Categories: ଖେଳ

ନଭେମ୍ବର ୧ରୁ ସାଇ ସେଣ୍ଟରଗୁଡ଼ିକ ପୁଣି ଖୋଲିବ

ନୂଆଦିଲ୍ଲୀ,୨୨।୧୦(ପି.ଟି.): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ପୁଣି ଥରେ ଦେଶର ବିଭିନ୍ନ ସାଇ ସେଣ୍ଟରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବରରେ ୧ ତାରିଖରୁ ସାଇ ସେଣ୍ଟରଗୁଡିକ ଖୋଲିବ ଓ ଏଠାରେ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ ହେବ ବୋଲି ବୁଧବାର ସ୍ପୋଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ କୁହାଯାଇଛି। ଏଥିପାଇଁ ଆଥଲେଟ୍‌ ତଥା ଟ୍ରେନିଙ୍କ ପାଇଁ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯିବ। ଏହା ହେଲେ ଆଥଲେଟମାନେ ସେମାନଙ୍କ ଟ୍ରେନିଂ ସେଣ୍ଟରରେ ସହଜରେ ପହଞ୍ଚି ପାରିବେ ବୋଲି ସାଇ କହିଛି।
୫୦୦ କି.ମି. ଯାତ୍ରା କରିବାକୁ ଥିବା ଆଥଲେଟ୍‌ଙ୍କ ପାଇଁ ଏୟାର ଟିକେଟ୍‌ର ବ୍ୟବସ୍ଥା କରାଯିବ। ଅନ୍ୟମାନଙ୍କ ପାଇଁ ଟ୍ରେନ୍‌ରେ ଥାର୍ଡ ଏସିର ବ୍ୟବସ୍ଥା କରାଯିବ। ଉଲ୍ଲେଖଥାଉ କି, କରୋନା ଭାଇରସ୍‌ ସଂକ୍ରମଣ ପାଇଁ ମାର୍ଚ୍ଚ ୧୭ ତାରିଖରେ ଦେଶର ସବୁ ସାଇ ଟ୍ରେନିଂ ସେଣ୍ଟରକୁ ବନ୍ଦ କରିଦିଆଯାଇଥିଲା। ସବୁ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ମାନଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ। ସାଇ ସେଣ୍ଟରଗୁଡିକରେ ବାୟୋ ବବଲର ବ୍ୟବସ୍ଥା କରାଯିବ। ଦୀପାବଳି ପରେ ଆଥଲେଟମାନେ ଟ୍ରେନିଂରେ ଯୋଗ ଦେଇପାରିବେ। ସମସ୍ତଙ୍କୁ ଏସ୍‌ଓପି ଓ ନିୟମ ମାନିବାକୁ ହେବ ବୋଲି ସାଇ ତରଫରୁ କୁହାଯାଇଛି।

Share