ସମ୍ବଲପୁରୀ ଶାଢ଼ି

ଡ. ମୌସୁମୀ ପରିଡ଼ା

ଓଡ଼ିଶାରେ ବୟନ ଶିଳ୍ପର ଇତିହାସ ବହୁ ପୁରୁଣା। ସମ୍ବଲପୁରୀ ବାନ୍ଧକଳା ଖାଲି ଆମ ରାଜ୍ୟରେ ନୁହେଁ, ସାରା ଦେଶରେ ପରିଚିତ ଓ ଲୋକପ୍ରିୟ। ଆଜିକାଲି ବିଭିନ୍ନ ରଙ୍ଗ, ଶୈଳୀ, ବଜାର ଚାହିଦା ସହ ଆଧୁନିକତାକୁ ବଜାୟ ରଖି ପ୍ରସ୍ତୁତ କରାଯାଉଥିବାରୁ ସମ୍ବଲପୁରୀ ବସ୍ତ୍ରର ଆବଶ୍ୟକତା ଆଗ ଅପେକ୍ଷା ବୃଦ୍ଧି ପାଇଛି। ଦିନ ଥିଲା, ପ୍ରତି ଘରେ ସମ୍ବଲପୁରୀ ବସ୍ତ୍ର ବ୍ୟବହାର ହେଉଥିଲା। ଧନୀ ଗରିବ ମଧ୍ୟବିତ୍ତ ପ୍ରାୟ ସବୁ ଶ୍ରେଣୀର ଲୋକ ସମ୍ବଲପୁରୀ ଶାଢ଼ି ପିନ୍ଧିପାରିବାର କ୍ଷମତା ରଖୁଥିଲେ। ସେ ଅନୁଯାୟୀ ସେତେବେଳେ ବଜାରରେ ବିଭିନ୍ନ ମୂଲ୍ୟର ସମ୍ବଲପୁରୀ ଶାଢ଼ି ଉପଲବ୍ଧ ହେଉଥିଲା। ବିବାହ ବ୍ରତରେ ଦାମିକା ଶାଢ଼ି ହିସାବରେ ପ୍ରାୟତଃ ସମ୍ବଲପୁରୀ ପାଟ ବ୍ୟବହାର କରାଯାଉଥିଲା। ଗୋଟେ ସମୟରେ ନଣନ୍ଦ ପୁଟୁଳିରେ ପ୍ରଥମେ ସମ୍ବଲପୁରୀ ପାଟ ଖୋଜା ପଡ଼ୁଥିଲା। ଝିଅର ବିବାହଠାରୁ ଅଷ୍ଟମଙ୍ଗଳା ପର୍ଯ୍ୟନ୍ତ ପାଟଶାଢ଼ି ହିଁ ଦିଆଯାଉଥିଲା। ତା’ ଭିତରେ ଲୁଚି ରହିଥିଲା ମାଟିର ମହକ, ବୁଣାକାରମାନଙ୍କ ସ୍ନେହଭରା ଆଶିଷ। ଆଜିକାଲି ସମୟ ସହିତ ଲୋକଙ୍କ ରୁଚି ଓ ଦୃଷ୍ଟିକୋଣ ବଦଳିଛି। ଏହାର ଚାହିଦା ବୃଦ୍ଧି ସହିତ ମୂଲ୍ୟ ମଧ୍ୟ ଅସ୍ବାଭାବିକ ଭାବେ ବୃଦ୍ଧିପାଇଛି।
ତନ୍ତବୁଣା ଶାଢ଼ି ଓ ବୟନଶିଳ୍ପ କାହିଁ କୋଉ କାଳରୁ ଓଡ଼ିଶାର ପାରମ୍ପରିକତା ବଜାୟ ରଖିଆସିଛି। କଳା-ଐତିହାସିକଙ୍କ ମତରେ ଏହି ପାରମ୍ପରିକ ତନ୍ତବୁଣା ଶାଢ଼ି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ସମ୍ବନ୍ଧାନ୍ବିତ ଓ ମନ୍ଦିରର କାରୁକାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ। ଆରମ୍ଭରୁ ଧଳା, ହଳଦୀ, ଲାଲ୍‌ ଓ କଳା ଏହି ଚାରିରଙ୍ଗରେ ବସ୍ତ୍ର ପ୍ରସ୍ତୁତ ହେଉଥିବାବେଳେ ପରେ ସବୁଜ ରଙ୍ଗର ପ୍ରୟୋଗ କରାଯାଇଥିଲା। ବେଦ ଅନୁସାରେ ବ୍ୟବହୃତ ରଙ୍ଗ ଅତୀତ, ବର୍ତ୍ତମାନ, ଭବିଷ୍ୟ ତଥା ମହାକାଳର। ମନ୍ଦିର, ଗଛଲତା, ପତ୍ର, ହାତୀ, ହରିଣ, ଫୁଲପତ୍ର, ଚଢ଼େଇ ଓ ଜ୍ୟାମିତିକ ଆକାରକୁ ନେଇ ଶାଢ଼ିରେ ଡିଜାଇନ୍‌ ପ୍ରସ୍ତୁତ କରାଯାଉଥିଲା। (ଓଡ଼ିଶାରେ ବୟନ ଇତିହାସ, ୨୬ ନଭେମ୍ବର, ୨୦୨୦)।
ଦ୍ୱାଦଶ ଶତାବ୍ଦୀର କବି ଜୟଦେବ ସମ୍ପୂର୍ଣ୍ଣ ଗୀତଗୋବିନ୍ଦର ପଦାବଳୀ ନିଜ ଜନ୍ମସ୍ଥାନ କେନ୍ଦୁଲିରୁ ପାଟବସ୍ତ୍ରରେ ଲେଖେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିଲେ। ପରେ ପୁରୀ ରାଜା ନୂଆପାଟଣା ଅନ୍ତର୍ଗତ ଟିଗିରିଆର ବୁଣାକାରମାନଙ୍କୁ ଏଭଳି ବସ୍ତ୍ର ତିଆରି କରିବାକୁ ଆଦେଶ ଦେଇଥିଲେ। ସମୟାନୁସାରେ ଏହାର ନବୀକରଣ ହେଲା। ଖଣ୍ଡୁଆ ପାଟ ଓ ଅନ୍ୟ ବୁଣାବସ୍ତ୍ର ମଧ୍ୟ ମହାପ୍ରଭୁଙ୍କୁ ଲାଗି ହୋଇଆସୁଛି। କାଳକ୍ରମେ ଏହାର ଡିଜାଇନ୍‌ ଶ୍ରୀମନ୍ଦିର ଛଡ଼ା କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର କାରୁକାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇଛି।
ପଶ୍ଚିମ ଓଡ଼ିଶାର ବରଗଡ଼, ସୋନପୁର, ବରପାଲି, ରେମୁଣ୍ଡା, ବୌଦ୍ଧ, ସିଂହପାଲି, ତରଭା, କେନ୍ଦୁପାଲି, ବୀରମହାରାଜପୁର ଆଦି ସ୍ଥାନରେ ସମ୍ବଲପୁରୀ ବସ୍ତ୍ର ପ୍ରସ୍ତୁତ ହେଉଥିବାବେଳେ ଆମ ରାଜ୍ୟର ଅନ୍ୟ ସ୍ଥାନ ଯଥା କଟକର ନୂଆପାଟଣା, ବଡ଼ମ୍ବା, ମାଣିଆବନ୍ଧ, ନରସିଂହପୁର, ଟିଗିରିଆ, ବାଲେଶ୍ୱର ଓ ଯାଜପୁରର କିଛି ସ୍ଥାନରେ ଏଭଳି ଶାଢ଼ି ପ୍ରସ୍ତୁତ ହୋଇଆସୁଛି। ଆଜିକାଲି ସମ୍ଭ୍ରାନ୍ତ ବର୍ଗର ସ୍ତ୍ରୀ ପୁରୁଷ ଉଭୟ ସମ୍ବଲପୁରୀ ପିନ୍ଧିବାକୁ ପସନ୍ଦ କରୁଛନ୍ତି।
୧୯୮୦ରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସମ୍ବଲପୁରୀ ଶାଢ଼ି ପିନ୍ଧୁଥିଲେ, ଯାହା ତାଙ୍କ ବ୍ୟକ୍ତିତ୍ୱକୁ ବହୁଗୁଣିତ କରୁଥିଲା। ୨୦୦୭ରେ ବଲିଉଡ୍‌ ଫିଲ୍ମର କିମ୍ବଦନ୍ତୀ ପୁରୁଷ ଅମିତାଭ ବଚ୍ଚନ ନିଜ ପୁଅର ବିବାହ ପ୍ରସ୍ତାବ ନେଇ ଐଶ୍ୱର୍ଯ୍ୟା ରାୟଙ୍କ ଘରକୁ ଯିବାବେଳେ ଦୁଇଟି ସମ୍ବଲପୁରୀ ଶାଢ଼ି ଉପହାର ସ୍ବରୂପ ସାଙ୍ଗରେ ନେଇଯାଇଥିଲେ। ନିକଟରେ ଲୋକ ସଭା ସଦସ୍ୟା ସୁପ୍ରିୟା ସୁଲେ ପାର୍ଲାମେଣ୍ଟରେ ନିଜ ବକ୍ତବ୍ୟ ରଖିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ପ୍ରଶଂସା ନ କରି ରହିପାରିନଥିଲେ। ସେ କହିଥିଲେ- ସମ୍ବଲପୁରୀ ଶାଢ଼ି ପିନ୍ଧି ସେ କେତେ ସୁନ୍ଦରୀ ଓ ମର୍ଯ୍ୟାଦାସମ୍ପନ୍ନ ଦିଶୁଛନ୍ତି! ନିକଟ ଅତୀତରେ ଅଭିନେତ୍ରୀ ବିଦ୍ୟା ବଲାନ୍‌ ତାଙ୍କ ଫିଲ୍ମ ଶକୁନ୍ତଳା ଦେବୀର ପ୍ରମୋସନ୍‌ ଅବସରରେ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ। ସେ ବାନ୍ଧ ଶିଳ୍ପୀମାନଙ୍କ ଭୂରି ଭୂରି ପ୍ରଶଂସା କରିଥିଲେ। ସମ୍ବଲପୁରୀ ଶାଢ଼ିର ଚାହିଦା ବୃଦ୍ଧିର ଏସବୁ ଗୋଟେ ଗୋଟେ ଉଦାହରଣ। ଏହା ସତ୍ତ୍ୱେ ଓଡ଼ିଶାର ପୁରପଲ୍ଲୀରେ ଆଉ ସେଭଳି ସମ୍ବଲପୁରୀ ଶାଢ଼ିପିନ୍ଧା ଝିଅବୋହୂ ଦେଖାଯାଉନାହାନ୍ତି! ଚାହିଦା ବଢ଼ୁଥିବାରୁ ଏହାର ଅହେତୁକ ମୂଲ୍ୟବୃଦ୍ଧି ହୋଇଛି। ଅବଶ୍ୟ ପାଟଶାଢ଼ି ବୁଣିବାକୁ ସପ୍ତାହରୁ ମାସେ ପର୍ଯ୍ୟନ୍ତ ସମୟ ଲାଗିଯାଏ। ସେ ଅନୁସାରେ ମୂଲ୍ୟ ମଧ୍ୟ ବୃଦ୍ଧିପାଇବା ସାଧାରଣ କଥା। ସାଢ଼େ ଚାରି ହଜାରରୁ ଷାଠିଏ ସତୁରି ହଜାର ପର୍ଯ୍ୟନ୍ତ ସମ୍ବଲପୁରୀ ଶାଢ଼ି ବଜାରରେ ଉପଲବ୍ଧ, ଯାହାର ଦାମ୍‌ ଆକାଶଛୁଆଁ ମନେହୁଏ।
ନିମ୍ନ ମଧ୍ୟବିତ୍ତ ବ୍ୟକ୍ତିଟିଏ ଝିଅ ବିବାହ ପାଇଁ ମନ ପସନ୍ଦର ଆଠ, ନଅ ହଜାର ଟଙ୍କାର ଶାଢ଼ି ନ କିଣି ସେ ଟଙ୍କାରେ ସୁନା ଗହଣା କିଣିବାକୁ ଉଚିତ୍‌ ମନେକରିପାରେ। ନଣନ୍ଦ ପୁଟୁଳିରେ ଅନ୍ୟ କୌଣସି ଶାଢ଼ି ଦିଆଯାଇପାରେ। ପାଞ୍ଚ ସାତ ଖଣ୍ଡ ସମ୍ବଲପୁରୀ ପାଟ ବଦଳରେ ବିବାହ ସମୟରେ ଖଣ୍ଡେ ସମ୍ବଲପୁରୀ ପାଟ କିଣାଯାଇପାରେ। ମୂଲ୍ୟ ବୃଦ୍ଧି ଦ୍ୱାରା ଯେ ବୁଣାକାରମାନଙ୍କ ଭାଗ୍ୟ ବଦଳୁଛି ତା’ ନୁହେଁ। ଉପଯୁକ୍ତ ପାରିଶ୍ରମିକ ସେମାନଙ୍କୁ ଠିକ୍‌ ଭାବେ ମିଳି ପାରୁନାହିଁ। କୁଶଳୀ, ଅର୍ଦ୍ଧକୁଶଳୀ କାରିଗରମାନଙ୍କଠାରୁ କମ୍‌ ଦାମ୍‌ ଦେଇ ବ୍ୟବସାୟୀ ଅଧିକ ଲାଭ ଉଠାଉଛି।
ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପ୍ରକୃତ ବୁଣାକାରମାନେ ପାଇପାରୁନାହାନ୍ତି। ଓଲଟା ବ୍ୟବସାୟୀମାନେ ଲାଭବାନ୍‌ ହେଉଛନ୍ତି। କିଛି ଲୋକ ଅପେକ୍ଷାକୃତ କମ୍‌ ଦାମ୍‌ର ଶାଢ଼ି କିଣି ସାଲିସ୍‌ କରିନେଉଛନ୍ତି ପସନ୍ଦ ସହିତ। କଞ୍ଚାମାଲ୍‌ର ଅଭାବ ଓ ବାହାର ରାଜ୍ୟରୁ ଆମଦାନୀ ମୂଲ୍ୟବୃଦ୍ଧିର ଅନ୍ୟତମ କାରଣ ହୋଇଥାଇପାରେ। ସେ ଯାହାହେଉନା କାହିଁକି, ଆମ ସଂସ୍କୃତି ଓ ପରମ୍ପରାର ପରିଚାୟକ ସମ୍ବଲପୁରୀ ପାଟର କ୍ରେଜ୍‌ ଏବେ ଓଡ଼ିଶାର ପୁରପଲ୍ଲୀରେ କମ୍‌ ଦେଖିବାକୁ ମିଳଛି।
ଓଡ଼ିଆ ବୋହୂର ମଥାରେ ଓଢ଼ଣୀ ହୋଇ ଓଡ଼ିଆ ବୁଣାକାରର ଆଶୀର୍ବାଦ ପୂର୍ବପରି ଝଲସୁନାହିଁ। ବ୍ୟୟବହୁଳ ସମ୍ବଲପୁରୀ ପାଟଶାଢ଼ି ବଦଳରେ ଅପେକ୍ଷାକୃତ ଶସ୍ତା ଶାଢ଼ି ବିବାହ ବ୍ରତାଦି କାର୍ଯ୍ୟରେ ବ୍ୟବହୃତ ହେଉଛି। ଚାହିଦା ବଢ଼ିଲେ ରାଜ୍ୟର ସୁନାମ ବୃଦ୍ଧି ପାଇବ। କିନ୍ତୁ ରାଜ୍ୟବାସୀ ପ୍ରଭାବିତ ନ ହୁଅନ୍ତୁ। ଏଥିପାଇଁ ବିହିତ ପନ୍ଥା ଅବଲମ୍ବନ ନ କଲେ ସମ୍ବଲପୁରୀ ପାଟ କ୍ରମଶଃ ଅପହଞ୍ଚ ପାଲଟିଯିବ। ତା’ ବଦଳରେ ଅନ୍ୟ ରାଜ୍ୟର ଶାଢ଼ି ଓ ସଂସ୍କୃତି ସେ ଶୂନ୍ୟସ୍ଥାନକୁ ପୂରଣ କରିନେବ। ଏଥିରେ କ୍ଷତିଗ୍ରସ୍ତ ହେବେ ବୁଣାକାର ଗୋଷ୍ଠୀ ଓ ସମ୍ବଲପୁରୀ ପାଟକୁ ହୃଦୟ ଦେଇ ଭଲପାଉଥିବା ଲୋକମାନେ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri