ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ୧୦୦ ଫୁଟ ଲମ୍ବର ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ସରକାରଙ୍କ ଜଳସେଚନ ବିଭାଗ ପକ୍ଷରୁ ବ୍ୟୟ ଅଟକଳ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଲୁଣା ଘେରିବନ୍ଧ ସାମୁଦ୍ରିକ ଜୁଆର ମାଡ଼ରେ ଭୁଶୁଡ଼ି ପଡ଼ିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବ୍ଲକ ଅଧୀନ ଜକସେଚନ ବିଭାଗ ( ନଦୀ ତଟବନ୍ଧ ) ବିଜୟନଗର ସେକ୍ସନର ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ କଂସାର ଗ୍ରାମ ସଂଲଗ୍ନ ଗୋବରୀ ନଦୀ କୂଳରେ ଶହେ ଫୁଟ ଲମ୍ବର ଏକ ଉଚ୍ଚ ମାଟିବନ୍ଧ ଗୁରୁବାର ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିବା ଦେଖିବାକୁ ମିଳିଛି। ତେବେ ସାମୁଦ୍ରିକ ଜୁଆର ମାଡ଼ରେ ନିମ୍ନମାନର ବନ୍ଧ ନିର୍ମାଣ ଓ ନିକଟ ଚିଙ୍ଗୁଡ଼ି ଘେରିର ( କଙ୍କଡ଼ା କୋଚିଆ ଗାତ ) ଘଳିଆ ଯୋଗୁ ଭୁଶୁଡି ପଡ଼ିଛି ବୋଲି କହିଛନ୍ତି ସ୍ଥାନୀୟ ଲୋକମାନେ। ଅଦ୍ୟାବଧି ଘଟଣା ସ୍ଥଳରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରି ନ ଥିବା ଅଭିଯୋଗ ହେଉଛି। ଆଗାମୀ ସପ୍ତାହ ମଧ୍ୟରେ ମୁଖ୍ୟ ଘେରି ନଦୀବନ୍ଧ ସମ୍ପୂର୍ଣ୍ଣ ଗୋବରୀ ନଦୀରେ ଲୀନ ହୋଇ କଂସାର ଗ୍ରାମକୁ ଗ୍ରାସ କରିବ ବୋଲି ବୋଲି ଗ୍ରାମର ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଗ୍ରାମର ସୁନାକର ସ୍ବାଇଁ, କ୍ଷୀରୋଦ ଲେଙ୍କା କହିବା କଥା ଏହି ଘେରି ବନ୍ଧ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଗୋବରୀ ନଦୀ କୂଳ ଭୁଶୁଡ଼ି ଥିବା ଗୁରୁତର ଅଭିଯୋଗ କରିଛନ୍ତି। ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ପାଇଁ ଦାବି କରିଛନ୍ତି ନଚେତ୍‌ ଚାଷ ଜମି ନଷ୍ଟ ହେବ ବୋଲି କହିଛନ୍ତି।
ଏ ସଂକ୍ରାନ୍ତରେ ଆଳିସ୍ଥିତ ନଦୀ ତଟବନ୍ଧ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାର ସାହୁଙ୍କ ମତାମତ ନେବାରେ ଧସିବା ଖବର ମିଳିଛି। ଉକ୍ତ ସ୍ଥାନରେ ମାଟି ବନ୍ଧ ରହୁନି ସେଥିପାଇଁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଖୁବ୍‌ଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share