ଦୁର୍ନୀତିର ମଞ୍ଜି ନିର୍ବାଚନୀ ଖର୍ଚ୍ଚ

ସହଦେବ ସାହୁ

 

ସାରା ଭାରତ କଥା ବହୁତ ବଡ଼, ଆସନ୍ତୁ କେବଳ ଓଡ଼ିଶା କଥା ଦେଖିବା। ଏମ୍‌ଏଲ୍‌ଏ ଆଉ ଏମ୍‌ପି ନିର୍ବାଚନ କଥା ବି ଛାଡ଼ିଦେବା। ଗଣତନ୍ତ୍ରର ଶିକ୍ଷାକ୍ଷେତ୍ର ହେଉଛି ପଞ୍ଚାୟତିରାଜ; ତାହା ପୁଣି ତ୍ରିସ୍ତରୀୟ। ସର୍ବନିମ୍ନ ସ୍ତର ହେଉଛି ଗ୍ରାମପଞ୍ଚାୟତ, ତା’ ଉପରେ ପଞ୍ଚାୟତ ସମିତି ଓ ତା’ ଉପରେ ଜିଲା ପରିଷଦ। ଜିଲା ପରିଷଦର ସଭ୍ୟମାନେ ନିର୍ବାଚିତ କରିବେ ଜିଲା ପରିଷଦ ଅଧ୍ୟକ୍ଷ, ସେ ସାରା ଜିଲାର ଗଣତାନ୍ତ୍ରିକ ବ୍ୟବସ୍ଥାର ମୁଖ୍ୟ। ତାଙ୍କ ଇଲାକା କଥା ଭାବନ୍ତୁ, ସାରା ରାଜ୍ୟ ୧୪୭ ବିଧାୟକ ଆଉ ୨୧ ସାଂସଦ ପଠାଏ ତ ମାତ୍ର ୩୦ଟି ଜିଲା ପାଇଁ ୩୦ଟି ଜିଲା ପରିଷଦ, ତହିଁର ସଦସ୍ୟମାନେ ସେମାନଙ୍କ ଭିତରୁ ଜଣକୁ ଅଧ୍ୟକ୍ଷ ନିର୍ବାଚିତ କରିବେ। ତା’ ମାନେ ପ୍ରତ୍ୟେକ ଜିଲାପରିଷଦ ସଦସ୍ୟ ଜଣେ ଜଣେ ସମ୍ଭାବ୍ୟ ଅଧ୍ୟକ୍ଷ। ଜିଲା ପରିଷଦର ଅଧ୍ୟକ୍ଷ ଯେଉଁ ଜନତା ଓ ଇଲାକାର କଥା ବୁଝିବେ ତାହା ହାରାହାରି ୪.୯ (୫ ବୋଲି ଧରାଯାଉ) ଏମ୍‌ଏଲ୍‌ଏଙ୍କ ସଙ୍ଗେ ସମାନ, ପ୍ରାୟ ୦.୭ (୧ ବୋଲି ଧରାଯାଉ) ଲୋକ ସଭା ସାଂସଦ ସହ ସମାନ। ଗଞ୍ଜାମ ଜିଲା ପରିଷଦର ଚେୟାରମ୍ୟାନ ତ ଆସ୍କା ଆଉ ବ୍ରହ୍ମପୁର ଦୁଇ ଏମ୍‌ପି ତଥା ୧୪ ଏମ୍‌ଏଲ୍‌ଏଙ୍କ ଇଲାକା ଓ ଲୋକ ସଂଖ୍ୟା ନିୟନ୍ତ୍ରଣ କରିବେ; ଗଞ୍ଜାମ ଜିଲା ପରିଷଦରେ ଦୁଇ ଜଣ ଲୋକ ସଭା ଓ ଜଣେ ରାଜ୍ୟ ସଭା ସାଂସଦ ସାଧାରଣ ସଭ୍ୟ ରୂପେ ରହିବେ। ପୁଣି ଖୋଦ୍‌ ଜିଲାପାଳ ଜିଲା ପରିଷଦର ପ୍ରଶାସନିକ ଅଧିକାରୀ, ତେଣୁ ଆଇନତଃ ଜିଲାପରିଷଦ ଅଧ୍ୟକ୍ଷଙ୍କ ପଦ ଓ ମର୍ଯ୍ୟାଦା ବିଧାୟକ ତଥା ସାଂସଦମାନଙ୍କଠାରୁ ଉଚ୍ଚତର। ଜିଲା ପରିଷଦର ସଭ୍ୟମାନେ ହିଁ ଚେୟାରମ୍ୟାନ ନିର୍ବାଚିତ କରିବେ, ଏପରି ସମ୍ଭାବନା ପାଇଥିବା ପ୍ରତ୍ୟେକ ଜିଲାପରିଷଦ-ସଭ୍ୟ ଏମ୍‌ଏଲ୍‌ଏ ଓ ଏମ୍‌ପିଠାରୁ ଉଚ୍ଚତର; କିନ୍ତୁ ସେମାନଙ୍କୁ ସେ ପ୍ରକାରର କ୍ଷମତା ଓ ମର୍ଯ୍ୟାଦା ମିଳୁନାହିଁ, କାରଣ ରାଜ୍ୟ ପାଇଁ ଆଇନ ତିଆରି କରୁଥିବା ଏମ୍‌ଏଲ୍‌ଏମାନେ କି ରାଜ୍ୟ ସରକାର ସେଭଳି ଖାତିର ଦେଖାଉ ନାହାନ୍ତି।
ଏବେ ଆସନ୍ତୁ ଦେଖିବା ବର୍ତ୍ତମାନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ: ଯାହାର ନିର୍ବାଚନ ଫେବୃୟାରୀ ୧୬ରୁ ୨୪ ଯାଏ। ପ୍ରତ୍ୟେକ ପ୍ରାର୍ଥୀ କେତେ ଖର୍ଚ୍ଚ କରିପାରିବେ ତାହା ନିର୍ବାଚନ କମିଶନ ନିର୍ଦ୍ଦିଷ୍ଟ କରିଛନ୍ତି। ପ୍ରତି ସରପଞ୍ଚ ପ୍ରାର୍ଥୀ ଟ.୨,୦୦,୦୦୦ (ଦୁଇ ଲକ୍ଷ ଟଙ୍କା) ଯାଏ ଖର୍ଚ୍ଚ କରିପାରିବେ। ସମିତି ମେମ୍ବର ପ୍ରାର୍ଥୀ ବି ସେତିକି ଖର୍ଚ୍ଚ କରିପାରିବେ। ଆଉ ୱାର୍ଡ ମେମ୍ବର ପ୍ରାର୍ଥୀ ବି। ଜିଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଏମ୍‌ଏଲ୍‌ଏ ଓ ଏମ୍‌ପି ନିର୍ବାଚନରେ ପ୍ରାର୍ଥୀର ନିର୍ବାଚନୀ ଖର୍ଚ୍ଚର ସୀମା ଏହାଠାରୁ ବହୁତ ବେଶି, ୫୬ ଲକ୍ଷରୁ ୭୦ ଲକ୍ଷ ଯାଏ। ଏହାଠାରୁ ବେଶି ଖର୍ଚ୍ଚ କଲେ ବି ହିସାବ ପତ୍ରରେ କମ୍‌ ଦେଖାନ୍ତି। ପ୍ରତି ନିର୍ବାଚନମଣ୍ଡଳୀରେ ଏକାଧିକ ପ୍ରାର୍ଥୀ, ଏକ ହେଲେ ତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଯିବେ, ପ୍ରଚାର-ଖର୍ଚ୍ଚ ଆଦୌ ହେବ ନାହିଁ। ଆମ ରାଜ୍ୟରେ ଏବେ ଫେବୃୟାରୀ ୧୬ରୁ ୨୪ ମଧ୍ୟରେ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସଂଖ୍ୟା ଦେଖନ୍ତୁ। ସରପଞ୍ଚ ପ୍ରାର୍ଥୀ ସଂଖ୍ୟା ୨୬, ୫୩୯, ସମିତି ମେମ୍ବର ପ୍ରାର୍ଥୀ ସଂଖ୍ୟା ୨୨,୧୦୯, ୱାର୍ଡମେମ୍ବର ପ୍ରାର୍ଥୀ ସଂଖ୍ୟା ୧,୩୭,୧୬୩ ଏବଂ ଜିଲାପରିଷଦ ଆସନ ପାଇଁ ପ୍ରାର୍ଥୀ ସଂଖ୍ୟା ୩୨୮୮। ସେମାନଙ୍କୁ ମିଳିଥିବା ଖର୍ଚ୍ଚର ସୀମା ଯଦି ସମସ୍ତେ ମାନନ୍ତି ତେବେ ହିସାବ ଏପରି ହେବ: ୨୬,୫୩୯ ସରପଞ୍ଚ ପ୍ରାର୍ଥୀ ୫୩୦ କୋଟି ୭୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ; ସମିତି ମେମ୍ବର ପ୍ରାର୍ଥୀ ସଂଖ୍ୟା ୨୨,୧୦୯, ସେମାନେ ଖର୍ଚ୍ଚ କରିପାରିବେ ୪୪୨ କୋଟି ୨୨ ଲକ୍ଷ ଟଙ୍କା; ୱାର୍ଡମେମ୍ବର ପ୍ରାର୍ଥୀ ସଂଖ୍ୟା ୧,୩୭,୧୬୩, ପ୍ରତ୍ୟେକ ୨ ଲକ୍ଷ ଲେଖାଏ ଖର୍ଚ୍ଚ କରିପାରିବେ ୨୭୪୩ କୋଟି ୨୬ ଲକ୍ଷ ଟଙ୍କା; ଜିଲାପରିଷଦ ଆସନ ପାଇଁ ପ୍ରାର୍ଥୀ ୩୨୮୮, ପ୍ରତ୍ୟେକ ୫ ଲକ୍ଷ ଲେଖାଏ ୧୬୪ କୋଟି ୪୦ ଲକ୍ଷ ଖର୍ଚ୍ଚ କରିପାରିବେ; ଅର୍ଥାତ୍‌ ୧୬ରୁ ୨୪ ତାରିଖ ଭିତରେ ମୋଟ ଖର୍ଚ୍ଚ ହୋଇଥିବ ୨୯୦୭ କୋଟି ୬୬ ଲକ୍ଷ ଟଙ୍କା। ନିର୍ବାଚନ ପ୍ରଚାରରେ ଏତିକି ଖର୍ଚ୍ଚ ଅର୍ଥ ବ୍ୟବସାୟିକ ଭାଷାରେ ପୁଞ୍ଜିନିବେଶ ବୋଲି ଧରାହେବ, ଯେଉଁମାନେ ହାରିଯିବେ ସେମାନଙ୍କ ପଇସା ଗଲା, କିନ୍ତୁ ଯେଉଁମାନେ ଜିତିବେ ସେମାନେ ନିବେଶିତ ପୁଞ୍ଜିର ଲାଭ ଉଠାଇବେ। ଏହି ତ ଦୁର୍ନୀତିର ମଞ୍ଜି। ନିର୍ବାଚନ କମିଶନ୍‌ଙ୍କ ଅନୁମୋଦିତ ସୀମାର ପାଞ୍ଚ ଛ’ ଗୁଣ ଜଣେ ଜଣେ ପ୍ରାର୍ଥୀ ଖର୍ଚ୍ଚ କରିଥିବେ, କିନ୍ତୁ ଖର୍ଚ୍ଚକୁ ଲୁଚେଇ କମିଶନକୁ ହିସାବ ଦେବେ ସିନା ଖର୍ଚ୍ଚ ଅନୁପାତରେ ଲାଭ ଉଠାଇବେ! ଅବଶ୍ୟ କେତେକ କମ୍‌ ଖର୍ଚ୍ଚରେ ସାରିଦେବେ। ୬୭୯୮ ସରପଞ୍ଚ, ସେତିକି ନାଏବ୍‌ ସରପଞ୍ଚ, ୬୬୬୫ ପଞ୍ଚାୟତ ସମିତି ମେମ୍ବର, ୮୫୩ ଜିଲା ପରିଷଦ ମେମ୍ବର। ନିର୍ବାଚିତ ପ୍ରତିନିଧି ହିସାବରେ ବିଜୟୀ ପ୍ରାର୍ଥୀମାନେ ଯେଉଁ ଦରମା ପାଇବେ ତାହା ହେଲା: ପଞ୍ଚାୟତ ସମିତି ମେମ୍ବର ମାସକୁ ଟ.୨୩୫୦, ବ୍ଲକ୍‌ ଚେୟାରମ୍ୟାନ୍‌ ମାସକୁ ଟ.୩୫୩୦, ସରପଞ୍ଚ ମାସକୁ ଟ.୨୩୫୦, ଜିଲାପରିଷଦ ସଭ୍ୟ ମାସକୁ ଟ.୭୦୪୦, ଚେୟାରମ୍ୟାନ୍‌ ମାସକୁ ଟ.୯୩୮୦, ଗାଏ ମୋଟ ବର୍ଷକୁ ରାଜ୍ୟର ରାଜକୋଷରୁ ପାଇବେ ୧୦ କୋଟି ଟଙ୍କାରୁ ସାମାନ୍ୟ ବେଶି। ଅବଶ୍ୟ ସେମାନେ ସଭାରେ ଯୋଗଦେବା ଲାଗି ଦୈନିକ ଭତ୍ତା ପାଇବେ, ଯଥା ୱାର୍ଡମେମ୍ବର ଓ ନାଏବ ସରପଞ୍ଚ ଟ.୪୦, ଚେୟାରମ୍ୟାନ୍‌ଙ୍କ ସିଟିଂ ଫି ଟ.୨୦୦। ବିଶେଷ ଭାବରେ ଗୋଟିଏ ହିସାବ ଦେଖନ୍ତୁ: ପଞ୍ଚାୟତ ସମିତି ମେମ୍ବର ମାସକୁ ୨୩୫୦ ଟଙ୍କା ପାରିଶ୍ରମିକ ପାଇବ, ବର୍ଷକୁ ୨୮,୨୦୦, ପାଞ୍ଚ ବର୍ଷକୁ ୧,୪୧,୦୦୦ଟଙ୍କା, ଅଥଚ ସେ ନିର୍ବାଚନ ପ୍ରଚାର ପାଇଁ ଆଇନ ଅନୁଯାୟୀ ଗାଡ଼ି ଘୋଡ଼ା ବ୍ୟବହାର ସହ ଗାଏ ମୋଟ ୨,୦୦,୦୦୦ ଟଙ୍କା ଖର୍ଚ୍ଚ କରିଥିବ, ସେ ତ ୫୯,୦୦୦ ଟଙ୍କା ହରାଇଲା। ଅନୁମୋଦିତ ରାଶିଠାରୁ ବହୁତ ବେଶି ଅଧିକାଂଶ ପ୍ରାର୍ଥୀ ଖର୍ଚ୍ଚ କରିଥିବେ। ୨ ଲକ୍ଷ ଧରିଲେ ବି ତାହାର ମୂଲ୍ୟ ୫ ବର୍ଷ ପରେ ୧୦ ସୁଧ ହାରରେ ସମୂଳସୁଧ ହୋଇଥିବ ୩,୦୦,୦୦୦ ଟଙ୍କା। ଦରମା ଆକାରରେ ଏହାର ଅଧାରୁ କମ୍‌ ପାଇବା ଲାଗି କ’ଣ ସେ ରାଜନୀତିରେ ପଶିଛି? ତେଣୁ ସେ ବିଭିନ୍ନ ସରକାରୀ ଯୋଜନାରୁ ଓ କାମରୁ ଲାଭ ପାଇବାର ଆଶା ରଖିଥିବା ଲୋକଙ୍କଠାରୁ କୌଣସି ସରକାରୀ ଉପଭୋଗ ବା ଅନୁଦାନ ଯୋଗାଇଦେବା ସୁବିଧା କରାଇଦେବା ଆଳରେ ୩ ଲକ୍ଷରୁ ବେଶି ଆଦାୟ କରିବ। କେତେକ କାମ ସେ କରିପାରିବ ନାହିଁ, ତାହାର ପାହ୍ୟା ବା ପ୍ରଭାବର ଭଡ଼ା ସ୍ବରୂପ ସେ ପଇସା ଆଦାୟ କରିବ। ପ୍ରାର୍ଥୀ ବ୍ୟକ୍ତିଗତ ଭାବେ ପ୍ରଚାର କରୁ, ତାକୁ କାହିଁକି ଖର୍ଚ୍ଚ କରିବାକୁ ପ୍ରଶ୍ରୟ ଅର୍ଥାତ୍‌ ନିର୍ବାଚନ ଖର୍ଚ୍ଚକୁ ସ୍ବୀକୃତି ଦେବା ମାନେ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରଶ୍ରୟ ଦେବା। ସରକାର ଏପ୍ରକାରର ଦୁର୍ନୀତିକୁ ଉତ୍ସାହିତ କରିବାକୁ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ୱାର୍ଡ ମେମ୍ବର, ପଞ୍ଚାୟତ ସମିତି ମେମ୍ବର, ସରପଞ୍ଚ ବା ନାଏବ ସରପଞ୍ଚ, ଜିଲା ପରିଷଦ ସଭ୍ୟ ଆଦିଙ୍କ ସୁପାରିସ୍‌ ବିନା କୌଣସି କାମ ହୋଇପାରିବ ନାହିଁ। ଯେଉଁ ଡାଇରେକ୍ଟ ଡେବିଟ୍‌ ପେମେଣ୍ଟ ବ୍ୟବସ୍ଥା ଅନୁସାରେ ସରକାରୀ ଅନୁଦାନ ପାଇବାରେ କେହି ମଧ୍ୟସ୍ଥ ନ ରହୁ ବୋଲି ସରକାର ଡିଣ୍ଡିମ ପିଟନ୍ତି ତାହା ପାଇବା ଲାଗି ଉପଭୋକ୍ତାର ନାମ ଦରଜ କରିବେ ନାହିଁ, ଯେ ପର୍ଯ୍ୟନ୍ତ ସେ ଲାଞ୍ଚ ନ ଦେଇଛି। ଯଦି ପଇସା ଦେଇପାରିବା ଶକ୍ତି ନାହିଁ ବୋଲି କେହି ମହିଳାଟିଏ କହେ ତାକୁ ଘରେ କିଛିଦିନ ଗୃହିଣୀ ରୂପେ ରଖିବା ଅନୁଚିତ ମନେକରନ୍ତି ନାହିଁ। ୨୦୧୧ରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ନାଁ କାଟି ଦେବେ, ଉପଭୋକ୍ତା ଲାଞ୍ଚ ଦେଲେ ପୁଣି ତାଲିକାକୁ ନାଁ ଆସିଯିବ। ପାଇଖାନା ନିର୍ମାଣ କଥା ତ ସମସ୍ତଙ୍କୁ ଊଣାଅଧିକେ ଜଣା।
ଏସବୁକୁ ତ ମାପିହେଉଛି, କିନ୍ତୁ ସାରା ସମାଜଟା ଯେ ଭ୍ରଷ୍ଟାଚାରଗ୍ରସ୍ତ ହୋଇଯାଉଛି ତାହାର ସୁଧାରିବା ବ୍ୟୟ କେତେ ବେଶି ଭାବନ୍ତୁ! ଏପରି ପରିସ୍ଥିତି ସୃଷ୍ଟି କରିଥିବା ସରକାରମାନେ କିପରି କହୁଛନ୍ତି ଯେ ନ୍ୟାଶନାଲ୍‌ ଏଜୁକେଶନ୍‌ ପଲିସି ୨୦୨୦ରେ ଯେଉଁ ନୂତନ ଶିକ୍ଷା ନୀତି ଜାରି କରିବେ ସେଥିରେ ପିଲାମାନଙ୍କୁ ନୈତିକତା ଶିକ୍ଷା ଦିଆଯିବ; ଯେଉଁଥିରେ ପାଠର ଅଙ୍ଗ ହେବ ନୀତିଶାସ୍ତ୍ର, ମାନବିକ ଓ ସାମ୍ବିଧାନିକ ମୂଲ୍ୟବୋଧ, ଅନ୍ୟ ପ୍ରତି ଦରଦ, ଅନ୍ୟକୁ ସମ୍ମାନ, ପରିଷ୍କାର ପରିଚ୍ଛନ୍ନତା, ସୌଜନ୍ୟ, ଗଣତାନ୍ତ୍ରିକ ଚେତନା (ସ୍ପିରିଟ୍‌), ସେବା ମନୋଭାବ, ସର୍ବସାଧାରଣ ସମ୍ପତ୍ତିର ସମ୍ମାନ, ବୈଜ୍ଞାନିକ ମନୋଭାବ, ବ୍ୟକ୍ତି ସ୍ବାଧୀନତା, ଦାୟିତ୍ୱବୋଧ, ବହୁବିଧ ଗୋଷ୍ଠୀ ପ୍ରତି ସମ୍ମାନ (ପ୍ଲୁରାଜମ୍‌), ସମାନତା ଓ ନ୍ୟାୟ। ଜାତିସଂଘ ଘୋଷଣା ଅନୁଯାୟୀ ଏ ସବୁ ୨୦୩୦ ସୁଦ୍ଧା ଫଳବତୀ ହେବ ତ!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri