Categories: ଖେଳ

ନର୍ଦ୍ଦର୍ନ ଓ୍ବାରିୟର୍ସକୁ ଦ୍ୱିତୀୟ ଆବୁଧାବି ଟାଇଟଲ

ଆବୁଧାବି, ୮ା୨ (ପି.ଟି.)-ନର୍ଦ୍ଦର୍ନ ଓ୍ବାରିୟର୍ସ ଦ୍ୱିତୀୟ ଥର ପାଇଁ ଆବୁଧାବି ଟି୧୦ ଟାଇଟଲ ହାସଲ କରିଛି। ଫାଇନାଲରେ ପ୍ରଭାବୀ ବୋଲିଂ ଦଳ ଦିଲ୍ଲୀ ବୁଲ୍ସକୁ ୮ ଉଇକେଟରେ ପରାସ୍ତ କରଛି। ଶନିବାର ରାତିରେ ଆବୁ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କାର ଉଦୀୟମାନ ଅପ୍‌ ସ୍ପିନର ମହେଶ ଥିକ୍‌ସାନା (୩/୧୪), ଫାଷ୍ଟବୋଲର ଧନଞ୍ଜୟ ଲକ୍ଷନ (୨/୧୪) ଓ ୟୁଏଇ ମିଡିୟମ ପେସର ଜୁନେଜ ସିଦ୍ଦିକି (୨/୧୯)ଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନେଇଥିବା ନର୍ଦ୍ଦର୍ନ ଓ୍ବାରିୟର୍ସ ଦିଲ୍ଲୀ ବୁଲ୍ସକୁ ୮୧/୯ ସ୍କୋରରେ ସୀମିତ କରିଦେଇଥିଲା। ଦିଲ୍ଲୀ ବୁଲ୍ସର ୩ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍ପର୍ଶ କରିପାରିଥିଲେ। ଟପ୍‌ ସ୍କୋରର ଆଫଗାନ ଅଲରାଉଣ୍ଡର ମହମ୍ମଦ ନବି ୧୦ବଲ୍‌ରୁ ୨୧ରନ କରିଥିଲେ। ଦୁଇ ଅଙ୍କ ସ୍କୋର କରିଥିବା ଅନ୍ୟ ଦୁଇ ବ୍ୟାଟ୍ସମ୍ୟାନ ହେଲେ ରହମାନୁଲ୍ଲା ଗୁର୍‌ବାଜ (୧୩) ଓ ଓ୍ବେଷ୍ଟଇଣ୍ଡିଜର ଇଭିନ ଲିଓ୍ବିସ (୧୦)। ନର୍ଦ୍ଦର୍ନ ଓ୍ବାରିୟର୍ସ ୧୦ ବଲ୍‌ ବାକି ଥାଇ ମାତ୍ର ୨ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଓପନର ଓ୍ବାସିମ ଅହମ୍ମଦ ୨୭ ରନ କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜର ୩ଜଣ ଅଧିନାୟକ ନିକୋଲାସ ପୁରାନ (୧୨), ଲେଣ୍ଡଲ ସିମନ୍ସ (୧୪*) ଏବଂ ରୋଭମ୍ୟାନେ ପାଓ୍ବେଲ୍ସ ଦଳର ଅବଶିଷ୍ଟ ଦାୟିତ୍ୱ ତୁଲାଇଥିଲେ। ଏହି ବିଜୟ ଦ୍ୱାରା କ୍ୱାଲିଫାୟର୍ସରେ ଦିଲ୍ଲୀ ବୁଲ୍ସ ବିପକ୍ଷ ପରାଜୟର ପ୍ରତିଶୋଧ ନେଇପାରିଛି ନର୍ଦ୍ଦର୍ନ ଓ୍ବାରିୟର୍ସ ।

Share