Categories: ଖେଳ

ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ ନୁହେଁ ବହୁତ ପରିହାସ ଦେଖିବାକୁ ମିଳିବ: ଲାଙ୍ଗର

ସିଡ୍‌ନୀ,୨୬।୧୧(ପି.ଟି.): ଆଗାମୀ ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ କିମ୍ବା ସ୍ଲେଜିଂର କୌଣସି ସ୍ଥାନ ନାହିଁ। ଏହା ବଦଳରେ ଦୁଇ ଦେଶ ଖେଳାଳିମାନଙ୍କ ମଧ୍ୟରେ ବହୁ ପରିମାଣରେ ମୌଜମସ୍ତି ତଥା ପରିହାସ ଦେଖିବାକୁ ମିଳିବ ବୋଲି ଅଷ୍ଟ୍ରେଲିଆ ଜଷ୍ଟିନ୍‌ ଲାଙ୍ଗର କହିଛନ୍ତି। ଗତ କେତେବର୍ଷ ମଧ୍ୟରେ ପଡିଆ ଭିତରେ ଓ ବାହାରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ବ୍ୟବହାର ନେଇ ବେଶ୍‌ ଚର୍ଚ୍ଚା ଦେଖିବାକୁ ମିଳିଛି। ବିଜୟ ହାସଲ ପାଇଁ ଅଷ୍ଟ୍ରେଲିଆ ଖେଳାଳି କିଛି ବି କରିବାକୁ ପ୍ରସ୍ତୁତ ବୋଲି ଥିବା ଧାରଣା ନେଇ ବେଶ୍‌ ସମାଲୋଚନା ହୋଇଥିଲା ବୋଲି ସେ କହିଛନ୍ତି।
ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ଅନ୍ୟ ଦେଶର ଖେଳାଳିମାନେ ବେଶ୍‌ ନର୍ଭସ ଅନୁଭବ କରିଥାନ୍ତି ବୋଲି ଲୋକେ କୁହନ୍ତି। ତେବେ ଏ ନେଇ ମୁଁ ନିଶ୍ଚିତ ନୁହେଁ। ଅଷ୍ଟ୍ରେଲିଆ ଭଳି ଏକ ବିଶ୍ୱସ୍ତରୀୟ ଦଳ ଓ ବଡ଼ ବଡ଼ ଖେଳାଳିଙ୍କ ବିପକ୍ଷରେ ଖେଳିବା ପାଇଁ ଭ୍ରମଣକାରୀ ଦଳର ଖେଳାଳିମାନେ ବେଶ୍‌ ନର୍ଭସ ହୋଇଥାନ୍ତି। ଶେନ୍‌ ଓ୍ବର୍ନ, ଗ୍ଲେନ୍‌ ମ୍ୟାକ୍‌ଗ୍ରାଥଙ୍କ ବୋଲିଂକୁ ସାମ୍ନା କରିବା ଓ ଷ୍ଟିଭ ଓ୍ବ, ଆଡାମ ଗୀଲଖ୍ରୀଷ୍ଟ, ରିକି ପଣ୍ଟିଂଙ୍କ ଭଳି ଖେଳାଳିଙ୍କୁ ବୋଲିଂ କରିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌। ଫଳରେ ବିଦେଶୀ ଖେଳାଳମାନେ ନର୍ଭସ ହେବା ସ୍ବାଭାବିକ ବୋଲି ଲାଙ୍ଗର କହିଛନ୍ତି।
କିନ୍ତୁ ଆଗାମୀ ସିରିଜରେ ଗାଳିଗୁଲଜ ବଦଳରେ ଖେଳାଳିମାନେ ପରିହାସ ଓ ପରସ୍ପର ମଧ୍ୟରେ ମଜା କରିବାର ଦେଖିବାକୁ ମିଳିବ। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ଙ୍କର ମଜା କରିବାର ଅଭ୍ୟାସ ରହିଛି ଓ ସେ ଏଥିରେ ଧୁରନ୍ଧର। ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ବେଶ୍‌ ଆକ୍ରମଣାତ୍ମକ ସ୍ବାଭାବର। କିଏ କ’ଣ କହୁଛି ତାହା ଆଦୌ ଗୁରୁତ୍ୱ ବହନ କରିବ ନାହିଁ। ଶେଷରେ କ୍ରିକେଟ ତଥା ପ୍ରଦର୍ଶନକୁ ହିଁ ଗୁରୁତ୍ୱ ଦିଆଯିବ। ଏହି ସିରିଜରେ ବଡ଼ ବଡ଼ କ୍ରିକେଟରମାନେ ଖେଳିବା ସୌଭାଗ୍ୟର ବିଷୟ। ତେଣୁ ସିରିଜରେ ସଂଘର୍ଷ ଓ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ବୋଲି ଲାଙ୍ଗର କହିଛନ୍ତି। ଯଦି ଏହି ଗସ୍ତରେ ଭାରତୀୟ ଖେଳାଳିମାନେ ସ୍ଲେଜିଂ କରନ୍ତି ତେବେ ତାହାକୁ ଅଣଦେଖା କରିବି ବୋଲି ଅଷ୍ଟ୍ରେଲିଆ ଓପନର ଡେଭିଡ୍‌ ଓ୍ବାର୍ନର ପୂର୍ବରୁ କହି ସାରିଛନ୍ତି। ଏହି ଗସ୍ତରେ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ୩ ଦିନିକିଆ, ୩ ଟି୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବେ।

Share