ସୁଖୀ ଜୀବନର ରହସ୍ୟ

ଦେବାଶିଷ ରଥ

ବ୍ୟାସଦେବ ବିରଚିତ ମହାଭାରତର ଆଦିପର୍ବରୁ ସଂଗୃହୀତ ହୋଇଛି ପଞ୍ଚପାଣ୍ଡବଙ୍କ ଅଜ୍ଞାତ ବନବାସର କାହାଣୀ। ଥରେ ଅଜ୍ଞାତ ବନବାସରେ ଥିବା ପାଞ୍ଚ ଭାଇ ବଣରେ ବୁଲି ବୁଲି ଥକିପଡ଼ିଲେ ଏବଂ ଗୋଟିଏ ଗଛତଳେ ବିଶ୍ରାମ ନେଲେ। ଶୋଷରେ ସେମାନଙ୍କ ତଣ୍ଟି ଶୁଖି ଯାଉଥାଏ। ତେଣୁ ଯୁଧିଷ୍ଠିରଙ୍କ ଆଦେଶକ୍ରମେ ଦ୍ୱିତୀୟ ପାଣ୍ଡବ ଭୀମସେନ ଜଳ ଅନୁସନ୍ଧାନରେ ବାହାରିପଡ଼ିଲେ। ବିଶ୍ରାମ ସ୍ଥଳରୁ କିଛି ଦୂର ଯାଆନ୍ତେ ସେ ବାଟରେ ଏକ ପୋଖରୀ ଦେଖିଲେ। ତଳ ପାହାଚରେ ପାଦ ଦେଇ ଆଣିଥିବା ପାତ୍ରରେ ପାଣି ଭର୍ତ୍ତି କରିବାକୁ ଉଦ୍ୟତ ହେବା ବେଳେ ପୋଖରୀ ନିକଟସ୍ଥ କୌଣସି ଏକ ବୃକ୍ଷରେ ବସିଥିବା ବକରୂପୀ ଯକ୍ଷ ଭୀମସେନଙ୍କୁ ପାଣି ନେବାକୁ ବାରଣ କଲା ଏବଂ କହିଲା, ”ମୋ ପାଞ୍ଚଟି ପ୍ରଶ୍ନର ସଠିକ୍‌ ଉତ୍ତର ନ ଦେବାଯାଏଁ ଏ ପୋଖରୀରୁ ପାଣି ନେଇପାରିବ ନାହିଁ। ମୋ ପ୍ରଶ୍ନଗୁଡ଼ିକର ଉତ୍ତର ନ ଦେଇ ପାଣିକୁ ଛୁଇଁବାମାତ୍ରେ ନିଜ ଜୀବନ ହରାଇବ। ବକରୂପୀ ଯକ୍ଷଙ୍କର ଏଭଳି ସର୍ତ୍ତରେ ଗୁରୁତ୍ୱ ନ ଦେଇ ଭୀମସେନ ପାଣିକୁ ଛୁଇଁବାମାତ୍ରେ ସେ ସେହିଠାରେ ଟଳିପଡ଼ିଲେ। ଭୀମଙ୍କର ପାଣି ଆଣିବାରେ ବିଳମ୍ବ ହେବାରୁ ଯୁଧିଷ୍ଠିର ଅର୍ଜୁନ ଏବଂ ତା’ ପରେ ପରେ ନକୁଳ ଓ ସହଦେବଙ୍କୁ ପାଣି ଆଣିବାକୁ ପଠାଇଲେ। କିନ୍ତୁ କେହି ହେଲେ ପାଣି ନେଇ ଫେରି ପାରିଲେ ନାହିଁ। ଭୀମଙ୍କ ଭଳି ଅନ୍ୟ ତିନି ଭାଇ ମଧ୍ୟ ସେହି ଦଶା ଭୋଗିଲେ। କିଛି ଉପାୟ ନ ପାଇ ଯୁଧିଷ୍ଠିର ପାଣି ଆଣିବାକୁ ଯାଇ ବକରୂପୀ ଯକ୍ଷଙ୍କ ପାଞ୍ଚଟିଯାକ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇପାରିଥିଲେ ଏବଂ ଭାଇମାନଙ୍କ ଜୀବନ ବଞ୍ଚାଇ ପାରିଥିଲେ। କଥା ପ୍ରସଙ୍ଗରେ ଏସବୁ କହିବାର ଅର୍ଥ ହେଉଛି ଯକ୍ଷଙ୍କର ପ୍ରଥମ ପ୍ରଶ୍ନଟି ସଂସାରରେ ସୁଖୀ ବ୍ୟକ୍ତିଙ୍କ ସମ୍ପର୍କରେ ହିଁ ଉଦ୍ଦିଷ୍ଟ ଥିଲା। ପ୍ରଶ୍ନଟିର ଯଥାର୍ଥ ଉତ୍ତର ଧର୍ମରାଜ ଯକ୍ଷଙ୍କୁ ଶାସ୍ତ୍ରାଭିମତ ଶୈଳୀରେ ଯୁଧିଷ୍ଠିର ଉପସ୍ଥାପନା କରିଥିଲେ। ସେ କହିଥିଲେ, ଧନର ଅଭାବ ଥାଇ ମଧ୍ୟ ଅନୃଣୀ ଅର୍ଥାତ୍‌ କାହାଠାରୁ କେବେବି ଋଣ କରି ନ ଥିବା ଏବଂ ଶାଗ ପଖାଳ ଖାଇ ସୁସ୍ଥ ଏବଂ ନୀରୋଗ ଜୀବନ ବିତାଉଥିବା ବ୍ୟକ୍ତି ହିଁ ପ୍ରକୃତରେ ସୁଖୀ। କେବଳ ଗୋଟିଏ ପ୍ରଶ୍ନର ଉତ୍ତର ନୁହେଁ, ବରଂ ବକରୂପୀ ଯକ୍ଷଙ୍କର ଆଉ ଚାରିଟିଯାକ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ଧର୍ମରାଜ ଚାରି ଭାଇଙ୍କ ଜୀବନ ରକ୍ଷା କରିପାରିଥିଲେ।
ଏ ସଂସାରରେ ଜୀବନ ସୃଷ୍ଟିକର୍ତ୍ତାଙ୍କର ଏକ ଅମୂଲ୍ୟ ଦାନ, ଯାହାର ପରିସମାପ୍ତିର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନ ଥାଏ। ଜୀବନର ଭିତ୍ତିଭୂମି ହେଉଛି ପ୍ରାଣ। ଶରୀର ଭିତରେ ପ୍ରାଣର ସଂଚାଳନ ଜୀବନର ସ୍ଥିତି ନିର୍ଦ୍ଧାରଣ କରିଥାଏ। ସୁସ୍ଥ ମନ ଓ ସୁସ୍ଥ ପ୍ରାଣ ସୁସ୍ଥ ଶରୀରର ପରିଚାୟକ। ଯେଉଁଠି ଶରୀର ସୁସ୍ଥ, ସେଇଠି ମନକୁ ସୁଖ ପ୍ରାପ୍ତି ହୁଏ। ଯେ କୌଣସି କାର୍ଯ୍ୟ ପ୍ରତି ମନରେ ଆଗ୍ରହ ଓ ଉତ୍ସାହ ସୃଷ୍ଟି ହୋଇଥାଏ। ବେଳେବେଳେ ବିଭିନ୍ନ ପରିସ୍ଥିତିର ପ୍ରତିକୂଳ ପ୍ରଭାବ ମନକୁ ଅସ୍ଥିର ଓ ଅଶାନ୍ତ କରିଦିଏ ଏବଂ ବ୍ୟକ୍ତିର ମାନସିକ ସ୍ଥିତିକୁ ଦୁର୍ବଳ କରିପକାଏ। ଏହାହିଁ ମାନସିକ ଅସୁସ୍ଥତା ସୃଷ୍ଟି କରିଥାଏ। ଫଳ ସ୍ବରୂପ ସୁସ୍ଥ ଓ ନୀରୋଗ ଶରୀରକୁ ଏହା ଅସୁସ୍ଥ ତଥା ରୋଗଗ୍ରସ୍ତ କରିଦିଏ, ଯାହାର କି ଉପଚାର କେବଳ ମନ ଦ୍ୱାରା ହିଁ ସମ୍ଭବ ହୋଇପାରେ। ତେଣୁ କୁହାଯାଇପାରେ, ମନ ହିଁ ଶରୀରରେ ସୁସ୍ଥ ଓ ରୋଗମୁକ୍ତ ଅବସ୍ଥା ସୃଷ୍ଟି କରି ଜୀବନରେ ସୁଖ ଭରିଦିଏ। ଏତିକି କହିଲେ ଯଥେଷ୍ଟ ହେବ- ଜୀବନରେ ସୁଖୀ ସେଇମାନେ, ଯେଉଁମାନେ ସେମାନଙ୍କ ଜୀବନ କାଳ ମଧ୍ୟରେ ରୋଗ କ’ଣ ବୋଲି ଜାଣନ୍ତି ନାହିଁ କିମ୍ବା ଏହାର ପ୍ରଭାବ କେବେବି ଅନୁଭବ କରିନାହାନ୍ତି ଏବଂ ଜୀବନକାଳ ମଧ୍ୟରେ ବିଭିନ୍ନ ଅଭାବନୀୟ ପରିସ୍ଥିତିରେ ପଡ଼ି କେବେବି କାହାଠାରୁ ଟଙ୍କା କରଜ କିମ୍ବା ଋଣ କରି ନ ଥିବେ। ଋଣ ରୂପକ ଯନ୍ତାରେ ପଡ଼ି ମୁକୁଳିବାର ବାଟ ପାଉ ନ ଥିବା ବ୍ୟକ୍ତି ଅନେକ ସମୟରେ ବିଭିନ୍ନ ବିକଳ୍ପ ପନ୍ଥାର ସାହାରା ନେଇଥାଏ। ଯଦି ଏହାଦ୍ୱାରା ସେ ସଫଳ ହୋଇପାରେ ତ ଭଲ, ନଚେତ୍‌ ଅଯଥା ଚିନ୍ତା ଓ ଭାବନା ତାକୁ ଭାରାକ୍ରାନ୍ତ କରିପକାଏ।
ବେଳେବେଳେ ଆୟଠାରୁ ବ୍ୟୟ ଏତେ ପରିମାଣରେ ବଢ଼ି ବଢ଼ି ଚାଲେ ଯେ, ବ୍ୟୟର ଭରଣା ପାଇଁ ବ୍ୟକ୍ତିକୁ ଋଣସୂତ୍ରରେ ଧାର କିମ୍ବା କରଜ କରିବାକୁ ପଡ଼ିଥାଏ। ଋଣ ପରିମାଣକୁ ପରିଶୋଧ ନ କରିପାରିଲେ ଋଣଗ୍ରହୀତାଙ୍କୁ ଅପମାନିତ ଓ ଲଜ୍ଜିତ ହେବାକୁ ପଡ଼ିପାରେ। ତେଣୁ ଅଯଥା ଋଣୀ ହୋଇ ଜଟିଳ ଓ ଚାପଗ୍ରସ୍ତ ଜୀବନ ଅତିବାହିତ କରିବା ଅପେକ୍ଷା ଆଦୌ ଋଣ ନ କରି ସରଳ ଓ ଚାପମୁକ୍ତ ଜୀବନ ସୂତ୍ରରେ ଯୋଡ଼ି ହୋଇ ରହିବା ପ୍ରକୃତପକ୍ଷେ ଶ୍ରେୟସ୍କର। ଏତିକି କହିବା ଯଥେଷ୍ଟ ହେବ ଯେ, ଶରୀର ଓ ମନର ଚିର ସୁସ୍ଥତା ଏବଂ ଋଣମୁକ୍ତ ଚଳଣିର କ୍ରମିକଧାରା ଏକ ସଙ୍ଗେ ସମନ୍ବିତ ହୋଇପାରିଲେ ଆମେ ଜୀବନରେ ସୁଖ ଉପଲବ୍ଧି କରିପାରିବା, ଯାହାକି ସୂକ୍ଷ୍ମ ସଂଯମତାର ଏକ ଅନୁକୂଳ ନିଦର୍ଶନ ହୋଇପାରିବ।
ମୋ: ୯୯୩୮୭୪୭୮୨୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri