାହା ନୁହେଁ, କିଛିି ଲୋକଙ୍କ ମୋଟା ଚମଡ଼ା ଭେଦ କରୁ କରୁ ଶରମୁନ ବଙ୍କା ହୋଇଯାଏ ସିନା, ସେମାନେ ସେମାନଙ୍କ ବାଜେ ପଣିଆକୁ ସାଙ୍ଗରେ ଧରି ଆଗେଇ ଚାଲିଥାନ୍ତି। ମାତ୍ର ଆଉ ଏକ ଜାତୀୟ ବାଜେଲୋକଙ୍କୁ ‘ବାଜେଲୋକ’ର ଏହି ଶବ୍ଦାଘାତ ଭୀଷଣ ଆହତ କରେ। ବାହାରକୁ ଅନାହତ, ଅବିଚଳିତ ଜଣାପଡୁଥିଲେ ବି ଭିତରେ ଏକ ଅବ୍ୟକ୍ତ ବେଦନାରେ ଦେହମନରେ କମ୍ପନ ସୃଷ୍ଟି ହୁଏ। ପ୍ରଶ୍ନ ଉଙ୍କିମାରେ- ମୁଁ କ’ଣ ସତରେ ବାଜେଲୋକଟାଏ! ମାତ୍ର ପରକ୍ଷଣରେ ସେ ସହଜ ହୋଇଯାଏ। ଆକ୍ଷେପର ଆକ୍ରମଣରେ ଆହତ ହୋଇଥିବା ତା’ ବ୍ୟକ୍ତିତ୍ୱ ଦେହରେ ସମର୍ଥନ ଓ ସମ୍ବେଦନର ଚନ୍ଦନ ବୋଳିଦେବାକୁ କେହି ଯେ ଆଗେଇ ଆସିବେ। ଏଥିପାଇଁ ସେ ଅପେକ୍ଷା କରେନାହିଁ। ନିଜ ତଥାକଥିତ ବାଜେପଣିଆକୁ ଅନ୍ତର ମଧ୍ୟରେ ଲାଳିତ କରି ଅପସ୍ବୀକୃତିର ଏହି ସନ୍ତକ ନାମାଟିକୁ ଗଳାରେ ଝୁଲାଇ ସେ ତା’ ନିଜ ରାସ୍ତାରେ ଆଗେଇ ଚାଲେ। ସାମ୍ପ୍ରତିକ ସମୟରେ ସାମାଜିକ ଜୀବନର ବିବର୍ତ୍ତନ ବିଘଟନ ମଧ୍ୟରେ ତଥାପି ନିଜ ବାଜେପଣିଆକୁ ଛାଡ଼ି ପାରୁ ନ ଥିବା କେଇଜଣ ବାଜେଲୋକଙ୍କ କଥା।
ନିକଟରେ ସରିଥିବା ଗଣେଶ ପୂଜା ଉପଲକ୍ଷେ ଚାନ୍ଦା ଆଦାୟ କରିବାକୁ କଲୋନୀସାରା ବୁଲୁଥାନ୍ତି କେଇଜଣ ଯୁବକ। ଆଜିକାଲି ଯେଉଁଠି ଚାନ୍ଦା ଦେଉଥିବା ଦାନକର୍ତ୍ତାଙ୍କ ଭକ୍ତି ଅପେକ୍ଷା ଚାନ୍ଦା ମାଗୁଥିବା ଆଦାୟକାରୀଙ୍କ ଶକ୍ତି ହିଁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥାଏ। ସେଠି ଚାନ୍ଦା ଦେବାକୁ ପଛକରି ଉପଦେଶ ଦେଉଥିବା ଲୋକଙ୍କର ଯେ ଜଞ୍ଜାଳ ବଢ଼ିଯାଏ। ଏହି ସରଳ ସତ୍ୟଟିକୁ ଭୁଲି ଯାଇଥିଲେ କଲୋନୀର ସବୁଠୁ ବରିଷ୍ଠ ନାଗରିକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହୋଦୟ। ଯୁବକସଂଘର ନବଯୁବକଙ୍କୁ ସେ ନିଜର ଛାତ୍ର ଜ୍ଞାନ କରି ଗଣେଶଙ୍କ ଆରାଧନା ସକଳ ପବ୍ରିତତା ମଧ୍ୟରେ ଶୁଦ୍ଧ ଚେତନାର ସହ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ। ଏକଥା ବି କହିଥିଲେ ଯେ ପୂଜାମଣ୍ଡପରେ ଉଚ୍ଚଧ୍ୱନି ସୃଷ୍ଟିକାରୀ ଅଶ୍ଳୀଳ ସଙ୍ଗୀତ ବା ଭସାଣିରେ ଉଦଣ୍ଡ ନୃତ୍ୟ ନ କରିବାକୁ ବଚନବଦ୍ଧ ହେଲେ ସେ ସେମାନଙ୍କୁ ଚାନ୍ଦା ଦେବେ। ବାସ୍‌ ଏତିକି। ତାଙ୍କ ପରି ବାଜେଲୋକଙ୍କଠୁ ଚାନ୍ଦା ନେଇ ସେମାନେ ପୂଜା କରିବେନି ବୋଲି ସ୍ପଷ୍ଟ ଶୁଣାଇ ଦେଇ ଫେରିଯାଇଥିଲେ ଯୁବକମାନେ।
ଆଉ ଜଣେ ବାଜେଲୋକଙ୍କ କଥା। ସେ ଜଣେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ। ଅନ୍ୟ ଅଫିସରଙ୍କ ପରି ତାଙ୍କ ଟେବୁଲ ଉପରେ ଗଦା ଗଦା ଫାଇଲ ଶ୍ରୀହସ୍ତର ସ୍ବକ୍ଷର ପାଇଁ ଅପେକ୍ଷା କରେ ନାହିଁ । ମାତ୍ର ଆଶ୍ଚର୍ଯ୍ୟର କଥା କିଛି ନ୍ୟସ୍ତସ୍ବାର୍ଥ ଲୋକଙ୍କ ପାଇଁ ତାଙ୍କର ପରିଚୟ ଥିଲା ‘ନିହାତି ତେଢ଼ା ବାଜେଲୋକଟାଏ’! ପ୍ରଶାସନରେ ଯାହା କିଛି ଲୋକକଲ୍ୟାଣ ପାଇଁ ସମର୍ପିତ ତଥା ଆଇନ ଅନୁମୋଦନ ତାହା କରିବାକୁ ତାଙ୍କୁ କହିବାକୁ ପଡ଼େ ନାହିଁ। ମାତ୍ର ଯାହା କିଛି ଅକରଣୀୟ, ବ୍ୟକ୍ତିସ୍ବାର୍ଥ ସମ୍ବଳିତ ବା ଆଇନର ପରିପନ୍ଥୀ, ତାହା କରିବାକୁ କହିବା ପାଇଁ କେହି କ୍ଷମତା, ପ୍ରଭାବ ବା ପ୍ରତିପତ୍ତିଶାଳୀ ନେତା ବା ଜନତା ସାହସ କରିପାରନ୍ତି ନାହିଁ। ଏଇ ଅଫିସର ଜଣଙ୍କ ପ୍ରତି ସାଧାରଣ ଲୋକଙ୍କ ଅଶେଷ ଶୁଭେଚ୍ଛା ଝରିପଡୁଥିଲା ସିନା ନିଜ ଚାକିରିକାଳ ମଧ୍ୟରେ ସବୁଠୁ ବେଶି ଯାହା ଅର୍ଜନ କରିଥିଲେ ତାହା ଥିଲା ବାଜେଲୋକର ଏକ ସର୍ଭିସ ସାର୍ଟିଫିକେଟ୍‌।
ଏ ବାଜେଲୋକ ଜଣକ ଜଣେ ଅଧ୍ୟାପକ। ଶ୍ରେଣୀଗୃହରେ ଅଧ୍ୟାପନା କାଳରେ ସେ ବିଦ୍ୟାର୍ଥୀଙ୍କ ପାଇଁ ସାକ୍ଷାତ୍‌ ବ୍ରହ୍ମା ପାଲଟି ଯାଇଥାନ୍ତି। ଏମିତି ବୋଧେ କେହି ଜଣେ ଛାତ୍ରୀ ବା ଛାତ୍ର ମିଳିବେ ନାହିଁ, ଯିଏ ତାଙ୍କ ଶିକ୍ଷାଦାନରେ ମୁଗ୍‌ଧ ହୋଇ ନ ଥିବେ। କେବଳ ପାଠପଢ଼ା ନୁହେଁ କଲେଜର ଯେ କୌଣସି ଗଠନମୂଳକ କାର୍ଯ୍ୟରେ ତାଙ୍କ ସକ୍ରିୟତା ପାଇଁ ସେ ତାଙ୍କ ସହକର୍ମୀଙ୍କ ଲାଗି ପାଲଟି ଯାଇଥାନ୍ତି ଈର୍ଷାର ଈଶ୍ୱର। ନିଜ ଛାତ୍ରୀଛାତ୍ରଙ୍କ ମନରେ ଶୁଦ୍ଧ ଚେତନାର ବିକାଶ ନିମନ୍ତେ ସଦାସର୍ବଦା ସମର୍ପିତ ଥାଏ ତାଙ୍କ ଉଚ୍ଚାରଣ ଓ ଆଚରଣ। ଏ ସକଳ ସ୍ବୀକୃତି ସତ୍ତ୍ୱେ ବେଶ୍‌ କିଛି ଛାତ୍ର ଓ ଅଧ୍ୟାପକଙ୍କ ପାଇଁ ତାଙ୍କର ପରିଚୟ ହେଉଛି- ‘ସେ ଜଣେ ବାଜେଲୋକ’! ତା’ର ଏକମାତ୍ର କାରଣ ହେଉଛି ପରୀକ୍ଷା ମାମଲାରେ ସେ ବେଶ୍‌ କଠୋର ଓ ସାଲିସବିହୀନ। କୌଣସି ପିଲାଙ୍କୁ କପି କରାଇ ଦିଅନ୍ତି ନାହିଁ କି ପରୀକ୍ଷକ ଭାବେ କୋଡ଼ିଏ ମାର୍କକୁ ତିରିଶ କରନ୍ତି ନାହିଁ।
ଆଉ ଜଣେ ବାଜେଲୋକଙ୍କ କଥା ପ୍ରସଙ୍ଗରେ କୌଣସି ଏକ ରେଳଯାତ୍ରା ସମୟର ଘଟଣା। ଦୁଇଜଣ ସାଙ୍ଗ ବିନା ଟିକେଟ୍‌ରେ ରେଳଯାତ୍ରା କରୁଥିବା ବେଳେ ଭିନ୍ନ ଭିନ୍ନ ବଗିରେ ଦୁଇଜଣ ଭିନ୍ନ ଭିନ୍ନ ଟିକେଟ ପରୀକ୍ଷକଙ୍କ ହାତରେ ଧରାପଡ଼ିଲେ। ରେଳଯାତ୍ରା ଶେଷରେ ଦୁହେଁ ଯେତେବେଳେ ମିଳିତ ହୋଇ ନିଜ ନିଜର ଦୁର୍ଭାଗ୍ୟ ସମ୍ପର୍କରେ ସ୍ମୃତିଚାରଣ କରୁଥିଲେ, ଜଣେ କହିଲା ପ୍ରଥମେ ଟିଟିଇ ଭଡ଼ା ଓ ଜରିମାନା ବାବଦକୁ ପାଞ୍ଚଶହ ଟଙ୍କା ମାଗୁଥିଲା। ମାତ୍ର ପକେଟ୍‌ରେ ଶହେ ଟଙ୍କା ଗୁଞ୍ଜି ଦେବାରୁ ଚୁପ୍‌ଚାପ ଚାଲିଗଲା। ପ୍ରଥମ ଯୁବକର ଅନୁଭୂତି ପୁଣି ଦ୍ୱିତୀୟ ସାଙ୍ଗ କପାଳରେ ହାତମାରି ନିଜ ଭାଗ୍ୟକୁ ନିନ୍ଦିଲା ଓ କହିଲା – ତୋ ଭାଗ୍ୟ ସଳଖ, ତୁ ଜଣେ ଭଲ ଟିଟିଇ ହାବୁଡ଼ରେ ପଡ଼ିଲୁ। ମୋର ଦୁର୍ଭାଗ୍ୟ, ନିହାତି ବାଜେଲୋକଟା ହାତରେ ପଡ଼ିଗଲି। ଶହେ ଟଙ୍କା କ’ଣ ଦୁଇଶହ, ପୁଣି ଦୁଇଶହରୁ ତିନିଶହ ଯାଚିଲା ପରେ ବି ସେ ରାଜି ହେଲାନି। ଓଲଟି ଧମକ ଦେଲା ପାଞ୍ଚଶହ ଟଙ୍କା ପଇଠ କରି ରସିଦ ନିଅ, ନ ହେଲେ ଲାଞ୍ଚ ଯାଚୁଥିବା ଅଭିଯୋଗରେ ପୋଲିସରେ ଦେଇଦେବି। ପ୍ରଥମେ ବିନା ଟିକେଟ୍‌ ଯାତ୍ରା ତ ତାହା ସାଙ୍ଗକୁ ଲାଞ୍ଚ ଯାଚିବାର ଅପରାଧ। ଜାଣିଛ ତ ପରିଣାମ କ’ଣ ହେବ। ଛିଃ ଏତେ ବାଜେଲୋକଟା।
ଲକ୍ଷ୍ୟ କରିବାର କଥା, ସହରର ଛକ ରାସ୍ତାରେ ଗାଡ଼ି ଚାଳକମାନଙ୍କୁ ଯାବତୀୟ ବେନିୟମ କାମ କରିବାକୁ ଛାଡି ଦେଇ ବଟି ଆଦାୟ କରି ନିଜ ପକେଟ୍‌ ଭରୁଥିବା ଟ୍ରାଫିକ୍‌ ପୋଲିସ ଅତି ଭଲଲୋକର ସାର୍ଟିଫିକେଟ ପାଉଥିବା ବେଳ ବିନା ହେଲ୍‌ମେଟ ବା ସିଟ୍‌ ବେଲ୍ଟରେ ଗାଡି ଚାଳନା କରୁଥିବା ଅମାନିଆ ଚାଳକଙ୍କୁ ଦଣ୍ଡିତ କରୁଥିବା କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମଚାରୀ ବାଜେଲୋକର ସମ୍ମାନ ପାଏ। ଜଙ୍ଗଲରୁ ଚୋରାରେ କାଠ କାଟି ଆଣୁଥିବା କେହି ତସ୍କର କୌଣସି ସାଧୁ, କର୍ତ୍ତବ୍ୟପରାୟଣ ବନ ରକ୍ଷକଙ୍କ ପ୍ରତିରୋଧର ସମ୍ମୁଖୀନ ହେଲେ ନିଃଶବ୍ଦରେ ମନ ମଧ୍ୟରେ ଉଚ୍ଚାରିତ ହୁଏ- ନିହାତ ବାଜେ ଲୋକଟା। ଏହାଙ୍କ ପୂର୍ବ ବାବୁ କେତେ ଭଲ ନ ଥିଲେ ! ପାଉଣା ନେଇ ଆଖି ବୁଜି ଦେଉଥିଲେ। ପୁଣି ମାସକୁ କେଇ ହଜାର ଟଙ୍କା ବଟି ନେଇ ନଦୀଗର୍ଭରୁ ଲକ୍ଷ ଲକ୍ଷ ଟଙ୍କାର ବାଲି ଉଠାଇ ନେଉଥିବା ମାଫିଆଙ୍କୁ ନିର୍ବିଘ୍ନରେ ଛାଡି ଦେଉଥିବା ବିଭାଗୀୟ କର୍ମଚାରୀ ଭଲ ଲୋକର ମାନ୍ୟତା ଅର୍ଜନ କରୁଥିବା ବେଳେ ତାକୁ ଦଣ୍ଡିତ କରୁଥିବା କର୍ମଚାରୀଙ୍କୁ କୁହାଯାଏ- ‘ବାଜେଲୋକଟା’!
ସାନ୍ତ୍ୱନା ଏତିକି, ସଂଖ୍ୟାରେ ଯେତେ କମ୍‌ ହେଲେ ବି କପାଳରେ ‘ବାଜେଲୋକ’ର ତିଳକ ଆଙ୍କି ଏହି ତଥାକଥିତ ବାଜେଲାକମାନେ ସମାଜ ସଡ଼କରେ ଏକା ଏକା ବାଟ ଚାଲୁଥିଲେ ମଧ୍ୟ ସେମାନଙ୍କୁ ଆପଣାଇ ନେବା ପାଇଁ ଏଠାରେ ଏଯାଏ ବି କିଛି ଲୋକ ଅଛନ୍ତି। ଏମାନଙ୍କ ସଂଖ୍ୟା ସେଇ ବାଜେଲୋକଙ୍କ ସଂଖ୍ୟାଠାରୁ ଆହୁରି ନଗଣ୍ୟ ହୋଇପାରେ। ତଥାପି ଯେତେ ସୀମିତ ହେଲେ ମଧ୍ୟ ଏମାନେ ସେଇ ବାଜେ ଲୋକମାନଙ୍କୁ ଅନ୍ତର ଭିତରେ କୋଳେଇ ନିଅନ୍ତି ଓ ବଡ଼ ଆବେଗରେ ସେମାନଙ୍କ ଜୟଗାନ କରି କୁହନ୍ତି – ‘ତୁମର ଏହି ବାଜେ ପଣିଆକୁ ନିଜ ଭିତରେ ବଞ୍ଚାଇ ରଖ ବାବୁ। ତୁମ ପାଇଁ ନ ହେଲେ ବି ସମାଜର ମୂଲ୍ୟବୋଧ ପାଇଁ, ଜଗତର କଲ୍ୟାଣ ପାଇଁ, ଆସନ୍ତାକାଲିର ଉଜ୍ଜ୍ୱଳ ସୂର୍ଯ୍ୟୋଦୟ ପାଇଁ।
-ପ୍ରଜ୍ଞାନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri