ଚାଷୀ ଆତ୍ମହତ୍ୟାର ମୂଳ କାରଣ

ବିଚିତ୍ର ବିଶ୍ୱାଳ

ଓଡ଼ିଶାରେ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଖୁବ୍‌ ସାଧାରଣ। ସେହି ବାତ୍ୟାକୁ ନେଇ ଗୋଟିଏ ଘଟଣା। ଥରେ ବାତ୍ୟାରେ ଗୋଟିଏ ଗଛ ଉପୁଡ଼ି ନିକଟରେ ଥିବା ଏକ ଗୁହାଳ ଉପରେ ପଡ଼ି କାନ୍ଥ ଭାଙ୍ଗିଗଲା। କାନ୍ଥ ଭାଙ୍ଗିଯିବାରୁ ଭିତରେ ବନ୍ଧା ହୋଇଥିବା ଏକ ଛେଳିର ବେକ ଦଉଡ଼ିରେ ଚିପି ହୋଇଗଲା ଓ ଛେଳିଟି ମରିଗଲା। ଏବେ ଆସିବା ଛେଳି ମରିବା କାରଣକୁ। ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଲା, ଛେଳିଟିର ବେକରେ ପଘା ଚିପି ହୋଇଯିବାରୁ ଅଣନିଃଶ୍ୱାସୀ ହୋଇ ମରିଛି। ବେକରେ ପଘା ଚିପି ହୋଇଯିବା ଛେଳି ମୃତ୍ୟୁର ଏକମାତ୍ର କାରଣ ନା ଏହା ପଛରେ ଆଉ କିଛି କାରଣ ଅଛି? ବେକରେ ପଘା ଚିପି ହୋଇଯାଇଥିବାରୁ ଛେଳିଟି ମରିଥାଇପାରେ, କିନ୍ତୁ ଏହା ତା’ର ଏକମାତ୍ର କାରଣ ନୁହେଁ। ଛେଳିଟି ମରିବା ପଛରେ ଏକାଧିକ ଓ ଗୁରୁତ୍ୱପୂର୍ଣ୍ଣ କାରଣ ଅଛି। ସ୍ବାଭାବିକ ଭାବେ ଛେଳିଟିର ବେକରେ ପଘା ଚିପି ହୋଇନାହଁି। କାନ୍ଥ ପଡ଼ିବା ଯୋଗୁ ଛେଳିଟିର ବେକରେ ପଘା ଚିପି ହୋଇଗଲା। ଆହୁରି କାରଣ ବିଶ୍ଳେଷଣ କଲେ ପାଇବା ଯେ, ବାତ୍ୟା ହେବାରୁ ହଁି ଗଛ ପଡ଼ିଲା, ଗଛ ପଡ଼ିବାରୁ କାନ୍ଥ ପଡ଼ିଲା ଓ ଛେଳିର ବେକରେ ପଘା ଚିପି ହୋଇଗଲା ଏବଂ ମୃତ୍ୟୁବରଣ କଲା। ତେଣୁ ଛେଳିମୃତ୍ୟୁର ଅସଲ କାରଣ ବା ମୂଳ କାରଣ ହେଉଛି ବାତ୍ୟା। କେବଳ ପଘା ବେକରେ ଚିପି ହୋଇ ଛେଳିଟି ମରିଛି କହିଲେ ଏହା ଅର୍ଦ୍ଧସତ୍ୟ ହେବ।
ସମାଜବିଜ୍ଞାନ ଅନୁସାରେ ପ୍ରତ୍ୟେକ ଘଟଣାର ତିନୋଟି କାରଣ ଅଛି। ତୁରନ୍ତ କାରଣ, ଅନ୍ତର୍ନିହିତ କାରଣ ଓ ମୂଳ କାରଣ ବା ମୌଳିକ କାରଣ। ଛେଳିମୃତ୍ୟୁ କ୍ଷେତ୍ରରେ ପଘା ବେକରେ ଚିପି ହେବା ହେଉଛି ତୁରନ୍ତ କାରଣ। ଗଛ ପଡ଼ିବା ହେଉଛି ଅନ୍ତର୍ନିହିତ କାରଣ ଓ ବାତ୍ୟା ହେଉଛି ମୂଳ କାରଣ। ସମ୍ପ୍ରତି ଆମ ରାଜ୍ୟ ଓ ଦେଶରେ ଦେଖାଯାଉଥିବା ବ୍ୟାପକ କୃଷକ ଆତ୍ମହତ୍ୟା ଘଟଣାଗୁଡ଼ିକୁ ଠିକ୍‌ ଏହିପରି ତର୍ଜମା ନ କଲେ ସତ୍ୟର ଅପଳାପ ହେବ। ରିପୋର୍ଟ ଅନୁସାରେ, ୨୦୧୩ରୁ ୨୦୨୨, ଦଶ ବର୍ଷ ମଧ୍ୟରେ ଆମ ରାଜ୍ୟର ୨୧ଟି ଜିଲାରେ ୭୯ ଜଣ ଚାଷୀ କୃଷିଜନିତ କାରଣରୁ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। କିନ୍ତୁ ଏହିସବୁ ଆତ୍ମହତ୍ୟାକୁ ସରକାର ଚାଷୀ ଆତ୍ମହତ୍ୟା ତଥା କୃଷିଜନିତ କାରଣରୁ ଆତ୍ମହତ୍ୟା ବୋଲି ମାନିବାକୁ ରାଜି ନୁହନ୍ତି। ରାଜ୍ୟ ସରକାରଙ୍କ ଜିଲାସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏହିସବୁ ଆତ୍ମହତ୍ୟାର ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ, କୃଷିଜନିତ କାରଣରୁ ନୁହେଁ ବରଂ ପାରିବାରିକ ସମସ୍ୟା ଓ ଅନ୍ୟାନ୍ୟ କାରଣରୁ ଚାଷୀମାନେ ଆତ୍ମହତ୍ୟା କରିଛନ୍ତି। ଖୋଦ୍‌ କୃଷିମନ୍ତ୍ରୀ ଗତ ବିଧାନସଭାରେ ଏହି ତଥ୍ୟ ରଖିଥିଲେ। ୨୦୧୫ରେ ବଲାଙ୍ଗୀର ଜିଲାରେ ଆତ୍ମହତ୍ୟା କରିଥିବା ୩ ଜଣ ଚାଷୀଙ୍କ ତଦନ୍ତ ରିପୋର୍ଟରେ କୃଷି ବିଭାଗର ଅଧିକାରୀ କହିଛନ୍ତି ଯେ, ଆତ୍ମହତ୍ୟାର କାରଣ ଜଣାପଡ଼ିନାହଁି। ଯଦି କାରଣ ଜଣାପଡ଼ିନାହଁି, ତାହେଲେ ଏହା କିପରି ତଦନ୍ତ! ନବରଙ୍ଗପୁର ଜିଲାରେ ଆତ୍ମହତ୍ୟାା କରିଥିବା ୩ ଚାଷୀଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ପାରିବାରିକ କାରଣ ଯୋଗୁ ସେମାନେ ଆତ୍ମହତ୍ୟା କରିଛନ୍ତି। ବରଗଡ଼ ଜିଲାରେ ୨୦୧୫ରୁ ୨୦୧୭ ମଧ୍ୟରେ ସର୍ବାଧିକ ୧୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ, କିଛି ଚାଷୀ ପାରିବାରିକ କଳହ ଓ କିଛି ଚାଷୀ ମାନସିକ ଚାପରେ ରହିଥିବା ଯୋଗୁ ଆତ୍ମହତ୍ୟା କରିଛନ୍ତି। ଆଉ କିଛି ଚାଷୀଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହଁି। ବରଗଡ଼, ବଲାଙ୍ଗୀର ଓ ନବରଙ୍ଗପୁର ପରି ଅନ୍ୟାନ୍ୟ ଜିଲାର ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟରେ ବି ଏକାପରି କାରଣ ଦର୍ଶାଯାଇଛି।
ଆତ୍ମହତ୍ୟାର କାରଣ ଦର୍ଶାଉଥିବା ଏହିସବୁ ତଦନ୍ତ ରିପୋର୍ଟ ଠିକ୍‌ ଛେଳି ମୃତ୍ୟୁର କାରଣ ବେକରେ ପଘା ଚିପି ହେବା ପରି। ମୂଳ ଅର୍ଥାତ୍‌ ମୌଳିକ କାରଣକୁ ଜାଣି ଜାଣି ତଦନ୍ତ ରିପୋର୍ଟରେ ଦର୍ଶାଯାଇନାହଁି। ଜଣେ ଆତ୍ମହତ୍ୟା କରିଛି ଅର୍ଥ, ସେ ମାନସିକ ଚାପରେ ରହିବା ଯୋଗୁ ହଁି ଆତ୍ମହତ୍ୟା କରିଛି। କିନ୍ତୁ ଅସଲ ପ୍ରଶ୍ନ ହେଉଛି, ସେ ମାନସିକ ଚାପରେ ଥିଲା କାହଁିକି? ଏହି ମୂଳ କାରଣକୁ ଜାଣି ଜାଣି ତଦନ୍ତ ପ୍ରବେଶ କରିନାହିଁି। ପାରିବାରିକ ଅଶାନ୍ତି କାରଣ ଯୋଗୁ ଚାଷୀଟି ଆତ୍ମହତ୍ୟା କରିଛି, ଏହା ସତ୍ୟ। କିନ୍ତୁ ଏହା ହେଉଛି ଆତ୍ମହତ୍ୟାର ତୁରନ୍ତ କାରଣ। ତା’ର ଅନ୍ତର୍ନିହିତ କାରଣ କ’ଣ? ମୌଳିକ କାରଣ କ’ଣ? ତାହା ହଁି ହେବ ଚାଷୀ ଆତ୍ମହତ୍ୟାର ଅସଲ କାରଣ। ତୁରନ୍ତ କାରଣକୁ ଟପି ଯଦି ଆମେ ଘଟଣାକୁ ଆହୁରି ଗମ୍ଭୀର ଭାବେ ବିଶ୍ଳେଷଣ କରିବା, ତେବେ ଆତ୍ମହତ୍ୟାର ଅନ୍ତର୍ନିହିତ କାରଣ ଓ ମୌଳିକ କାରଣକୁ ଠାବ କରିପାରିବା। ଯଦି ଘଟଣାର ମୂଳକୁ ଦେଖିବାକୁ ଚେଷ୍ଟା କରିବା ତେବେ ପାଇବା ଯେ, ଚାଷୀଟିଏ ଦୀର୍ଘ ବର୍ଷ ହେବ ଚାଷରେ କ୍ଷତି ସହି ଆସୁଛି। ଏହା ପଛରେ ଥିବା କାରଣଗୁଡ଼ିକ ହେଉଛି, ଚାଷରେ ନିବେଶ ଖର୍ଚ୍ଚ ବହୁତ ବଢ଼ିଛି। ଅମଳ ପରେ ଚାଷୀ ଯେତେବେଳେ ତା’ର ଉପତ୍ାଦକୁ ବିକ୍ରି କରୁଛି, ସେତେବେଳେ ତାକୁ ଉଚିତ୍‌ ଓ ନ୍ୟାୟପୂର୍ଣ୍ଣ ମୂଲ୍ୟ ମିଳୁନାହଁି। ଏକ କ୍ୱିଣ୍ଟାଲ ଧାନ ବା ଗହମ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନାମରେ ଚାଷୀକୁ ଯାହା ମିଳୁଛି, ତାହା ତା’ର ନିବେଶ ଖର୍ଚ୍ଚଠାରୁ କମ୍‌। ତେଣୁ ଚାଷୀଟି ସିଧାସିଧା କ୍ଷତି ସହୁଛି। ଏତଦ୍‌ ବ୍ୟତୀତ ଅନେକ ଚାଷୀ ମଣ୍ଡିରେ ସର୍ବନିମ୍ନ ସହାୟକ ମୂଲ୍ୟରେ ତାଙ୍କ ଉପତ୍ାଦ ବିକିବାକୁ ସକ୍ଷମ ନ ହୋଇପାରି ଆହୁରି କମ୍‌ ଦାମ୍‌ରେ ଘରୋଇ ବେପାରୀଙ୍କୁ ବିକ୍ରି କରୁଛନ୍ତି। ଏହା ବାଦ୍‌ ପ୍ରାୟ ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚାଷୀର ବ୍ୟାପକ ଫସଲ ହାନି ହେଉଛି। ଉଜୁଡ଼ା ଫସଲର କ୍ଷତିପୂରଣ ସରକାର ଯାହା ଦେଉଛନ୍ତି ଓ ଯେତେ ବିଳମ୍ବରେ ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ପରି। ତେଣୁ ଗୋଟିଏ ପଟେ ଚାଷରେ କ୍ଷତି ବଢ଼ୁଛି ଓ ଅନ୍ୟପଟେ ଚାଷରେ ନିବେଶ ଖର୍ଚ୍ଚ ବଢ଼ୁଥିବା ଯୋଗୁ ଚାଷୀର ଋଣଭାର ବଢ଼ିବଢ଼ି ଚାଲୁଛି। ବର୍ଷକୁବର୍ଷ ଚାଷରେ କ୍ଷତି ଓ ବର୍ଦ୍ଧିତ ଋଣଭାର ଯୋଗୁ ଚାଷୀ ତା’ପରିବାରର ବୋଝକୁ ଉଠେଇବାକୁ ସକ୍ଷମ ହୋଇପାରୁ ନାହଁି। ତେଣୁ ପାରିବାରିକ କଳହ ଓ ଅଶାନ୍ତି ବଢ଼ି ଚାଷୀ ମାନସିକ ଚାପରେ ରହୁଛି। ଋଣଭାର ବଢ଼ିବାରୁ ଋଣଦାତାଙ୍କର ଚାଷୀ ଉପରେ ଜୁଲୁମ ବଢ଼ୁଛି। ଏହାଦ୍ୱାରା ମାନସିକ ଚାପ ଆହୁରି ବୃଦ୍ଧିପାଉଛି। ଫଳରେ ଚାଷୀଟି ସହି ନ ପାରି ଆତ୍ମହତ୍ୟାର ରାସ୍ତା ଆପଣେଇ ନେଉଛି। ଏହିସବୁ ଚାଷୀ ଆତ୍ମହତ୍ୟାର ମୂଳ କାରଣକୁ ଯଦି ବିଶ୍ଳେଷଣ କରିବା, ତେବେ ଆମେ ପାଇବା ଯେ ଚାଷରେ କ୍ରମାଗତ କ୍ଷତି ଯୋଗୁ ପାରିବାରିକ ଅଶାନ୍ତି ଓ ମାନସିକ ଚାପ ବଢ଼ୁଛି। ଯଦି ଚାଷୀଟି ଚାଷର ଲାଭ ପାଇଥା’ନ୍ତା ବା ତା’ ପରିବାରର ବୋଝକୁ ସୁରୁଖୁରୁରେ ଉଠେଇ ପାରନ୍ତା, ତେବେ ନା ପାରିବାରିକ ଅଶାନ୍ତି ବଢ଼ନ୍ତା ନା ମାନସିକ ଚାପ ବଢ଼ନ୍ତା। ତେଣୁ ଚାଷୀ ଆତ୍ମହତ୍ୟାର ମୂଳ ବା ମୌଳିକ କାରଣକୁ ଯଦି ବିଶ୍ଳେଷଣ କରିବା, ତେବେ ଗୋଟିଏ କଥା ମିଳିବ ଯେ ଏହା କେବଳ ଚାଷଜନିତ ଆତ୍ମହତ୍ୟା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ସରକାର ନିଜ ଭୂମିକାକୁ ଲୁଚେଇବା ପାଇଁ କେବଳ ତୁରନ୍ତ କାରଣକୁ ତଦନ୍ତ ରିପୋର୍ଟରେ ଦର୍ଶେଇ ମୂଳ କାରଣକୁ ଆଲୋକକୁ ଆଣୁନାହାନ୍ତି। ଚାଷୀ ଆତ୍ମହତ୍ୟାର ମୂଳ କାରଣକୁ ନ ଗଲେ ବା ସତ୍ୟକୁ ସ୍ବୀକାର ନ କଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହଁି। ଯଦି ଆମେ ସତରେ ଚାଷୀ ଆତ୍ମହତ୍ୟା ପରି ଘଟଣାର ସ୍ଥାୟୀ ସମାଧାନ ଚାହଁୁଛେ, ତେବେ ପ୍ରଥମେ ତା’ର ମୂଳ କାରଣକୁ ଯିବାକୁ ହେବ ଓ ନମ୍ରତାର ସହିତ ଚାଷୀ ଆତ୍ମହତ୍ୟାକୁ ସ୍ବୀକାର କରିବାକୁ ହେବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri